ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୧
ଶବ୍ଦରେ ବୈଧ ବର୍ଣକ୍ରମ
ସର୍ବଦା ହୁଏ ବୋଧଗମ୍ୟ,
ଘଟିଲେ କିଛି ବ୍ୟତିକ୍ରମ
ଲେଖାରେ ପଶିଯାଏ ଭ୍ରମ
‘ ବୋଗଧମ୍ୟ ଓ ବ୍ୟକ୍ରତିମ
ତାତ୍ସଲ୍ୟ, ଗଣେଷ, ଅଗ୍ରୀମ
ବୃଥାରେ, କ୍ଷତାକ୍ତ, ଉତମ ‘
ଅଟଂତି ଏ ପ୍ରକାର ଭ୍ରମ
ପ୍ରଚଳନର ବିଧେୟତା
ଚର୍ଚିତ ହୋଇଲେ ଅଯଥା
ଲୋକେ ଲୋଡ଼ଂତି ଯୌକ୍ତିକତା
ବିଭ୍ରାଂତ ହୋଇଥାଏ ମଥା
ଭାଷାରେ ଯାହା ପ୍ରଚଳିତ
ତାହା ହିଁ ହୋଇଲେ ସ୍ବୀକୃତ
ତାହାକୁ ମିଳେ ଲୋକାଦର
ବାଂଛିତ ପ୍ରଚାର ପ୍ରସାର
ଭାଷାରେ ନ ଥାଏ ସ୍ଥିରତା
ବେଳ ଜାଣି ବଦଳେ କଥା
କାଳ ଓ ସ୍ଥଳ ଅନୁଗତ
ହୋଇ ବର୍ଧିଷ୍ଣୁ ଅବିରତ
ପ୍ରବାହ ପରି ମୁକ୍ତ ଗତି
ଯୋଗୁଁ ହିଁ ଭାଷାର ଉନ୍ନତି
ଘଟିଚାଲଇ ନିରଂତର
ଲୋକେ କରିଲେ ବ୍ୟବହାର
ଭାଷାକୁ ନ କହି, ନ ଲେଖି
ବିକାଶ ଆଶା କରିବା କି ?
ନିଜକୁ ପଚାରି ଏ ପ୍ରଶ୍ନ
ବିଚାରଂତୁ ସ୍ବଭାଷୀ ଗଣ
ଭୁଲ୍ କରିବା ପାଇଁ ଡର
ମନରୁ ତଡ଼ିଲେ ସତ୍ବର
ଯେ କେହି ପାରେ କିଛି ଲେଖି
ଭାଷାର ଧ୍ବଜା ପାରେ ଟେକି
ଭାବର ମୁକ୍ତ ବିନିମୟ
ଯୋଗୁଁ ଭାଷାର ଅବକ୍ଷୟ
ରୋକିବା ହୁଅଇ ସଂଭବ
ଏ ସତ୍ୟ କରୁଁ ଅନୁଭବ
Comments are closed.