ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ଇଂଲଣ୍ଡ ଓ ୱେଲ୍ସଠାରେ ମେ ୩୦ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶ୍ୱକପରେ ୧୦ଟି ଦେଶ ଯଥା – ଆୟୋଜକ ଇଂଲଣ୍ଡ, ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି । ଏହି ଦ୍ୱାଦଶ ବିଶ୍ୱକପରେ ମୋଟ ୪୮ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଅନୁଷ୍ଠିତ ହେବ । ସବୁଠାରୁ ବଡ଼ କଥାହେଲା ୫ମ ଥର ଲାଗି ଏଥର ଆଇସିସି ବିଶ୍ୱକପ କ୍ରିକେଟ ଇଂଲଣ୍ଡ ଓ ୱେଲ୍ସଠାରେ ଅନୁଷ୍ଠିତ ହେଉଛି ।
ଏହି ବିଶ୍ୱକପରେ ଅଷ୍ଟ୍ରେଲିଆର ୪ଜଣ ଅମ୍ପାୟାର, ଇଂଲଣ୍ଡର ୫ ଜଣ, ଶ୍ରୀଲଙ୍କାର ୨ ଜଣ ଏବଂ ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ପକ୍ଷରୁ ଜଣେ କରି ଅମ୍ପାୟାର ମ୍ୟାଚରେ ଦାୟିତ୍ୱ ତୁଲାଇବେ । ଭାରତ ପକ୍ଷରୁ ସୁନ୍ଦରମ୍ ରବି ଏବଂ ପାକିସ୍ଥାନୀ ଅମ୍ପାୟାର ଅଲିମ୍ ଦାର୍ ମ୍ୟାଚ୍ ପରିଚାଳନା କରିବେ ।
ଭାରତ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ଟିମ୍ ଭାବେ ଏବେ ଭାରତକୁ ବିବେଚିତ କରାଯାଉଛି । ଭାରତୀୟ ଦଳର କପ୍ତାନ ବିରାଟ କୋହଲୀ ବିଶ୍ୱର ନଂ ୧ ବ୍ୟାଟ୍ସମ୍ୟାନ । ବିଶ୍ୱର ସବୁଠାରୁ ଦୁର୍ଦ୍ଦଶ ଓପନିଂ ଯୋଡ଼ି ସାବ୍ୟସ୍ତ ହୋଇଥିବା ରୋହିତ ଶର୍ମା-ଶିଖର ଧାୱନ ବିଶ୍ୱକପରେ ତାଙ୍କର କମାଲ୍ ଦେଖାଇବେ ବୋଲି କ୍ରିକେଟ ବିଶାରଦ ଆଶା ପ୍ରକାଶ କରିଛନ୍ତି ।
କାରଣ ପୂର୍ବରୁ ଉଭୟ ବ୍ୟାଟ୍ସମ୍ୟାନ ଇଂଲଣ୍ଡର ସ୍ୱିଙ୍ଗ୍ ପିଚର ବେଶ୍ ଫାଇଦା ଉଠାଇଥିବାର ନଜିର୍ ରହିଛି । ଏହା ବ୍ୟତୀତ ଅନୁଭବୀ କପ୍ତାନ ମହେନ୍ଦ୍ର ସିଂ ଧୋନୀ ଅଧିନାୟକତ୍ୱ ନକରୁଥିଲେ ବି ପଡ଼ିଆ ମଧ୍ୟରେ ତାଙ୍କର ଉପସ୍ଥିତି ସମ୍ପୂର୍ଣ୍ଣ ଦଳକୁ ନୂଆ ଉତ୍ସାହ ଯୋଗାଇବ । ଭାରତୀୟ ବୋଲିଂ ଟିମ୍ କୁ ଏବେ ବିଶ୍ୱର ଅନ୍ୟତମ ମାରାତ୍ମକ ଟିମ୍ ଭାବେ ବିବେଚିତ କରାଯାଉଛି । ଯଶପ୍ରିତ ବୁମରାଙ୍କୁ ସହଯୋଗ କରିବେ ଭୁବନେଶ୍ୱର କୁମାର ଏବଂ ମହମ୍ମଦ ସାମି । କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ବିପକ୍ଷ ବ୍ୟାଟିଂ ଲାଗି ଘାତକ ସାବ୍ୟସ୍ତ ହେବେ । ଭାରତୀୟ ଦଳରେ ଧୋନୀଙ୍କ ସମେତ ମୋଟ ୩ଜଣ ୱିକେଟ କିପର୍ ରହିଛନ୍ତି । ଅନ୍ୟ ଦୁଇଜଣ ହେଲେ ଦିନେଶ କାର୍ତ୍ତିକ ଏବଂ ଲୋକେଶ ରାହୁଲ ।
