ଗୋପୀନାଥ ମହାନ୍ତି
(୧୯୧୪-୧୯୯୧)
କ୍ଷେତ୍ର: ଭାଷା-ସାହିତ୍ୟ (ଉପନ୍ୟାସ)
ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା । ଉପନ୍ୟାସ ସହିତ କବିତା, ଗଳ୍ପ, ଜୀବନୀ, ଆତ୍ମଜୀବନୀ, ନାଟକ ଓ ଅନୁବାଦରେ ମଧ୍ୟ ତାଙ୍କର ଥିଲା ଅଭୂତପୂର୍ବ ଦକ୍ଷତା । ୨୦ ଏପ୍ରିଲ୍ ୧୯୧୪ରେ କଟକ ଜିଲ୍ଲାରେ ମହାନଦୀ କୂଳର ଏକ ଛୋଟିଆ ଗ୍ରାମ ନାଗବଳୀରେ ତାଙ୍କର ଜନ୍ମ । ତାଙ୍କର ବଡ଼ଭାଇ ଥିଲେ ବିଖ୍ୟାତ ଔପନ୍ୟାସିକ କାହ୍ନୁଚରଣ ମହାନ୍ତି । ୧୯୩୬ରେ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶେଷ କଲାପରେ ଗୋପୀନାଥ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦିଅନ୍ତି ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ସରକାରୀ କାର୍ଯ୍ୟରେ ମୁତୟନ ହୁଅନ୍ତି । ଏହି ଧାରାରେ ୧୯୪୦ରେ ତାଙ୍କର ନିଯୁକ୍ତି ହୁଏ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଓ ସେଠାରେ ସେ କନ୍ଧ, ପରଜା, କୁଇ, ସଉରା ସଂପ୍ରଦାୟର ଭାଷା ଓ ସଂସ୍କୃତି ସଂସ୍ପର୍ଶରେ ଆସନ୍ତି । ଆଦିବାସୀ ଜୀବନ ଆଧାରିତ ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ ଆଦି ଉପନ୍ୟାସ ରଚନା କରି ସେ ଯେ କେବଳ ଯଶସ୍ୱୀ ହୁଅନ୍ତି ତାହା ନୁହେଁ, ଆଦିବାସୀ ଜୀବନ ଓ ସମାଜର ନିଚ୍ଛକ, ମାର୍ମିକ, ଜୀବନ୍ତ, ବିସ୍ମୃତ, ଦୁର୍ଲଭ ଚିତ୍ରମାନ ଜନମାନସରେ ଉଦ୍ଭାସିତ ହୁଏ । ପରବର୍ତ୍ତୀ ସମୟରେ ହରିଜନ, ଦାନାପାଣି, ଲୟବିଲୟ, ମାଟିମଟାଳ ଆଦି ଆଉ କେତୋଟି କାଳଜୟୀ ଉପନ୍ୟାସ ଗୋପୀନାଥଙ୍କ ପାଇଁ ଓଡ଼ିଆ କଥାସାହିତ୍ୟରେ ସଂରକ୍ଷଣ କରେ ଏକ ସୁଦୃଢ଼ ଆସନ । ଛାଇ ଆଲୁଅ, ଉଡ଼ନ୍ତା ଖଇ, ଶରଶଯ୍ୟା ଆଦି ଗଳ୍ପ ସଂକଳନ, ଦୀପଂଜ୍ୟୋତି, ଧୂଳିମାଟିର ସନ୍ଥ, ଉତ୍କଳମଣି ଆଦି ଜୀବନୀ ଏବଂ ସ୍ରୋତସ୍ୱତୀ ଆତ୍ମଜୀବନୀ ରଚନା କରି ସେ ସାହିତ୍ୟର ପ୍ରମୁଖ ବିଭାଗଗୁଡ଼ିକରେ ଛାଡ଼ି ଯାଆନ୍ତି ବଳିଷ୍ଠ ସ୍ୱାକ୍ଷର । ଆଲୋଚନା, ଗବେଷଣାମୂଳକ ପ୍ରବନ୍ଧ, ଭାଷାତତ୍ତ୍ୱ ବିଭାଗରେ ମଧ୍ୟ ସେ ରଚନା କରନ୍ତି ଅନେକ ପୁସ୍ତକ । କଳାଶକ୍ତି, ଗଦବା ଭାଷା, କୁଭୀ-କନ୍ଧ ଭାଷାତତ୍ତ୍ୱ, କୁଭୀ ଲୋକତି ଲୋହି ପଣବୁ, କନ୍ଧ-ପରଜା ସ୍ତୋତ୍ର ଓ ସଙ୍ଗୀତ, ସଉରା ଭାଷା ଆଦି ତାଙ୍କର କେତୋଟି ଉଲ୍ଲେଖନୀୟ ଅବଦାନ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଜ୍ଞାନପୀଠ ପୁରସ୍କାର, ପଦ୍ମଭୂଷଣ ଉପାଧି ଆଦି ଅନେକ ଜାତୀୟ ପୁରସ୍କାରରେ ସମ୍ମାନିତ ଏହି ବିରଳ ପ୍ରତିଭାଙ୍କୁ ୧୯୭୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ମିଳେ ଡିଲିଟ୍ ଉପାଧି । ବହୁ ପୁସ୍ତକ ତାଙ୍କର ଇଂରାଜୀ ଓ ଭାରତୀୟ ଭାଷାମାନଙ୍କରେ ଅନୂଦିତ ହୋଇ ସର୍ବଭାରତୀୟ ସ୍ତରରେ ତାଙ୍କୁ ଓ ଓଡ଼ିଆ ସାହିତ୍ୟକୁ ପରିଚିତ କରାଏ । ମାତ୍ର ୭୭ ବର୍ଷ ବୟସରେ ୨୧ ଅଗଷ୍ଟ ୧୯୯୧ରେ ଏହି ଅଗ୍ରଗଣ୍ୟ ସାହିତ୍ୟିକଙ୍କର ପରଲୋକ ହୁଏ ।
ଆଲେଖ୍ୟ © ସରୋଜ ବଳ
Comments are closed.