Latest Odisha News

BREAKING NEWS

ପୁଟିନଙ୍କ ସହ ସେଲଫି ନେଲେ ଭାରତର  ଏଆଇ କିଡ୍’: ୧୭ ବର୍ଷ ବୟସରେ ଚଳାଉଛନ୍ତି କମ୍ପାନୀ

 କିଡ

ନୂଆଦିଲ୍ଲୀ : ଭାରତର ଏଆଇ କିଡ ଭାବେ ପରିଚିତ କେରଳର ୧୭ ବର୍ଷୀୟ ରାଉଲ ଜନ୍ ଅଜୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ନେଇଥିବା ଏକ ସେଲଫି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମସ୍କୋଠାରେ ଆୟୋଜିତ ଅନ୍ତର୍ଜାତୀୟ ଏଆଇ ସମ୍ମିଳନୀ ଏଆଇ ଜର୍ଣ୍ଣି ୨୦୨୬’ ଅବସରରେ ରାଉଲ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଏବଂ ପିଲାମାନଙ୍କ ପାଠପଢ଼ା ଉପରେ ଦୀର୍ଘ ଆଲୋଚନା ହୋଇଥିଲା । ରାଉଲ ଚଳିତ ବର୍ଷ ନିଜର ଷ୍ଟାର୍ଟଅପ୍  ରିୟାଲ୍ମ ଟେକ୍ନୋଲୋଜିସ୍’  ଆରମ୍ଭ କରିଛନ୍ତି, ଯାହାର ସେ ପ୍ରତିଷ୍ଠାତା ଏବଂ ମୁଖ୍ୟ ବୈଷୟିକ ଅଧିକାରୀ  ଅଟନ୍ତି । ତାଙ୍କ କମ୍ପାନୀରେ ମୋଟ ୧୫ ଜଣ କର୍ମଚାରୀ କାମ କରୁଥିବା ବେଳେ, ସବୁଠାରୁ ଖାସ୍ କଥା ହେଉଛି ସେ ନିଜ ବାପାଙ୍କୁ ମଧ୍ୟ କମ୍ପାନୀରେ କାମ କରିବା ପାଇଁ ପ୍ରତି ମାସରେ ୨ ଲକ୍ଷ ଟଙ୍କା ଦରମା ଦେଉଛନ୍ତି । ରାଉଲଙ୍କ କମ୍ପାନୀ ଏପର୍ଯ୍ୟନ୍ତ ୧୫ଟି ଏଆଇ ଟୁଲ୍ ପ୍ରସ୍ତୁତ କରିସାରିଛି ଏବଂ ଆଇଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ତଥା ବିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫ ଲକ୍ଷ ଲୋକଙ୍କୁ ଏଆଇ ତାଲିମ ଦେଇଛି । ପିଲାମାନେ ଯେପରି ଖେଳଖେଳରେ ଏଆଇ ଶିଖିପାରିବେ, ସେଥିପାଇଁ କମ୍ପାନୀ ଏକ ସ୍ୱତନ୍ତ୍ର ଆପ୍ ମଧ୍ୟ ପ୍ରସ୍ତୁତ କରିଛି । ଇନଷ୍ଟାଗ୍ରାମରେ ପୁଟିନଙ୍କ ସହ ଫଟୋ ସେୟାର କରି ରାଉଲ ଲେଖିଛନ୍ତି ଯେ, “ପିଲାଦିନେ ମଜା ପାଇଁ ଭିଡିଓ ତିଆରି କରିବାଠାରୁ ଆରମ୍ଭ କରି ୧୭ ବର୍ଷ ବୟସରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବା ପର୍ଯ୍ୟନ୍ତ, ଜୀବନ ମୋତେ ଏପରି ସୁଯୋଗ ଦେଇଛି ଯାହା ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ।”

ରାଉଲ ମାତ୍ର ୯ ବର୍ଷ ବୟସରୁ ନିଜ ଚେଷ୍ଟାରେ ଏଆଇ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ବାପା ଆଡୋବି କମ୍ପାନୀରେ ଚାକିରି ପାଇବା ପରେ ରାଉଲଙ୍କୁ ଏହାର ସମସ୍ତ ପ୍ରିମିୟମ ଟୁଲ୍ ମାଗଣାରେ ବ୍ୟବହାର କରିବାର ସୁଯୋଗ ମିଳିଥିଲା । ଏଥିରୁ ପ୍ରେରଣା ପାଇ ସେ ସ୍କୁଲ ବିଜ୍ଞାନ ପ୍ରୋଜେକ୍ଟ ପାଇଁ ‘ମିବଟ୍’  ନାମକ ଏକ ରୋବଟ୍ ମଧ୍ୟ ତିଆରି କରିଥିଲେ । ଆଲୋଚନା ସମୟରେ ପୁଟିନ ପଚାରିଥିଲେ ଯେ ପାଠପଢ଼ାରେ ଏଆଇର ଅତ୍ୟଧିକ ବ୍ୟବହାର ପିଲାମାନଙ୍କର ନିଜସ୍ୱ ଚିନ୍ତାଶକ୍ତିକୁ କମ୍ କରିଦେଇପାରେ କି ? ଏହାର ଉତ୍ତରରେ ରାଉଲ କହିଥିଲେ ଯେ ଏଆଇ ମଣିଷର ଚିନ୍ତାଶକ୍ତିର ବିକଳ୍ପ ନୁହେଁ, ବରଂ ମଣିଷ ସହ ମିଶି କାମ କରିବା ଉଚିତ୍ । ଶ୍ରେଣୀଗୃହରେ ୪୦ ଜଣ ପିଲାଙ୍କୁ ଶିକ୍ଷକ ଏକାସାଙ୍ଗରେ ସେମାନଙ୍କ ପସନ୍ଦ ଅନୁସାରେ ପଢ଼ାଇବା କଷ୍ଟକର ହୋଇଥିବା ବେଳେ ଏଆଇ ଏଥିରେ ସହାୟକ ହୋଇପାରିବ । ରାଉଲଙ୍କ କଥା ଶୁଣିବା ପରେ ପୁଟିନ ତାଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ସହ ଯୋଡ଼ି ପ୍ରଶଂସା କରିଥିଲେ। ପୁଟିନ କହିଥିଲେ ଯେ ରାଉଲଙ୍କ ଭଳି ଯୁବକମାନେ ନିଜେ ବୈଷୟିକ ସମାଧାନ ବାହାର କରିବା ଦ୍ୱାରା ଦେଶରେ ସ୍ୱଦେଶୀ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ମିଳୁଛି ।

Leave A Reply

Your email address will not be published.