ଲେଖକ: ବିଭୁ ପ୍ରସାଦ ତ୍ରିପାଠୀ
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ରାଜ୍ୟ ଆଇନଜୀବୀ ପରିଷଦ ଆଇନଜୀବୀ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ରାଜ୍ୟର ସମସ୍ତ ଆଇନଜୀବୀ ଦପ୍ତର ଗୁଡ଼ିକରେ ସଭା ସମିତିର ଆୟୋଜନ କରାଯାଇଛି। ଆଇନ ପେଶାରେ ଏକବିଂଶତମ ଶତାବ୍ଦୀରେ ଯେଉଁ ନିରନ୍ତର ରୂପାନ୍ତରଣ ଚାଲିଛି ସେତିକିବେଳେ ମଧୁ ଆଦର୍ଶ, ମଧୁ ବିଚାରର ମୌଳିକତା ମଳିନ ପଡିନି କିମ୍ବା ଏହି ରୂପାନ୍ତରଣ ପ୍ରକ୍ରିୟା, ମଧୁବାବୁଙ୍କ ବ୍ୟକ୍ତିତ୍ୱକୁ ଆବଦ୍ଧ କରି ରଖିପାରି ନାହିଁ। ବରଂ ମଧୁ ଆଦର୍ଶର ପ୍ରାସଙ୍ଗିକତା ଆହୁରି ସୁସ୍ପଷ୍ଟ ହୋଇ ପଡିଛି।
ଆଜି ଆଇନ ପେଶାର ଅଭିଭାବକତ୍ୱଟି ଧିରେ ଧିରେ ହଜିବାରେ ଲାଗିଛି । ପେଶାର ସ୍ୱାଧିନତା, ମର୍ଯ୍ୟାଦା ଓ ସ୍ୱାଭିମାନ ପ୍ରସଙ୍ଗ ସମ୍ପର୍କରେ ନୂଆ ପୀଢିର ଓକିଲମାନେ ଅବଗତ ନଥିବା ବେଳେ ସେମାନଙ୍କ ନିମନ୍ତେ ମଧୁବାବୁଙ୍କ ଜୀବନ ଦର୍ଶନ ପଢ଼ିବାର ଆବଶ୍ୟକତା ରହିଛି । କେବଳ କୋର୍ଟ କଚେରୀରେ ବିଚାରପତି ଆସନ ଅଳଙ୍କୃତ କରି କିମ୍ବା ଆଇନ ପେଶାରେ ନିମଜ୍ଜିତ ରହି ନ୍ୟାୟିକ ପ୍ରକ୍ରିୟାରେ ମହକିଲଙ୍କ ପାଇଁ ମକଦ୍ଦମା ଲଢିବା, ଆଇନ ପାଠକୁ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ମଧୁବାବୁ ନିଶ୍ଚିତ ଭାବରେ ଗୋଟାଏ ବିସ୍ମୟକର କାହାଣୀ ହେବେ । କୋର୍ଟ କଚେରୀର ପରିସୀମା ବାହାରେ ନିଜର ଆଇନ୍ ଜ୍ଞାନକୁ ସମାଜ ପାଇଁ ବ୍ୟବହାର କରିବା କ୍ଷେତ୍ରରେ ମଧୁବାବୁ ଥିଲେ ଜଣେ ବିଚକ୍ଷଣ ଓ ପ୍ରତିଭାବାନ ବ୍ୟକ୍ତିତ୍ୱ। କେବେ କାହାକୁ ପ୍ରଭାବିତ କରିବା ଅଥବା କୋର୍ଟ କଚେରୀରେ ବିଚାରପତି ଦେଖି ଓକିଲାତି କରିବାର ସମ୍ପୂର୍ଣ୍ଣ ବିରୋଧୀ ଥିଲେ ମଧୁବାବୁ । ତାଙ୍କ ଭାବମୂର୍ତ୍ତି ଓ ସାଧୁତା ସମ୍ପର୍କରେ କଲିକତା ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ଏସ୍.