Latest Odisha News

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩ 

ମୂଳ ହିନ୍ଦୀ : ଭୀଷ୍ମ ସାହାନୀ 

ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା ଘୋଷାରି ଓଟାରି ହୋଇ ଚାଲିଥାଏ, କାଳେ ଯଦି ସେ ଶେଷ ବିନ୍ଦୁରେ କେତେବେଳେ ପହଞ୍ଚଯାଇ ପାରିବା, ସେଇ ଆଶାରେ । ଆଉ ବେଳେବେଳେ ଆମକୁ ଲାଗେ, ସତେ ଯେମିତି ସେ ଶେଷ ବିନ୍ଦୁକୁ ଆମେ ଛୁଇଁ ପାରିଛେ । ମନୋହରଲାଲ ଓ ତା’ର ପତ୍ନୀ ବି ଦିନେ ଏଇଭଳି ଭ୍ରମ ଭିତରେ ବଞ୍ଚିଥିଲେ । ସେମାନେ ଭାବିଥିଲେ ତାଙ୍କ ମୁଣ୍ଡଉପରୁ ଶେଷରେ ଏକ ବିରାଟ ବିପଦର ବୋଝ ଓହ୍ଲେଇ ଯାଇଛି । ଜୀବନର ସବୁ ଜଟିଳତାର ଗଣ୍ଠି ଫିଟିଯାଇଛି । ହେଲେ, ବାସ୍ତବ ଜୀବନରେ ତ ଦୂରର କଥା, କାହାଣୀରେ ଜୀବନର ଜଞ୍ଜାଳରୁ ତ୍ରାହି ମିଳି ନ ଥାଏ । ଗୋଟିଏ ବିପଦ ଯାଇଥିବ କି ନାହିଁ, ତା’ ଜାଗାରେ ଆଉ କେଇଟା ବିପଦ ଆସି ଆସ୍ଥାନ ଜମେଇ ସାରିଥିବେ । ତେଣୁ ଯନ୍ତ୍ରଣାର ସେ ଅସରନ୍ତି କାହାଣୀ ଲମ୍ବିି ଚାଲିଥିବ ଯେ
ଚାଲିଥିବ । ଖାଲି ଯାହା ସେଇ ଅସରନ୍ତି କାହାଣୀ ନୂଆ ରୂପରେ ନୂଆ ନୂଆ ପ୍ରଶ୍ନବାଚୀ ନେଇ ଆମ ସାମ୍ନାରେ ଆସି ଉଭା ହେଉଥିବ ।
ମନୋହରଲାଲର ଓ ତା’ପରିବାରର ଜୀବନ କାହାଣୀ ତା’ରି ଏକ ନିଚ୍ଛକ ପ୍ରତିଚ୍ଛବି । ତା’ପରିବାରର ଗୋଟିଏ ଅଂଶ ରହିଯାଇଥିଲା ସୀମା ଆରପଟେ, ଦେଶ ସ୍ୱାଧୀନବେଳେ ବିଭାଜନ ଘଟି ନୂଆକରି ସୃଷ୍ଟି ହୋଇଥିବା ପାକିସ୍ତାନର କେଉଁ ଏକ ସୁଦୂର ସହରରେ । ଯାହାକିଛି ଅଳ୍ପ ଜିନିଷପତ୍ର ମୁଣ୍ଡରେ ମୁଣ୍ଡେଇ, କର୍ମକୁ ଆଦରି, ମନୋହରଲାଲ ଓ ତା’ ସ୍ତ୍ରୀ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ସାଙ୍ଗରେ ଚାଲି ଆସିଥିଲେ ଭାରତକୁ । ସେମାନେ ସମସ୍ତେ ଥିଲେ ବାସ୍ତୁହରା । ସେମାନଙ୍କ ପାଦ ଚାଲିରେ ଉଠିଥିବା ଧୂମପଟଳ ସତେ କି ଏବେ ବି ଦିଗ୍‍ବଳୟକୁ ଧୂମ୍ରାଭ କରି ରଖିଥିଲା । ବଡ଼ ନଦୀଟିଏ ସମୁଦ୍ର ଆଡ଼କୁ ନିମ୍ନଗାମୀ ସ୍ରୋତରେ ପ୍ରବାହିତ ହେଲାବେଳେ ଯେପରି ବହୁ ଶାଖା ପ୍ରଶାଖାରେ ବିଭାଜିତ ହୋଇଥାଏ ସେହିଭଳି ସଦ୍ୟ ବାସ୍ତୁହରା ଅସଂଖ୍ୟ ଶରଣାର୍ଥୀ ଭିନ୍ନ ଭିନ୍ନ ମାର୍ଗରେ ଆଗେଇ ଚାଲିଥାଆନ୍ତି ଦୁଇଦେଶ ମଧ୍ୟରେ ସଦ୍ୟ ସୃଷ୍ଟି ହୋଇଥିବା ସୀମାନ୍ତ ରେଖା ଆଡ଼କୁ ।

ମନୋହରଲାଲ, ତା’ର ପତ୍ନୀ ଓ ତା’ର ଦିଓଟି ସନ୍ତାନ- ଛୋଟ ଝିଅଟି ମା’ କୋଳ ଛାଡି ନ ଥାଏ ଓ ଚାରି ବର୍ଷର ପୁଅ ପାଲି ବାପା ହାତ ଧରି ଆଗକୁ ମାଡ଼ି ଚାଲିଥାଏ । ମୁଣ୍ଡରେ ଦିଓଟି ଗଣ୍ଡିରା ଧରି ପତି ପତ୍ନୀ ପାହୁଣ୍ଡ ପକାଇ ଚାଲିଥାଆନ୍ତି ଆଗକୁ । ସେମାନଙ୍କ ଆଖି ଖୋଜି
ଚାଲିଥାଏ ଆଗକୁ ରାସ୍ତା । ସଠିକ୍‍ ମାର୍ଗରେ ଯାଇ କେମିତି ସେମାନେ ସୀମା ପାର ହେବେ । ଆଶା ଓ ଆଶଙ୍କା ଭିତରେ ସେମାନେ ଠଉରାଇ ପାରୁ ନ ଥାନ୍ତି କେଉଁଆଡ଼େ ସେମାନେ ଚାଲିଛନ୍ତି । ଆଗ ସେମାନଙ୍କ ଲାଗି କେତେ ବିପଦ ଓ ନିରାପଦ ଥିଲା ସେକଥା ସେମାନଙ୍କୁ ଜଣା ନ ଥିଲା । ଶେଷଦିନ ଶରଣାର୍ଥୀ ଶିବିର ଧୀରେ ଧୀରେ ଖାଲି ହେବାରେ ଲାଗିଥିଲା । ନିଜ ନିଜ ମୁଣ୍ଡ ଉପରେ ପୁଡ଼ାଟିଏ ଲେଖାଏଁ ମୁଣ୍ଡାଇ ହଜାର ହଜାର ଶରଣାର୍ଥୀ ପିମ୍ପୁଡି ଧାର ଭଳି ଚାଲିଥାଆନ୍ତି ଲରି ଆଡେ । ଲରି ସବୁ ଧାଡି ହୋଇ ରାସ୍ତା ଉପରେ ଥୁଆ ହୋଇଥାଏ । ଏଇ ଲରି ମାନଙ୍କରେ ବସି ସେମାନେ ସୀମା ଆର ପାରିକୁ ଯିବେ । ମନୋହରଲାଲ ବି ମୁଣ୍ଡରେ ପୁଡ଼ାଟିଏ ଥୋଇ ତା’ପୁଅରଆଙ୍ଗୁଠିଟିକୁ ଧରି ଯାଇ ପହଞ୍ଚିଲା ସେ ଲରିମାନଙ୍କ ପାଖରେ । ପଛେ ପଛେ ପତ୍ନୀ କୌଶଲ୍ୟା ବିପହଞ୍ଚିଲା । ତା’ କାଖରେ କୋଳଧରା ଶିଶୁକନ୍ୟାଟିଏ ଥାଏ । କୌଶଲ୍ୟା ମୁଣ୍ଡରେ ବି ବଡ଼ ପୁଡାଟିଏ ଥାଏ । ଲରି ଭିତରକୁ ନିଜର ଜିନିଷପତ୍ର ଫୋପାଡି ଦେଇ ଦୁଆରମୁହଁ ପଟେ ଭିତରକୁ ପଶିବା ଲାଗି ଶରଣାର୍ଥୀମାନଙ୍କ ଭିତରେ ରୀତିମତ ଠେଲାପେଲା ଚାଲିଥାଏ । କେଇଜଣ ଝରକା ପଟେ ଭିତରକୁ ପଶିଯିବାକୁ ଚେଷ୍ଟା କରୁଥାଆନ୍ତି । ମନୋହରଲାଲ ବି ଦୁଆରମୁହଁ ପର୍ଯ୍ୟନ୍ତ ପହଞ୍ଚିବାକୁ ସେଇ ଭିଡ଼ ଭିତରେ ପଶିଗଲା । ହଠାତ୍‍ ତା’ର ମନେହେଲା ଯେ ତା’ହାତରୁ ପୁଅ ପାଲିର ହାତ ଖସିଯାଇଛି । ସେତେବେଳକୁ କୌଶଲ୍ୟା କୋଳ ଶିଶୁଟିକୁ ଧରି କୌଣସିମତେ ସେଇ ଠେଲାପେଲା ଭିତରେ ଲରି ଭିତରକୁ ପଶି ସାରିଥାଏ । ମନୋହରଲାଲ ଟିକିଏ ଶଙ୍କିଗଲେ ବି ଭାବିଲା ପୁଅ ଏଇ ଗହଳି ଭିତରେ କେଉଁଠି ଥିବ ନିଶ୍ଚୟ । ସେ ମନେ ମନେ ପାଲି ହାତର ଉଷ୍ମ ସ୍ପର୍ଶ କଥା ଭାବିହେଲା । ବେଳକୁ ବେଳ ଲୋକଙ୍କ ଗହଳି ଓ ଠେଲାପେଲା ବଢ଼ିବାରେ ଲାଗିଥାଏ । କୋଳାହଳ ବି ବଢୁଥାଏ । ପଛଆଡୁ ଅଧିକରୁ ଅଧିକ ଲୋକ ଠେଲିପେଲି ହୋଇ ଆଗକୁ ମାଡ଼ି ଆସୁଥାଆନ୍ତି । ସମସ୍ତଙ୍କ ମନ ଭିତରେ ଏକ ଅଜଣା ଆତଙ୍କ ବସା ବାନ୍ଧିଥାଏ । କ୍ୟାମ୍ପ ମ୍ୟାନେଜର ଗଳା ଫଟାଇ ଚିତ୍କାର କରି ଚାଲିଥାଏ ଓ ଯେତେଶୀଘ୍ର ସମ୍ଭବ ଶରଣାର୍ଥୀମାନଙ୍କୁ ଲରି ଭିତରେ ପଶିବାକୁ ଆହ୍ୱାନ କରୁଥାଏ । ସନ୍ଧ୍ୟା ହେବା ଆଗରୁ ଯେମିତି ହେଲେ ଲରିଗୁଡ଼ିକୁ ସୀମା ପାର
କରାଇବାକୁ ପଡ଼ିବ ।

ମନୋହରଲାଲ୍‍ ପାଲିକୁ ନ ପାଇବା ପରେ ମନେ ମନେ ଉଦ୍‍ବିଗ୍ନ ହୋଇପଡିଲା । ସେ ହଠାତ୍‍ ଫେରିଆସି ଡାକ ଛାଡ଼ିଲା, “ପାଲି ! ପାଲି!” ହେଲେ ତା’ ଡାକର କୌଣସି ଉତ୍ତର ମିଳି ନ ଥିଲା । ଏଥର ଆହୁରି ବିଚଳିତ ହୋଇ ସେ ଆହୁରି ବଡ଼ ପାଟିରେ ଚିତ୍କାର କରି ଉଠିଲା । ପୁଅକୁ ନ ପାଇ ସେ ଅବା ଏବେ କରେ କ’ଣ? ତା’ଡାକ ସେଇ କୋଳାହଳମୟ ପରିବେଶରେ ସୁଦ୍ଧା ଖୁବ୍‍ ଜୋର୍‍ରେ
ଶୁଭୁଥିଲା । ଏବେ ସେ ଧାଡ଼ିହୋଇ ଠିଆ ହୋଇଥିବା ଲରିମାନଙ୍କ କଡ଼େ କଡ଼େ ଲକ୍ଷ୍ୟହୀନଭାବେ ଦୌଡ଼ିବାକୁ ଆରମ୍ଭ କରିଦେଲା । ସେତେବେଳକୁ ଗୋଟିକ ପରେ ଗୋଟିଏ ଲରି ଶରଣାର୍ଥୀମାନଙ୍କୁ ଧରି ଯାତ୍ରା ଆରମ୍ଭ କରିଦେଇଥାଏ । ଯେଉଁ ଲରିଟି ଭିତରେ ମନୋହରଲାଲ୍‍ର ପତ୍ନୀ, ତା’ର କୋଳଛୁଆଟିକୁ ଧରି ଠିଆ ହୋଇଥିଲା ସେତେବେଳକୁ ତା’ଭିତରେ ସୋରିଷଟିଏ ବି ପକେଇବାକୁ ଜାଗା ନ ଥାଏ । ଡ୍ରାଇଭର୍‍ ତା’ ସିଟ୍‍ରେ ବସି ହର୍ଣ୍ଣ ବଜେଇ ଚାଲିଥାଏ । ଲୋକମାନଙ୍କୁ ଚେତେଇ ଦେଉଥାଏ ଯେ ଲରିଟା ଖୁବ୍‍ ଶୀଘ୍ର ତା’ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିବ । “ପାଲି! ପାଲି!” ଚିତ୍କାରରେ ସେତେବେଳେକୁ ମନୋହରଲାଲ୍‍ର ତଣ୍ଟି ଶୁଖି ସାରିଥାଏ  । ଏବେ ତା’ ପାଦ ଥରିବାକୁ ଆରମ୍ଭ କରିଥାଏ ଓ ମୁଣ୍ଡ ଘୂରାଇ ଦେଉଥାଏ । ଉଦ୍‍ବାସ୍ତୁ ଲୋକଟା ଭାଗ୍ୟରେ ଭଗବାନ ପୁଣି ଏତିକି ଦୁଃଖ ଖଞ୍ଜିଥିଲେ – ଏତେ ଲୋକଗହଳି ଭିତରେ ତା’ ସାନପୁଅଟି ଲାଗି ସେ ଗଳା ଫଟେଇ ଚିତ୍କାର କରୁଛି, ହେଲେ ତାକୁ ଲାଗୁଥିଲା ସତେ

ଯେପରି ନିର୍ଜନ ମରୁଭୂମିଟାରେ ସେ ଡାକିଡ଼ାକି ଘୂରି ବୁଲୁଛି । ତା’ଡାକ କାହାରି କାନରେ ପଡୁ ନାହିଁ । ମନୋହରଲାଲ୍‍ ସେମିତି ପୁଅକୁ ଖୋଜି ଖୋଜି ଦୌଡ଼ୁଥାଏ, ସେତିକିବେଳେ ତା’ ସ୍ତ୍ରୀ ବସିଥିବା ଲରିଟା ଆଗକୁ ଗଡିବାକୁ ଆରମ୍ଭ କଲା । ତା’ ସ୍ତ୍ରୀ ଲରି ଭିତରୁ ମନୋହରଲାଲ୍‍କୁ ଚାହିଁ ରହିଥିଲା । ହେଲେ ହଠାତ୍‍ ତା’ନଜରରୁ ମନୋହରଲାଲ୍‍ ଅଦୃଶ୍ୟ ହୋଇଗଲା । ସିଏ ଭୟ ଓ ଆଶଙ୍କାରେ ଥରି ଉଠିଲା ଓ ବୋବାଳି ଛାଡ଼ିଲା । ମୁଣ୍ଡର କେଶ ପୁଳାକ ମୁହଁ ଉପରକୁ ଓହଳି ଆସି କିଛି ସମୟ ପାଇଁ ତାକୁ ସତେକି ଅନ୍ଧ କରିଦେଲା । ତାକୁ ଲାଗିଲା ତା’କୋଳରୁ ଛୁଆଟା ଖସି ପଡ଼ଛି । ଛାତିରୁ ତା’ର ଦୀର୍ଘଶ୍ୱାସଟିଏ ବାହାରି ଆସିଲା । ସେତେବେଳକୁ ତା’ର ଛାତି ଧଡ଼ଧଡ଼ ହୋଇଉଠୁଥିଲା ।

:‘ହେ, ଗାଡ଼ି ଅଟକାଅ, ଗାଡ଼ି ଅଟକାଅ!’

ହେଲେ ମନୋହରଲାଲ୍‍ ପତ୍ନୀର ସେ ଆକୁଳ ଚିତ୍କାର, ବ୍ୟାକୁଳ ନିବେଦନ କାହାରି କାନରେ ପଡ଼ି ନ ଥିଲା । ସମସ୍ତେ ନିଜ ନିଜ ଦୁଃଖ ସମୁଦ୍ରରେ ଉବୁଟୁବୁ ହେଉଥିଲେ । କେବଳ ମନୋହରଲାଲ୍‍ର ପରିବାର ଯେ ଉଦ୍‍ବାସ୍ତୁ ହୋଇଥିଲା ସେକଥା ନୁହଁ । ତା’ରି ଭଳି ଶହ ଶହ, ହଜାର ହଜାର,ଏପରିକି ଲକ୍ଷ ଲକ୍ଷ ଲୋକ ଥିଲେ ଯେଉଁମାନଙ୍କ ଜିନିଷପତ୍ର ଅଧା ଲରିର ବାହାରପଟେ ଓହଳିଥିଲା ଓ ଆର ଅଧାକ ରାସ୍ତା ଉପରେ ବିପର୍ଯ୍ୟସ୍ତ ଭାବେ ପଡିରହିଥିଲା । ସେଇ ଭରପୂର ଲରି ଭିତରକୁ ସେତିକିବେଳେ ବୁଢ଼ୀଟିଏ ଚଢିବାକୁ ଆପ୍ରାଣ ଉଦ୍ୟମ କରୁଥିଲା । ତା’ପଛରୁ କେଇଜଣ ଲୋକ ତାକୁ ଠେଲିପେଲି ଲରି ଭିତରକୁ ପୁରାଇବାକୁ ଚେଷ୍ଟା କରୁଥାଆନ୍ତି । ବୁଢ଼ୀଟି ଲରିର ପାହାଚ ଉପରେ ପାଦଟିଏ ଥାପିବା ଲାଗି ସବୁମତେ ଉଦ୍ୟମ କରୁଥାଏ । ଲରିଟି ଏବେ ଗଡ଼ିବାକୁ ଆରମ୍ଭ କରିଦେଇଥାଏ । କୌଶଲ୍ୟାର ଛାତି ଭୟରେ ଅଧିକରୁ ଅଧିକ ଥରି ଉଠୁଥାଏ । ଭୟରେ ତା’ର ଆଖିଯୋଡ଼ିକ ସେଇ ଜନଗହଳି ଭିତରେ ଖୋଜି ବୁଲୁଥାଏ କେବଳ ଗୋଟିଏ ମୁହଁ – ମନୋହରଲାଲ୍‍ର ମୁହଁ । ତା’ନିଜ ଅଜାଣତରେ ସେ କେତେବେଳେ ଭୋ କରି କାନ୍ଦି ଉଠିଥିଲା । ତା’ର ଦୁଃଖ ଥିଲା, ନିଜ ଆଖି ଆଗରେ ପକ୍ଷୀଟିର ନୀଡ଼ଟି ନଷ୍ଟ ହୋଇଯିବା ପରି ତା’ ନିଜ ଘର ଉଜୁଡି ସାରିଥିଲା । ତା’କାନରେ ପଡ଼ିଲା, କେହି ଜଣେ ବଡ଼ ପାଟିରେ ଚିତ୍କାର କରୁଚି, ‘ଲରି ଅଟକାଅ! ଲରି ଅଟକାଅ!’ ଆଉ କେଇଜଣ ବି ସେଇ ସ୍ୱର ସହ ସ୍ୱର ମିଳେଇ ଡାକ ଛାଡ଼ିଲେ । ଲରିଟା ପୁଣିଥରେ ଅଟକି ଗଲା ।

କିଏ ଜାଣେ କେତେବେଳେ ପରିସ୍ଥିତି ମଣିଷକୁ ନିୟନ୍ତ୍ରଣ କରେ ଅବା ମଣିଷ ପରିସ୍ଥିତିକୁ ଆୟତ୍ତ କରିଥାଏ? ବେଳେବେଳେ ଭାଗ୍ୟ ବି ଦୁହିଁଙ୍କୁ ନିୟନ୍ତ୍ରଣ କରିଥାଏ । ଘଟଣା ଘଟିଚାଲେ ଓ ତା’ରି ଭିତରେ ଜୀବନର ସମସ୍ୟା ସବୁ ଆମ ଆଡ଼େ ଚାହିଁ ଆଖିମିଟିକା ମାରନ୍ତି, ମୁରୁକି ହସା ଦିଅନ୍ତି । କୌଶଲ୍ୟା ଲରିଟା ଭିତରୁ ତା’ର ଗୋଟିଏ ବୁଜୁଳା ତଳକୁ ଫୋପାଡ଼ି ସାରିଥିଲା । କୋଳର ଶିଶୁଟିକୁ ଜଣେ ଲୋକ ହାତରେ ଦେଇ ତଳକୁ ଓହ୍ଲେଇବା ଲାଗି ଉଦ୍ୟତ ହେଲା ବେଳକୁ ତା’ର ନଜରରେ ପଡିଲା ମନୋହରଲାଲ୍‍ । ମନୋହରଲାଲ୍‍ ଧଇଁସଇଁ ହୋଇ ଲରି ଆଡ଼କୁ ଆସୁଥିଲା । ହେଲେ ତା’ସାଙ୍ଗରେ ତା’ର ପୁଅ ନ ଥିଲା । ଭାଗବାନଙ୍କୁ ଜଣା, ପାଲି କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲା! ମନୋହରଲାଲ୍‍ କାନରେ ପାଖଲୋକମାନଙ୍କର କେଇପଦ କଥା ପଡ଼ିଲା । ସମସ୍ତେ କୌଶଲ୍ୟାକୁ ବୁଝାଉଥାଆନ୍ତି, ‘ପିଲାଟା ଏଇଠି କେଉଁଠି ନିଶ୍ଚୟ ଥିବ ।’ ଲୋକମାନେ ମନୋହରଲାଲ୍‍କୁ ବି ଲରି ଆ’କୁ ଆସିବାର ଲକ୍ଷ୍ୟ କରିସାରିଥାନ୍ତି । ତେଣୁ ସେମାନେ ଡାକ ଛାଡ଼ିଲେ ‘ଜଲ୍‍ଦି ଆସ୍‍, ଜଲ୍‍ଦି ଆସ୍‍, ଲରି ଭିତରକୁ ଚାଲିଆସ ।’ ‘ତୁମ ପୁଅ ବୋଧହୁଏ ଆଉ କେଉଁ ଲରିରେ ଚଢ଼ି ଯାଇଥିବ ।’ ପୁଣି କେହି କେହି ବିରକ୍ତିଭରା କଣ୍ଠରେ କହୁଥିବାର ମନୋହରଲାଲ୍‍ ଶୁଣିପାରିଲା, ‘ତୁମ ପୁଅକୁ ଅପେକ୍ଷା କରି କ’ଣ ଲରିଟା ଏଇଠି ପଡ଼ି ରହିବ? ତୁମର ଯଦି ପୁଅକୁ ଖୋଜିବା କଥା, ତାହାହେଲେ ତୁମେ ଲରିରୁ ଓହ୍ଲେଇଯାଅ ।’ ମାତ୍ର କେଇଟା ମୁହୂର୍ତ୍ତ ଭିତରେ ଲୋକଗୁଡ଼ାକ କେଜାଣି କେମିତି ଏତେ ମାତ୍ରାରେ ସ୍ୱାର୍ଥପର ପାଲଟିଗଲେ! ସେତିକିବେଳେ ଯଦି ମନୋହରଲାଲ୍‍ ଆସି ସେଠାରେ ପହଞ୍ଚି ନ ଥାନ୍ତା, ହୁଏତ କୌଶଲ୍ୟା କାହାକୁ କିଛି ଉତ୍ତର ନ ଦେଇ କାନ୍ଦି କାନ୍ଦି ଲରିରୁ ଓହ୍ଲାଇ ଯାଇଥାଆନ୍ତା । ଲୋକମାନେ ତା’ ଜିନିଷପତ୍ରକୁ ଗାଡ଼ି ଭିତରୁ ତଳକୁ ଫିଙ୍ଗି ଦେଇଥାଆନ୍ତେ । ବୋଧହୁଏ ସେମାନଙ୍କ ଏପରି କାର୍ଯ୍ୟ ଉଚିତ ବୋଲି ବିବେଚିତ ହୋଇଥାନ୍ତା । କାରଣ ସନ୍ଧ୍ୟା ପୂର୍ବରୁ ସେମାନଙ୍କୁ ଯେମିତି ହେଲେ ସୀମା ଆରପାରିରେ ପହଞ୍ଚିବାକୁ ପଡ଼ିବ । ଯେତେହେଲେ ଏତେଜଣ ଲୋକଙ୍କ ଜୀବନ ବିପଦାପନ୍ନ ଥିଲା । ତେଣୁ ଛୋଟପିଲାଟିଏ ଲାଗି ଲରିଟାକୁ ଅଟକେଇ ରଖିବା ଉଚିତ ନୁହେଁ ବୋଲି ସଭିଏଁ ଭାବୁଥିଲେ ।

