ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୧୯
ଭାଷାରେ ଚଳେ ଭଂଗା ଗଢ଼ା
ଅସଂଖ୍ୟ ଶବ୍ଦ ଯୋଡ଼ା ଛଡ଼ା
ଯେହେତୁ ଅଟେ ଧରାବଂଧା
ହୁଏନି ତେଣୁ ଅସୁବିଧା
ପ୍ରତ୍ୟେକେ ନିଜ ରୁଚି ଜାଣି
ବହୁ ଦିଗକୁ ଭାଷା ଟାଣି
ନେଉ ଥାଆଂତି ନିରଂତର
କିଛି ବି ନୁହେ ସ୍ଥାୟୀ, ସ୍ଥିର
ସାଗରେ ତରଂଗ ଯେମିତି
ଉଠେ ଓ ପଡ଼େ, ସେଇମିତି
ଭାଷାର ହୁଏ କ୍ଷୟ, ବୃଦ୍ଧି
କଦାପି ଲଂଘେନି ପରିଧି
ଭାଷାରେ ଖଂଜିଲେ ଶୃଂଖଳା
ଧଳା ବି ହୋଇଯାଏ କଳା
କରିଲେ ସ୍ପଷ୍ଟ ଓ ନିର୍ଦିଷ୍ଟ
ଭାବନା ହୁଏ ପରିପୁଷ୍ଟ
ମନ ଲଗାଇ କଥା ଶୁଣି
ତତ୍କାଳ ପାରେ ଜଣେ ଜାଣି
ଦୁଇ ଜଣଂକ ଉଚ୍ଚାରଣ
ପୂର୍ଣତଃ ହୁଏନି ସମାନ
ପ୍ରତ୍ୟେକ ବ୍ୟକ୍ତିର ବଚନ
ଅନ୍ୟମାନଂକ ଠାରୁ ଭିନ୍ନ
ହେବା ଯେହେତୁ ସ୍ବାଭାବିକ
ସ୍ବୀକାର କରିବା ଏତକ
ଲିପି ହୋଇଲେ ଯାଦୃଚ୍ଛିକ
ଉପୁଜେ ସମସ୍ୟା ଅନେକ
ଭାଷାର ବହୁବିଧ ରୂପ
ହୁଏ କେବଳ ବର୍ଣସ୍ତୂପ
ଲିପି ହୋଇଲେ ଯଂତ୍ରାଧୀନ
ସମସ୍ତ ଅକ୍ଷର ସମାନ
ହୋଇ ହରାଂତି ଅନନ୍ୟତା
ବିଲୁପ୍ତ ହୁଏ ବିଭିନ୍ନତା
ହସ୍ତାକ୍ଷର ଓ ଯଂତ୍ରାକ୍ଷର
ମୁକ୍ତାକ୍ଷର ଓ ଯୁକ୍ତାକ୍ଷର
ଯୁଗ୍ମାକ୍ଷର ଓ କ୍ଷୁଦ୍ରାକ୍ଷର
ମାତ୍ରାକ୍ଷର ଓ ଫଳାକ୍ଷର
ଅଛଂତି ନାନା ପ୍ରକାରର
ସେ ସବୁ ଦେଖି ବାରଂବାର
ପାଠକେ କରଂତି ସ୍ବୀକାର
ହୁଏ ଭାଷାର ଉପକାର
ବ୍ୟବସ୍ଥା ଚଳି ଦୀର୍ଘକାଳ
ଲିପିକୁ କରିଲେ ସରଳ
ସୁସ୍ପଷ୍ଟ ସକ୍ରିୟ ସଚଳ
ଭାଷାକୁ ମିଳିଥାଏ ବଳ
କିଛି ହୁଏନି ଆପେ ଆପେ
ଲୋକେ ଲାଗିଲେ ଭାଷା ବ୍ୟାପେ
ହୁଏ ତହିଁର ଅଭିବୃଦ୍ଧି
ତାହା ହିଁ ପ୍ରକୃତ ସମୃଦ୍ଧି
Comments are closed.