ସି. ମଲ୍ଲିକ ଲେଖିଛନ୍ତି ଯେ ସେ ପାଞ୍ଚ ବର୍ଷ ଧରି ମଧୁବାବୁ ରହୁଥିବା ଘର ପାଖ ସରକାରୀ ବଙ୍ଗଳାରେ ରହୁଥିଲେ । ତାଙ୍କ ପତ୍ନୀଙ୍କ ସହିତ ମଧୁବାବୁଙ୍କ ପୋଷ୍ୟ କନ୍ୟା ଶୈଳବାଳାଙ୍କ ସମ୍ପର୍କ ଘନିଷ୍ଠ ଥିଲେ ମଧ୍ୟ ମଧୁବାବୁ କୌଣସି ଗୋଟାଏ ମକଦ୍ଦମାରେ ତାଙ୍କ କୋର୍ଟରେ କେବେ ଆସି ଜବାବ ସୁଆଲ କରିନଥିଲେ।
ସେହି ବିଚାରପତିଙ୍କ ନିକଟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫୌଜଦାରୀ ମକଦ୍ଦମାର ଶୁଣାଣି ହେଉଥିବାରୁ ମଧୁବାବୁ କାହିଁକି ତାଙ୍କ କୋର୍ଟକୁ ମକଦ୍ଦମା ପରିଚାଳନା ପାଇଁ ଆସୁନାହାଁନ୍ତି ଏହି ପ୍ରଶ୍ନଟି ପଚାରିବା ପାଇଁ ସେହି ବିଚାରପତି ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ସମୟରେ ମଧୁବାବୁଙ୍କୁ ଭେଟିଥିଲେ ମଧ୍ୟ ପ୍ରଶ୍ନ ପଚାରିବାକୁ ସାହସ ଜୁଟାଇ ପାରୁନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ଛାଡ଼ିବା ପରେ ସେହି ବିଚାରପତି ଜାଣି ପାରିଥିଲେ ଯେ ଯଦିଓ ସେ ସମୟରେ ଅନେକ ମକଦ୍ଦମା ମଧୁବାବୁଙ୍କ ପାଖକୁ ଆସୁଥିଲା ଓ ମହକିଲ ମାନେ ଅଧିକ ଅର୍ଥ ଦେବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ନ୍ୟାୟପାଳିକାର ଭାବମୂର୍ତ୍ତି ରକ୍ଷା ପାଇଁ ଓ ପେଶାଗତ ସାଧୁତା ଦୃଷ୍ଟିରୁ ମଧୁବାବୁ ସେହି ମକଦ୍ଦମା ଗୁଡିକୁ ଗ୍ରହଣ କରିନଥିଲେ । ଆଜି ଆମ ପେଶାଗତ ସଂସ୍କୃତିରେ ମଧୁବାବୁଙ୍କ ଏଭଳି ଅଭିଭାବକତ୍ୱର ଆବଶ୍ୟକତା ପରିଲକ୍ଷିତ ହେଉଛି ।
ପେଶାଗତ ଅଭିଭାବକତ୍ୱ ଗୋଟାଏ ପ୍ରକ୍ରିୟା । ରାତି ପାହିଲେ ଜଣେ ଆଇନ ଛାତ୍ର ସିଧାସଳଖ ରାଜ୍ୟ ଆଇନଜୀବୀ ପରିଷଦରୁ ଲାଇସେନ୍ସ ପ୍ରାପ୍ତି କଲା ପରେ ଯଦିଓ ଆଇନଜୀବୀ ଭାବରେ ପରିଗଣିତ ହୁଏ, କିନ୍ତୁ ଆଇନଜୀବୀ ପେଶାରେ ନିରନ୍ତର ଆଇନ ଜ୍ଞାନ ଆହରଣ ଓ ଅନ୍ତଃକରଣ ଆଇନଜୀବୀକୁ ତାର ସହଜାତ ବ୍ୟକ୍ତିତ୍ଵ ସହିତ ମୌଳିକ ଆତ୍ମପ୍ରତ୍ୟୟ ସମ୍ପନ୍ନ ଚେତନାକୁ ବଳ ଦିଏ ଓ ସାମର୍ଥ୍ୟ ହୁଏ।