ଶରଣାର୍ଥୀମାନଙ୍କ ହୃଦୟରୁ ସବୁ ଆବେଗ ଓ ସମ୍ବେଦନା ଯେପରି ଶୁଷ୍କ ହୋଇସାରିଥିଲା । ଏଇ ପାଲି ଦିନେ ହଜି ଯାଇଥିଲା ଓ ତାକୁ ଖୋଜିବାକୁ ମହଲା ସାରା ଲୋକ ଲାଗି ପଡ଼ିଥିଲେ । ଆଉ, ଆଜି ଏଠି ଜଣେ ଲୋକ ଛାତିବାଡ଼େଇ ବୋବାଳି ଛାଡ଼ୁଛି, ହେଲେ ତା’ପ୍ରତି କାହାରି ସାମାନ୍ୟ ଦରଦ ନାହିଁ । ଓଲଟା ତାକୁ କୁହାଯାଉଛି, ‘ଓହ୍ଲେଇପଡ଼! ତୁମର ଯଦି ପିଲାକୁ ଖୋଜିବା କଥା ଲରିରୁ ଜଲଦି ଓହ୍ଲେଇଯାଅ, ହେଲେ ଆମକୁ ଯିବାକୁ ଦିଅ ।’

ମନୋହରଲାଲ୍‍ ଓ କୌଶଲ୍ୟା ବୁଝିପାରୁ ନ ଥିଲେ ଏପରି ପରିସ୍ଥିତିରେ ତାଙ୍କର କ’ଣ କରିବା ଦରକାର । ଲରିରୁ ଓହ୍ଲେଇଯିବେ ନା ବସିରହିବେ । ପାଲିକୁ ନ ପାଇ ଏବେ ସ୍ୱାମୀ-ସ୍ତ୍ରୀ ଦୁହେଁ ଲରିର ଝର୍କା ଦେଇ ରାସ୍ତା ଉପରକୁ ଚାହିଁ ରହିଥାଆନ୍ତି । ଲରି ପୁଣି ଥରେ ଆଗକୁ ଗଡିଲା । ଧୀରେ ଧୀରେ ସହର ପଛରେ ପଡ଼ିଗଲା ଓ ଲୋକମାନଙ୍କ କୋଳାହଳ ବି କମିଆସିଲା । କେବଳ ଯାହା କୌଶଲ୍ୟାର
କାନ୍ଦ କାନରେ ପଡ଼ୁଥାଏ । ରାସ୍ତା କଡ଼ର ଗଛମାନେ, ସବୁଜ ଧାନକ୍ଷେତ ଯେପରି ପଛକୁ ଦୌଡ଼ୁଥାଆନ୍ତି । ସ୍ୱାମୀ-ସ୍ତ୍ରୀ ଦୁହେଁ ଝର୍କା ବାହାରକୁ ଚାହିଁ ନିଜ ନିଜ ଚିନ୍ତାରାଇଜରେଡୁବି ଯାଇଥାଆନ୍ତି । ପଛରେ ପଡ଼ିଥିବା ଛୋଟ ସହରଟିରେ ପାଲି କେଉଁଠି ହଜି ଯାଇଥିଲା,
ହେଲେ ଏବେ ବାପା-ମା’ଙ୍କ ସ୍ମୃତିରେ ସେ ରହି ରହି ଉଙ୍କି ମାରୁଥିଲା । କେତେବେଳେ କୌଶଲ୍ୟାର କାନ୍ଦ ରହି ରହି ଗୁମୁରି କାନ୍ଦିବାରେ ବଦଳି ସାରିଥାଏ, ସେଥିପ୍ରତି କାହାରି ନଜର ନ ଥାଏ । ଚଳନ୍ତା ଲରିଟିରେ ବସି ନିଜର ସୁନିଶ୍ଚିତ ଅତୀତ ଓ ଅନିଶ୍ଚିତ ଭବିଷ୍ୟତ କଥା ଚିନ୍ତାକରି ଆଉ କେତେଜଣଙ୍କ ଆଖିରୁ ପ୍ରଥମେ ଲୁହ ଝରିବାକୁ ଆରମ୍ଭ କରିଥାଏ ଓ ଅନ୍ୟ କେତେଜଣ ନିରବରେ ଲୁହ ଗଡ଼େଇ ଚାଲିଥାଆନ୍ତି । ହଲି ଦୋହଲି ଅଣ ଓସାରିଆ ରାସ୍ତା ଉପରେ ଲରିଟା ଆଗକୁ ଛୁଟିଥାଏ । ଧୀରେ ଧୀରେ ସକାଳର କୁହୁଡ଼ିଆ ଆକାଶ ଫର୍ଚ୍ଚା ହୋଇ ଆସିଲା । ଝର୍କାପଟୁ ମୁଣ୍ଡ ଉପରର ବିସ୍ତୀର୍ଣ୍ଣ ଆକାଶକୁ ଚାହିଁ ମନୋହରଲାଲ ତା’ ସ୍ତ୍ରୀକୁ ବୁଝାଉଥାଏ, ‘ଆମେ ପାଲିକୁ ନିଶ୍ଚୟ ପାଇବା । ସିଏ ତ ଆଉ ପବନରେ କେଉଁଠି ଉଭେଇ ଯିବନି! କେହି ଜଣେ ଦୟାପରବଶ ହୋଇ ତାକୁ ହୁଏତ ଆଉ କେଉଁ ଲରି ଭିତରେ ଠେଲିପେଲି ଉଠାଇ ଦେଇଥିବ ।’ ଏତିକି କହି ସେ କୌଶଲ୍ୟାର ଚିନ୍ତାମଗ୍ନ ମୁହଁଆଡେ ଚାହିଁଲା । ସତେଯେପରି ଦୁଃଖ ତା’ ମୁହଁ ଉପରେ ନେସିହୋଇ ଯାଇଥାଏ ।

ଏକଥା ଦେଖି ତା’ ନିଜ ମନ ବି ଆହୁରି ଦୁଃଖରେ ଭରିଗଲା । ପୁଣିଥରେ ସେ କୌଶଲ୍ୟାକୁ ବୁଝାଇବାକୁ ଚେଷ୍ଟାକଲା, ‘ଆଚ୍ଛା, ଯଦି ଅବା ସିଏ ନ ମିଳିଲା ଆମେ କ’ଣ କରିବା ? ଭଗବାନ ତ ଦୟାକରି ଆମ କୋଳରେ ଆଉ ଗୋଟିଏ ଛୁଆ ଦେଇଛନ୍ତି । ତା’ଲାଗି ତ ଆମକୁ ବଞ୍ଚି ରହିବାକୁ ପଡିବ । ଯାହା ହେଲେ ବି ଭଗବାନଙ୍କୁ ଆମେ ଧନ୍ୟବାଦ ଦେବା କଥା । ତୁ ତ ନିଜେ ଦେଖୁଛୁ, ଲେଶରାଜର ତିନି ତିନିଟା ପୁଅ ତା’ଆଖି ଆଗରେ ମରିଗଲେ । ସବୁ ସେଇ ଭଗବାନଙ୍କ ଇଚ୍ଛା । ତାଙ୍କରି ଉପରେ ସବୁ ଛାଡ଼ିଦେ ।’

ଏତେକଥା ଶୁଣିବା ପରେ ବି କୌଶଲ୍ୟାର ଆଖି ଯୋଡ଼ିକ ସେମିତି ରାସ୍ତା କଡ଼କୁ ନିବଦ୍ଧ ଥାଏ । ଏପରି ପରିସ୍ଥିତିରେ ଛୁଆଟିଏ ହରାଇ ବସିବା କିଛି ନୂଆ କଥା ନୁହେଁ । ଆଉ ସେଇ ଦୁଃଖରେ କାନ୍ଦି ବୋବାଇ ହେଲେ ବି କିଛି ସୁଫଳ ମିଳିବାର ନ ଥିଲା । ଧୀରେ ଧୀରେ ଅପରିଚିତ ଲୋକମାନେ ପରସ୍ପର ମଧ୍ୟରେ ଦୁଃଖ ବଣ୍ଟା ବଣ୍ଟି ହେବାକୁ ଆରମ୍ଭ କରିଦେଲେ । ପ୍ରଥମେ ପୁରୁଷ ଲୋକମାନେ ଓ ପରେ ପରେ ମହିଳାମାନେ ନିଜ ନିଜ ଭିତରେ କଥାବାର୍ତ୍ତା ହେବାକୁ ଲାଗିଲେ । କେହି କେହି ପରସ୍ପର ମଧ୍ୟରେ ହସଖୁସି ହେଉଥିବାର ବି କାନରେ ପଡ଼ିଥିଲା ।

ସୀମା ପାଖରେ ଆସି ପହଞ୍ଚିଲା ବେଳକୁ ଛାଇ ଲେଉଟାଣି ହୋଇ ସାରିଥାଏ । ଗଛମାନଙ୍କର ଲମ୍ବା ଲମ୍ବା ଛାଇ ସମସ୍ତଙ୍କ ଆଖି ଆଗରେ ପଡ଼ି ପର ମୁହୂର୍ତ୍ତରେ ପଛରେ ଲୁଚିଯାଉଥାଏ । ଗୋଟିଏ ଅପରିଚିତ ଜାଗାରେ କିଛି ସମୟ ଲାଗି ଲରି ସବୁ ଆସି ଅଟକିଗଲା । ମନୋହରଲାଲ୍‍ ଚଟାପଟ୍‍ ନିଜ ଲରିରୁ ଓହ୍ଲେଇପଡ଼ି, ଧାଡ଼ି ହୋଇ ଠିଆ ହୋଇଥିବା ଅନ୍ୟ ଗାଡ଼ିଆଡ଼କୁ ଦୌଡ଼ିଗଲା । ‘ପାଲି! ପାଲି!’ ଡାକି ଡାକି ସେ ସବୁ ଲରିର ଝର୍କା ପାଖରେ ମୁହଁ ପୁରେଇ ଉଣ୍ଡିଲା । ହେଲେ କୌଣସି ଲରି ଭିତରୁ ତା’ ଡାକର ପ୍ରତ୍ୟୁତ୍ତର ମିଳିଲାନି । ତା’ଡାକର ପ୍ରତିଧ୍ୱନି ପୁଣି ତା’କାନକୁ ଫେରିଆସିଲା । ପାଲିର କୌଣସି ଚିହ୍ନବର୍ଣ୍ଣ ନ ଥିଲା । ସୀମା ପାଖରେ ଆସି ପହଞ୍ଚିଲା ପରେ ଶରଣାର୍ଥୀମାନଙ୍କ ଲରି ବଦଳାଇ ଆଉ ଗୋଟିଏ ନୂଆ ଲରିରେ ବସିବାକୁ ପଡ଼ିଲା । ସେମାନଙ୍କୁ ନେବାକୁ ଆଗରୁ ଆସି ଧାଡ଼ି ଧାଡ଼ି ହୋଇ ଲରିମାନ ଥୁଆ ହୋଇଥିଲା । ଏଥର ଶରଣାର୍ଥୀମାନଙ୍କୁ ନେଇ ସେସବୁ ରାତି ଅନ୍ଧାର ଭିତରେ ଦୌଡ଼ିଲା ଅମୃତସର ଅଭିମୁଖେ । ମୁଣ୍ଡ ଉପରର ତାରା ଭରା ଆକାଶ ଅନ୍ଧାର ରାତିରେ କେମିତି ବିଚିତ୍ର ଲାଗୁଥିଲା । ପରିସ୍ଥିତି ଏପରି ଗମ୍ଭୀର ଥିବାରୁ ଶରଣାର୍ଥୀମାନେ ପୂରାପୂରି
ଚୁପ୍‍ ପଡ଼ିଯାଇଥିଲେ ଓ ସେମାନଙ୍କ ଭିତରୁ କେଇଜଣ ଲରିମାନଙ୍କର ଉଠ୍‍ପଡ଼ ଗତି ସହ ଢୁଳେଇପଡ଼ି ଏକଡ଼ ସେକଡ଼କୁ ଝୁଙ୍କି ପଡୁଥିଲେ । ଆଉ କେଇଜଣ ଥିଲେ ଯେଉଁମାନେ ଶୂନ୍ୟକୁ ଫାଙ୍କା ଦୃଷ୍ଟିରେ ଚାହିଁ ବସିଥିଲେ । ଏତିକିବେଳେ ମନୋହରଲାଲ୍‍ର ପତ୍ନୀ ପୁଣିଥରେ ଚିତ୍କାର ଛାଡ଼ି କାନ୍ଦିଉଠିଲା; ତା’ ଚିତ୍କାରରେ ହଠାତ୍‍ କିଛି ଶରଣାର୍ଥୀ ଭାବି ବସିଲେ ଯେ ସେ କ’ଣ ଆଉ ପାଗଳୀ ପାଲଟିଗଲା କି! ସମସ୍ତେ ତା’ଆଡେ ଘୁରି ଚାହିଁଲେ । କୌଶଲ୍ୟାର କାନ୍ଦଣା ହଠାତ୍‍ ଥମିଗଲା ଓ ସେ ଏଥର ସକେଇ ସକେଇ କାନ୍ଦିବାକୁ ଲାଗିଲା । ପାଖରେ ବସିଥିବା ଲୋକମାନେ ଆଶ୍ୱସ୍ତ ହେଲେ ଯେ, ସେ ପାଗଳୀ ହୋଇ ଯାଇନି । ତା’ର ହଜିଲା ଛୁଆଟି କଥା ମନେ ପଡ଼ୁଥିଲା ବୋଲି ସେମାନେ ମନେ ମନେ ଭାବିଲେ । କିଛି ସମୟ ପରେ କୌଶଲ୍ୟା ବି ମନୋହରଲାଲ୍‍ର କାନ୍ଧ ଉପରେ ମୁଣ୍ଡ ଥାପି ଢୁଳେଇ
ପଡ଼ିଲା । ମନୋହରଲାଲ୍‍କୁ କିନ୍ତୁ ନିଦ ଆସୁ ନ ଥିଲା । ସେ ମନେ ମନେ ଚିନ୍ତା କରି ଚାଲିଥାଏ, ଯଦି ସେ ପାଲିକୁ ନ ପାଏ ତା’ହେଲେ ପୁଣିଥରେ ତାକୁ ପାକିସ୍ତାନକୁ ଲେଉଟିବାକୁ ପଡ଼ିବ । ହଁ, ସେ ତା’ପୁରୁଣା ସହରକୁ ଫେରିବ । ସେଠାରୁ ଲୋକମାନଙ୍କୁ ପଚରାଉଚରା କରି ପାଲିର ସନ୍ଧାନ ନେବ । ତାକୁ ଫେରେଇ ଆଣିବ ।

ରାତି ଅନ୍ଧାରର ଛାତି ଚିରି ଲରିଗୁଡିକ ଏକମୁହଁ ଛୁଟିଥାଆନ୍ତି ଅମୃତସର ଆଡ଼େ । ସମସ୍ତେ ମନେ ମନେ ଚିନ୍ତା କରି ଚାଲିଥାନ୍ତି, ଅଜଣା ଲକ୍ଷ୍ୟସ୍ଥଳ ତାଙ୍କ ଲାଗି କି ପ୍ରକାର ପରିସ୍ଥିତି ସୃଷ୍ଟି କରୁଛି । ସମ୍ଭବତଃ ସେମାନେ ଏହାର ଉତ୍ତର ଖୋଜି ପାଉ ନ ଥିଲେ । ତେଣୁ ସେମାନେ ଆଗକୁ କିଛି ଚିନ୍ତା ବି କରିପାରୁ ନ ଥିଲେ । ନିୟତି ସେମାନଙ୍କ ଆଖି ଆଗରେ ସତେ ଯେପରି କଳା ପର୍ଦାଟିଏ ଟାଙ୍ଗି ଦେଇଥିଲା । ତେଣୁ ନିଜ ନିଜର ଭବିଷ୍ୟତ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅନିଶ୍ଚିତ ଥିଲେ । ସେମାନେ ଏବେ କେବଳ ରହି ରହି ଲରିମାନଙ୍କ ହଲା ଦୋହଲା ଏବଂ କ୍ଳାନ୍ତି ଓ ଅବସନ୍ନ ଯାହା ଅନୁଭବ କରୁଥିଲେ । ଅଜଣା ଆତଙ୍କରେ ସମସ୍ତଙ୍କ ଆଖି ଢେମା ଢେମା ଦିଶୁଥାଏ, ଶୋଷରେ ତଣ୍ଟି  ଶୁଖିଯାଉଥାଏ ଏବଂ ଏପରି ଦୁର୍ଦିନରେ ମୁଣ୍ଡ ଉପରର ତାରାମାନେ ସତେ ଯେପରି ସେମାନଙ୍କୁ ଚାହିଁ
ଆଖି ମିଟିକା ମାରି ମୁରୁକି ହସା ଦେଉଥାଆନ୍ତି!

ସେଦିନ ରାତିରେ କେଇ ଘଣ୍ଟା ଧରି କାନ୍ଦିବା ପରେ ଶେଷରେ ପାଲି ଶୋଇପଡ଼ିଲା । ତା’ମୁଣ୍ଡଟି ଜେନାବ୍‍ର ଛାତି ଉପରେ ରଖି କେତେବେଳେ ଯେ ସେ ଶୋଇପଡ଼ଥିଲା ସେକଥା ତାକୁ ଜଣା ନ ଥିଲା । ସ୍ନେହର ସାଗରରେ ତା’ ଲୁହଭିଜା କୋହ ଯେପରି କେଉଁଠି ହଜି ଯାଇଥିଲା । ଯେତେବେଳେ ଜଣେ ପୁରୁଷର ସବୁ ଦୁଃଖକୁ ଜଣେ ନାରୀ ତା’ଛାତି ତଳେ ଥିବା ସ୍ନେହ ଓ ଶ୍ରଦ୍ଧାଦ୍ୱାରା ଦୂର କରିପାରେ,
ସେଥିରୁ ତାକୁ ଦୂରରେ ରଖିପାରେ । ଜେନାବ୍‍ ସେହି ସ୍ନେହ ଓ ଶ୍ରଦ୍ଧାର ବିଶ୍ୱାସ ଭିତରେ ପାଲିକୁ ଜାବୁଡ଼ି ଧରିଥିଲା । ସନ୍ତାନହୀନା ଜେନାବ୍‍ ତା’ଜୀବନରେ ପ୍ରଥମଥରପାଇଁ ଏତେ ଆନନ୍ଦ ଅନୁଭବ କରୁଥିଲା, ଯେ ପାଲି ସନ୍ତାନଟିଏ ଭଳି ତା’କୋଳରେ ଶୋଇଛି । ଏ ଆନନ୍ଦ କେବଳ ଜଣେ ସନ୍ତାନକାଙ୍ଗାଳୀ ବନ୍ଧ୍ୟା ନାରୀ ହିଁ ଅନୁଭବ କରିପାରିବ । ପାଲି କେଡ଼େ ନରମ, କେଡ଼େ ନିଷ୍ପାପଶରୀରଟିଏ । ସତେ ଯେପରି ଜେନାବ୍‍ର କୋଳରେ ଭରିଦେବା ଲାଗି ଆଲ୍ଲା ଏ ପିଲାଟିକୁ ତା’ ନିକଟକୁ ପଠାଇଛନ୍ତି । ଜେନାବ୍‍ର ଛାତିତଳେ ମାତୃତ୍ୱ ଢେଉ ପିଟୁଥିଲା । କିଛି ସମୟ ପରେ ସେ ହଠାତ୍‍ ପାଲି ମୁଣ୍ଡ ଉପରେ ସ୍ନେହରେ ହାତ ଘୁରାଇ ଆଣି ପଚାରିଲା ‘ତୁ କିଛି କହୁନୁ କାହିଁକି?’ ଜେନାବ୍‍ର ଖଟ ପାଖକୁ ଲାଗି ଅଗଣାରେ ପଡିଥିବା ଆଉ ଖଣ୍ଡିଏ ଖଟ ଉପରେ ନିଶ୍ଚଳଭାବେ ଶୋଇ ରହି ସାକୁର୍‍ ଚାହିଁ ରହିଥାଏ ତାରାଭରା ଆକାଶକୁ । ତାକୁ ଲାଗୁଥାଏ ସେଇଟା ଆକାଶ ନୁହେଁ, ଜେନାବ୍‍ର ଚୁନ୍‍ରୀ, ଯେଉଁ ଗାଢ଼ ନୀଳରଙ୍ଗର ଚୁନ୍‍ରୀ ମୁଣ୍ଡରେ ପକାଇ ସେ ପ୍ରଥମେ ଏଇ ଘରକୁ ଆସିଥିଲା । ସେତେବେଳେ ତା’ ଚୁନ୍‍ରୀ ବି ଏମିତି ତାରାମାନଙ୍କ ଭଳି ଝଟକୁଥିଲା ।
ସାକୁର୍‍ ଧୀରେ ଜେନାବ୍‍ର ମୁହଁକୁ ଚାହିଁଲା  । ଜେନାବ୍‍ର ମୁହଁଟା ଆଜି ଓଢ଼ଣି ପଛପଟୁ ଖୁସିରେ ଝଟକୁଥିଲା । ସାକୁର ମନେ ମନେ ଭାବୁଥିଲା, ସତେ ଯେମିତି ତା’ ଅଗଣାକୁ ସୂର୍ଯ୍ୟ ଓହ୍ଲେଇ ଆସିଛି ।

ସାକୁର୍‍ର ବେଉସା କହିଲେ ଚିନାମାଟି ତିଆରି କପ୍‍ ପ୍ଲେଟ୍‍ ଓ କଣ୍ଢେଇ ବିକା । ମୁଣ୍ଡରେ କପ୍‍ ପ୍ଲେଟ୍‍, ଥାଳି, ଥାଳିଆର ଟୋକେଇଟିଏ ଥୋଇ ସେ ସହରର ପ୍ରତି ଗଳିରେ ବୁଲି ସେସବୁକୁ ବିକେ । ତା’ ଟୋକେଇ ଉପରେ ବେତର ସରୁ ଘୋଡ଼ଣୀଟିଏ ଘୋଡ଼ା ହୋଇଥାଏ । ବର୍ଷ ବର୍ଷ ଧରି ସେ ଏଇ ବେଉସା କରି ପରିବାର ପୋଷି ଆସୁଥିଲା । ସେଦିନ ସନ୍ଧ୍ୟାବେଳେ ସେ ତା’ ବେପାର ସାରି ଘରକୁ ଫେରିଲା ବେଳେ, ଭିଡ଼ ଭିତରୁ କେହି ଜଣେ ଛୋଟ ପିଲାଟିକୁ ତା’ରି ଆଡ଼କୁ ଠେଲିଦେଲା । ପିଲାଟା ଗଳିର କୋଣ ମୁଣ୍ଡରେ ଠିଆ ହୋଇ ‘ବାପା! ବାପା!’ ବୋଲି ଡାକ ଛାଡ଼ୁଥାଏ । ଛୋଟ ପିଲାଟିର କାନ୍ଦ ଓ ଏପରି ଡାକ ଶୁଣି ସାକୁର ଅଟକିଗଲା । ତା’ପରେ ତା’ର ପାଖରେ
ବସିପଡ଼ି ତାକୁ ବୁଝାଇବାକୁ ଚେଷ୍ଟାକଲା । କାନ୍ଧରେ ପଡିଥିବା ଗାମୁଛା କାନିରେ ତା’ ଆଖିରୁ ଲୁହ ପୋଛିଦେଲା । ପିଲାଟାର କାନ୍ଦ ହଠାତ୍‍ ବନ୍ଦ ହୋଇଗଲା । ଏଥର ସାକୁର ପିଲାଟିର ମୁହଁକୁ ଚାହିଁ ତାକୁ କହିଲା,‘ଚାଲ୍‍, ମୁଁ ତୋତେ ତୋ ବାପା ପାଖକୁ ନେଇଯିବି । ହେଲେ ତୋ ବାପା କେଉଁଠି ଅଛି ମତେ କହିଲୁ?’ ଯେଉଁଠୁ ଲରିସବୁ ଶରଣାର୍ଥୀମାନଙ୍କୁ ନେଇ ଅମୃତସର ଆଡ଼େ ଯାତ୍ରା କରିଥିଲା, ସାକୁର୍‍ ପିଲାଟିର ହାତ ଧରି ସେଇ ଜାଗାକୁ ନେଇଗଲା । କିନ୍ତୁ ଲରିସବୁ ଢେର ସମୟ ପୂର୍ବରୁ ସେଠାରୁ ଯାଇ ସାରିଥିଲା ଓ ସେ ସ୍ଥାନ ଏବେ ସମ୍ପୂର୍ଣ୍ଣ ନିର୍ଜନ ଓ ଶାନ୍ତ ଲାଗୁଥିଲା । ସେଦିନ ରାତି ଅନ୍ଧାରରେ ପାଲିକୁ କାଖେଇ ସାକୁର୍‍ ତା’ଘରପାଖରେ ପହଞ୍ଚିବା ବେଳକୁ
ପାଲି ତା’କାନ୍ଧରେ ମୁଣ୍ଡ ଥାପି କେତେବେଳୁ ଶୋଇ ସାରିଥିଲା । ସାକୁର୍‍ଟା ଭାରି ଧର୍ମବିଶ୍ୱାସୀ । ସବୁ କଥାରେ ତା’ର ଆଲ୍ଲାଙ୍କ ଉପରେ ଭରସା ।

