Latest Odisha News

BREAKING NEWS

୩ ବର୍ଷ ପରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଲେ ରୋହିତ ଶର୍ମା: ଦଳକୁ ଜିତାଇଛନ୍ତି ୫ଟି ଟାଇଟଲ

ମୁମ୍ବାଇ: ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ରୋହିତ ଶର୍ମା ପୁଣିଥରେ ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସର  ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ । ଶୁକ୍ରବାର  ଫ୍ରାଞ୍ଚାଇଜି ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ୩୯ ବର୍ଷୀୟ ରୋହିତ ୨୦୧୩ରୁ ୨୦୨୩ ପର‌୍ୟ୍ୟନ୍ତ ଲଗାତାର ୧୧ଟି ସିଜିନରେ ମୁମ୍ବାଇ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଟି ଆଇପିଏଲ୍ ଟାଇଟଲ୍ ଏବଂ ୨୦୧୩ରେ ଚାମ୍ପିଅନ୍ସ ଲିଗ୍ ଟି-୨୦ ଟ୍ରଫି ଜିତିଥିଲା । ଅନ୍ୟପଟେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗତ ୩ଟି ସିଜିନରେ ଦଳ ମାତ୍ର ଥରେ ପ୍ଲେ-ଅଫରେ ପହଞ୍ଚି ପାରିଥିଲା । ଏହାପରେ ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ଟ୍ରେଡ୍ ଜରିଆରେ ପଞ୍ଜାବ କିଙ୍ଗ୍ସକୁ  ପଠାଇ ଦେଇଛି ଏବଂ ତାଙ୍କ ବଦଳରେ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଦଳରେ ସାମିଲ କରିଛି ।

ମୁମ୍ବାଇ ପାଖରେ ସୂର‌୍ୟ୍ୟକୁମାର ଯାଦବ, ଜସପ୍ରୀତ ବୁମରାହ ଏବଂ ତିଳକ ବର୍ମାଙ୍କ ଭଳି ବିକଳ୍ପ ଥିଲା । ଖୋଦ୍ ରୋହିତ ମଧ୍ୟ ତିଳକ ବର୍ମାଙ୍କ ନାଁ ସୁପାରିଶ କରିଥିଲେ, କିନ୍ତୁ ଫ୍ରାଞ୍ଚାଇଜି ତାଙ୍କୁ ପୁଣିଥରେ ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲା । ଅନେକ ପର‌୍ୟ୍ୟାୟ ଆଲୋଚନା ପରେ ରୋହିତ ଏଥିପାଇଁ ରାଜି ହୋଇଥିଲେ । ୨୦୧୧ରୁ ମୁମ୍ବାଇ ସହ ଜଡ଼ିତ ଥିବା ରୋହିତଙ୍କର ବିପୁଳ ଫ୍ୟାନ୍ ଫଲୋଇଙ୍ଗ ରହିଛି । ୨୦୨୪ରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ପରେ ୱାଙ୍ଖଡେ ଷ୍ଟାଡିୟମରେ ଦର୍ଶକମାନେ ହାର୍ଦ୍ଦିକଙ୍କୁ ହୁଟିଂ କରିଥିଲେ । ମ୍ୟାଚର ପରିସ୍ଥିତିକୁ ବୁଝି ସଠିକ୍ ସମୟରେ ନିଷ୍ପତ୍ତି ନେବା ରୋହିତଙ୍କର ସବୁଠାରୁ ବଡ଼ ବିଶେଷତ୍ୱ, ଯାହାକୁ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ମଧ୍ୟ ପ୍ରଶଂସା କରିଥିଲେ ।

୨୦୧୩ରେ  ରିକି ପଣ୍ଟିଂ ଖରାପ ଫର୍ମ କାରଣରୁ ଅଧିନାୟକ ପଦ ଛାଡ଼ି ନିଜକୁ ପ୍ଲେଇଂ-୧୧ରୁ ବାହାରେ ରଖିଥିଲେ । ସଚିନ ତେନ୍ଦୁଲକର ଓ ହରଭଜନ ସିଂହଙ୍କ ଭଳି ବରିଷ୍ଠ ଖେଳାଳି ଥିବା ସତ୍ତ୍ୱେ ମ୍ୟାନେଜମେଣ୍ଟ ରୋହିତଙ୍କ ଉପରେ ଭରସା କରିଥିଲା । ୨୪ ଏପ୍ରିଲ ୨୦୧୩ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ପ୍ରଥମ ଥର ଅଧିନାୟକତ୍ୱ କରି ରୋହିତ ଦଳକୁ ଜିତାଇଥିଲେ ଏବଂ ସେହି ସିଜିନରେ ମୁମ୍ବାଇ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା । ଶେଷ ଥର ପାଇଁ ୨୦୨୦ରେ ଦୁବାଇଠାରେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଟ୍ରଫି ଜିତିଥିଲା । ଏହାସହ ରୋହିତ ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ଅଟନ୍ତି । ସେ ୨୮୧ଟି ମ୍ୟାଚରୁ ୨ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ସହ ୭,୩୨୯ ରନ୍ କରିଛନ୍ତି । ଏହି ତାଲିକାରେ ବିରାଟ କୋହଲି (୯,୩୩୬ ରନ୍) ପ୍ରଥମ ଏବଂ ଶିଖର ଧୱନ (୬,୭୬୯ ରନ୍) ତୃତୀୟ ସ୍ଥାନରେ ଅଛନ୍ତି ।

ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୩୯ରୁ ମାତ୍ର ୧୫ ମ୍ୟାଚ୍ ଜିତିଥିଲା ମୁମ୍ବାଇ୨୭ ନଭେମ୍ବର ୨୦୨୩ରେ ଗୁଜରାଟ ଟାଇଟନ୍ସରୁ ଟ୍ରେଡ୍ ହୋଇ ମୁମ୍ବାଇ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨୦୨୪ ସିଜିନ ପୂର୍ବରୁ ଅଧିନାୟକ କରାଯାଇଥିଲା । ଗୁଜରାଟକୁ ୨୦୨୨ରେ ଚାମ୍ପିଅନ୍ ଓ ୨୦୨୩ରେ ରନର୍ସ-ଅପ୍ କରାଇଥିବା ହାର୍ଦ୍ଦିକ ମୁମ୍ବାଇରେ ବିଫଳ ହୋଇଥିଲେ । ତାଙ୍କ ନେତୃତ୍ୱରେ ୩ଟି ସିଜିନରେ ମୁମ୍ବାଇ ୩୯ଟି ମ୍ୟାଚ୍ ଖେଳି ମାତ୍ର ୧୫ଟି ଜିତିଥିବା ବେଳେ ୨୪ଟିରେ ପରାସ୍ତ ହୋଇଥିଲା । ଏହି ସମୟରେ ଦଳ ୨୦୨୪ରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ, ୨୦୨୫ରେ ପ୍ଲେ-ଅଫରେ ଏବଂ ୨୦୨୬ରେ ୯ମ ସ୍ଥାନରେ ରହିଥିଲା ।

Leave A Reply

Your email address will not be published.