ଭାରତୀୟ ଦଳରେ ଥିବା ୪ ଜଣ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା, କେଦାର ଯାଦବ, ରବୀନ୍ଦ୍ର ଜାଦେଜା ଏବଂ ବିଜୟ ଶଙ୍କର ହିଁ ମ୍ୟାଚ ବୀଜୟୀ ହେବାରେ ମୁଖ୍ୟ ଭୁମିକା ଗ୍ରହଣ କରିବାର ସମ୍ଭାବନା ରହିଛି ।
ଭାରତ ପୂର୍ବରୁ କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ ବିଶ୍ୱକପ ହାସଲ କରିପାରିଥିଲା । ସେହିପରି ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଭାରତକୁ ୨୦୧୧ ବିଶ୍ୱକପ ଜିତାଇଥିଲେ ।
ଏବେ ଗୋଟିଏ କଥା ସବୁଆଡ଼େ ଚର୍ଚ୍ଚିତ ହେଉଛି ଯେ, ଭାରତୀୟ ଦଳ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ଦୃଷ୍ଟିରୁ ସବୁ ମ୍ୟାଚରେ ଏବଂ ସବୁ ଷ୍ଟାଡ଼ିୟମରେ ଭରପୁର ଭାରତୀୟ ଦର୍ଶକଙ୍କ ସମର୍ଥନ ପାଇପାରିବ । ଦର୍ଶକଙ୍କ ସମର୍ଥନରେ ଭାରତୀୟ ଖେଳାଳି କେତେ ମାତ୍ରାରେ ଉତ୍ସାହିତ ହୋଇ କିଭଳି ମ୍ୟାଚ୍ ଜିତୁଛନ୍ତି ତାହା ପ୍ରଥମ ମ୍ୟାଚରୁ ହିଁ ଜଣା ପଡ଼ିଯିବ ।
ଅଷ୍ଟ୍ରେଲିଆ: ସମୁଦାୟ ୧୨ଟି ବିଶ୍ୱକପ ମଧ୍ୟରୁ ଅଷ୍ଟ୍ରେଲିଆ ସବୁଠାରୁ ଅଧିକ ଥର ଅର୍ଥାତ ୫ଟି ବିଶ୍ୱକପ ଜିତିବାର ସୌଭାଗ୍ୟ ଅର୍ଜନ କରିପାରିଛି । ଏକ ସନ୍ତୁଳିତ ଦଳ ଭାବେ ଅଷ୍ଟ୍ରେଲିଆ ଟିମ୍ ସବୁ ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଥିବା ଦୃଷ୍ଟିରୁ ଏହି ବିଶ୍ୱକପର ଅନ୍ୟତମ ଦାବିଦାର ଭାବେ କଙ୍ଗାରୁ ଦଳ ଭାରତ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଦଳକୁ ସହଜରେ ଛାଡ଼ିଦେବ ନାହିଁ ।
କଙ୍ଗାରୁ ଦଳର ଯେଉଁ ୫ଜଣ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ସେମାନଙ୍କର କମାଲ୍ ଦେଖାଇ ଚାଲିଛନ୍ତି ସେମାନେ ହେଲେ – ଆରନ୍ ଫିଞ୍ଚ, ଡ଼େଭିଡ଼ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ, ଉସମାନ ଖ୍ୱାଜା ଏବଂ ଦୁର୍ଦ୍ଦଶ ସନ ମାର୍ଶ । ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲିନ ମାକ୍ସୱେଲ ଏବଂ ମାର୍କସ ଷ୍ଟୋଇନିସଙ୍କ ଉପରେ ଦଳ ଅନେକ କିଛି ଆଶା ବାନ୍ଧିଛି । କଙ୍ଗାରୁ ବୋଲର୍ କୁମିନ୍ସ, ନିଲ୍, ଷ୍ଟାର୍କ, ଜମ୍ପା, ଲିଅନ ଏବଂ ବେହେର୍ଣ୍ଣଡ଼ଫ ବିପକ୍ଷ ଦଳର ବ୍ୟାଟିଂ ଲାଇନଅପକୁ ଧ୍ୱଂସ କରିଦେବା ଲକ୍ଷ୍ୟରେ ରହିଛନ୍ତି । ତେବେ ଦଳ ଇଂଲଣ୍ଡ ଦର୍ଶକଙ୍କ ଆଗରେ କିପରି ନିଜକୁ ଉପସ୍ଥାପନ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
Comments are closed.