ଯେତେବେଳେ ସହରରେ ପ୍ରଥମ କରି ଦଙ୍ଗା ଆରମ୍ଭ ହେଲା, ସେ ନିଜକୁ ସେଥିରୁ ସମ୍ପୂର୍ଣ୍ଣ ରୂପେ ଅଲଗା ରଖିଥିଲା । ତା’ପରେ
ଚାଉଳ ବଜାରକୁ ପୋଡି ଦିଆଗଲା ଓ ରାସ୍ତାଘାଟରେ ଲୋକମାନଙ୍କ ଉପରେ ଛୁରିମାଡ ହେଲା । ଏସବୁ ଦେଖି ସାକୁର ମନକୁ ମନ କହି ହୋଇଥିଲା ‘ଆଲ୍ଲା ବୋଧହୁଏ ଆମ ଉପରେ ରାଗିଛନ୍ତି!’ ପ୍ରତିଥର କିଛି ନା କିଛି ଅଘଟଣ ତା ନଜରକୁ ଆସିଲେ, ତା’ ତୁଣ୍ଡରୁ ଏଇ କଥା ପଦକ ବାହାରେ । ଜେନାବ୍‍ର ମୁହଁକୁ କିଛି ସମୟ ଧରି ଚାହିଁବା ପରେ, ସାକୁର ପଚାରିଲା, ‘ତୁ ଏମିତି ତୁନି ପଡିଗଲୁ କାହିଁକି?’
ଜେନାବ୍‍ ଧୀର ସ୍ୱରରେ ଜବାବ ଦେଲା, “କ’ଣ ଅଛି ଯେ କହିବି?” ତା’ପରେ ପୁଣି ନୀରବତା ।

ପାଲିର ସାନ୍ନିଧ୍ୟକୁ ସେ ନୀରବରେ ମନଭରି ଉପଭୋଗ କରିବାକୁ ଚାହୁଁଥିଲା । ତା’କୋଳ ଭିତରେ ସେ ଅନୁଭବ କରୁଥିଲା ଏକ ସନ୍ତାନର ସାନ୍ନିଧ୍ୟ । ତାକୁ ଲାଗୁଥିଲା ତା’ ଆଖିଆଗରୁ ସବୁ ଦୁଃଖ କୁଆଡେ ଦୂର ହୋଇଯାଇଛି ଓ ତା’ଶରୀର ବେଶ୍‍ ହାଲୁକା ପାଲଟିଯାଇଛି । କିନ୍ତୁ ଆଲ୍ଲା ତା’ପ୍ରତି ଏପରି ଏକ କରୁଣା ପ୍ରଦାନ କରିଛନ୍ତି ବୋଲି ସେ ତା’ର ସ୍ୱାମୀକୁ ଜଣାଇବାକୁ ଚାହୁଁ ନ ଥିଲା । ପାଲି ଦେହର ସ୍ପର୍ଶ ତା’ଦେହ ଓ ମନରେ ଅପୂର୍ବ ଏକ ଶିହରଣ ସୃଷ୍ଟି କରୁଥିଲା । ସେ ଶିହରଣକୁ ଜେନାବ୍‍ ଅନନ୍ତକାଳ ଲାଗି ଅନୁଭବ କରିବାକୁ ଚାହୁଁଥିଲା ।

ସାକୁର କହିଲା ‘ଆମ ସହରରେ ରହୁଥିବା ସବୁ ହିନ୍ଦୁ ଓ ଶିଖ୍‍ମାନେ ସେମାନଙ୍କ ଘରଦ୍ୱାର ଛାଡି ପଳେଇଗଲେଣି । ଆଉ ସେମାନେ କେବେ ବି ଲେଉଟିବେ ନାହିଁ  । ଶରଣାର୍ଥୀ ଶିବିରଗୁଡ଼ାକ ବି ଜନଶୂନ୍ୟ ହୋଇଗଲାଣି । ଏପଟେ ଆଉ କେହି ଫେରିବାକୁ ସାହସ କରିବେନି ।’ ଜେନାବ୍‍ କିଛି କହିଲାନି । ପିଲାଟା ନିଦରେ କ’ଣ ଗୋଟାଏ ବାଉଳି ଚାଉଳି ହୋଇ କହିଲା ଓ ଦୀର୍ଘଶ୍ୱାସଟିଏ ଛାଡ଼ିଲା । ତା’ପରେ ପୁଣି ଜେନାବ୍‍ର ଛାତି ଉପରେ ମୁଣ୍ଡ ଥାପି ଶୋଇଗଲା । ଜେନାବ୍‍ ଚାହିଁଲା ଆକାଶ ଆଡେ । ତାରାଭରା ଆକାଶଟା ବେଶ୍‍ ତୋଫା ଦିଶୁଥିଲା । ସତେ ଯେମିତି ସାକୁର୍‍ର ସବୁ ଚିନ୍ତାକୁ ସିଏ ପ୍ରତିଧ୍ୱନିତ କରୁଥିଲା, ‘ଯେଉଁଠୁ ତାକୁ ଆଣିଚୁ ସେଇଠି ନେଇ ଛାଡ଼ିଦେଇ ଆସ୍‍ । ନ ହେଲେ କିଛି ଅଘଟଣ ଆସି ତୋ ମୁଣ୍ଡ ଉପରେ ଅଜାଡ଼ି ହୋଇପଡିବ ।’ ‘ଆମ ଉପରେ କାହିଁକି ଅଘଟଣ ପଡିବ? ଯେତେହେଲେ ଆମେ ଅନାଥ ପିଲାଟାକୁ ଆଣି ଆମ ଘରେ ଆଶ୍ରା ଦେଇଚୁ । ଆମେ ଯଦି ପିଲାଟାକୁ ପୋଲିସ୍‍ ଥାନାରେ ନେଇ ଜିମ୍ମା
ଦେଇଥାଆନ୍ତୁ, ତା’ହେଲେ କଦାପି ତାକୁ ତା’ବାପା ମା’ଙ୍କ ପାଖରେ ପହଞ୍ଚେଇ ପାରି ନ ଥାନ୍ତେ ।’

ପତିପତ୍ନୀ ଦୁହେଁ ଏମିତି ପରସ୍ପର ମନର ଭାବକୁ ବୁଝିବାକୁ ଚେଷ୍ଟା କରୁଥିଲେ । ନିଜର ଗାଲକୁ ସ୍ନେହରେ ପିଲାଟିର ଗାଲ ଉପରେ ଘଷି ଆଣୁଆଣୁ ଜେନାବ୍‍ ପଚାରିଲା- ‘ଆଚ୍ଛା, ତା’ ନାଁଟା କ’ଣ?’

‘ମୁଁ କେମିତି ଜାଣିବି? ମୁଁ ତାକୁ ଯେତେବେଳେ ତା ନାଁ ପଚାରିଲି, ସିଏ କେବଳ ପାଲି କହିଲା । ସେଇ ପାଲି ହୋଇଥିବ ।’ ‘ହିନ୍ଦୁ ଲୋକଗୁଡ଼ାଙ୍କର ନାଁ ବି ଭାରି ବିଚିତ୍ର । କି ବିଚିତ୍ର ନାଁ ଦେଖୁନ- ପାଲି! ମୋର ଯଦି ଏମିତିକିଆ ସୁନ୍ଦରିଆ ପୁଅଟିଏ ଥାଆନ୍ତା, ମୁଁ ତା ନାଁ ଅଲତାଫ୍‍ ଦେଇଥାଆନ୍ତି ।’ ଏମିତି ପଦେ ଦିପଦ କଥାବାର୍ତ୍ତା ଭିତରେ ସେମାନେ ପୁଣି ଦୀର୍ଘସମୟ ଧରି ତୁନି ହୋଇ ଯାଇଥିଲେ ।
ନିଜ ନିଜ ଚିନ୍ତରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡୁବି ଯାଇଥିଲେ । ଜେନାବ୍‍ ଭାବୁଥିଲା ଯଦି ପିଲାଟାକୁ କେହି ନେବାକୁ ନ ଆସନ୍ତି, ତା’ହେଲେ ସିଏ ତାକୁ ପୁଅକରି ରଖିବ । ତା’ଘର ଅଗଣାରେ ସିଏ ଖେଳକୁଦ କରିବ । ଘରଦ୍ୱାର ହସି ଉଠିବ । ମନେ ମନେ ସେ ଆଲ୍ଲାଙ୍କୁ ଦୁଆ
ମନାସୁଥିଲା- କେହି ଏ ପିଲାଟିକୁ ନେବାକୁ ନ ଆସନ୍ତୁ । ପୁଣି ନିଜର ଏଇ ଅଭିଳାଷକୁ ଠିକ୍‍ ବୋଲି ପ୍ରମାଣ କରିବା ଲାଗି ମନେ ମନେ କହି ହେଉଥିଲା- ମହମ୍ମଦ୍‍ ଦରଜି ତ ପୁଣି ଗୋଟାଏ ହିନ୍ଦୁ ସ୍ତ୍ରୀ ଲୋକକୁ ନିଜ ଘରେ ସ୍ତ୍ରୀ କରି ରଖିଲା । କାଇଁ ତାକୁ ତ କେହି ନେବାକୁ ଆସିଲେନି । ମିର୍‍ ଜମାନ ତା’ଦୋକାନ ପାଖକୁ ଲାଗିଥିବା ଦରଜି ଦୋକାନକୁ ଲୁଟି ସବୁ ଜିନିଷପତ୍ର ଆଣି ଘରେ ପୁରେଇଲା । ସମସ୍ତେ ଏକଥା ଦେଖିଲେ । କାଇଁ ତାକୁ ତ କେହି ବାରଣ କଲେନି! ଆଉ ସିଏ ତ ଅନାଥ ପିଲାଟିକୁ ଆଣି ଘରେ ଆଶ୍ରା ଦେଇଚି- ତା ସ୍ୱାମୀ ଏଇ ବାପ ମା’ଠାରୁ ଅଲଗା ହୋଇଯାଇଥିବା ବାଳକଟିକୁ ରାସ୍ତା ଉପରେ କାନ୍ଦୁଥିବା ଅବସ୍ଥାରେ ପାଇ ଘରକୁ ଆଣିଚି ।ଏଥିରେ ସିଏ ଭୁଲ କଲା କେଉଁଠି? କିନ୍ତୁ ସାକୁର୍‍ର ମନକୁ ବେଳେବେଳେ ଭୟ ଆସୁଥିଲା । ପରଦିନ ସକାଳେ ନିଦରୁ ଉଠି ପାଲି ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ଏକ ଅପରିଚିତ ପରିବେଶ ଭିତରେ ଆବିଷ୍କାର କଲା, ସିଏ ପୁଣିଥରେ କାନ୍ଦିବାକୁ ଆରମ୍ଭ କଲା ଓ ମଝିରେ ମଝିରେ ‘ବାପା!’ ‘ବାପା!’ ବୋଲି ଡାକିବାକୁ ଲାଗିଲା । ଜେନାବ୍‍ ତା’ମୁହଁ ଆଗରେ କ୍ଷୀର ପାତ୍ରଟିଏ ଧରି ସ୍ନେହରେ ତା’ମୁଣ୍ଡ ଆଉଁଶି ଆଣିଲା ଓ ପିଠି ଥାପୁଡେଇ ତାକୁ ବୁଝେଇବାକୁ ଚେଷ୍ଟାକଲା । ହେଲେ ପାଲିର କାନ୍ଦ ବନ୍ଦ ହେଲା ନାହିଁ, ବରଂ ବେଳକୁ ବେଳ ହିକ୍କା ଛାଡି ସେ କାନ୍ଦିବାକୁ ଲାଗିଲା ।
ଜେନାବ୍‍ ପାଲିକୁ ବୋଧଶୋଧ କରିବା ଭିତରେ ଦୁଆରମୁହଁ ଆଡ଼େ ଚାହିଁ ଦେଉଥାଏ । କାଳେ ତା’ଘରେ ଅଚିହ୍ନା ପିଲାଟିର କାନ୍ଦ ଶୁଣି କେହି ସାଇପଡ଼ିଶା ଲୋକ ଆସି ପହଞ୍ଚିଯିବେ! ହଁ, ତା’ଘରେ ପିଲାଟା ଅଛି, ଠିକ୍‍ କଥା । ଯେତେହେଲେ ହଜିଲା ପିଲା ତ । କାଳେ କିଏ ଭାବିବ ଯେ ଆମେ ପିଲାଟାକୁ ଚୋରେଇ ଆଣିଚୁ । ତେଣୁ ସାଇପଡ଼ଶାଙ୍କ ନଜରରୁ ପିଲାଟାକୁ ଦୂରେଇ ରଖିବାକୁ ପଡିବ ।

ଶେଷରେ ପାଲି ଆଖିରୁ ଲୁହ ଝରିବା ଶେଷ ହେଲା । ସିଏ ତୁନି ପଡିଲା । ହେଲେ ଘରର ଗୋଟିଏ କୋଣରେ ସିଏ କେବଳ ଗୁମ୍‍ସୁମ୍‍ ହୋଇ ବସିରହିଲା । କାହା ସାଙ୍ଗରେ କିଛି କଥାବାର୍ତ୍ତା କଲାନି । କେବଳ ଯାହା ଫାଙ୍କା ଦୃଷ୍ଟିରେ ଏପଟକୁ ସେପଟକୁ ବେଳେବେଳେ ଚାହୁଁଥିଲା । ସାକୁର୍‍ ଏକଥା ଲକ୍ଷ୍ୟକରି ମଝିରେ ମଝିରେ ଦୀର୍ଘଶ୍ୱାସଟିଏ ଛାଡ଼ୁଥାଏ । ହେଲେ ଜେନାବ୍‍କୁ ଲାଗୁଥାଏ ପାଲି ଏଘରକୁ
ଆସିବା ଦିନଠାରୁ ସିଏ ଧୀରେ ଧୀରେ ଛିନ୍ନମୂଳ ପାଲଟିଯାଉଛି । ସାକୁର୍‍ ଭାବିଥିଲା, ଏମିତି ଦି’ଚାରି ଦିନ ଯିବାପରେ ପିଲାଟା ଆପେ ଆପେ ଏ ଘର ଓ ଏ ପରିବେଶ ସାଙ୍ଗରେ ପରିଚିତ ହୋଇଯିବ । ଏ ଘରକୁ ତା’ନିଜ ଘର ବୋଲି ଗ୍ରହଣ କରିନେବ । ହେଲେ ସେପରି କିଛି ଘଟିଲାନି । କିଏ ଜାଣେ, ବୋଧହୁଏ ପିଲାଟିର ବାପା ମା’ ତାକୁ ଏଣେତେଣେ ଖୋଜି ବୁଲୁଥିବେ । କାହାଠାରୁ ଖବର ପାଇ ଦିନେ ଆସି ତା’ଘରେ ପହଞ୍ଚିବେ । ଏବେ ସୁଦ୍ଧା ଏ ଦେଶରେ ତ ଅନେକ ଶରଣାର୍ଥୀ ଅଛନ୍ତି । ସେମାନେ ସ୍ଥାନାନ୍ତରୀତ ହୋଇ ନାହାନ୍ତି । ପୁଣି ତା’ମନରେ ଆଶଙ୍କା ସୃଷ୍ଟି ହେଉଥିଲା- ଯଦି ପୋଲିସ୍‍ ଏ ଖବର ପାଏ, ତା’ହେଲେ ବୋଧେ ସିଏ ଆହୁରି ଅଡୁଆ ପରିସ୍ଥିତିରେ ପଡିଯିବ!

ପ୍ରଥମ ଦି’ଦିନ ସ୍ୱାମୀ ସ୍ତ୍ରୀଙ୍କୁ କମ୍‍ କଷ୍ଟ ସହ୍ୟ କରିବାକୁ ପଡ଼ି ନ ଥିଲା । ତୃତୀୟ ଦିନ ବେଳକୁ ପିଲାଟା ଯାହା କିଛି ଅଳ୍ପ ପଦେ ଦି’ପଦ କଥାବାର୍ତ୍ତା କଲା । ଅଗଣାର ଅଧାକାନ୍ଥି ଉପରେ ବସିଥିବା ଧଳା ବିଲେଇଟିକୁ ଦେଖି ପାଲି ତା’ରି ଆଡ଼େ ଚାହିଁଲା । ତା’ପରେ ବିଲେଇଟା ହଠାତ୍‍ କାନ୍ଥ ଉପରୁ ଡେଇଁପଡି ଆସି ଚଟାଣ ଉପରେ ବସିପଡ଼ିଲା । ‘ବିଲେଇ, ବିଲେଇ’ ବୋଲି ପାଲି ଆନନ୍ଦରେ କୁରୁଳି ଉଠି ଡାକ ଛାଡିଲା । ଜେନାବ୍‍ର ଆନନ୍ଦ କହିଲେ ନ ସରେ । ଏତିକିବେଳେ ବାହାର କବାଟରେ କିଏ ଶବ୍ଦ ଦେଲା । ଶବ୍ଦଟା ବେଶ୍‍ ଜୋର ଓ ଭୟଙ୍କର ଶୁଭୁଥିଲା । ଜେନାବ୍‍ ଓ ସାକୁର, ଉଭୟଙ୍କ ଛାତି ଧଡ଼ଧଡ଼ ହୋଇଉଠିଲା । ଦୁହେଁ ଭୟରେ କବାଟ ଆଡ଼କୁ ଚାହିଁଲେ । ଜେନାବ୍‍ କହିଲା ‘ସେମାନେ ଆସିଲେ କି କ’ଣ? ସେମାନେ ତାଙ୍କ ପିଲାଟାକୁ ତା’ହେଲେ ନେଇଯିବେ! ଜେନାବ୍‍ ଆଖିରୁ ତା’ମନର ଭୟ ସ୍ପଷ୍ଟ ବାରି ହୋଇ ପଡୁଥିଲା । ସାକୁର୍‍ କହିଲା, ‘ବୋଧହୁଏ ଥାନାରୁ ପୁଲିିସ୍‍ ଆସିଥାଇ ପାରନ୍ତି!’ ପ୍ରତି ମୁହୂର୍ତ୍ତରେ ତା’ମନର ଭୟ ବଢିବଢି ଚାଲିଥାଏ । ପୁଣି ଥରେ କବାଟରେ ଜୋର୍‍ କରି କିଏ ଶବ୍ଦ ଦେଲା । କବାଟରେ ଠେଙ୍ଗା ପାହାର ପିଟିଲା ପରି ଶବ୍ଦ । ‘କବାଟ ଖୋଲ!’ ଆଦେଶ ଦେଲାଭଳି ସ୍ୱରରେ କେହି ଜଣେ କହୁଥାଏ । ଏଥର ସାକୁର ପାଦ ବଢେଇଲା କବାଟଆଡକୁ । କିଳିଣିଟା ହୁଗାଳିବା ଲାଗି । ହେଲେ ତା’ଆଗରୁ ଜେନାବ୍‍ ପାଲିକୁ କୋଳରେ ପୁରେଇ ଭିତର ଘରକୁ ଯାଇ ସାରିଥିଲା । କବାଟ ଖୋଲି ସାକୁର୍‍ ଦେଖିଲା, ଦାଣ୍ଡ ଦୁଆରେ ଠିଆ ହୋଇଥିବା ଲୋକଟା ପୁଲିସ୍‍ ହାବିଲଦାର ନୁହେଁ କି ପିଲାଟାର ବାପା ମା’ ନୁହଁନ୍ତି । ପାଖ ମସ୍‍ଜିଦ୍‍ର ଦାଢ଼ିଆ ମୌଲବୀ ଦାଣ୍ଡ ଦୁଆରେ ଠିଆ ହୋଇଥିଲେ । ହାତରେ ତାଙ୍କର ସେଇ ମୋଟା ବାଉଁଶ ଠେଙ୍ଗା । ତାଙ୍କ ପଛକୁ ଆଉ ଦି’ଜଣ
ଲୋକ । ସେମାନଙ୍କ ହାତରେ ବି ଗୋଟିଏ ଲେଖାଏଁ ଠେଙ୍ଗା । ସାକୁର୍‍କୁ ଚାହିଁ ମୌଲବୀ ଗର୍ଜିଉଠିଲେ, ‘ତୋ ଘରେ ତୁ ଗୋଟାଏ କାଫେର୍‍ର ଛୁଆକୁ ଆଣି ଲୁଚେଇ ରଖିଚୁ? ତାକୁ ଏଠିକି କିଏ ଆଣିଲା?’ ଏତିକି କହିବା ଭିତରେ ମୌଲବୀ ଅଗଣା ଭିତରକୁ ପଶି ଆସି ସାରିଥାଆନ୍ତି । ତାଙ୍କ ପଛରେ ଥିବା ଲୋକ ଦି’ଜଣ ବି ଅଗଣାରେ ହାଜର ।

‘ତୁ ଘର ଭିତରେ ଗୋଟାଏ କାଫେରକୁ ଆଣି ରଖିଚୁ?’ ସାକୁର୍‍ ତତ୍‍କ୍ଷଣାତ୍‍ ଘର ଭିତରକୁ ଦଉଡ଼ିଯାଇ ବେତର ମୋଡ଼ାଟିଏ ଆଣି ମୌଲବୀଙ୍କ ଆଗରେ ଥୋଇ ତାଙ୍କୁ ବସିବା ଲାଗି ନେହୁରା ହେଲା ଓ କହିଲା, ‘ମୁଁ କୋରାନ୍‍ ନାଁରେ କସମ୍‍ ଖାଇ କହୁଚି, ମୁଁ କୌଣସି କାଫେରକୁ ଆଣି ଘରେ ଆଶ୍ରା ଦେଇନି । ମୁଁ ଖାଲି ଗୋଟାଏ ନିଆଶ୍ରା ଛୁଆକୁ ଆଣି ରଖିଛି ।’

:‘ସେ ନିଆଶ୍ରା ଛୁଆ କାଇଁ?’

:‘ସିଏ ଘର ଭିତରେ ଶୋଇଚି ।’

ଏଥର ସାକୁର ଆଡେ ମୌଲବୀ ସନ୍ଦେହ ଦୃଷ୍ଟିରେ ଚାହିଁ ହାତରେ ଧରିଥିବା ଠେଙ୍ଗାଟାକୁ ତଳେ କେଇଥର ଠୁକେଇଦେଲେ ।

:‘ମତେ ତାକୁ ଦେଖା । ମୁଁ ତାକୁ ଦେଖିବାକୁ ଚାହୁଁଛି ।’

ଏକଥା ଶୁଣି ଜେନାବ୍‍ ତା’କୋଳରେ ପାଲିକୁ ଧରି ଘରଭିତରୁ ପଦାକୁ ବାହାରି ଆସିଲା  ।

:‘ତା’ହେଲେ ତୁ ଘର ଭିତରେ ଗୋଟାଏ କାଫେର ଛୁଆକୁ ଆଶ୍ରା ଦେଇଚୁ?’

:‘ମୌଲବୀ ସା’ବ୍‍, ମୁଁ ଛୁଆଟାକୁ ମୋ ନିଜ ଛୁଆ ଭାବେ ଗ୍ରହଣ କରିଚି ।

ଛୁଆଟାକୁ ରଖିବା କ’ଣ ଅପରାଧ?’ ଜେନାବ୍‍ ମୌଲବୀଙ୍କ ଉଦ୍ଦେଶ୍ୟରେ କହିଲା ।

:‘ତୁ ତାକୁ ଧର୍ମ ଅନୁସାରେ ସୁନ୍‍ତି କରିଚୁ? ତାକୁ ଅଲ୍‍ମା ପଢେଇଚୁ?’

ଜେନାବ୍‍ ମୁଣ୍ଡକୁ ସତେ କି ଭଲ ଧାରଣାଟିଏ ଢ଼ୁକିଲା । ତାକୁ ଲାଗିଲା ମୌଲବୀ ସା’ବ ତା’ଠାରୁ ଛୁଆଟିକୁ ଛଡ଼େଇ ନେବାଲାଗି ଆସିନାହାନ୍ତି । ସିଏ କେବଳ ଆସିଛନ୍ତି, ଛୁଆଟିକୁ ମୁସଲମାନ ଧର୍ମରେ ଦୀକ୍ଷିତ କରେଇବା ଲାଗି ସୂଚେଇ ଦେବାକୁ । ତେଣୁ ସେ କିଛି ନ
କହି ମୌଲବୀଙ୍କ ଆଗରେ ଚୁପ୍‍ଚାପ୍‍ ମୁଣ୍ଡପୋତି ଠିଆ ହୋଇରହିଲା ।

:‘ତୁ କିଛି ଜବାବ୍‍ ଦେଉନୁ କାହିଁକି? ଗୋଟାଏ କାଫେର୍‍ ଛୁଆକୁ ଆଣି ତୁ ତୋ’ କୋଳରେ ପୁରେଇ ରଖିଚୁ? ତୋ ଛାତିରୁ ତାକୁ କ୍ଷୀର ପିଇବାକୁ ଦେବୁ? ଗୋଟାଏ ବିଷଧର ସାପକୁ ଘରେ ପାଳିବୁ?’

ମୌଲବୀଙ୍କ କଥା ଶୁଣି ଜେନାବ୍‍ କାନ୍ଥକୁ ଆଉଜି ପଡିଲା । ନା, ତାଙ୍କ ଯୁକ୍ତିକୁ କାଟିବା ଭଳି କାରଣ ତା’ପାଖରେ ନ ଥିଲା । ଏକଥା ସିଏ ଆଗରୁ କାହିଁକି ଭଲା ଚିନ୍ତା କରି ନ ଥିଲା? ହେଲେ ପିଲାଟା ତ ତାକୁ ଆଦୌ ସେପରି ଲାଗି ନ ଥିଲା- କାଫେର୍‍ର ପିଲା, ଗୋଟାପଣେ ବିଷଧର ସାପ ।

ତା’ତୁଣ୍ଡରୁ କିଛି କଥା ବାହାରିବା ଆଗରୁ ମୌଲବୀ ପୁଣିଥରେ ଠେଙ୍ଗାଟିକୁ ତଳେ ପିଟି କହିଉଠିଲେ, ‘ସିଏ କାଫେର ଛୁଆଟାକୁ ଧରି ମସ୍‍ଜିଦ୍‍କୁ ଆଣ’ । କାଲି ଭୋର ବେଳକୁ ଆସି ପହଞ୍ଚିବୁ । ନ ହେଲେ ଯାହା ଘଟିବ ତାକୁ ଭୋଗିବାକୁ ପ୍ରସ୍ତୁତ ଥିବୁ!’ ଏତିକି କହି ଯେମିତି ରାଗ ତମତମ ହୋଇ ଆସିଥିଲେ ସେମିତି ରାଗ ତମତମ ହୋଇ ବୁଲିପଡ଼ି ସେ ଦୁଆରମୁହଁ ଦେଇ ବାହାରିଗଲେ । ମୌଲବୀ ଚାଲିଯିବା ପରେ ନିଜ ମୁଣ୍ଡକୁ ହଲାଇ ଜେନାବ୍‍ ଖୁସିରେ ମୁରୁକି ହସିଦେଲା । ମୌଲବୀଙ୍କର କହିବା କଥା ହେଲା ଛୁଆଟି କଲମା କହିବ ଓ ସୁନ୍‍ତି ହେବ । ତା’ହେଲେ ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରିବା କ’ଣ ଦରକାର? ଏବେ ସେକଥା କରେଇ ନେବାକୁ ସିଏ ପ୍ରସ୍ତୁତ ଅଛି ।

ଏଥିରେ ଭୟ କରିବାର କ’ଣ ଅଛି ଭଲା? ସିଏ ତ ଛୁଆଟିକୁ ଆମଠାରୁ ଛଡେଇ ନେବାକୁ ଆସି ନାହାନ୍ତି । ଠିକ୍‍ ତା’ ପରଦିନ ମୌଲବୀଙ୍କ କଥା ଅନୁସାରେ ସବୁକାମ ସୁରୁଖୁରୁ ଭାବେ ସମ୍ପନ୍ନ ହୋଇଥିଲା । ଧାରୁଆ କ୍ଷୁରକୁ ଦେଖି ପାଲି ଭୟରେ ଥରି ଉଠିଥିଲା ଓ ଜେନାବ୍‍ ଗୋଡକୁ କୁଣ୍ଢେଇ ଧରିଥିଲା । ତା’ପରେ ମୌଲବୀ ପାଲିର ପିଠି ଥାପୁଡେଇ ତାକୁ ବୁଝେଇବାକୁ ଚେଷ୍ଟା କରିଥିଲେ । ହେଲେ, ପାଲି ତଥାପି ‘ବାପା!’ ‘ବାପା!’ କହି କାନ୍ଦି ଚାଲିଥାଏ  । ମୌଲବୀଙ୍କର କିନ୍ତୁ ସେଥିପ୍ରତି ଆଦୌ ଖିଆଲ ନ ଥାଏ । ସେ କେବଳ ରହି ରହି ମୁରୁକି ହସା ଦେଉଥାଆନ୍ତି । ପାଖ ପଡିଶା ଲୋକମାନେ ଆସି ସାକୁର୍‍ ଓ ଜେନାବ୍‍କୁ ବଧେଇ ଜଣାଉଥାଆନ୍ତି ।

ମୌଲବୀ ନିଜ ହାତରେ ନାଲି ରଙ୍ଗର ରୁମି ଟୋପିଟିଏ ଧରି ପାଲିକୁ ଉପହାର ଦେଲାଭଳି ତା’ମୁଣ୍ଡରେ ପିନ୍ଧାଇ ଦେଲେ । ଟୋପିଟା ଉପରେ କଳାରଙ୍ଗର ଟାସେଲ୍‍ଟିଏ ଝୁଲୁଥାଏ । ଜେନାବ୍‍ ତାକୁ ଧଳାରଙ୍ଗର ନୂଆ ରେଶମ କୁର୍ତ୍ତାଟିଏ ପିନ୍ଧିବାକୁ ଦେଲା ଓ ନିଜେ ସେଇଠି ଠିଆହୋଇ ତାକୁ ପିନ୍ଧିବାରେ ସାହାଯ୍ୟ କଲା । ଏଥର ମୌଲବୀ ସା’ବ୍‍ ପାଲିକୁ ନିଜ ହାତରେ ଟେକି ଆଣି ଜେନାବ୍‍ କୋଳରେ ଥୋଇଦେଲେ ଓ କହିଲେ, ‘ଏବେ ତୁ ତାକୁ ନେଇଯା’ ଏଥର ସିଏ ଗୋଟାପଣେ ତୋ ଛୁଆ  । କାଫେର୍‍ ଛୁଆ ନୁହେଁ । ତା’ସୁରକ୍ଷା ଦାୟିତ୍ୱ ସାରା ସମ୍ପ୍ରଦାୟର ।’

ଧୀରେ ଧୀରେ ପାଲି ନୂଆ ପରିବେଶ ଭିତରେ ନିଜକୁ ପରିଚିତ କରାଇନେଲା । ଗୋଟିଏ ବର୍ଷ ଭିତରେ ପାଲି ପାଲଟିଗଲା, ଚିନାମାଟି ବାସନବିକାଳୀ ସାକୁର ଅହମ୍ମଦ୍‍ର ପୁଅ, ଅଲତାଫ୍‍ ହୁସେନ୍‍ । ସାରା ଇଲାକାରେ ସମସ୍ତଙ୍କ ନିକଟରେ ସେ ଏଇ ନାଁରେ ପରିଚିତ ହୋଇଗଲା । ବାପକୁ ଅନୁକରଣ କଲାପରି ବେଳେବେଳେ ସେ ମୁଣ୍ଡ ଉପରେ ମିଛିମିଛିକା ଟୋକେଇଟିଏ ଥୋଇ ଚିନାମାଟି ବାସନ
ବିକ୍ରି କରେ । ବଡ଼ ପାଟିରେ ବାପା, ଭଳି ଡାକ ଛାଡ଼େ । ରେଷେଇଘରୁ ସବୁ ବାସନକୁସନ ଆଣି ସେ ତା’ ପସରା ଭିତରେ ଭର୍ତ୍ତି କରେ ଓ ତାକୁ ମୁଣ୍ଡରେ ଥୋଇ ଅଗଣା ସାରା ଘୂରିବୁଲେ । ଚାହୁଁ ଚାହୁଁ ରମ୍‍ଜାନ୍‍ ମାସ ଆସି ପହଞ୍ଚିଲା । ଏବେ ସେ ତାଙ୍କ ଅଗଣା ମଝିରେ ବସିପଡି ମୁହଁରେ ଚୁଙ୍ଗାଟିଏ ଦେଇ ଡାକଛାଡେ, ‘ଉଠିପଡ଼ ହେ ନୈଷ୍ଠିକ ମୁସଲମାନ ମାନେ, ଉଠିପଡ଼ । ନିଦରୁ ଉଠିପଡ଼ । ପବିତ୍ର ରମ୍‍ଜାନ୍‍ ଉପବାସ ବ୍ରତ ପାଳନ କର ।’ ମସ୍‍ଜିଦ୍‍ ପାଖରେ ଥିବା ମଦ୍ରାସାରେ ଜେନାବ୍‍ ଓ ସାକୁର୍‍ ଯଥାଶୀଘ୍ର ଅଲତାଫ୍‍ର ପାଠପଢା ବନ୍ଦୋବସ୍ତ କରେଇଦେଲେ । ଅଲତାଫ୍‍ ମସ୍‍ଜିଦ୍‍ ବାହାରେ ଥିବା ସିମେଣ୍ଟ ଚଉତରା ଉପରେ ଅନ୍ୟପିଲାମାନଙ୍କ ସାଥିରେ ବସି କୋରାନ୍‍ ମୁଖସ୍ଥ କରିଚାଲିଲା । ପବିତ୍ର କୋରାନ୍‍ର ପ୍ରତିଟି ଧାଡ଼ି ଉଚ୍ଚାରଣ କେଳେ ଅନ୍ୟ ପିଲାମାନଙ୍କ ପରି ସମତାଳରେ ତା’ର ଦେହ ଆଗକୁ ପଛକୁ ହୁଏ । ଏବେ ସାକୁର୍‍ ଓ ଜେନାବ୍‍ଙ୍କ ଜୀବନଚକ୍ର ଯେଉଁ ନୂତନ କକ୍ଷପଥରେ ଗତି କରି ଚାଲିଥିଲା ତା’ର କେନ୍ଦ୍ରବିନ୍ଦୁ ଥିଲା ଅଲତାଫ୍‍ ।
ଅଲତାଫ୍‍କୁ ନେଇ ସେମାନେ ଦୁହେଁ ଅନେକ ସ୍ୱପ୍ନ ଦେଖି ଚାଲିଥିଲେ । ହଠାତ୍‍ ଦିନେ ସାକୁର୍‍ ଆଉ ତା’ର ଚିନାମାଟି ବାସନ ପସରା ମୁଣ୍ଡେଇ ଗଳିଗଳି ବୁଲି ବିକିବାକୁ ଗଲାନି । ବରଂ ସେ ତା’ର ଗୋଟିଏ ସ୍ଥାୟୀ ଦୋକାନ ଖୋଲିଲା । ଦୋକାନକୁ ବାପପୁଅ ଦୁହେଁ ସମ୍ଭାଳିଲେ । ଅନ୍ୟ କାହା ଦୟା ଉପରେ କାହିଁକି ଭଲା ସେମାନେ ନିର୍ଭରଶୀଳ ହେବେ? ବରଂ ନିଜେ ନିଜ ମାଲିକ ହେବା କେଡେ ଭଲ । ଆଉ କାହାର ଜୁଲୁମ ନ ଥିବ । ଶାନ୍ତିରେ ଶୋଇପାରିବେ । ଜେନାବ୍‍ ଅପେକ୍ଷା କରିଥାଏ ସେଇ ଦିନକୁ, ଯେଉଁଦିନ ଅଲତାଫ୍‍ ବାହା ହେବ । ନୂଆ ବୋହୂଟିଏ ଏ ଘରେ ପାଦଦେବ । ତା’ହାତର ଚୁଡ଼ିରେ ଏ ଘର ସଙ୍ଗୀତମୟ ହୋଇଉଠିବ ।

ଏମିତି ଏମିତି ଦି’ବର୍ଷ କଟିଗଲା । ଦିନେ ସାକୁର୍‍ ଘରେ ନ ଥାଏ ଓ ଆଲତାଫ୍‍ ସ୍କୁଲକୁ ଯାଇଥାଏ । ଘରେ କେବଳ ଜେନାବ୍‍ ଥାଏ । ତାର୍‍ପୋଲିନ୍‍ ପର୍ଦା ଆଢୁଆଳରେ ବସି ସିଏ ଗହମ ଚୂରୁଥାଏ । ଏତିକିବେଳେ କିଏ ଆସି କବାଟ ବାଡ଼େଇଲା । ଜେନାବ୍‍ ସେଇ ଚକି ପାଖରେ ବସି ଜବାବ ଦେଲା,‘ଘରେ କେହି ମରଦ ପୁଅ ନାହାନ୍ତି । ସନ୍ଧ୍ୟାବେଳକୁ ଆସ ।’ କିଛି ସମୟ ନୀରବତା ପରେ କେହି ଜଣେ କହୁଥିବାର ଶୁଣାଗଲା,‘ସାକୁର୍‍ ଅହମ୍ମଦ୍‍ ନାଁରେ କୋର୍ଟରୁ ସମନ ଆସିଛି । ସିଏ ନିଜେ ଯାଇ ଥାନାରେ ହାଜର ହେବା ଲାଗି ତଲବ ହୋଇଛି ।’ ହଠାତ୍‍ ଜେନାବ୍‍ର ଗହମ ଚୂରା ବନ୍ଦ ହୋଇଗଲା । ନିଜର ଓଢଣିକୁ ମୁଣ୍ଡ ଉପରେ ସଜାଡି ନେଉ ନେଉ ସେ ବସିବା ଜାଗାରୁ ଉଠିଆସି ପର୍ଦା ପଛପଟେ ଠିଆହେଲା । ତା’ଦେହ ଗୋଟାପଣେ କୋଲ ମାରିଯାଉଥାଏ । ଥରଥର ଗଳାରେ ସେ ପଚାରିଲା, ‘କଥା କ’ଣ ଜୀ?’

:‘କାଲି ସକାଳୁ ତାକୁ ଥାନାକୁ ପଠେଇବ । ଜରୁରୀ କାମ ଅଛି ।’

ଜେନାବ୍‍ ଆହୁରି ଡରିଗଲା ପରି ପଚାରିଲା,‘ସାବ୍‍ଜୀ, କି କାମ ଲାଡି ଡକେଇଛନ୍ତି କହୁନ?’

:‘କେତେଜଣ ଲୋକ ହିନ୍ଦୁସ୍ତାନର ଆସିଛନ୍ତି । ସେମାନେ ଗୋଟାଏ ହଜିଲା ପିଲାକୁ ଖୋଜୁଛନ୍ତି । ବୁଝିଲ, ଜରୁର୍‍ ଖବର ଦେବ, ଆସିବାକୁ । ସେଇଥିଲାଗି ଚିଠି ପଠାହୋଇଛି ।’

ଏକଥା ଶୁଣିବା ପରେ ଜେନାବ୍‍ ପୁଣିଥରେ ତାଳୁରୁ ତଳିପାଯାଏ ଥରିଗଲା । ଲୋକଟା ଯିବା ଆଗରୁ ପୁଣିଥରେ ସେଇକଥାକୁ ଦୋହରାଇ ନେଲା,‘କାଲି ସକାଳୁ ତାକୁ ଥାନାକୁ ପଠେଇବ । ଭୁଲିଯିବନି ।’

ପର୍ଦା ପଛରେ ଠିଆ ହୋଇ ଜେନାବ୍‍ ଚାହିଁ ରହିଥାଏ ଲୋକଟାର ଫେରନ୍ତା ବାଟକୁ । ତା’କାନରେ ଲୋକଟାର ପାଦଶବ୍ଦ ବି ପଡୁଥାଏ ।
କିଛି କ୍ଷତ, ସମୟ ସହ ଭଲ ହୋଇଯାଏ, ହେଲେ ତା’ଚିହ୍ନଟା ଛାଡିଯାଇଥାଏ । ହେଲେ ଏପରି କିଛି ଦୁଃଖଥାଏ ଯାହା ଧୀରେ ଧୀରେ ହୃଦୟକୁ ଆବୋରି ବସେ, ଘୁଣ ପୋକ ପରି ଖାଇଚାଲେ, ଶରୀରକୁ ଗୋଟାପଣେ କାବୁ କରିପକାଏ । ମଣିଷର କିଛି ଆୟତ୍ତ ନ ଥାଏ ।

କୌଶଲ୍ୟା ଯେତେବେଳେ ଯାଇ ଭାରତରେ ପହଞ୍ଚିଲା ତା’କୋଳରୁ ଗୋଟିଏ ଛୁଆ ହଜିସାରିଥିଲା । ଯଦି ସେଦିନ ସେ ଲରିଗୁଡାକ ନିରାପଦରେ ସୀମାନ୍ତରେ ପହଞ୍ଚିଥାଆନ୍ତା ଓ ମନୋହରଲାଲ ତା’ର ପତ୍ନୀ ଓ ଅନ୍ୟ ପିଲାଟିକୁ ଧରି ନିରାପଦରେ ଭାରତ ଭୂଇଁରେ ପାଦ ଦେଇଥାଆନ୍ତା, ତା’ହେଲେ ଅବା ସମୟକ୍ରମେ ତା’ମନରୁ ପାଲି ହଜିବାର ଦୁଃଖ ଧୀରେ ଧୀରେ ପ୍ରଶମିତ ହୋଇଯାଇଥାଆନ୍ତା । ହେଲେ, ଦୁର୍ଭାଗ୍ୟକୁ ସେପରି କିଛି ଘଟି ନ ଥିଲା । ସେମାନେ ସହରର ସୀମା ଅତିକ୍ରମ କରିଛନ୍ତି କି ନାହିଁ, ହଠାତ୍‍ ସବୁକିଛି ଅସ୍ୱାଭାବିକ ଘଟିବାକୁ ଆରମ୍ଭ କଲା । ରାସ୍ତାରେ ଧାଡି ହୋଇ ଲରିଗୁଡ଼ାକ ଚାଲିଥାଏ । ଠିକ୍‍ ସେତିକିବେଳେ ଦୁଇପାଖ କ୍ଷେତ ଭିତରୁ ପଞ୍ଝାଏ ଲୋକ ଚିିତ୍କାର ଛାଡ଼ି ରାସ୍ତା ଉପରକୁ ଧାଇଁ ଆସିଲେ । ସେମାନଙ୍କ ସମସ୍ତଙ୍କ ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର  । ହଠାତ୍‍ ସେମାନେ ରାସ୍ତା ଓଗାଳି ବସିଲେ । ସମସ୍ତଙ୍କ ମୁହଁରେ ମୁଖା, ସମସ୍ତଙ୍କ ହାତରେ ଖଣ୍ଡା, ଛୁରୀ, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର, ସମସ୍ତେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥାଆନ୍ତି । ସେତେବେଳକୁ ଅଧିକାଂଶ ଲରି ଆଗକୁ ଯାଇସାରିଥାଏ । ହେଲେ ଶେଷ ତିନୋଟି ଲରି ଏବେ ଏଇ ଦୁର୍ବୃତ୍ତଙ୍କ ହାବୁଡରେ ପଡ଼ିଯାଇଥାଏ । ଲରିରେ ବସିଥିବା ଲୋକମାନଙ୍କ କାନରେ ସେସବୁ ଅଶ୍ରାବ୍ୟ ଗାଳି ପଡୁଥାଏ,ସେମାନେ ଦୁର୍ବୃତ୍ତମାନଙ୍କ ହାତରେ ଚକମକ କରୁଥିବା ଧାରୁଆ ଅସ୍ତ୍ରଶସ୍ତ୍ରକୁ ବି ଦେଖିପାରୁଥାଆନ୍ତି । କୌଶଲ୍ୟା ଓ ମନୋହରଲାଲ୍‍ ବି ସେସବୁ ଗାଳି ଶୁଣୁଥାଆନ୍ତି । ଠିକ୍‍ ଏଇଭଳିଆ ଗାଳି ସେମାନେ ସହରରେ ବି ଶୁଣିଥିଲେ । କୌଶଲ୍ୟାକୁ ଜଣା ନ ଥିଲା, କେତେବେଳେ ଶକ୍ତ ଧକ୍କାଟିଏ ଲାଗି ସେ କଚାଡ଼ି ହୋଇପଡ଼ିଥିଲା । ତା’କାନରେ କେବଳ ମନୋହରଲାଲର ଏତିକି ଶବ୍ଦ ପଡ଼ିଲା, ‘ମତେ ଛୁଆଟାକୁ ବଡ଼େଇ ଦେ ।’ ତା’ପରେ ପଛଆଡ଼ୁ ଆଉ ଏକ ଶକ୍ତ ଧକ୍କା ବାଜିଲା । ତେଣୁ ସେ ଆଉ କିଛି ଶୁଣିବା ଆଗରୁ ପଡିସାରିଥିଲା । ସେଇ ଲରି ଚଟାଣ ଉପରେ
ସେ କେତେ ସମୟ ପଡିରହିଥିଲା, ସେକଥା ତାକୁ ଜଣା ନ ଥିଲା । ଯେତେବେଳେ ତା’ର ଚେତା ଆସିଲା, ସେ ଦେଖିଲା ତା’ଚାରିଆଡ଼ ଅନ୍ଧାରରେ ଭରପୂର । ତା’ଚାରିଆଡ଼େ ଖାଲି ହ୍ୱିସିଲ୍‍ ଶବ୍ଦ ଶୁଭୁଛି । ସେଇ ଅନ୍ଧାର ଭିତରେ ସିଏ ଶୁଣିପାରୁଥିଲା, ତା ପଛପଟେ କିଏ ଯନ୍ତ୍ରଣାରେ ଗଁ ଗଁ ଶବ୍ଦ କରୁଛି । ସେ ହାତ ବୁଲେଇ ଆଣିବା ବେଳକୁ ଚଟାଣ ଉପରେ ତା’ହାତକୁ କିଛି ଓଦା ଓ ଅଠାଳିଆ
ଲାଗିଲା । ଇଏ କ’ଣ? -ପାଣି ନା ରକ୍ତ? ପୁଣି ଥରେ ହଠାତ୍‍ ଲରି ଷ୍ଟାର୍ଟ ହେଲା ଓ ସେ ବାହାରକୁ ଚାହିଁ ଦେଖିଲା, ଲରିଟି ଗତିଶୀଳ ହେବା ସହ ଆକାଶର ତାରାମାନେ ବି ଚାଲିବାକୁ ଆରମ୍ଭ କରିଦେଇଛନ୍ତି । କୌଶଲ୍ୟାର ତଣ୍ଟି ଶୋଷରେ ଶୁଖିଯାଉଥାଏ । ସେ ପାଣିମୁନ୍ଦିଏ ପିଇବାକୁ ଅଧିର ହୋଇ ଉଠିଲା । ପୁଣିଥରେ ତା’ ଆଖି ଆଗରେ ତାରାମାନେ ଘୂରିବାକୁ ଆରମ୍ଭ କଲେ ଓ ପର
ମୁହୂର୍ତ୍ତରେ ସେ ପୁଣିଥରେ ସଂଜ୍ଞାହୀନ ହୋଇପଡ଼ିଲା ।

ଏପରିକି ଦିଲ୍ଲୀରେ ପହଞ୍ଚିବା ପରେ ସୁଦ୍ଧା ମନୋହରଲାଲ ମନରୁ ସେ ଭୟଙ୍କର ଦୃଶ୍ୟ ସବୁ ଲିଭି ନ ଥିଲା । ତାକୁ ଲାଗୁଥିଲା, ସେ କୁଢ଼ କୁଢ଼ ଶବ ଉପରେ ପଡି ରହିଚି । ତାକୁ ଲାଗୁଥିଲା ନିଜକୁ ଯଦି ସେ ସେହି ଶବଗଦା ଭିତରୁ ମୁକ୍ତ କରିନପାରେ, ତେବେ ସେଇ ଶବମାନଙ୍କ ଚାପାରେ ତା’ର ମୃତ୍ୟୁ ଘଟିବ । ଏବେ ଏଇକଥା ଭାବି ଭାବି ଓ ପାଲିକୁ ହଜାଇଥିବା ଦୁଃଖକୁ ମନେପକେଇ ସେ ଓ କୌଶଲ୍ୟା ଦିଲ୍ଲୀର ରାସ୍ତାକଡ଼ରେ ପାଦ ଘୋଷାରି ଘୋଷାରି ଲକ୍ଷ୍ୟହୀନ ଭାବେ ବୁଲୁଥାନ୍ତି । ମନୋହରଲାଲକୁ ଲାଗୁଥିଲା, ଯଦି ସେ ତା’ର ସେଇ ଅଙ୍ଗେ ନିଭେଇଥିବା ଦୁଃଖକୁ ବାରମ୍ବାର ମନେ ନପକାଏ ତା’ହେଲେ ତା’ର ସେଇ ଦିଲ୍ଲୀର ରାଜରାସ୍ତା କଡ଼ରେ ମୃତ୍ୟୁ ସୁନିଶ୍ଚିତ । ତା’ରି ଭିତରେ ସେ ଦିନେ ଠେଲାଗାଡ଼ିଟିଏ ସଂଗ୍ରହ କରି ଦିଲ୍ଲୀର ଗୋଟିଏ ବଜାର ଇଲାକାରେ ଦୋକାନଟିଏ ମେଲିଲା । ଦିନସାରା ଠେଲାଗାଡିରେ ଜିନିଷପତ୍ର ବିକି ସେ ଯେତେବେଳେ ରାତିରେ ଘରକୁ ଫେରେ, ତା’ଆଖି ପ୍ରଥମେ ପଡ଼େ କୌଶଲ୍ୟା ଉପରେ । କୌଶଲ୍ୟା ଏକୁଟିଆ ବସି, ପାଲି କଥା ମନେପକେଇ ଆଖିରୁ ଲୁହ ଗଡ଼େଇ ଚାଲିଥିବ । ମନୋହରଲାଲକୁ ଲାଗେ କୌଶଲ୍ୟା ଏମିତି କାନ୍ଦି କାନ୍ଦି ପାଗଳୀ ହୋଇଯିବ, ଆଉ ଏକଥା ତା’ମନକୁ ଆସିବା ମାତ୍ରେ ତା’ଛାତି ଭିତରଟା ଥରି ଉଠେ । ତା’ର ସବୁ ସାହସ କୁଆଡେ ହଜିଯାଏ । ସତରେ ଯଦି କୌଶଲ୍ୟା ପାଗଳୀ ହୋଇଯିବ, ତା’ହେଲେ କ’ଣ ହେବ? ତା’ମୁଣ୍ଡ ଉପରେ ଲଦି ହୋଇଥିବା ଏତେସବୁ ସମସ୍ୟାର ବୋଝ ସାଙ୍ଗକୁ ସିଏ ତାକୁ କେମିତି ସମ୍ଭାଳିବ? ତା’ହେଲେ କ’ଣ ଯେତିକି ଟିକିଏ ଜୀବନ ପ୍ରଦୀପ ମିଞ୍ଜି ମିଞ୍ଜି ହୋଇ ଜଳୁଛି ସେତକ ବି ଲିଭିଯିବ!