ମଧୁବାବୁଙ୍କ ସମ୍ପର୍କରେ କେହି ବିଷୋଦଗାର, ସମାଲୋଚନା ଅଥବା ବିରୋଧ ଭାବ ସମ୍ପନ୍ନ ମତ ଦେଲେ ସେ ଗୋଟାଏ କଥା କହୁଥିଲେ, ମୁଁ ବିଶ୍ୱାସ କରେ ନାହିଁ ଯେ ସମସ୍ତେ ମୋ ସପକ୍ଷରେ କହିବେ । ଯୀଶୁଙ୍କୁ କୃଶବିଦ୍ଧ କରାଯାଇ ଥିବାବେଳେ ମଧୁବାବୁ ଯେ ଏଥିରୁ କିଭଳି ବାଦ୍ ପଡ଼ିବେ ବୋଲି ସେ ଯୁକ୍ତି ବାଢୁଥିଲେ । ଏପରିକି ୧୯୨୫ ମସିହାରେ ନିଜ ଘର ଓ ସମ୍ପତ୍ତି କୋର୍ଟ ମାଧ୍ୟମରେ ବିକ୍ରି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ମଧୁବାବୁ ନିଜେ ବିଚଳିତ ନହୋଇ ସେ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ।
ଆଇନ ପେଶାର ନେତୃତ୍ଵରେ ଏବେ ସଙ୍କଟ ଦେଖା ଦେଇଛି । ବରିଷ୍ଠ ଆଇନଜୀବୀ ମାନେ ନିଜ ପେଶାଗତ ଜୀବନ ବ୍ୟତିରେକ ବାର୍ ଆସୋସିଏସନ୍ କିମ୍ବା ବାର୍ କାଉନସିଲର ନେତୃତ୍ୱ ନେବାକୁ ଉତ୍ସାହ ପ୍ରକାଶ କରୁନାହାନ୍ତି । ଯାହାର ଫଳସ୍ଵରୁପ ସମ୍ବଲପୁରର ଆଇନଜୀବୀ ମାନେ ଅଠାବନ ଦିନ ଜେଲରେ ରହିବା ଓ ରାଜ୍ୟର ଆଇନଜୀବୀ ମାନଙ୍କର ସାମୁହିକ ସ୍ୱର ନୀରବି ଯିବା ଭଳି ଘଟଣାର ଭିନ୍ନ ରୂପର ପୁନରାବୃତ୍ତି ଦେଖିବାକୁ ମିଳୁଛି । ବାର୍ ଆସୋସିଏସନ୍ ଗୁଡିକର କାର୍ଯ୍ୟାବଳୀ ଜନସାଧାରଣଙ୍କ ନିକଟରେ ଦୃଷ୍ଟାନ୍ତମୂଳକ ପ୍ରଭାବ ସୃଷ୍ଟି କରି ପାରୁନାହିଁ । ସମାଜରେ ଘଟୁଥିବା ଅନେକ ଗୁରୁତ୍ୱପୂର୍ଣ ଘଟଣା ଯେଉଁଥିରେ ଆଇନଜୀବୀ ମାନଙ୍କ ସମ୍ପୃକ୍ତି ଆଇନ ଶାସନ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିପାରନ୍ତା, ତାର ଅଭାବ ପରିଲକ୍ଷିତ ହେଉଛି ।
ମଧୁବାବୁଙ୍କ ଆଇନଜୀବୀ ପେଶାର ଅଭିଭାବକତ୍ୱ ସମ୍ପର୍କରେ ତାଙ୍କ ନିକଟରେ ୧୦ ବର୍ଷ ଧରି ଜୁନିୟର ଓକିଲ ଭାବେ କାମ କରିଥିବା ଗୋପାଳ ଚନ୍ଦ୍ର ପ୍ରହରାଜ ଲେଖିଛନ୍ତି ଯେ ୧୦ ବର୍ଷ କାଳ ମଧୁବାବୁଙ୍କ ଅଫିସରେ କାର୍ଯ୍ୟ କରିବା ପରେ ଯେତେବେଳେ ସେ ସରକାରୀ ଓକିଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ସେ ମଧୁବାବୁଙ୍କୁ ଏ କଥାଟି ଜଣାଇ ନଥିଲେ । ମଧୁବାବୁ, ଏକଥା ଜାଣିବା ପରେ କହିଲେ ‘‘ଗୋପାଳ, ତୁମେ ଏବେ ଓଡ଼ିଶା ପାଇଁ ମୃତ । ହୁଏତ ତୁମେ ଏବେ ଖୁବ୍ ପ୍ରଭାବଶାଳୀ ଓ ଧନୀ ହୋଇପାର, କିନ୍ତୁ ଏ ଜାତି ପାଇଁ ଏବଂ ଓଡ଼ିଶା ମାଟି ପାଇଁ ତୁମର ଆଉ କୌଣସି ଆବଶ୍ୟକତା ରହିବ ନାହି’’। ମଧୁବାବୁଙ୍କ ଶାଣିତ ମନ୍ତବ୍ୟ ଜୁନିୟର ଓକିଲ ମାନଙ୍କୁ ଅନେକ ସମୟରେ ନିରୁତ୍ସାହିତ କରୁଥିଲେ ମଧ୍ୟ ମଧୁବାବୁଙ୍କ ଜାତୀୟ ପ୍ରୀତି ଓ ଆଇନ ପେଶା ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା ତାଙ୍କ ନିକଟରେ କାର୍ଯ୍ୟ କରୁଥିବା ଜୁନିୟର ଓକିଲ ମାନଙ୍କୁ ଅନୁପ୍ରାଣିତ କରୁଥିଲା । କୌଣସି ଆଇନଗତ ବିଷୟବସ୍ତୁ ସମ୍ପର୍କରେ କୋର୍ଟର ରାୟ କିମ୍ବା ଆଇନଗତ ପୁସ୍ତିକାକୁ ସେ ନିଜେ ତନ୍ନ ତନ୍ନ କରି ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ । ଅନେକ ସମୟରେ ବହି ପଢୁପଢୁ ଟେବୁଲ ଉପରେ ସେ ଶୋଇ ପଡ଼ୁଥିଲେ ।
ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ଜୁନିୟର ଭାବେ କାର୍ଯ୍ୟ କରୁଥିଲାବେଳେ ଅନେକ ସମୟରେ ମଧୁବାବୁ କିଭଳି ତାଙ୍କୁ ଡାକି ଆର୍ଥିକ ସହାୟତା ଦେଉଥିଲେ ସେ ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ମଧୁବାବୁ ତାଙ୍କ ମୁହଁକୁ ଦେଖି କହୁଥିଲେ, ‘‘ମୁଁ ଜାଣିଛି ତୁମର ଅର୍ଥର ଆବଶ୍ୟକତା ଅଛି ଓ ମୁହଁକୁ ଦେଖି ଆବଶ୍ୟକତାକୁ ଉପଲବ୍ଧି କରି ପାରୁଛି’’ । ଠିକ୍ ସେହିପରି ନିଜ ଜୁନିୟର ମାନଙ୍କୁ କଟକ ବାହାରର କୋର୍ଟକୁ ନେଇ ଗଲାବେଳେ ମଧୁବାବୁ ସେମାନଙ୍କ ସହିତ ରହିବା ଓ ଜୁନିୟର ମାନେ ନ ଖାଇବା ପର୍ଯ୍ୟନ୍ତ ନିଜେ ନ ଖାଇବା ଗୁଣ ତାଙ୍କ ପେଶାଗତ ଜୀବନ ଦର୍ଶନର ଅନ୍ୟ ଏକ ଦିଗ ଥିଲା। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ବାପା ତାଙ୍କ ପୁଅ ଆଇନଜୀବୀ ପେଶାରେ ଯୋଗ ଦେବା ପୂର୍ବରୁ ମଧୁବାବୁଙ୍କ ଠାରୁ କିଛି ଅର୍ଥ ଋଣ ଆକାରରେ ନେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବାପା ସେହି ଅର୍ଥ ଫେରସ୍ତ ପାଇଁ ଯାଇଥିବା ବେଳେ ସେ ସମସ୍ତ ଅର୍ଥ, ମଧୁବାବୁ ନିଜ ଜୁନିୟରଙ୍କୁ ପ୍ରଦାନ କରି ଏହା ଆଇନଜୀବୀ ପେଶାର ପ୍ରଥମ ଅବସ୍ଥାରେ ଆବଶ୍ୟକତା ହେଉଥିବା ଖର୍ଚ୍ଚ ବୋଲି କହି ତାଙ୍କୁ ଦେଇଥିଲେ । ଏହି ଘଟଣା ଜଣେ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ମଧ୍ୟରେ ଥିବା ନିବିଡ଼ ସଂପର୍କର ପରିଚାୟକ।
ଆଇନ ପେଶାରେ ମହକିଲଙ୍କ ପାଇଁ ଅର୍ଥ ସର୍ବସ୍ୱ ନହୋଇ ଦିନ ଦିନ ଧରି କୋର୍ଟ କଚେରୀରେ ମକଦ୍ଦମା ଲଢିବା ଓ ସେଥିରେ ବିଜୟ ଲାଭ କଲା ପରେ ମଧ୍ୟ ଅର୍ଥ ଗ୍ରହଣ ନକରିବାର ଅଭିଭାବକତ୍ୱ କିମ୍ବା ଉଦାହରଣ ଆମ ନିକଟରେ ନାହିଁ। ପେଶାଗତ ଜୀବନରେ ଜଣେ ଆଇନଜୀବୀ ପେଶାରେ ଯୋଗ ଦେବା ସମୟରେ ପେଶାଗତ ସଂସ୍କୃତି, ତାକୁ ସ୍ୱତଃ ପ୍ରାପ୍ତ ହୁଏନାହିଁ। ଔପଚାରିକ ଭାବରେ ଆଇନ ବିଦ୍ୟାଳୟରେ ପଢା ଯାଉଥିବା ପେଶାଗତ ନୈତିକତା, ବରଂ ସେ ଅନୌପଚାରିକ ଭାବେ ନିଜ ପେଶାଗତ ବନ୍ଧୁ ଓ ବରିଷ୍ଠ ଆଇନଜୀବୀ ଗୁରୁଙ୍କ ଠାରୁ ଶିଖିଥାଏ। ଆମ ନିକଟରେ ସେଭଳି ଆଇନଜୀବୀଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ଆଇନ ପେଶାରେ ଶିକ୍ଷାଦାନ ସମୟରେ ମଧୁବାବୁଙ୍କ ଭଳି ଆଇନଜୀବୀଙ୍କ ଜୀବନ ଧାରଣର ମାନ ଓ ଆଦର୍ଶର ମଧ୍ୟ ଅଧ୍ୟୟନ କରିବାର ଆବଶ୍ୟକତା ଅଛି । ବ୍ୟକ୍ତିଗତ ଜୀବନ ନଗଲେ, ଜାତୀୟ ଜୀବନ ଉଠିବ ନାହିଁ । ଆମ୍ବ ଟାକୁଆ ପୋତିଲେ ଆଗେ ଆମ୍ବ ଟାକୁଆ ନ ପଚିବା ପର୍ଯ୍ୟନ୍ତ ଆମ୍ବ ଗଛ ଉଠିବ ନାହିଁ । ଠିକ୍ ସେହିପରି ଯହିଁରୁ ଜାତୀୟ ଜୀବନ ଉଠିବ, ସେ ମରିବ ଓ ପଚିବ । ପେଶାଗତ ଜୀବନରେ ନିଜ ମହକିଲଙ୍କ ପାଇଁ ମଧୁବାବୁଙ୍କ ଅବଦାନ ତାଙ୍କୁ ମାନବିକତାର ଉଦାତ୍ତ ବ୍ୟକ୍ତିତ୍ୱ ଭାବେ ପରିଗଣିତ କରିଛି ।
(ବରିଷ୍ଠ ଆଇନଜୀବୀ, ସଭାପତି, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ, ଦୂରଭାଷା-9437012460)
Comments are closed.