Latest Odisha News

BREAKING NEWS

ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ୧୬୦୦ କୋଟି ଟଙ୍କାର ସହାୟତା ରାଶି ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଓଡ଼ିଶାରେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ, ମତ୍ସ୍ୟଜୀବୀ ତଥା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଥିବା ବାତ୍ୟା ପ୍ରପୀଡ଼ିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଗୁଡ଼ିକ ଲାଗି ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ ସହାୟତା ତାଲିକା: –

  • ଏହି ପ୍ୟାକେଜ ଅନୁସାରେ ଅଣ ସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା, ଜଳସେଚିତ ଜମି ଲାଗି ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବଂ ବର୍ଷ ତମାମ ଫସଲ ହେଉଥିବା ଚାଷଜମି ଲାଗି ୧୮,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
  • ଭୟଙ୍କର ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ପରିବା ଚାଷ ଲାଗି ୧ଲକ୍ଷ ମିନିକିଟ୍ ଯୋଗାଣ କରାଯିବ । କ୍ଷତିଗ୍ରସ୍ତ ହୋଇଥିବା ପାନଚାଷୀମାନଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଛତୁଚାଷ ଲାଗି ନଡ଼ାଛପର ଘର ନିର୍ମାଣ ଲାଗି ୪୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ।
  • ସେହିପରି ଭାବେ କ୍ଷତିଗ୍ରସ୍ତ ହୋଇଥିବା କଦଳୀ ଚାଷ ଲାଗି ହେକ୍ଟର ପିଛା ୨୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ ।
  • ଦୁଧ ଦେଉଥିବା ଗାଈ ଓ ମଇଁଶି ଲାଗି ୩୦,୦୦୦ ଟଙ୍କା ଏବଂ ପ୍ରତି ହଡ଼ା ଗାଈ ଲାଗି ୨୫ ହଜାର ଟଙ୍କା ଲେଖାଏଁ ତଥା ଛେଳି ଲାଗି ୩,୦୦୦ ଟଙ୍କା କ୍ଷତିପୂରଣ କରାଯିବ । ଗୁହାଳ ଲାଗି ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।
  • ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଥିବା କ୍ଷତିଗ୍ରସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଅତିରିକ୍ତ ସିଡ଼ ମନି ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେହିପରି ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୧ ଲକ୍ଷ ଟଙ୍କା ଲେଖାଏଁ ଗୋଷ୍ଠୀଗତ ପୁଞ୍ଜି ଲଗାଣ ପାଣ୍ଠି ଯୋଗାଇ ଦିଆଯିବ । ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ।
Leave A Reply

Your email address will not be published.