ମନୋହରଲାଲ କୌଶଲ୍ୟାର ପାପୁଲିକୁ ନିଜ ପାପୁଲି ଭିତରେ ଚାପିଧରି ତାକୁ ଆଶ୍ୱାସନା ଦିଏ- ଆଉ ଗୋଟିଏ ସନ୍ତାନ ଜନ୍ମ କରିବାକୁ ଏବେ ବି ସେମାନଙ୍କ ହାତରେ ସମୟ ଅଛି । କିନ୍ତୁ ଆଉ ଗୋଟିଏ ସନ୍ତାନ କଥା କାନରେ ପଡିବା ମାତ୍ରେ କୌଶଲ୍ୟା ଅବସ୍ଥା ଆହୁରି ଖରାପ ହୋଇଯାଏ; ସେ ଥରିଉଠେ ଓ ଆଉ ବେଳେବେଳେ ଏପରି ଡକାପାରି କାନ୍ଦେ ଯେ, ମନୋହରଲାଲକୁ ବି ଡରମାଡ଼େ ।

ଦେଶ ବିଭାଜନବେଳେ ଅପହୃତ ମହିଳା ଓ ହଜିଯାଇଥିବା ପିଲାମାନଙ୍କୁ ଖୋଜିବା ଓ ଲୁଣ୍ଠନ କରାଯାଇଥିବା ସମ୍ପତ୍ତିମାନଙ୍କୁ ଉଦ୍ଧାର କରିବା ସକାଶେ ସରକାର ବଡ଼ ବଡ଼ ସଂସ୍ଥାସବୁ ଗଠନ କଲେ । ଏହି କାର୍ଯ୍ୟ ସମ୍ପାଦନ ଲାଗି ଢେର ସରକାରୀ ଅଫିସର ବାରମ୍ବାର ପାକିସ୍ତାନ ଗସ୍ତ କଲେ । ମନୋହରଲାଲ ତା’ର ବୁଲା ବେପାର ବନ୍ଦକରି ଅନେକବାର ସେଇ ସରକାରୀ କର୍ମଚାରୀମାନଙ୍କ ପାଖକୁ ଦୌଡ଼ିଲା । ତା’ର ହଜିଲା ପୁଅକୁ ଖୋଜି ବାହାର କରିବା ଲାଗି ଅନେକ ବଡ଼ ବଡ଼ ହାକିମଙ୍କୁ ନେହୁରା ହେଲା । ହେଲେ ସିଏ କିଏ ଯେ ତା’କଥା ସେମାନେ ଶୁଣିବେ? ମାସ ମାସ ବିତିଗଲା, କେହି ତା’କଥା ଶୁଣିଲେନି । ତା’କଥାରେ କାହାରି ହୃଦୟ ତରଳିଲାନି । ଲକ୍ଷ ଲକ୍ଷ ଲୋକ ହାଉଜାଉ ହେଉଥିବା ସହର ଭିତରୁ ଛୋଟ ପିଲାଟିକୁ ଖୋଜି ବାହାର କରିବା କ’ଣ ସହଜ କଥା? ସିଏ ଯେତେବେଳେ ପ୍ରଥମେ ଏଇ ଅଫିସରମାନଙ୍କୁ ଭେଟିବାକୁ ଆସିଥିଲା, ତା’ର ଧାରଣା ଥିଲା ଯେ ଯେଉଁ ଜାଗାରେ ପାଲି ତା’ହାତରୁ ଖସି ଯାଇଥିଲା, ସିଏ ସେଇଠିକି ଯାଇ ପୁଅକୁ ଖୋଜିବ ବୋଲି ସେମାନଙ୍କୁ ନେହୁରା ହେବ । ତାକୁ ଲାଗୁଥିଲା, ସେଇ ଆଖପାଖ କେଉଁ ଗଳିମୁଣ୍ଡରେ ପାଲି ବସି ତା’ର ବାପାର ଫେରିବା ବାଟକୁ ଚାହିଁଥିବ । ପାଲିକୁ ଦେଖିବାମାତ୍ରେ ମନୋହରଲାଲ ତାକୁ କୁଣ୍ଢେଇ ପକାଇବ ଓ ସିଧା ତା’ହାତ
ଧରି ଦିଲ୍ଲୀ ଫେରିଆସି କୌଶଲ୍ୟା କୋଳରେ ପାଲିକୁ ଥୋଇଦେବ । କିନ୍ତୁ ବୃଥା ଆଶା! ସିଏ ଯାହା ଭାବିଥିଲା ପ୍ରକୃତ ଅବସ୍ଥା ଥିଲା ଠିକ୍‍ ତା’ର ବିପରୀତ  । ଅଡୁଆ ସୂତାର ନଟେଇଟି ଭିତରୁ ଖିଅଟିଏ ବାହାର କରିବା ପରି, ସିଏ ନିଜେ ଜାଣି ନ ଥିଲା କେଉଁଠୁ ଆରମ୍ଭ କରିବ, ଅବା କେଉଁଆଡ଼େ ଯିବ । ଦୀର୍ଘ ଦୁଇବର୍ଷ ଧରି ମନୋହରଲାଲ କେଶ୍‍ଟା ଝୁଲିରହିଲା । ତା’ପରେ ତାକୁ ପାକିସ୍ତାନ ଯିବାକୁ ଅନୁମତି ମିଳିଲା । ଯେଉଁସବୁ ଅନୁସନ୍ଧାନକାରୀ ଦଳ ସମୟେ ସମୟେ ପାକିସ୍ତାନ ଯାଉଥିଲେ ତା’ଭିତରେ ସରକାରୀ କର୍ମଚାରୀ ଥିଲେ,
ସମାଜସେବୀମାନେ ବି ଥିଲେ । ସେଇମାନଙ୍କ ସାଥିରେ ମନୋହରଲାଲକୁ ଯିବାକୁ କୁହାଗଲା । ତା’ଭଙ୍ଗା ଟ୍ରଙ୍କ ଖଣ୍ଡିକରେ ଲୁଗାପଟା ଦି’ଖଣ୍ଡ ପୁରାଇ ସେ ସେଇ ଦଳରେ ଯୋଗଦେଲା । ହେଲେ ପ୍ରତିଥର ତାକୁ ମନଦୁଃଖରେ ଫେରିବାକୁ ପଡ଼ୁଥିଲା ।

ଦୀର୍ଘ ଦି’ବର୍ଷ ପରେ ତା’ପୁଅ ବିଷୟରେ ସେ କିଛି ନିର୍ଦ୍ଦିଷ୍ଟ ସୂଚନା ପାଇଲା । ସେ ଖବର ପାଇଲା ଯେ,  ଯେଉଁ ସହରରେ ଦିନେ ସେ ରହୁଥିଲା, ସେଇ ସହରରେ ଜଣେ ଚିନାମାଟି ବାସନ ଦୋକାନୀ ପାଖରେ ଏବେ ପାଲି ରହୁଛି । ସେ ଲୋକଟିର ନାମ ସାକୁର ଅହମ୍ମଦ । ତେଣୁ ଏଥର ମନୋହରଲାଲ ମନେ ମନେ ଆଶା ବାନ୍ଧିଥିଲା ଯେ ତା’ ପାକିସ୍ତାନ ଯାତ୍ରା କଦାପି ବ୍ୟର୍ଥ ଯିବ ନାହିଁ ।

ପ୍ରଥମେ ଯେଉଁଦିନ ପୁଲିସ୍‍ ହାବିଲଦାର ସାକୁର ପାଖକୁ ସମନ ଧରି ଆସିଥିଲା, ସେଦିନ ଜେନାବ୍‍ ଖୁବ୍‍ ଡରି ଯାଇଥିଲା । ତାକୁ ଲାଗିଲା ଯେମିତି ତା’ହାତରୁ କିଏ ଅଲତାଫ୍‍କୁ ଛଡେଇ ନେବାକୁ ବସିଛି । ତା’ସ୍ୱପ୍ନର ସଂସାର ଚୂର୍‍ମାର ହୋଇଯାଉଛି । ମାଛଟିକୁ ପାଣିରୁ ଛାଣିଆଣି ଭୂଇଁରେ ପକାଇଦେଲେ ସେ ଯେପରି ଛଟପଟ ହୁଏ, ଜେନାବ୍‍ ମନଭିତରେ ସେମିତି ଛଟପଟ ହୋଇଉଠିଲା ।

ସେଦିନ ସନ୍ଧ୍ୟାରେ ଘରକୁ ଫେରି ସାକୁର୍‍ ଏକଥା ଶୁଣିଲା ପରେ ତା’ମନ ବି ଫିକା ପଡ଼ିଗଲା । ଏଇ ଖବର ସାରା ଗଳିରେ ଖୁବ୍‍ଶୀଘ୍ର ବ୍ୟାପିଗଲା । ଏକଥା ଶୁଣି କେଇଜଣ ଲୋକ ବି ଆସି ସାକୁର୍‍କୁ ପ୍ରବୋଧନା ଦେଇଗଲେ । ଶେଷରେ ମୌଲବୀ ତାଙ୍କ ଠେଙ୍ଗା ଖଣ୍ଡିକ ଠକ ଠକ କରି ଆସି ସାକୁର୍‍ ଘରେ ପହଞ୍ଚି ତା’ସାଙ୍ଗରେ କଥାବାର୍ତ୍ତା କଲେ । ‘ତୁ କିଛି ଭୟ କର୍‍ନା  । ଦେଖିବି ସେମାନେ କେମିତି ଛୁଆ ଦେହରେ ହାତ ଦେବେ? ଏବେ ସିଏ ଇସ୍‍ଲାମ ଧର୍ମଗ୍ରହଣ କରିସାରିଚି । ତେଣୁ ତାକୁ ଆଉ ଜଣେ କାଫେର୍‍ ହାତରେ ଆମେ ଟେକି ଦେଇ ପାରିବୁନି ।’

ମୌଲବୀ ସା’ବ୍‍ଙ୍କ ତୁଣ୍ଡରୁ ଏଇ କେଇପଦ କଥା ଶୁଣି ଜେନାବ୍‍ ମନରେ ପୁଣିଥରେ ଆଶା ଓ ବିଶ୍ୱାସ ଜନ୍ମିଲା । ତା’ ଅଲତାଫ୍‍କୁ କେହି ତା’ପାଖରୁ ଛଡ଼େଇନେଇ ପାରିବେନି । ମୌଲବୀ ସା’ବ ସତ କଥା କହୁଛନ୍ତି । ପ୍ରଥମ ଦିନ ରାତିରେ ଜେନାବ୍‍ କୋଳରେ ଆସି ଶୋଇଥିବା ଶିଶୁଟି ଆଜି ଆଉ ସେଇ ଶିଶୁ ହୋଇ ନାହିଁ । ସେ ଦିନ ଯଦି କେହି ଆସି ତାକୁ ସେ ଶିଶୁଟିକୁ ମାଗିଥାଆନ୍ତା, ତା’ହେଲେ ଅବା ସେ ତାକୁ ଫେରାଇ ଦେଇଥାଆନ୍ତା । ହେଲେ ଆଜି ନୁହେଁ । ପରିସ୍ଥିତି କେତେ ବଦଳି ସାରିଛି ।

ସହରର ବୟସ୍କ ଲୋକମାନେ ବି ଦଳ ଦଳ ହୋଇ ସାକୁର୍‍ ପାଖକୁ ଯାଇ ତାକୁ ଆଶ୍ୱାସନା ଶୁଣାଇଲେ । ସେମାନେ ଶେଷରେ ସ୍ଥିର କଲେ ଯେ, ପୋଲିସ୍‍ ସାଙ୍ଗରେ ଏ ବିଷୟରେ ମୌଲବୀ ସା’ବ୍‍ କଥାବାର୍ତ୍ତା କରିବେ । ଯେତେହେଲେ ମୌଲବୀ ସାବ୍‍ଙ୍କ ଖାତିର ସେମାନଙ୍କଠାରୁ ଅଧିକ । ପୋଲିସ୍‍ ହାବିଲଦାରକୁ କୁହାଯିବ ଯେ ସେ ସାକୁର୍‍କୁ ପାଉ ନାହିଁ, ତେଣୁ ତାକୁ ସମନ ଦିଆଯାଇ ପାରୁ ନାହିଁ । ଯଦି ହାବିଲଦାର ଏକଥାରେ ରାଜି ନହୁଏ, ତା’ହେଲେ ସାକୁର ଓ ଜେନାବ୍‍ଙ୍କୁ କିଛିଦିନ ପାଇଁ ସହରରୁ ଅନ୍ୟତ୍ର ପଠାଇ ଦିଆଯିବ ଓ ଅଲତାଫ୍‍କୁ ଅନ୍ୟତ୍ର ଲୁଚେଇ ରଖାଯିବାର ବନ୍ଦୋବସ୍ତ କରାଯିବ । ମୌଲବୀ ସାହେବ କିନ୍ତୁ ରାଗିଉଠି କହିଲେ,‘ହାବିଲଦାରକୁ କିଏ ଖାତିର କରିବ? ତାକୁ କେମିତି ସାବାଡ଼୍‍ କରିବାକୁ ପଡିବ ସେକଥା ମତେ ଭଲଭାବେ ଜଣା ।’ ଏତିକି କହି ସେ ତାଙ୍କ ଠେଙ୍ଗାଟାକୁ ଠକ ଠକ କରି ସେଠାରୁ ଚାଲିଗଲେ । ତା’ପରେ ପୋଲିସ୍‍ ହାବିଲଦାର ଓ ସାକୁର ଭିତରେ ବିଚିତ୍ର ଲୁଚକାଳି ଖେଳ ଆରମ୍ଭ ହୋଇଗଲା ।

ଉଚ୍ଚ ସରକାରୀ ସ୍ତରରେ ସିନା ଆଇନ୍‍ ତିଆରି ହୁଏ, ହେଲେ ତାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ହେଲା ତଳିଆ କର୍ମଚାରୀଙ୍କର । ଉପରୁ ବାରମ୍ବାର ହୁକୁମ ଆସିଲା ଛୁଆଟିକୁ ଆଣି ହାକିମଙ୍କ ନିକଟରେ ହାଜର କରାଇବା ଲାଗି । ଏପରି ନିର୍ଦ୍ଦେଶକୁ ବହନ କରି ଥାନାରୁ ପୋଲିସ୍‍ କନେଷ୍ଟବଳଟିଏ ପ୍ରତିଥର ନାକସିଧା ଆସି ସାକୁର ଘରେ ପହଞ୍ଚେ । କବାଟ ବାଡ଼େଇ ବଡ଼ ପାଟିରେ ସାକୁର ନାଁ ଧରି ଡାକଛାଡେ ଓ ଧୀରେ ପକେଟ୍‍ରେ ଟଙ୍କାଟିଏ ପୁରେଇ ପୁଣି ଫେରିଯାଏ । ସମନ କାଗଜ ଖଣ୍ଡିକରେ ଲେଖିଦିଏ ଯେ ଘରେ ତାଲା ପଡ଼ିଥିଲା । ବରଂ ସେ ଉପର ଅଫିସରଙ୍କୁ ଆହୁରି କହେ ଯେ, ଖବର ନେଇ ସେ ବୁଝିଛି ଯେ ସାକୁର ଓ ତା’ ପରିବାର କୁଆଡ଼େ ଯାଇଛନ୍ତି ଓ କେବେ ଫେରିବେ ସେକଥା କେହି ଜାଣି ନାହାନ୍ତି ।

ଇଏ କିଛି ଛୋଟମୋଟ ଲାଞ୍ଚ ଦେବା ନେବା ଅଥବା ପାଳିତ ଶିଶୁଟିକୁ ଫେରେଇ ଦେବାର ପ୍ରଶ୍ନ ନ ଥିଲା । ଘଟଣାଟି କ୍ରମେ ଧର୍ମଆଡ଼କୁ ମୋଡ଼ ନେବାକୁ ଆରମ୍ଭ କଲା । ଛୁଆଟିକୁ ଫେରେଇ ନ ଦେଇ ମୌଲବୀ ଓ ଜେନାବ୍‍ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ- ସେମାନଙ୍କ ବିଚାରରେ,ସେମାନେ ଏକ ପବିତ୍ର କାର୍ଯ୍ୟ କରୁଥିଲେ ।

ଏମିତି ଏମିତି ମାସ ପରେ ମାସ ବିତିବାକୁ ଲାଗିଲା । ଶେଷରେ ବର୍ଷ ପରେ ବର୍ଷ ଗଡ଼ିବାକୁ ଆରମ୍ଭ କଲା । ଦିନେ ଅନୁସନ୍ଧାନକାରୀ ଦଳର ସବୁ ସଦସ୍ୟ ଆସି ସାକୁର ଅହମ୍ମଦ୍‍ର ଘର ଆଗରେ ପହଞ୍ଚିଲେ । ହେଲେ ସାମ୍ନା କବାଟରେ ତାଲା ପଡ଼ିଥିବାର ସେମାନେ ଦେଖିବାକୁ ପାଇଲେ । ସାକୁର ଅହମ୍ମଦ୍‍ ଏ ଖବର ଆଗରୁ ପାଇ ସାରିଥିଲା । ତେଣୁ ସେମାନେ ଆସିବା ଆଗରୁ ସେ ଘରେ ତାଲା ଠୁଙ୍କି ନିଜ ସ୍ତ୍ରୀ ଓ ଅଲତାଫ୍‍କୁ ଧରି କୁଆଡ଼େ ଉଭାନ୍‍ ହୋଇଯାଇଥିଲା । ସାଇପଡ଼ିଶାର ଲୋକମାନଙ୍କୁ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ, ତା’ଭାଇକୁ ଦେଖାକରିବା ଲାଗି ସାକୁର ଶେଖ୍‍ପୁରା ଯାଇଛି । ସେ କେବେ ଫେରିବ ସେକଥା କିନ୍ତୁ କେହି କହି ପାରିଲେନି । ଅନୁସନ୍ଧାନକାରୀ ଦଳ ଶେଖ୍‍ପୁରାଠାରେ ପହଞ୍ଚି ଖବର ନେବାରେ ଜଣାପଡ଼ିଲା ଯେ, ସାକୁର ଅହମ୍ମଦ୍‍ ତା’ ପିଲାଛୁଆଙ୍କୁ ଧରି ଗୋଟିଏ ଦିନ ଆଗରୁ ଲିଆଲପୁର ଚାଲିଯାଇଛି । ତାକୁ ଦେଖିଥିବା କେହି କେହି ଲୋକ କହିଲେ, “ହଁ, ତା ସାଙ୍ଗରେ ଛୋଟ ପିଲାଟିଏ ବି ଥିଲା । ହେଲେ ଲୋକଟାର ଠିକଣା ଆମେ ଜାଣୁନା । ଶେଖ୍‍୍‍ପୁରା ଛାଡ଼ିବା ଆଗରୁ ସେ କୁଆଡ଼େ ଯାଉଛି ସେକଥା କାହାକୁ ଜଣାଇ
ନ ଥିଲା ।’

ଏମିତି ଲୁଚକାଳି ଖେଳିବା ଭିତରେ ଆଉ ତିନୋଟି ବର୍ଷ ବିତିଗଲା । ସେତେବେଳକୁ ଏଇ ଖୋଜଖବର ନେବା ଓ ଦଉଡା ଦଉଡିରେ ମୋହନଲାଲର ମୁହଁ କଳା ପଡ଼ିସାରିିଥାଏ । ମୁଣ୍ଡବାଳ ପାଚିବାକୁ ଆରମ୍ଭ କରିଦେଇଥାଏ ଓ ଗାଲରେ ବୟସର ସରୁ ରେଖାସବୁ ଉକୁଟିବାକୁ ଲାଗିଥାଏ । ତା’ଆଖି ଆଗରେ ଏବେ କେବଳ ଅନିଶ୍ଚିତତାର ଅଣଚାଶ ପବନ ବହୁଥିବାର ସେ ଅନୁମାନ କରିପାରୁଥାଏ । ସତ ଓ ମିଛ ଭିତରେ ତାକୁ ଲାଗୁଥାଏ ସେ ମଝିରେ କେଉଁଠି ବିଲୀନ ହୋଇଯିବ । ଛଞ୍ଚାଣଟିଏ ତା’ର ଶିକାର ପକ୍ଷୀଟିକୁ ଝାମ୍ପି ବିଦାରି ପକାଇଲା ପରି ଏବେ ଜୀବନ ମନୋହରଲାଲକୁ ପ୍ରତି ମୁହୂର୍ତ୍ତରେ ନିଃଶେଷ କରି ଚାଲିଥାଏ ।

ମନୋହରଲାଲ୍‍ର ଦୃୃଢ଼ ମନୋବଳ ଯୋଗୁଁ ହେଉ,ଅଥବା କୌଶଲ୍ୟାର ହତାଶାଭାବକୁ ଦେଖି ହେଉ, ଦୀର୍ଘ ସାତବର୍ଷ ପରେ ମନୋହରଲାଲ ନିଜକୁ ଆବିଷ୍କାର କଲା ଯେ, ସେ ସାକୁର ଅହମ୍ମଦ୍‍ର ଅଗଣାରେ ବସିଛି । ଏକ ସରକାରୀ ପ୍ରତିନିଧି ଦଳ ଓ ମହିଳା ସମାଜସେବୀ ପ୍ରତିନିଧି ଗୋଷ୍ଠୀଙ୍କ ସାଙ୍ଗରେ ସେ ସେଠାକୁ ଯାଇଥିଲା । ପାକିସ୍ତାନ ସରକାରଙ୍କ ତରଫରୁ ଦି’ଜଣ ପୋଲିସ୍‍ ଅଫିସର ଓ ଜଣେ ମାଜିଷ୍ଟ୍ରେଟ୍‍ ସେମାନଙ୍କ କାର୍ଯ୍ୟରେ ସହଯୋଗ କରୁଥାଆନ୍ତି । ଭାରତ ସରକାରଙ୍କର ଜଣେ କିଏ ବଡ଼ ଅଫିସର, ପାକିସ୍ତାନ ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ପରେ ଏପରି ସାକ୍ଷାତ ସମ୍ଭବପର ହୋଇଥିଲା ।

ଏପରି ଭେଟ ସାକ୍ଷାତ ବେଳେ ମନୋହରଲାଲକୁ ପ୍ରମାଣିତ କରିବାର ଥିଲା ଯେ, ସାକୁର ଅହମ୍ମଦ୍‍ ପାଖରେ ଥିବା ଛୁଆଟି ତା’ର । ଏହାର ଏକ ଆଇନଗତ ଦିଗ ମଧ୍ୟ ଥିଲା । ସେସବୁ ସର୍ତ୍ତାବଳୀ ମଧ୍ୟ ତାକୁ ପୂରଣ କରିବା ଆବଶ୍ୟକ । ତା’ପରେ ଯାଇ ସେ ପିଲାଟି ଉପରେ ମୋହନଲାଲ ତା’ର ଅଧିକାର ସାବ୍ୟସ୍ତ କରିପାରିବ ।

