ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୬
ସର୍ବାଂଚଳୀୟ ବିଶ୍ବବାସୀ
ଭାଷାରେ ରହିଛଂତି ମିଶି
କାହାର କେଉଁପରି ମତି
ଜାଣିବା ଭଳି ନାହିଁ ଶକ୍ତି
ତେଣୁ ମୁଁ ନିଜ ଅନୁଯାୟୀ
ଲେଖୁଛିଁ ଭାବନା ସଜାଇ
ଯଦି ତା ନୁହେ ଉପାଦେୟ
ସତରେ ମୁହିଁ ନିରୁପାୟ
ବାଛି ପ୍ରସଂଗୋଚିତ ଶୈଳୀ
ପଦ୍ୟ ଓ ଗଦ୍ୟ କେତେ ଭଳି
କରିଛିଁ ସର୍ବଦା ଲିଖନ
ଆନଂଦେ ବିତାଏଁ ଜୀବନ
ଗ୍ରହଣ ଅବା ପ୍ରତ୍ୟାଖାନ
କଲେ ବି ମୋ ପାଠକଗଣ
ଉଲ୍ଲସିତ କି ବିଚଳିତ
ହୁଏନି ଭାଷାସକ୍ତ ଚିତ୍ତ
ଯେ ଯାହା ଭାବଂତି ଉଚିତ
ତଦନୁଯାୟୀ କର୍ମରତ
ରହିଲେ, ଭାଷା ଚଳମାନ
ହୋଇ ତିଷ୍ଠଇ ବହୁ ଦିନ
ନିଜ ଭାଷାର ଯତ୍ନ ପାଇଁ
ଅନୁମତି ତ ଲୋଡ଼ାନାହିଁ
ସ୍ବେଚ୍ଛାରେ ପଠନ ଲିଖନ
ଦ୍ବାରା ସଂଭବ ସମୁତ୍ଥାନ
ଦ୍ବିଧା ହିଁ ଏବେ ମୁଖ୍ୟ ବାଧା
ହଟାଇ ଏହି ଅସୁବିଧା
ଆତ୍ମ ସଂଦେହ କରି ତ୍ୟାଗ
ଭାଷା କାମରେ ଦେଉଁ ଯୋଗ
କରେଁ ବିନୀତ ଅନୁରୋଧ
ଶୀଘ୍ର ହଟାଉଁ ଅବରୋଧ
ସ୍ବଭାଷା ଲୋଡ଼େ ଆମ ସେବା
ତା ଆଶା ପୂରଣ କରିବା
ଭାଷା ଗଠିତ ଜନଗଣ
ଏବେ ସୁଝିବା ମାତୃ ଋଣ
ପାଇଛୁଁ ଅପୂର୍ବ ସୁଯୋଗ
ନିଶ୍ଚେ କରିବା ଉପଯୋଗ
ଅତୀତ କୀର୍ତିଗାଥା ଗାଇ
ଏବେ ତ ଚଳି ହୁଏନାହିଁ
ହୋଇବା ଯୁଗ ଉପଯୋଗୀ
ଆମେ ସ୍ବଭାଷା ଅନୁରାଗୀ
ଅନ୍ୟ ଭାଷାର ଭଲ ଗୁଣ
କରିବା ନିଶ୍ଚେ ଆହରଣ
ସବୁ ଭାଷାର ଶବ୍ଦ ମିଶି
ପାରଂତି ସ୍ବଭାବ ପ୍ରକାଶି
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.