ସାକୁର ଅହମ୍ମଦ୍‍ର ଅଗଣାରେ ବେଶ୍‍ ଭିଡ଼ ଜମି ସାରିଥାଏ । କିଛି ମାତ୍ରାରେ ଉତ୍ତେଜନା ବି ସୃଷ୍ଟି ହୋଇଥାଏ । ସରକାରୀ ଅଫିସରମାନେ ବସିଥିବା ସ୍ଥାନଠାରୁ ଅଳ୍ପ ଛାଡ଼ି ମୌଲବୀ ସାବ୍‍ ତାଙ୍କ ଠେଙ୍ଗାଟିକୁ ଧରି ବସିଥାଆନ୍ତି । ଘର ବାହାରେ ବି ଲୋକମାନେ ସେତେବେଳକୁ ଭିଡ଼ ଜମାଇ ସାରିଥାଆନ୍ତି । ଖଣ୍ଡେ ତାରପୋଲିନ୍‍ ପର୍ଦା ପଛପଟକୁ ପିଣ୍ଡା ଉପରେ ଜେନାବ୍‍ ବସି ରହିଥାଏ । ତା’
ମୁହଁ ସିନା ସେତା ପଡ଼ିଯାଇଥାଏ ହେଲେ, ତା’ଆଖିରେ କ୍ରୋଧ ଓ ସତର୍କତା ସ୍ପଷ୍ଟ ବାରି ହୋଇପଡୁଥାଏ । ସତେ ଯେପରି ସେ ଯୋଡ଼ିକ ଛଞ୍ଚାଣର ଆଖି! ଅଲତାଫ୍‍ ହୁସେନ ଜେନାବ୍‍କୁ ଆଉଜି ସେଇଠି ବସିରହିଥାଏ ଓ ଆବାକାବା ହୋଇ ସମସ୍ତଙ୍କୁ ଚାହୁଁଥାଏ । ଜେନାବ୍‍ ତା’ କାନ୍ଧ ଉପରେ ମଝିରେ ମଝିରେ ସ୍ନେହରେ ହାତ ଘୂରାଇ ଆଣୁଥାଏ ।

କଥାବାର୍ତ୍ତା ଆରମ୍ଭ ହେବା ଆଗରୁ ମୌଲବୀ ସାବ୍‍ ବିଭିନ୍ନ ପ୍ରକାର ସର୍ତ୍ତାବଳୀ ବାଢି ବସିଲେ । ସର୍ତ୍ତାବଳୀଗୁଡ଼ିକ ଯେ, ପ୍ରଚ୍ଛନ୍ନ ଧମକ ସେକଥା ବାରି ହୋଇପଡ଼ୁଥାଏ । ଅର୍ଥାତ, ଅଲତାଫ୍‍କୁ ନେବାକୁ ଚେଷ୍ଟାକଲେ ପରିଣାମ ଭୟଙ୍କର ହେବ । କେବଳ ମନୋହରଲାଲ୍‍ ମନରେ ଭୟ ସୃଷ୍ଟି କରିବା ଥିଲା ଅସଲ ଉଦ୍ଦେଶ୍ୟ । ମୌଲବୀ ସାବ୍‍ ରହି ରହି ସ୍ୱର୍ଗତୋକ୍ତି କଲାପରି କହି ହେଉଥାଆନ୍ତି, ‘ପିଲାଟାକୁ କେହି ଆମଠାରୁ ନେଇ ପାରିବେନି । କୌଣସି କାଫେର୍‍ ତା’ଦେହରେ ହାତ ସୁଦ୍ଧା ଲଗେଇ ପାରିବେନି ।’

ଭାରତୀୟ ପ୍ରତିନିଧିମଣ୍ଡଳର ମୁଖ୍ୟ ପାକିସ୍ତାନୀ ମାଜିଷ୍ଟ୍ରେଟ୍‍ଙ୍କୁ ବାରମ୍ବାର ଅନୁରୋଧ କରୁଥାନ୍ତି ଯେ, ସେ ମୌଲବୀ ସା’ବ୍‍ଙ୍କୁ ଅନ୍ତତଃ ପକ୍ଷେ ତୁନି ପଡ଼ବାକୁ କୁହନ୍ତୁ । ଯଦି ମୌଲବୀ ସାବ୍‍ ଚୁପ୍‍ ନ ରୁହନ୍ତି ତା’ହେଲେ ଅଯଥାରେ ଉତ୍ତେଜନା ବୃଦ୍ଧି ପାଇପାରେ ।

ଦେଶ ବିଭାଜନ ପରେ ଅନେକ ରକ୍ତପାତ ଘଟିଥିଲା । ରାସ୍ତାଘାଟରୁ ସେସବୁ ରକ୍ତ ଏବେ ଶୁଖି ସାରିଥିଲା ସତ, ହେଲେ ସେ ଚିହ୍ନ ତଥାପି ସୁସ୍ପଷ୍ଟ ଥିଲା । ଯେଉଁ ନିଆଁ ଘରଦ୍ୱାର ସବୁ ପୋଡ଼ି ପକାଇଥିଲା, ତାହା ପ୍ରଶମିତ ହୋଇ ସାରିଥିଲା ସତ, ହେଲେ ଦରପୋଡ଼ା ଘର ସବୁ ଏବେବି ମୂକସାକ୍ଷୀ ପରି ଠିଆ ହୋଇଥିଲେ । ବିଭାଜନର ପାଗଳାମି ଥମି ସାରିଥିଲା ସତ, କିନ୍ତୁ ଲୋକଙ୍କ ମନ ଭିତରେ ସେ ଅଙ୍ଗାର ତଳର ନିଆଁ ତଥାପି କୁହୁଳୁଥିଲା ।

ଶେଷରେ ମାଜିଷ୍ଟ୍ରେଟ୍‍ ନିର୍ଦ୍ଦେଶ ଦେଲାଭଳି କହିଉଠିଲେ,‘ସେ ଛୁଆକୁ ଡାକ!’ ପର୍ଦା ପଛପଟୁ ଜେନାବ୍‍ର କଣ୍ଠସ୍ୱର ଶୁଭିଲା,‘ଆମେ କାହାରି ଛୁଆକୁ ଚୋରି କରି ଆଣିନୁ । ତା’ହେଲେ ମୁଁ କାହିଁକି ମୋ ଛୁଆକୁ କୋଳଛଡ଼ା କରିବି?’

ମାଜିଷ୍ଟ୍ରେଟ୍‍ ସାବ୍‍ ଏଥର ଆହୁରି ଚଢ଼ା ଗଳାରେ ନିର୍ଦେଶ ଦେଲେ, ‘ମୋ ନିକଟରେ ଆଣି ଛୁଆକୁ ହାଜର କରାଅ ।’ ଛୁଆକୁ ଜେନାବ୍‍ ପାଖରୁ ଆଣିବା ଲାଗି ସାକୁର୍‍ ଅହମ୍ମଦ୍‍ ପର୍ଦା ପଛପଟକୁ ଚାଲିଗଲା ।

ସେତେବେଳକୁ ମୋହନଲାଲ୍‍ର ଛାତି ଥରି ଉଠୁଥାଏ । ତା’ଜୀବନର ସବୁଠାରୁ ନିର୍ଣ୍ଣାୟକ ମୁହୂର୍ତ୍ତଟି ସତେ ଯେପରି ଆସି ପହଞ୍ଚିଛି । ଦୀର୍ଘ ସାତବର୍ଷ ତଳେ ସେ ହରାଇଥିବା ପୁଅ ପାଲିକୁ ଥରେ ଦେଖିବା ଲାଗି ତା’ମନ ବ୍ୟାକୁଳ ହୋଇ ଉଠୁଥାଏ । ପୁଣି ପର ମୁହୂର୍ତ୍ତରେ ମନ ଭିତରେ କାହିଁ କେତେ ଭୟ ଓ ଆଶଙ୍କା ସୃଷ୍ଟି ହେଉଥାଏ ।

ଶେଷରେ ଅଲତାଫ୍‍କୁ ଆଣି ମାଜିଷ୍ଟ୍ରେଟ୍‍ଙ୍କ ଆଗରେ ଠିଆ କରାଗଲା । ଏତେ ଲୋକଙ୍କୁ ତାଙ୍କ ଅଗଣାରେ ଦେଖି ପିଲାଟା ପ୍ରଥମେ ଡରିଗଲା ଓ ପର ମୁହୂର୍ତ୍ତରେ ସାକୁର୍‍ର ଗୋଡ଼କୁ କୁଣ୍ଢେଇ ଧରିଲା । ପାଟିରେ ଗୋଟିଏ ଆଙ୍ଗୁଠି ପୁରେଇ ସେ କେବଳ ଆବାକାବା ହୋଇ ସମସ୍ତଙ୍କ ମୁହଁକୁ ଚାହୁଁଥାଏ ।

ଏଥର ମାଜିଷ୍ଟ୍ରେଟ୍‍ ପିଲାଟିଆଡ଼େ ଚାହିଁ ପଚାରିଲେ, ‘ଆଚ୍ଛା ପୁଅ, ଏଠିକି ଆସ । ଦେଖିଲୁ କିଏ ଆସିଛି  । ତୁ ଏମାନଙ୍କ ଭିତରୁ କାହାକୁ ଚିହ୍ନିଚୁ?’

ପାଖରେ ଠିଆ ହୋଇଥିବା ଲୋକମାନଙ୍କ ଆଡ଼େ ଚାହିଁ ପୋଲିସ୍‍ ଅଫିସର ଜଣକ ନିର୍ଦ୍ଦେଶ  ଦେଲାଭଳି କହିଲେ,‘ପିଲାଟିକୁ କେହି କିଛି କହିପାରିବେନି । ସେ ତା’ ନିଜ ମନ ଭିତରେ ଯାହା ଭାବୁଚି ସେଇଆ କହୁ ।’

ମନୋହରଲାଲ୍‍ ନିଜେ ବି ଏବେ ପାଲିକୁ ଭଲକରି ଚିହ୍ନିପାରୁ ନ ଥାଏ । ପାଲିକୁ ଏବେ ଆଠବର୍ଷ । ମୁଣ୍ଡରେ ରୁମି ଟୋପିଟିଏ ପିନ୍ଧି, ରେଶମୀ କୁର୍ତ୍ତା ଓ ସାଲୱାର ସାଥିରେ ସେ କେମିତି ବିଚିତ୍ର ଦିଶୁଥାଏ । ତାକୁ ଲାଗୁଥାଏ ଯେପରି ତା’ନିଜ ଆଖି ତାକୁ ଧୋକା ଦେଉଛି । ଢେର୍‍ ସମୟ ଧରି ସେ ପାଲିଆଡେ ଅପଲକ ନୟନରେ ଚାହିଁରହିଲା । ତା’ରି ଭିତରେ କେତେବେଳେ ତା’ନିଜ ମନ ଭିତରୁ ପାଲିର ଚେହେରା ବାହାରି ତା’ଆଖି ଆଗରେ ନାଚି ଉଠିଥିଲା ସେକଥା ତାକୁ ଜଣା ନ ଥିଲା । ଭାବାବେଗରେ ତା’ର କଣ୍ଠ ବେଳକୁ ବେଳ କିନ୍ତୁ ବାଷ୍ପରୁଦ୍ଧ ହୋଇ ଉଠୁଥାଏ । ତା’ ଅନ୍ତର ଭିତରୁ ଯେପରି କିଏ ଚିତ୍କାର କରି ଉଠୁଥିଲା । ‘ପାଲି! ପାଲି!

ପୁଅ ମୋର!’ ହେଲେ ସେ ଚିତ୍କାର ମନୋହରଲାଲ୍‍ର କଣ୍ଠ ପାଖରେ ହିଁ ଅଟକିଗଲା । କାରଣ କୌଣସିମତେ ପିଲାଟିକୁ କିଛି ହେଲେ ସୁରାକ ନ ଦେବା ପାଇଁ ପୋଲିସ୍‍ ଅଫିସର କଡ଼ା ନିର୍ଦ୍ଦେଶ ଦେଇଥାନ୍ତି ।

ପିଲାଟି ଆଖି ବୁଲାଇ ତାଙ୍କ ଅଗଣାରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଆଖି ଘୂରାଇ ନେଲା । ମନୋହରଲାଲ୍‍କୁ ଦେଖି ତା’ମନରେ କୌଣସି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହେବାପରି ଲାଗିଲା ନାହିଁ  । ପୂର୍ବଭଳି ତା’ ଚାହାଣୀରେ ସେଇ ଭୟ ଲାଗି ରହିଥାଏ – ବରଂ ତା’ମନର ଭୟ ଆଉ କେଇଗୁଣ ବଢିଯିବା ପରି ଜଣାପଡୁଥାଏ । ମନୋହରଲାଲ ତା’ମୁହଁକୁ ଉତ୍କଣ୍ଠାର ସହ ଚାହିଁ ରହିଥାଏ । ପାଲି ୟା’ ଭିତରେ କେତେ ଡେଙ୍ଗା ହୋଇଗଲାଣି । ବେଶ୍‍ ତୋଫା ବି ଦିଶୁଚି । ଖୁବ୍‍ ସୁନ୍ଦର ଦିଶୁଚି ।

ମନୋହରଲାଲ୍‍କୁ ଲାଗିଲା ନିଷ୍ପତ୍ତିର ମୁହୂର୍ତ୍ତ ଗତ ହୋଇସାରିଛି । ଭାଗ୍ୟ ତା’ପ୍ରତି ପରିହାସ କରିଛି ବୋଲି ସେ ମନେ ମନେ ଭାବିଲା । ତା’ହେଲେ ପୂର୍ବଭଳି ତା’ଜୀବନ ପୁଣି ସେଇ ପ୍ରତୀକ୍ଷା, ହତାଶା ଓ ଦୁଃଖରେ କଟିବ । ସୁଖ ଓ ଆନନ୍ଦ ସତେକି ତା’ ପରିବାରରୁ ପୋଛି ହୋଇଯାଇଛି ।

ଏଥର ନୀରବତା ଭଙ୍ଗ କରି ମୌଲବୀ କହିଉଠିଲେ, ‘ତା’ହେଲେ ଆପଣମାନେ ତ ସବୁକଥା ଦେଖିଲେ । ପିଲାଟି ତ ତାଙ୍କୁ ଚିହ୍ନିପାରିଲାନି । ଯଦି ପ୍ରକୃତରେ ସେ ତାଙ୍କ ପୁଅ ହୋଇଥାଆନ୍ତା, ତା’ହେଲେ ସେ ତାଙ୍କ କୋଳକୁ ଅବଶ୍ୟ ଚାଲିଯାଇଥାଆନ୍ତା । ଏବେ ଏ ଲୋକଟିର ଦୁଃସାହସକୁ ଦେଖ- ଅନ୍ୟ ଜଣେ ଲୋକର ପିଲାକୁ ନେବାଲାଗି ସିଏ ହିନ୍ଦୁସ୍ତାନରୁ ପାକିସ୍ତାନ ପର୍ଯ୍ୟନ୍ତ ଚାଲିଆସିଚି!’

ଅନୁସନ୍ଧାନକାରୀ ଦଳ ସହ ଯାଇଥିବା ମହିଳା ସ୍ୱେଚ୍ଛାସେବୀ ଜଣେ ମୌଲବୀଙ୍କ କଥାରେ ମନେ ମନେ ବିରକ୍ତ ହୋଇଉଠିଲେ । କିନ୍ତୁ ନିଜ ବିରକ୍ତିକୁ ମନଭିତରେ ଯଥାସମ୍ଭବ ଚପାଇରଖି କହିଲେ, ‘ଏଠିକି ଆସିଲୁ ପୁଅ! ଦେଖ୍‍, ତୋ ସାମ୍ନାରେ କିଏ ବସିଚି । ତାଙ୍କୁ ତୁ ଚିହ୍ନିଚୁ?’

ପୋଲିସ୍‍ ଅଫିସର ପୁଣିଥରେ ମହିଳା ସମାଜସେବୀଙ୍କୁ ତାଗିଦ୍‍ କଲାଭଳି ଚେତେଇ ଦେଲେ, ‘କୌଣସି ପ୍ରକାର ସୁରାକ୍‍ ଦିଅନ୍ତୁନି । ପିଲାଟିକୁ ତା’ନିଜ ଇଚ୍ଛାରେ ଚିହ୍ନିବାକୁ ଦିଅନ୍ତୁ ।’

ପର୍ଦା ପଛପଟେ ନିଶ୍ଚଳ ପ୍ରତିମାଟିଏ ପରି ଜେବାନ୍‍ ବସି ରହିଥାଏ । ଏସବୁ ଘଟଣା ଘଟି ଚାଲିଥିଲାବେଳେ ସତେକି ତା’ ନିଃଶ୍ୱାସ ବନ୍ଦ ହୋଇଯାଉଥାଏ । ଏଥର ସାକୁରଆଡ଼େ ଚାହିଁ ସମାଜସେବିକା କହିଲେ, ‘ତୁମେ ତ ନିଜେ ସ୍ୱୀକାର କରୁଚ ଯେ ଇଏ ତୁମ ଜନ୍ମକଲା ପୁଅ ନୁହେଁ – ତୁମେ କେବଳ ତାକୁ ପୁଅ ଭାବେ ପାଳିଚ ।’

ସାକୁର ଅହମ୍ମଦ୍‍ ଏ ପ୍ରଶ୍ନର କୌଣସି ଉତ୍ତର ଦେବା ଆଗରୁ ମୌଲବୀ ତାଙ୍କ ଠେଙ୍ଗାଟିକୁ ତଳେ ଥରେ ଜୋର୍‍କରି ବାଡ଼େଇ ବଡ ପାଟିରେ କହିଉଠିଲେ – ‘ଆମେ ଏକଥାକୁ ଅସ୍ୱୀକାର କରୁ ନାହୁଁ ଯେ, ସିଏ ଆମର ପାଳିତ ପୁଅ ବୋଲି । ହେଲେ ଆମେ କିପରି ଏକଥା ଗ୍ରହଣ କରିବୁ ଯେ ଯେଉଁ ପିଲାଟିକୁ ଆମେ ପାଳିଚୁ ସିଏ ଜଣେ ହିନ୍ଦୁ ପିଲା ଓ ସିଏ ଏଇ ଲୋକଟିର ଜନ୍ମକଲା ପୁଅ ବୋଲି?’

ମୌଲବୀଙ୍କ କଥାଶୁଣି ମାଜିଷ୍ଟ୍ରେଟ୍‍ ବି ତାଙ୍କ କଥାରେ ରାଜି ହେଲାଭଳି ମୁଣ୍ଡ ହଲାଇ ସମ୍ମତି ଭରିଲେ । ଏଥର ସେ ଥରେ ପିଲାଟିଆଡେ ଓ ପର ମୁହୂର୍ତ୍ତରେ ମନୋହରଲାଲ୍‍ ଆଡେ ଚାହିଁଲେ । ସେତେବେଳକୁ ମନୋହରଲାଲର ମୁହଁ ଗୋଟାପଣେ ଫିକା ପଡ଼ିଯାଇଥାଏ । ତା’ ଆଖିଆଗରେ ତା’ପୁଅ ଠିଆ ହୋଇଚି, ଅଥଚ ଦୂରରୁ ତାକୁ ଚାହିଁବା ଛଡ଼ା ସେ ତାକୁ ନିଜର ବୋଲି ଦାବି ସୁଦ୍ଧା କରି ପାରୁନି । ଏବେ ସେ କେବଳ ଭାବାନ୍ତର ଘଟିବା ପରି ପିଲାଟି ମୁହଁକୁ ଚାହିଁ ରହିଥାଏ । ଏତେ ବଡ଼ ସୁଯୋଗ ତା’ହାତକୁ ଆସି ପୁଣି ଖସିଯାଉଛି ।

ମହିଳା ସମାଜସେବୀ ଜଣକ କିଛି ସମୟ ଚିନ୍ତା କରି କହିଲେ, ‘ପିଲାଟା ଏତେ ଲୋକଙ୍କୁ ରୁଣ୍ଡ ହୋଇଥିବାର ଦେଖି ଡରିଯାଇଛି ।’
‘ଆପଣମାନେ ଦୟାକରି ଚୁପ୍‍ ରୁହନ୍ତୁ ।’

ମୌଲବୀ ମଧ୍ୟ ବିରକ୍ତି ପ୍ରକାଶ କରିବା ପରି କହିଉଠିଲେ, ‘ଆପଣ ଆଉ ଅଧିକ କ’ଣ ଚାହାନ୍ତି କହିଲେ? ଏକଥା ତ ତୁଟି ସାରିଲାଣି । ଆପଣମାନେ ଏବେ ଯାଆନ୍ତୁ ।’ ସମାଜସେବିକା ମହାଶୟା ଏବେ ମନୋହରଲାଲ୍‍ ଆଡକୁ ଘୁରିପଡ଼ି କହିଲେ, ‘ହଁ, ମୋର ଏବେ
ମନେପଡ଼ିଲା । ଆପଣ ମତେ ସେଦିନ ପିଲାଟିର ଯେଉଁ ଫଟୋଟା ଦେଖାଉଥିଲେ ସେଇଟା କୁଆଡ଼େ ଗଲା?’

ପ୍ରମାଣ କହିଲେ ପାଲିର ଫଟୋଟିଏ ଛଡ଼ା ମନୋହରଲାଲ୍‍ ପାଖରେ ଆଉ କିଛି ନ ଥିଲା କିମ୍ବା ସେ ତା’ସାଥିରେ ଆଉ କିଛି ଆଣିନଥିଲା । କେବଳ କୌଶଲ୍ୟାର ବାରମ୍ବାର ଅନୁରୋଧଯୋଗୁଁ ବୈଶାଖୀ ମେଳାରେ ସେ ପାଲିକୁ କୋଳରେ ଧରି ଫଟୋଟିଏ ଯାହା ଉଠାଇଥିଲା । ପାଲି ଛୋଟ ଶିଶୁଟିଏ ଥିଲା ଓ ସେ ବାପା କୋଳରେ ଚୁପ୍‍ଚାପ୍‍ ବସିରହିଥିଲା । ହେଲେ ଫଟୋଟା ଅବା କି ପ୍ରକାର ଉଦ୍ଦେଶ୍ୟ ସାଧନ କରିବ? ଏବେ ତ ପାଲି କେଡ଼େ ବଡ଼ ପିଲାଟିଏ ହୋଇଗଲାଣି । ତେଣୁ ସେ ଛୋଟ ଫଟୋ ଓ ତା’ର ବର୍ତ୍ତମାନର ଚେହେରା ଭିତରେ କିଛି ସାମଞ୍ଜସ୍ୟ ନ ଥିବା ସ୍ୱାଭାବିକ । ତଥାପି ସନ୍ତର୍ପଣରେ ନିଜ ପକେଟ୍‍ରୁ ଫଟୋଖଣ୍ଡିକ କାଢ଼ି ମନୋହରଲାଲ ତାକୁ ମାଜିଷ୍ଟ୍ରେଟ୍‍ଙ୍କ ହାତକୁ ବଢ଼ାଇଦେଲା ଓ ଯୋଡ଼ହସ୍ତ କରି କହିଲା –

‘ଏଇ ଫଟୋଟିରେ ମୋ ପୁଅର ଛୋଟବେଳର ଫଟୋ ଅଛି । ଇଏ ସେଇ ଏକା ପିଲା ହଜୁର୍‍ । ଆପଣ ନିଜେ ମିଳେଇ ଦେଖନ୍ତୁ ।’

ସାକୁର୍‍ ଅହମ୍ମଦ୍‍ ନିଜର ବିରୋଧାଭାଷ ପ୍ରକଟ କରିବା ଭଳି କହିଉଠିଲା, ‘ଇଏ ଫଟୋରୁ କିଛି ପ୍ରମାଣିତ ହୋଇପାରିବନି, ଜନାବ୍‍ । ମୋ ପାଖରେ ବି ଏଇଭଳିଆ ଫଟୋ ଅଛି ।’

ଏତିକି କହି ସାକୁର ଘର ଭିତରକୁ ପଶିଗଲା ଓ ଫ୍ରେମ୍‍ଦିଆ ବନ୍ଧେଇ ଫଟୋଟିଏ ଧରି ଘରୁ ବାହାରି ଆସିଲା । ତା’ନିଜ ପିନ୍ଧା ପୋଷାକରେ ଫଟୋଟିକୁ ପୋଛି ପକାଇ ମାଜିଷ୍ଟ୍ରେଟ୍‍ଙ୍କ ହାତକୁ ବଢେଇ ଦେଲା । ଫଟୋରେ ଥିବା ଛୋଟ ପିଲାଟି ଆଡ଼େ ଆଙ୍ଗୁଳି ଦେଖାଇ କହିଲା, ‘ଆପଣଙ୍କ ଆଗରେ ଠିଆ ହୋଇଥିବା ଏ ପିଲାଟିର ଫଟୋ ହେଲା ଇଏ । ଆପଣ ନିଜେ ପରଖି
ଦେଖନ୍ତୁ ।’

ମାଜିଷ୍ଟ୍ରେଟ୍‍ ପିଲାଟି ସାମ୍ନାରେ ମନୋହରଲାଲ ଆଣିଥିବା ଫଟୋଟିକୁ ଥୋଇଲେ ଓ କୌଣସି ମତମନ୍ତବ୍ୟ ନଦେଇ ପିଲାଟିକୁ ଡାକିଲେ, ‘ପୁଅ,ଏଠିକି ଆସ୍‍!’ ତାଙ୍କୁ ଲାଗୁଥିଲା ସେ ଏଇ ଫଟୋ ଭିତରେ ଥିବା କୌଣସି ଲୋକକୁ ଚିହ୍ନି ପାରିବେନି ।

ପିଲାଟି କିଛି ସମୟ ଧରି ଫଟୋଟି ଆଡ଼କୁ ଅପଲକ ନୟନରେ ଚାହିଁ ରହିଲା ଏବଂ ଶେଷରେ ନିଜ ଆଙ୍ଗୁଳିଟିକୁ ନେଇ ମନୋହରଲାଲର ଫଟୋ ଉପରେ ଥାପି ହଠାତ୍‍ ଚିତ୍କାର କରି ଉଠିଲା, ‘ବାପା!’ ତା’ପରେ ସେଇ ଫଟୋଟିରେ ଥିବା ମହିଳାଙ୍କ ଛବିଟିକୁ ଦେଖାଇ ସେ ‘ମା’ ବୋଲି କହି ପକାଇଲା । ତା’ ଦୃଷ୍ଟି ଫଟୋଟି ଉପରେ ସ୍ଥିର ହୋଇ ରହିଥାଏ । ତା’ମନ ଭତରେ ହଠାତ୍‍ ଯେପରି ଏକ ବିଚିତ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରି ଲାଗୁଥାଏ । ମନୋହରଲାଲ ଏକଥା ଦେଖି ଆଉ ନିଜକୁ ସମ୍ଭାଳି ରଖିପାରିଲା ନାହିଁ । ଫାଟିପଡ଼ିବା ପରି କାନ୍ଦି ଉଠିଲା । କିନ୍ତୁ ନିଜକୁ ପୁଣି ଆୟତ୍ତରେ ରଖିବା ଲାଗି ମୁଣ୍ଡ ଠେକାର କାନିଟିକୁ ସେ ନିଜ ପାଟି ଭିତରେ ଚାପି ଧରିଲା ।

ଏଥର ମାଜିଷ୍ଟ୍ରେଟ୍‍ ଅନ୍ୟ ଫଟୋଟିକୁ ପିଲାଟି ଆଗରେ ଥୋଇଲେ । ସେ ଫଟୋଟିକୁ ଦେଖି ପିଲାଟି କହିଲା, ‘ଆବ୍ୱାଜୀ, ଅମ୍ମି!’ ଏକଥା ଦେଖି ସାକୁର ଅହମ୍ମଦ୍‍ ମନରୁ ସବୁ ଆଶଙ୍କା ଦୂର ହୋଇଗଲା । ଜେନାବ୍‍ ବି ପର୍ଦା ଆଢ଼ୁଆଳରୁ ଏସବୁ ଦୃଶ୍ୟକୁ ଲକ୍ଷ୍ୟ କରୁଥାଏ । ତା’ ଆଖି ସେତେବେଳକୁ ଗୋଟାପଣେ ଛଳଛଳ । ଏତେ ସମୟ ଧରି ମୌଲବୀ ସା’ବ୍‍ ଗମ୍ଭୀର ଭାବେ ବସି ରହିଥିଲେ ।

ହଠାତ୍‍ ତାଙ୍କ ମୁହଁ ବି ସ୍ୱାଭାବିକ ପାଲଟିଗଲା । ତେଣୁ ସେ ଚୂଡାନ୍ତ ଫଇସଲା ଶୁଣାଇଲା ଭଳି କହିଉଠିଲେ, ‘ଏବେ ସେ ଜଣେ ମୁସଲମାନର ବେଟା । କୌଣସି ହିନ୍ଦୁର ପିଲା ନୁହେଁ । ସିଏ କଲମା ବି କହିସାରିଛି ।’

ସମାଜସେବୀ ନିଜକୁ ସମ୍ଭାଳି ନପାରି କହିଉଠିଲେ, ‘ଓଃ! ଆପଣ ଟିକେ ଚୁପ୍‍ ରୁହନ୍ତୁ ।’ ମୌଲବୀ ସା’ବ୍‍ ଚଢ଼ା ଗଳାରେ ଧମକ ଦେବା ପରି କହିଲେ, ‘କାହିଁକି ଚୁପ୍‍ ରହିବି? ସିଏ ଲୋକଟା ତା’ ଛୁଆଟାକୁ ଫୋପାଡ଼ି ଦେଇ କୁଆଡ଼େ ଉଭାନ୍‍ ହୋଇଗଲା । ତାକୁ ଆମେ ଆଣି
ପାଳିପୋଷି ବଡ଼ କଲୁ । ଏବେ ଆସି ପୁଅ ବୋଲି ଦାବିକଲେ କିଏ ପୁଅ ଫେରେଇବ?’ ମୌଲବୀଙ୍କ ଧମକପୂର୍ଣ୍ଣ ଗର୍ଜନ ଶୁଣି ପିଲାଟା ହଠାତ୍‍ ବସିବା ଜାଗାରୁ ଉଠିଯାଇ ସାକୁର୍‍ର ଗୋଡ଼କୁ କୁଣ୍ଢେଇ ଧରିଲା । ପର ମୁହୂର୍ତ୍ତରେ ତାଙ୍କ ବାରଣ୍ଡା ଆଡ଼କୁ ଦୌଡିଯାଇ, ପର୍ଦା
ପଛରେ ଅଦୃଶ୍ୟ ହୋଇଗଲା ।

ସାକୁର୍‍ ଅହମ୍ମଦ୍‍ର ଦୁଆରେ କ’ଣ ସବୁ ଘଟିଚାଲିଛି ସେ ସମ୍ପର୍କରେ ହୁଏତ ବାହାରେ ରୁଣ୍ଡ ହୋଇଥିବା ଲୋକମାନେ ସୁରାକ୍‍ ପାଇ ସାରିଥିଲେ । ହଠାତ୍‍ ସେମାନଙ୍କ ସମବେତ କଣ୍ଠସ୍ୱର ଶୁଭିଲା, ‘ଆଲ୍ଲା-ହୋ-ଆକବର!’ ମହିଳା ସମାଜସେବୀ ଓ ଅନ୍ୟ ଦୁଇଜଣ ଭାରତୀୟ ସରକାରୀ କର୍ମକର୍ତ୍ତା କିନ୍ତୁ ଦୃଢ଼ ଭାବେ ସେମାନଙ୍କର ଦାବି ଜଣାଇ ବସିଲେ । ଯେହେତୁ ପିଲାଟି ଫଟୋରେ ତା’ର ବାପା ମା’ଙ୍କ ପ୍ରତିଚ୍ଛବି ଚିହ୍ନିପାରିଚି, ସେଇ ଦୃଷ୍ଟିରୁ ଏବେ ପିଲାଟିକୁ ସେମାନଙ୍କୁ ଫେରାଇ ଦିଆଯିବା ଉଚିତ । ବରଂ, ଏ ମାମଲାକୁ ଆଉ ଅଧିକ ନ ବଢ଼େଇବା ଲାଗି ସେମାନେ ମତ ଦେଲେ । ହେଲେ ବେଳକୁ ବେଳ ପରିସ୍ଥିତି ଭିନ୍ନ ମୋଡ଼ ନେଉଥିଲା । ଅଧିକ ଜଟିଳ ହେଉଥିଲା । ଏପରିକି ଏଇ ଘଟଣାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଥିଲା । ପିଲାଟି କିନ୍ତୁ ସେତେବେଳକୁ ଜେନାବ୍‍ କୋଳ ଭିତରେ
ପଶି ତା’କୋଳକୁ ଖୁବ୍‍ ଜୋର୍‍ କରି ଭିଡ଼ି ଧରିଥିଲା । ବାହାରେ ଲୋକମାନେ ବେଳକୁ ବେଳ ଅଧିକ ଅସ୍ଥିର ହୋଇ ଉଠୁଥିଲେ । ଏବେ ସମସ୍ୟାଟି ହିନ୍ଦୁ-ମୁସଲମାନ ଧର୍ମସଙ୍କଟର ରୂପ ଗ୍ରହଣ କରି ସାରିଥିଲା । ‘ପିଲାଟି ପ୍ରକୃତରେ କାହାର?’ ଅଥବା ‘କିଏ ତାକୁ ପାଳିପୋଷି ବଡ କରିଚି?’

ସେଭଳି ପ୍ରଶ୍ନ ଗୌଣ ଓ ଅପ୍ରାସାଙ୍ଗିକ ହୋଇ ପଡ଼ିଥିଲା । ନିଜ ଧୈର୍ଯ୍ୟର ଶେଷ ସୀମାରେ ମନୋହରଲାଲ ପହଞ୍ଚି ସାରିଥିଲା । ତା’ମୁଣ୍ଡ ଏବେ ଚକ୍କର ଖାଇ ଯାଉଥାଏ । ଶେଷରେ ସେ ଠିଆ ହୋଇପଡିଲା ଓ ଧୀରେ ଧୀରେ ପାଦ ପକାଇ ଯାଇ ପହଞ୍ଚିଲା ପର୍ଦା ପାଖରେ । ପର୍ଦାର ଆରପଟେ ଦୁଇ ହାତ ଯୋଡି ଠିଆ ହୋଇପଡ଼ି ସେ ଅନୁନୟଭରା କଣ୍ଠରେ କହିଲା,‘ଭଉଣୀ, ମୁଁ ତୁମକୁ ମୋ ଛୁଆକୁ ମାଗିବା ଲାଗି ଆସିନି । ମୁଁ ଆସିଛି ତୁମଠାରୁ ମୋ ସ୍ତ୍ରୀର ଜୀବନ ଭିକ୍ଷା କରିବାକୁ । ଜନ୍ମକଲା ଦିଓଟି ଯାକ ଛୁଆଙ୍କୁ ସିଏ ହରେଇଛି । ଏବେ ତା’ର ପାଲି କଥା ଭାରି ମନେପଡୁଛି । ତା’ରି କଥା ଭାବି ଭାବି ସିଏ ଅଧା ପାଗଳୀ ହୋଇ ସାରିଲାଣି । ଦିନ ରାତି ସିଏ ତାକୁ ଝୁରିହେଉଛି । ତା’ପ୍ରତି ଟିକେ ଦୟା କର, ଭଉଣୀ!’

ତାରପୋଲିନ୍‍ର ପର୍ଦା ପଛପଟ ତଥାପି ନୀରବ । ଦୁଇ ଦେଶର ପଦାଧିକାରୀମାନେ ପର୍ଦ୍ଦା ଆଡକୁ ଏକାଲୟରେ ଚାହିଁ ରହିଥାଆନ୍ତି । ମୌଲବୀ ଉଠି ଠିଆ ହୋଇପଡ଼ିଲେ । ସେ ନିଃସନ୍ଦେହରେ ଥିଲେ ଯେ, ଜେନାବ୍‍ ଏବେ ମନୋହରଲାଲ୍‍କୁ ତା’ମନଭରି ଗାଳିଦେବ । ହେଲେ ଏ କ’ଣ! ପର୍ଦା ପଛରୁ କାହାର ଗୁମୁରି ଗୁମୁରି କାନ୍ଦିବା ଶବ୍ଦ ଶୁଭିଲା, ‘ନେଇଯାଅ, ନେଇଯାଅ ଛୁଆଟାକୁ । ଗୋଟାଏ
ହତଭାଗୀ ସ୍ତ୍ରୀ ଲୋକର ଅଭିଶାପ ମୋ ଉପରେ ପଡିବାକୁ ମୁଁ ଚାହେଁନି । ମୁଁ କେମିତି ଭଲା ଜାଣିବି ଯେ ତୁମେ ଦି’ଟା ଯାକ ଛୁଆ ହରେଇଛ ବୋଲି?’

ଏକଥା ଶୁଣି ମନୋହରଲାଲର ଇଚ୍ଛା ହେଉଥିଲା ପର୍ଦା ଆଡ଼େଇ ସେ ଘର ଭିତରକୁ ପଶିଯିବ ଓ ଜେନାବ୍‍ର ପାଦ ତଳେ ପଡ଼ିଯିବ ।

ଏଇ ଘଟଣାର ମାତ୍ର ଘଣ୍ଟାକ ଭିତରେ ପିଲାଟିକୁ ମନୋହରଲାଲ୍‍ ସହ ପଠେଇବାର ସବୁ ସୁବନ୍ଦୋବସ୍ତ କରି ଦିଆଗଲା । ଲୁହ ଛଳଛଳ ଆଖିରେ ଜେନାବ୍‍ ଓ ସାକୁର୍‍ ସେମାନଙ୍କ ପାଳିତ ପୁଅକୁ ନୂଆ ପୋଷାକ ପିନ୍ଧାଇ ଦେଲେ । ଆଗାମୀ ଇଦ୍‍ ପର୍ବ ଲାଗି ସେମାନେ ତା’ଲାଗି ଏ ପୋଷାକ ସିଲେଇ କରିଥିଲେ । ତା’ମୁଣ୍ଡରେ ନୂଆ ରୁମି ଟୋପିଟିଏ ବି ଥାପିଦେଲେ । ତା’ପରେ ହଠାତ୍‍ ଜେନାବ୍‍ କହିଲା, ‘ଗୋଟିଏ ସର୍ତ୍ତରେ ମୁଁ ମୋ ପୁଅକୁ ତୁମ ସାଥିରେ ଛାଡ଼ିବି  । ଫି ବର୍ଷ ଇଦ୍‍ ବେଳକୁ ତୁମେ ମୋ ପୁଅକୁ ମୋ ପାଖକୁ ପଠେଇବ । ସିଏ ଆସି ମୋ ପାଖରେ ମାସେ ରହିବ । ମତେ ତୁମେ କଥା ଦେବାକୁ ପଡ଼ିବ । ଯଦି ଏଇ କଥାରେ ରାଜିହୁଅ, ତାହେଲେ ମୁଁ ମୋ ପୁଅକୁ ତୁମ ସାଙ୍ଗରେ
ପଠେଇବି । ନ ହେଲେ ନାଇଁ ।’

ଏକଥା ଶୁଣି ମନୋହରଲାଲ୍‍ର ଦେହ ଥରିଉଠିଲା । ସେମିତି ଯୋଡହସ୍ତ ହୋଇ ସିଏ କହିଲା, ‘ଭଉଣୀ, ଇଏ ଆପଣଙ୍କ ସମ୍ପତ୍ତି, ଆପଣଙ୍କ ପୁଅ । ମୁଁ ତୁମକୁ କଥା ଦେଉଛି, ମୁଁ ସାରା ଜୀବନ ତୁମ ପାଖରେ ଋଣୀ ରହିବି । ତୁମର ସବୁ ସର୍ତ୍ତ ମାନିବି ।’

ଜୀବନର ଚକ ପୁଣି ଆଗକୁ ଗଡ଼ିଚାଲିଲା । ସେଇ ଉତ୍‍ଥାନ ପତନର ଜୀବନ, ସେଇ ବାଙ୍କ, ସେଇ ଦୁଃଖ ଓ କଷ୍ଟଭରା ପଥ ଅତିକ୍ରମ କରିଚାଲିଲା । ଘଟଣାଟି ଯଦି ସେଇଠି ଶେଷ ହୋଇଥାନ୍ତା, ତା’ହେଲେ ବୋଧହୁଏ ଏ ବର୍ଣ୍ଣନା ଗପଟିଏ ହୋଇଥାନ୍ତା, ସମସ୍ତଙ୍କ ମନକୁ ପାଇଲା ଭଳି କାହାଣୀଟିଏ ପାଲଟିଥାଆନ୍ତା । ହେଲେ ଜୀବନର କୌଣସି ଘଟଣାର କ’ଣ ଶେଷ ଅଛି? ନା କୌଣସି ଘଟଣାରେ
କେବେ ଚୂଡ଼ାନ୍ତ ପୂର୍ଣ୍ଣଚ୍ଛେଦ ଘଟିବା ସମ୍ଭବ? ସରକାର ତାଙ୍କ ଅଟକ ଓ ହସ୍ତାନ୍ତରିତ ତାଲିକାରୁ ଆଉ ଗୋଟିଏ ନାଁ କାଟିଦେଲେ ଓ ସେଥିସହ ‘ମିଳିବା’ ତାଲିକାରେ ସେଇ ନାଁଟି ଆପେ ଆପେ ଯୋଡ଼ି ହୋଇଗଲା ।

ସରକାରୀ ଜିପ୍‍ଟା ଦ୍ରୁତ ଗତିରେ ଆଗକୁ ଦୌଡ଼ି ଚାଲିଥାଏ । ଡ୍ରାଇଭର କଡ଼କୁ ଲାଗି ଜଣେ ବନ୍ଧୁକଧାରୀ ଗାର୍ଡ ବସିଥାଏ ଓ ତା’ପାଖକୁ ଲାଗି ଜଣେ ପୋଲିସ୍‍ ଅଫିସର । ପଛ ସିଟ୍‍ରେ ବାପପୁଅ ପାଖାପାଖି ବସି ରହିଥାନ୍ତି ଓ ସେମାନଙ୍କ ସାମ୍ନା ପଟ ସିଟ୍‍ରେ ମହିଳା ସମାଜସେବିକା ।

ପିଲାଟା ଚୁପ୍‍ଚାପ୍‍ ବସିରହି ସତେଯେମିତି ଗଭୀର ଚିନ୍ତା ଭିତରେ ବୁଡ଼ି ରହିଥିଲା । ପିଲାଟିର କାନ୍ଧ ସହ କାନ୍ଧ ଲଗାଇ ବସିଥିବା ମନୋହରଲାଲର ଦେହରେ ବିଚିତ୍ର ଶିହରଣ ସୃଷ୍ଟି ହେଉଥାଏ । ଏତେ ଦିନ ଧରି ନିଜ ଭିତରେ ସୁପ୍ତ ହୋଇ ରହିଥିବା ବାତ୍ସଲ୍ୟ ସ୍ନେହ ହଠାତ୍‍ ଯେପରି ଜାଗି ଉଠିଥିଲା । ପାଲିର ଦେହ ମନୋହରଲାଲ ଦେହରେ ବାଜିବା ମାତ୍ରେ ସେ ସ୍ନେହ ଅଧିକ ସତେଜ ହୋଇ ଉଠୁଥିଲା । ଅପରାହ୍ଣ ସୁଦ୍ଧା ସେମାନେ ସୀମା ପାର ହୋଇଗଲେ । ପାକିସ୍ତାନୀ ଜିପ୍‍ରୁ ଓହ୍ଲାଇ ସେମାନେ ଭାରତୀୟ ସୀମା ଅଧିକାରୀଙ୍କୁ ସବୁପ୍ରକାର କାଗଜପତ୍ର ଯାଞ୍ଚ ଲାଗି ଧରାଇଦେଲେ । ତା’ପରେ ମନୋହରଲାଲ୍‍, ତା’ପୁଅ ଓ ଅନ୍ୟମାନେ ଆଉ ଗୋଟିଏ ଜିପ୍‍ରେ ବସି ଅମୃତସର ଅଭିମୁଖେ ଯାତ୍ରା ଆରମ୍ଭ କଲେ ।

ଜିପ୍‍ଟା ଅଳ୍ପବାଟ ଯାଇଛି କି ନାହିଁ, ହଠାତ୍‍ ମହିଳା ସମାଜସେବିକା ଜଣକ ତାଙ୍କ ହାତ ବଢ଼ାଇ ପିଲାଟି ମୁଣ୍ଡରେ ପିନ୍ଧିଥିବା ରୁମି ଟୋପିଟିକୁ ଟାଣି ବାହାର କରିଦେଲେ ଓ ପର ମୁହୂର୍ତ୍ତରେ ଜିପ୍‍ ବାହାରକୁ ଫିଙ୍ଗିଦେଲେ । ଲାଲ୍‍ ଓ କଳା ରଙ୍ଗର ଟ୍ୟାସେଲ୍‍କରା ଟୋପିଟା ପବନରେ ଉଡ଼ିଯାଇ ରାସ୍ତାକଡ଼ରେ ପଡିଲା । ପିଲାଟା ସଙ୍ଗେ ସଙ୍ଗେ ନିଜ ମୁଣ୍ଡ ଉପରେ ହାତଥାପି କହିଉଠିଲା,‘ମୋ ଟୋପି! ହେ, ମୋ ଟୋପି!’
ସମାଜସେବିକା ଜଣକ ପିଲାଟି ଆଡ଼କୁ ମୁହଁ ନୁଆଁଇ ଆଣି କହିଲେ, ‘ତୁ ଜଣେ ହିନ୍ଦୁପିଲା । ତୁ କାହିଁକି ମୁସଲମାନ ଟୋପି ପିନ୍ଧିିବୁ କହିଲୁ?’

ପିଲାଟି ମୁଣ୍ଡରୁ ଯେମିତି ରୁକ୍ଷଭାବେ ଟୋପିଟିକୁ କାଢ଼ି ମହିଳା ସମାଜସେବିକା ଜଣକ ଫୋପାଡ଼ି ଦେଲେ, ସେକଥା ମନୋହରଲାଲ୍‍କୁ ଆଦୌ ଭଲ ଲାଗିଲାନି । ତେଣୁ ସେ ଧୀର ସ୍ୱରରେ କହିଲେ,‘ଏମିତି କରିବା ଦ୍ୱାରା ପିଲାଟି ମନରେ ଦୁଃଖ ପହଞ୍ଚିବ । ଏଇଟା ଯେ ମୁସଲମାନ ଟୋପି ସେକଥା ତାକୁ ଜଣା ନାହିଁ । ଆପଣ କାହିଁକି ଟୋପିଟା ଫୋପାଡି ଦେଉଥିଲେ? ଜିପ୍‍ ଅଟକାନ୍ତୁ । ମୁଁ ବରଂ ଟୋପିଟା ନେଇଆସୁଚି ।’

ସେତେବେଳକୁ ପିଲାଟା ମୁହଁରେ ଅଭିମାନ ଓ ଦୁଃଖର ଭାବକୁ ସ୍ପଷ୍ଟ ପଢ଼ି ହେଉଥାଏ । ଆଖିବି ଲୁହ ଛଳଛଳ ହୋଇ ଆସିଥାଏ  । ମୁଣ୍ଡ ଉପରେ ହାତଟିକୁ ଥାପି ସିଏ କାନ୍ଦିବା ଭଳି ସ୍ୱରରେ ବାରମ୍ବାର ଦୋହରାଇ ହେଉଥାଏ,‘ମୋ ଟୋପି ! ମୋ ଟୋପି!’

ମନୋହରଲାଲ୍‍ ପୁଣିଥରେ ସମାଜସେବିକା ଭଦ୍ର ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କଲା, ‘ଦେଖନ୍ତୁ, ସିଏ ଛୁଆଟାଏ,ଏସବୁ ଜାତିଧର୍ମ କଥା ବିଷୟରେ ସିଏ ସମ୍ପୂର୍ଣ୍ଣ ଅଜ୍ଞ । ଦେଖୁ ନାହାନ୍ତି, ସିଏ କେମିତି କାନ୍ଦୁଛି ।’

ଭଦ୍ରମହିଳା ଜଣକ ରୁକ୍ଷଭାବେ ଜବାବ ଦେଲେ, ‘କାନ୍ଦୁଥାଉ । କାନ୍ଦିଲେ ତା’ର କିଛି କ୍ଷତି ଘଟିବନି ।

ତୁମେ ତ କଦାପି ତାକୁ ରୁମି ଟୋପିଟିଏ ପିନ୍ଧିବାକୁ ଦେବନି, ଏକଥା ଏବେ ସେ ତା’ବୟସଠାରୁ ବେଶ୍‍ ବୟସ୍କା ନାରୀଟିଏ ପରି ଦିଶୁଥିଲା । ପାଲି ମନରେ ସେଇ ବାଳୁତ ସ୍ମୃତି ଧୀରେ ଧୀରେ ଦାନା ବାନ୍ଧୁଥିଲା – ଅସ୍ପଷ୍ଟ, ଅସଂଲଗ୍ନ, ଝାପ୍‍ସା । ମୁହୂର୍ତ୍ତ ମନେ ପଡ଼ି ପର ମୁହୂର୍ତ୍ତରେ ପୁଣି ମନରୁ ଲିଭିଯାଉଥିବା ସ୍ମୃତି । ତା’ର ଝାପ୍‍ସା ମନେ ପଡୁଥିଲା ଯେ ତା’ସାନ ଭଉଣୀ କେମିତି ତା’ମା’ କୋଳରେ ଶୋଇ ରହିଥାଏ । କେମିତି ତାଙ୍କ ଘର ଦୁଆର ମୁହଁର କବାଟ ଆଗରେ ମଇଁଷିସବୁ ବନ୍ଧା ହୋଇଥାଆନ୍ତି । ବେଳେବେଳେ ସେ ଯାଇ କେମିତି ମଇଁଷି ପିଠିରେ ବସିପଡ଼େ । ଆଉ ତାଙ୍କ ଘର ଆଗରେ ପଡ଼ିଥିବା ସେ ଖଟଟା, ବର୍ଷସାରା ସେଇଠି ପଡ଼ିଥାଏ । ପ୍ରତି ମୁହୂର୍ତ୍ତରେ ପାଲି
ମନଭିତରେ ସ୍ମୃତିର ସୂତାଖିଅ ଗୋଟି ଗୋଟି ହୋଇ ଫିଟି ଚାଲିଥାଏ, ପୃଷ୍ଠା ପରେ ପୃଷ୍ଠା ଆପେ ଆପେ ଓଲଟି ଚାଲିଥାଏ । ଆସ୍ତେ ଆସ୍ତେ ପାଲି ଆଖି ଆଗରେ ତା’ ମା’ର ମୁହଁ ସ୍ପଷ୍ଟ ହୋଇ ଉଠୁଥିଲା । ପୁଣି ବେଳେବେଳେ ତା’ମନରେ ସନ୍ଦେହ ଉପୁଜୁଥିଲା, ତା’ ମା’ ଆଗରେ ପାଟିରେ ଆଙ୍ଗୁଠିଟି ପୁରେଇ ଠିଆ ହୋଇଥିବା ପିଲାଟି କ’ଣ ସତରେ ପାଲି? ତା’ମୁଣ୍ଡ ବେଳକୁବେଳ ଅଧିକ ଗୋଳମାଳିଆ ପାଲଟି ଯାଉଥିଲା ।

ଏମତି ଏମିତିରେ ତିନି ଚାରିଦିନ ବିତିଗଲା । ସେଦିନ ରବିବାର । ମନୋହରଲାଲ୍‍ର ଘର ଅଗଣାରେ ସେଦିନ ସକାଳୁ ଢୋଲକ ବାଜା ବାଜିବାକୁ ଆରମ୍ଭ କଲା । ସାଇପଡିଶାର ସ୍ତ୍ରୀଲୋକମାନେ ଅଗଣାରେ ରୁଣ୍ଡ ହୋଇ ଢୋଲକର ତାଳେ ତାଳେ ଗୀତ ଗାଇଚାଲିଲେ । ଅଗଣାରେ ସେମାନଙ୍କ ବସିବା ଲାଗି ଦିିଓଟି ସତରଞ୍ଜି ବିଛା ହୋଇଥାଏ ଓ କାନ୍ଥ ପାଖକୁ ଲାଗି କେଇଖଣ୍ଡ ବେତ ଚୌକି ଧାଡ଼ିହୋଇ ପଡ଼ିଥାଏ । କାଳେ ନିମନ୍ତ୍ରିତ ଲୋକମାନେ ଅଧିକ ହୋଇଯିବେ ସେଇ ଆଶଙ୍କାରେ ସେମାନଙ୍କପାଇଁ କେଇଖଣ୍ଡ ଖଟ ବି ସଜଡ଼ା ହୋଇ
ରଖାଯାଇଥାଏ । ଏତେ ଦିନ ପରେ କୌଶଲ୍ୟାର ମନ ହାଲୁକା ଲାଗୁଥାଏ, କେମିତି ସ୍ୱାଭାବିକ ଭାବେ ସେ ସବୁକାମ କରିଚାଲିଥାଏ । ପୂର୍ବଭଳି ଗୁମ୍‍ସୁମ୍‍ ହୋଇ ସେ ବସି ରହିନଥାଏ କି ନିଜକୁ କୌଣସି କାମଠାରୁ ଦୂରେଇ ରଖୁନଥାଏ । ସୁନାଜରି କାମକରା ଓଢଣୀଟିଏ ସେ ଆଜି ସକାଳୁ ମୁଣ୍ଡରେ ପକାଇଥିଲା । ଏପରିକି ତା’ମୁହଁରେ ଏତେଦିନ ପରେ ହସ ଫୁଟିଥିବା ସାଇପଡିଶା ଲୋକ ଲକ୍ଷ୍ୟ
କରିପାରିଥିଲେ । ନାଲି ଶାଢ଼ି ଓ ଓଢ଼ଣିଟି ପିନ୍ଧି ସେ ଭାରି ସୁନ୍ଦର ଲାଗୁଥିଲା । ନାଲି ରଙ୍ଗ, ହିନ୍ଦୁ ପରମ୍ପରାରେ ଶୁଭ ଓ ପବିତ୍ରତାର ପ୍ରତୀକ ।

ମନୋହରଲାଲ୍‍ ବି ଜଣଜଣ କରି ସବୁ ନିମନ୍ତ୍ରିତ ଅତିଥିମାନଙ୍କୁ ସତ୍କାର କରିବାରେ ଲାଗିପଡିଥାଏ । ଜଣ ଜଣ କରି ସମସ୍ତଙ୍କ ଆଗରେ ବଖାଣି ଚାଲିଥାଏ ଯେ ଯେଉଁ ଲୋକମାନେ ପାକିସ୍ତାନରେ ତା’ପୁଅକୁ ଏତେ ଦିନ ଧରି ରଖିଥିଲେ ସେମାନେ ତା’ର ଖୁବ୍‍ ଯତ୍ନ ନେଇଥିଲେ । ସେମାନେ ପାଲିକୁ ଯେତିକି ଆଦର ଯତ୍ନରେ ପାଳିଥିଲେ ସେ ତାହା ଏଠାରେ କରିପାରୁ ନାହିଁ ବୋଲି କହିବାରେ ମଧ୍ୟ ତା’ର ସଙ୍କୋଚ ନ ଥିଲା । ସେମାନଙ୍କ ନିକଟରେ ସେ ସାରାଜୀବନ ଋଣୀ ବୋଲି କହୁଥାଏ ।

ସେତେବେଳକୁ ଛୋଟ ଅଗଣାଟି ଭିତରେ ନିମନ୍ତ୍ରିତ ଅତିଥି ଭରପୂର ହୋଇ ସାରିଥାନ୍ତି । ଲଡ୍ଡୁଭରା ବଡ଼ ଥାଳିଟିଏ ହାତରେ ଧରି ମନୋହରଲାଲ ଅତିଥିମାନଙ୍କୁ ବାଣ୍ଟିବାକୁ ବାହାରୁଥାଏ । ଠିକ୍‍ ସେତିକିବେଳେ ପାଲି ଏକ ବିଚିତ୍ର କାଣ୍ଡ କରିବସିଲା । ସେ ତା’ ମା’ ପାଖରେ ବସି, ସାଇପଡ଼ିଶାର ସ୍ତ୍ରୀଲୋକ ମାନଙ୍କ ଢୋଲକ ବଜା ଓ ଗୀତକୁ ମନଭରି ଉପଭୋଗ କରୁଥିଲା । କିନ୍ତୁ ହଠାତ୍‍ ବସିବା ସ୍ଥାନରୁ ସେ ଉଠିପଡିଲା ଓ ଖଣ୍ଡିଏ ଆସନ ଧରି ଘର ଭିତରକୁ ଚାଲିଗଲା । କୋଠରୀଟି ଭିତରେ ଆସନ ଖଣ୍ଡିକ ବିଛାଇ ସେ ତା’ଉପରେ ଆଣଣ୍ଠୁମାଡ଼ି ବସିପଡ଼ଲା ଓ ନମାଜ ପଢ଼ିବାକୁ ଆରମ୍ଭ କଲା ।

ଅଗଣାରେ ରୁଣ୍ଡ ହୋଇଥିବା ଲୋକମାନେ ଆଗ୍ରହର ସହ ପାଲି ଆଡ଼େ ଚାହିଁ ରହିଲେ । ହେଲେ ସେମାନଙ୍କ ମନର କୌତୂହଳ ଯଥାଶୀଘ୍ର ବିସ୍ମୟ ଓ ଘୃଣାରେ ପରିଣତ ହୋଇଗଲା । କେହି ଜଣେ ପଡୋଶୀ ମହିଳା କୌଶଲ୍ୟା ଆଡେ ଚାହିଁ ପଚାରିଲେ,‘ଆଲୋ ଅହଲ୍ୟା, ଇଏ କି କାଣ୍ଡ? ତୋ ପୁଅ ଇଏ କ’ଣ କରୁଚି?’

ନିମନ୍ତ୍ରିତ ଅତିଥିମାନଙ୍କ ସାମ୍ନାରେ ପୁଅର ଏପରି କାଣ୍ଡ ଦେଖି ମନୋହରଲାଲ୍‍ ମୁହଁ ବି ଜଳିଗଲା ପରି ଲାଗିଲା । ପୂର୍ବରୁ ବୋଧହୁଏ ସେ ଏପ୍ରକାର ଅଘଟଣ ସମ୍ପର୍କରେ ଅନୁମାନ କରିବା ଓ ଯେପରି ତାହା ନ ଘଟେ ସେଥିଲାଗି ସତର୍କ ରହିବା ଉଚିତ ଥିଲା । ତେଣୁ ସେ ତା’ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ନରମ ଗଳାରେ କହିଲା,‘ସବୁଦିନ ଓପରବେଳା ଏତିକିବେଳେ ସିଏ ବସିପଡ଼ି ନମାଜ
ପଢ଼ୁଚି । ତା’ମନଭିତରେ କେମିତି କେଜାଣି ଧାରଣା ରହିଯାଇଚି ଯେ, ଏଇଟା ହେଲା ନମାଜ ପଢା ବେଳ ।’

କେହି ଜଣେ ପଚାରିଲେ,‘ତୁମେ କ’ଣ ତାକୁ ବାରଣ କରୁନ?’ ‘ସିଏ ଛୋଟପିଲା । ଧୀରେ ଧୀରେ ସିଏ ସବୁ ବୁଝିଯିବ  ।’

ସାଇର ଯେଉଁ ଲୋକଟିକୁ ସମସ୍ତେ ମୁଖିଆ ବୋଲି କହନ୍ତି, ସେ ଲୋକଟି ହଠାତ୍‍ ସମସ୍ତେ ଶୁଣିପାରିବା ଭଳି ବଡ ପାଟିରେ କହିଉଠିଲା, ‘ଏମିତିକା ଖରାପ ଅଭ୍ୟାସକୁ ତା’ଠାରୁ ଯଥାଶୀଘ୍ର ଛଡେଇବା ଦରକାର । ଆମମାନଙ୍କ ଭିତରେ ଗୋଟାଏ ମୁସଲମାନ ଆସି ରହୁ, ଏକଥାକୁ ଆମେମାନେ କଦାପି ବରଦାସ୍ତ କରିବୁନି ।’

ପାଲି କିନ୍ତୁ ସ୍ଥିର ନିଶ୍ଚଳ ଭାବେ ତା’ର ନମାଜ ପଡ଼ା ଚଲାଇଥାଏ । ତା’ଚାରିକଡ଼େ ଲୋକମାନେ ରୁଣ୍ଡ ହୋଇ ଘୃଣା ଚକ୍ଷୁରେ ତା’ଆଡ଼କୁ ଚାହିଁ ରହିଥାଆନ୍ତି । ସାହିର ଚୌଧୁରୀ ଭାବେ ପରିଚିତ ସେଇ ବ୍ୟକ୍ତିଜଣକ ଏପରି ଗର୍ଜିଉଠିଲେ, ‘ମନୋହରଲାଲ! ସେମାନେ ତୁମ ଉପରେ ଗୋଟାଏ ଧର୍ମାନ୍ତରୀତ ପିଲା ଲଦି ଦେଇଛନ୍ତି । ଆଉ ତୁମେ ତାକୁ ଏକଥା କରିବାକୁ ବାରଣ କରିବା ବଦଳରେ ପ୍ରଶଂସା କରିଚାଲିଛ । ସେମାନଙ୍କ ଗୁଣଗାନ କରିଚାଲିଚ?’ ପାଲି ତଥାପି ଗୋଡ଼ଭାଙ୍ଗି ବସି ତା’ ନମାଜ ପଢ଼ା ଜାରି ରଖିଥାଏ । ତା’ପାପୁଲି
ଯୋଡିକ ଉପରକୁ ଟେକି, ନମାଜ ଦୋହରାଇ ଚାଲିଥାଏ । ଚୌଧୁରୀ ରାଗ ତମତମ ହୋଇ ଯାଇ ତା’ପାଖରେ ଠିଆ ହୋଇପଡ଼ିଲେ ।
ପାଲିର ନମାଜ ପଢ଼ା ସରିଲା । ଦୁଇହାତ ପାପୁଲି ମୁହଁ ଉପରେ ବୁଲେଇ ଆଣି ସେ ଆଖି ଖୋଲିଲା । ଏକଥା ସରିଛି କି ନାହିଁ ଚୌଧୁରୀ ପାଲି ଖୁଆକୁ ଧରି ହଠାତ୍‍ ଟାଣି ଟାଣି ଆଣି ଅଗଣାରେ ସମସ୍ତଙ୍କ ଆଗରେ ଠିଆ କରାଇଦେଲେ  । ଏଥର ସେ ତାକୁ ବଡ଼ ପାଟିରେ
ପଚାରିଲେ,‘ତୁ ଏସବୁ କ’ଣ କରୁଥିଲୁ?’

ଘଟଣା କ’ଣ ବୁଝି ନ ପାରି ପାଲି ଡରିଗଲା ଓ ନରମ ଗଳାରେ ଉତ୍ତର ଦେଲା,‘ମୁଁ ନମାଜ ପଢ଼ୁଥିଲି ।’

ଚୌଧୁରୀ ତାକୁ ଧମକ ଦେବାପରି କହିଉଠିଲେ,‘ଏ ଘରେ ତତେ ସେସବୁ କିଛି କରିବାକୁ ଦିଆଯିବନି । ୟା’ପରେ ତୁ ଏଠାରେ ଆଦୌ ନମାଜ ପଢ଼ି ପାରିବୁନି । କ’ଣ ବୁଝିପାରୁଚୁ?’ ଏଥର ସେଠାରେ ରୁଣ୍ଡ ହୋଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ସେ କହିଲେ,‘ସିଏ
ମୁସଲମାନଗୁଡ଼ାକ ପିଲାଟା ମୁଣ୍ଡରେ ଏମିତିକା ଜହର ଭରି ଦେଇଛନ୍ତି । ପିଲାଟି ଦିନରୁ ତା’ମୁଣ୍ଡରେ ଏମିତି ଅଭ୍ୟାସ ପୁରାଇଛନ୍ତି ।’

ଏଥର ଦଣ୍ଡେ ଚିନ୍ତା କଲାପରି ଚୌଧୁରୀ ଠିଆ ହୋଇପଡ଼ିଲେ ଓ ପର ମୁହୂର୍ତ୍ତରେ ଏକ ନିଷ୍ପତ୍ତିରେ ପହଞ୍ଚିଲା ପରି କହିଉଠିଲେ,‘ଜଣେ ପଣ୍ଡିତଙ୍କୁ ଡକାଅ । ହଁ, ଆଉ ଜଣେ ଭଣ୍ଡାରିକୁ ବି ଡାକ । ଆମେ ପିଲାଟାକୁ ମୁଣ୍ଡନ କରିଦେବା । ତା’ଛଡ଼ା ସିଏ ମୁଣ୍ଡରେ ଶିଖାଟିଏ ବି ଠିକ୍‍ଭାବେ ରଖିବା ଦରକାର । ହାରାମଜାଦାଗୁଡ଼ାକ କୋଉଠିକାର! ଆମ ମୁଣ୍ଡ ଉପରେ ଗୋଟାଏ ମୁସଲମାନ ବୋଝ ଆଣି ଲଦି ଦେଇଛନ୍ତି!’

ପାଲି ସେଠାରେ ଠିଆ ହୋଇ ଆବାକାବା ହୋଇ ସମସ୍ତଙ୍କ ମୁହଁକୁ ଚାହିଁ ରହିଥାଏ ।

‘ତୋ ନାଁ କ’ଣ ପୁଅ?’

ପାଲି ତା’ଆଗରେ ଠିଆ ହୋଇଥିବା ବିଶାଳବପୁ ଚୌଧୁରୀଙ୍କ ମୁହଁଆଡ଼େ ଚାହିଁବା ମାତ୍ରେ ତା’ଛାତି ଭିତରଟା ଧଡ଼ଧଡ଼ ହୋଇଉଠିଲା । ସେ କ୍ଷୀଣ ସ୍ୱରରେ କହିଲା, ‘ଅଲତାଫ୍‍ । ଅଲତାଫ୍‍ ହୁସେନ୍‍ । ବାପା ନାଁ ସାକୁର ଅହମ୍ମଦ ।’

ଚୌଧୁରୀ ଏକଥା ଶୁଣି ରାଗରେ ଫାଟି ପଡିବା ପରି ପାଲି ଆଡ଼କୁ ଢେମା ଢେମା ଆଖି କରି ଚାହିଁଲେ । ତାଙ୍କର ଇଚ୍ଛା ହେଉଥିଲା ପିଲାଟା ଗାଲରେ ଠୋ କରି ଚଟକଣାଟିଏ ବସେଇଦେବାକୁ । ହେଲେ ସେ ନିଜକୁ ଯଥାସମ୍ଭବ ସଂଯତ ରଖିନେଲେ । ପାଲି କିନ୍ତୁ ଠିକ୍‍ ଲକ୍ଷ୍ୟ କରିପାରୁଥିଲା ଯେ, ତା’ଆଗରେ ଠିଆ ହୋଇଥିବା ଲୋକଟିର ହାତମୁଠା କେମିତି ଧୀରେ ଧୀରେ ଦୃଢ଼ ହୋଇଉଠୁଚି । ତେଣୁ ସେ ଆହୁରି ଛାନିଆ ହୋଇ ଲୋକଟିକୁ ଚାହିଁଲା ।

‘ନା- ତୋ ନାଁ ପାଲି – ଯଶପାଲ୍‍!’ ପାଲି ନୀରବରେ ଠିଆହୋଇ ସ୍ୱର୍ଗତୋକ୍ତି କଲାପରି ଗୁଣୁଗୁଣୁ ହେଲା – ‘ଅଲ୍‍ତାଫ୍‍!’
‘ଆଉ ଥରେ ଯଦି ସେ ନାଁଟା ତୋ ତୁଣ୍ଡରେ ଧରୁ ତା’ହେଲେ ଦେଖିବୁ, ମୁଁ କେମିତି ତୋ’ପାଟି ଭିତରୁ ଜିଭଟାକୁ ଟାଣି ଆଣିବି ।’

ଲୋକମାନଙ୍କ ଆଡକୁ ଚାହିଁ ଚୌଧୁରୀ ରାମ ତମତମ ହୋଇ କହିଲେ,‘ଦେଖୁଚ ଇଏ ମୁସଲମାନ ଟୋକାଟାର ସାହସକୁ? ସେମାନେ ୟା’କୁ କହନ୍ତି ଧର୍ମାନ୍ତରଣ- ଧର୍ମ ପରିବର୍ତ୍ତନ । ସଂସ୍କାର!’

ସେତେବେଳକୁ ଭଣ୍ଡାରିଟିଏ ଆସି ସେଠାରେ ପହଞ୍ଚି ସାରିଥାଏ ଏବଂ ତା’ପଛେ ପଛେ ଜଣେ ପଣ୍ଡିତ । ପଣ୍ଡିତଙ୍କ ସାଙ୍ଗରେ ଆଉ ଜଣେ ଲୋକ ଘିଅ ଓ ହୋମଲାଗି ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ ଧରି ଆସି ପହଞ୍ଚିଗଲା ।

ପୁଣି ଥରେ ପାଲିକୁ ଖଣ୍ଡିଏ ଆସନ ଉପରେ ବସାଗଲା । ନାପିତ ତା’ଖୁରକୁ ବାଁ ହାତରେ ଥରେ ଦୁଇଥର ଏପଟ ସେପଟ କରି ଘଷି, ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ପାଲିକୁ ମୁଣ୍ଡନ କରିବାକୁ ଆରମ୍ଭ କଲା । ଏପରି ମୁଣ୍ଡନ ଚାଲିଥିବା ପର୍ଯ୍ୟନ୍ତ ପାଲି ମୁହଁକୁ ତଳକୁ ପୋତି ବସି କାନ୍ଦି ଚାଲିଥାଏ । ମଝିରେ ଥରେ ସେ ‘ଅମ୍ମି, ଅମ୍ମି, ଆବ୍ୱାଜୀ’ କହି ଭୟରେ ଉଠିପଡ଼ିଥିଲା । କାନ୍ଥକଡ଼କୁ ଆଉଜି ପଡ଼ି ଚୌଧୁରୀଙ୍କୁ ଭୟମିଶା ଆଖିରେ ଚାହିଁ ରହିଥିଲା । ଚୌଧୁରୀଙ୍କ ପରାମର୍ଶକ୍ରମେ ମନୋହରଲାଲ ପୁଣିଥରେ ପାଲିକୁ ଧରିଆଣି ନାପିତ ପାଖରେ ବସେଇଲା । ଏଥର, କାଳେ ପାଲି ପୁଣି ଉଠିପଡ଼ିବ ତେଣୁ ସେ ତାକୁ ଧରି ବସିଲା ।

ପାଲି ମୁଣ୍ଡ ମଝିରେ କେବଳ କେରାଏ ଶିଖାକୁ ଛାଡି ସବୁ ବାଳ ମୁଣ୍ଡନ କରି ଦିଆଗଲା । ତା’ପରେ ତାକୁ ଗାଧୋଇ ଦିଆଗଲା ଓ ନୂଆ ଧୋତି ଓ କୁର୍ତ୍ତା ପିନ୍ଧାଗଲା । ପଣ୍ଡିତଙ୍କ ପବିତ୍ର ମନ୍ତ୍ର ଉଚ୍ଚାରଣ ସହ ତା’ କାନ୍ଧରେ ପଇତା ପିନ୍ଧାଇ ଦିଆଗଲା । ପଣ୍ଡିତ ମହାଶୟ ତାକୁ କହିଲେ, “ପୁଅ, ତୋ ନାଁ କ’ଣ? ପାଞ୍ଚଥର ଉଚ୍ଚାରଣ କର, ପାଲି, ପାଲି, ପାଲି… ।”

କିଛି ସମୟ ପରେ, ବ୍ରହ୍ମଚାରୀଟିଏ ଭଳି ଦିଶୁଥିବା ପାଲିକୁ ଆଣି ଦୁଆର ମୁହଁ ପାଖରେ ଠିଆ କରାଗଲା । ଦୁଇ ହାତ ଯୋଡି ପାଲି ଏବେ ଜଣ ଜଣ କରି ଆମନ୍ତ୍ରିତ ଅତିଥିଙ୍କୁ ବିଦାୟ ଦେଲା । ସମ୍ପର୍କୀୟ ଲୋକ ଓ ନିମନ୍ତ୍ରିତ ଭଦ୍ର ବ୍ୟକ୍ତିମାନେ ସଭିଏଁ ପାଲି ମୁଣ୍ଡରେ ହାତ ବୁଲାଇ ଆଣି ତାକୁ ଆଶୀର୍ବାଦ ଦେଇ ବିଦାୟ ନେଉଥାନ୍ତି । ମନୋହରଲାଲ ସମସ୍ତଙ୍କୁ ଲଡୁ ବାଣ୍ଟୁ ଥାଏ । ପାଲି, ମନୋହରଲାଲ ଓ କୌଶଲ୍ୟାଙ୍କଠାରୁ ହଜାର ହଜାର ମାଇଲ୍‍ ଦୂରରେ ଆଉ ଜଣେ ହତଭାଗିନୀ ମା’ ତା’ ଅଗଣାରେ ମନ ଦୁଃଖରେ ବସି ରହିଥିଲା । ଜେନାବ୍‍ ଓ ସାକୁର୍‍ ପରସ୍ପର ମଧ୍ୟରେ କେତେ କ’ଣ କଳ୍ପନା ଜଳ୍ପନା କରିଚାଲିଥାନ୍ତି  । ଜେନାବ୍‍ କହୁଥାଏ, “ଅଲତାଫ୍‍ ଗଲା ଦିନ ଇଏ ଘରର ଶିରି ତୁଟିଯାଇଛି । ଏ ଘରର ସବୁ ସୁଖ ସରିଯାଇଛି । ସିଏ ଘରେ ଥିଲାବେଳେ ଏତେବେଳକୁ ମୁଁ ତାକୁ ଖୋଜିବାକୁ ରାସ୍ତା ଉପରେ ଘୂରି ବୁଲୁଥାଆନ୍ତି । ସିଏ ମତେ ଲୁଚି ଲୁୁଚି କୋଉ ଗଳି କନ୍ଦିରେ ଛପି ଯାଉଥାଆନ୍ତା । ଆଲ୍ଲାଙ୍କୁ ଜଣା, ଇଏ ଜୀବନରେ ଆଉ ତାକୁ ଦେଖିପାରିବି କି ନାହିଁ! ଆଃ, ସବୁ ସୁଖ ସରିଗଲା । ତୁମେ କ’ଣ ଭାବୁଚ? ଆସନ୍ତା ଇଦ୍‍ ବେଳକୁ ସତରେ କ’ଣ ସିଏ ଆମକୁ ଦେଖିବାକୁ ଆସିବ? ସେମାନେ କ’ଣ ମୋ ପୁଅକୁ ଆଉ ପଠେଇବେ? ସେମାନଙ୍କ ଇଚ୍ଛା । ମୋ ମନ କହୁଚି ସେମାନେ ପଠେଇବେ ।’

‘ଆଚ୍ଛା, ତୁମେ ମତେ ଥରେ ପରା କହୁଥିଲ, ତୁମର କିଏ ସମ୍ପର୍କୀୟ ଭାଇ ଜଣେ ବରେଲୀରେ ରହୁଚି । ଚାଲୁନ ଆମେ ତାଙ୍କ ପାଖକୁ ଯିବା, ଆଉ ଆମ ପୁଅକୁ ଭେଟି ଆସିବା । ନା କ’ଣ କହୁଚ?’ ଏପରି କଥା ଭିତରେ ଜେନାବ୍‍ ଆଖିରୁ କେବଳ ଧାର ଧାର ହୋଇ ଲୁହ ବହି ଚାଲିଥାଏ  । ସେ ଲୁହ ଦୁଃଖର ଲୁହ, ଆନନ୍ଦର ଲୁହ, ଅନିଶ୍ଚିତତାର ଲୁହ ।

ଅନୁସୃଜନ: ସୁଭାଷ ଶତପଥୀ 
ମୋ: ୯୭୭୬୪୯୭୭୩୩

 

Comments are closed.