ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮
ଶୁଣିକି ତ’ ଯା…ଏତେ ବର୍ଷ ପରେ କାହିଁକି ଏ କଥା ଜଣେଇବାକୁ ଚାହିଁଲି ? ଶୁଣ୍ ତ ଟିକେ…ଏ ସବୁ କହି ତୋ’ ଘର ଭାଙ୍ଗିବା ମୋ’ ଉଦ୍ଦେଶ୍ୟ ନୁହେଁ । କିନ୍ତୁ ମୁଁ ଏତେ କଥା ଭିତରେ ରଖି ପାରିବିନି । ବୈଭବଙ୍କୁ କହିବି ବୋଲି ଭାବିଲି । କିନ୍ତୁ ତାଙ୍କୁ ପାଇବା ସମ୍ଭବ ନୁହଁ । ସେ ବି ମନେ ରଖିଥିବେ କି ନାଁ, ତା’ ବି ସନ୍ଦେହ । ସତ କହିବାକୁ ଗଲେ ସେବେଠୁ ମତେ ତାଙ୍କ ମୁହଁ ଦେଖିବାକୁ ବି ଇଛା ନାହିଁ । ତେବେ କାହାକୁ କହିଥାଆନ୍ତି ? ତତେ କହିଲି । ମୁଁ ବୈଭବଙ୍କୁ ଦୋଷ ଦେଉନି, ତୁ ବି ଦେ’ ବୋଲି ଚାହେଁନା । କିନ୍ତୁ…ରହିପାରିଲିନାହିଁ । ଏତେ ବଡ଼ ଆତ୍ମଗ୍ଲାନି ନେଇ ବଞ୍ଚିବା କଷ୍ଟ । ମୁଁ ନିଜକୁ ଦୋଷୀ ଭାବୁଛି । ହାଲକା ହବକୁ ଚାହେଁ । ସେ ଦୁହିଁଙ୍କ ସମ୍ପର୍କ ଭିତରେ ମୋର ବଡ଼ ଭୂମିକାଟେ ଥିଲା ।
ମୁଁ ତାଙ୍କୁ ପ୍ରଥମେ ଭେଟ କରେଇ ଥିଲି । ଜାଣିଛୁ, ନନ୍ଦିତା ବାହା ହେଇ ଶାଶୁଘର ଚାଲିଗଲା ସିନା, କିନ୍ତୁ ବୈଭବକୁ ଭୁଲିପାରିନଥିଲା ।ସେୟାକୁ ନେଇ ତା’ ଶାଶୁଘରେ କିଛି ବିଶୃଙ୍ଖଳା ହେଲା ବୋଧହୁଏ । ଚଳିପାରିଲାନାହିଁ ସେଠି । ସେମାନେ ଆଣି ତା’ ଘରେ ଛାଡ଼ିଦେଇ ଗଲେ । ସବୁବେଳେ ଡିପ୍ରେସନରେ ରହିଲା । ଧିରେଧିରେ ତା’ ଦେହ ବିଗିଡିଲା । ଘରେ ପଡିଲା କିଛିଦିନ । ଘୁଣି ହେଲା । ଶେଷ ଯାଏ ବି, ମେଡି଼କାଲ୍ ବେଡ଼ରେ ବିଭୁ ବିଭୁ ହିଁ ହୋଉଥାଏ । ମୋ’ ପାଖରେ କାନ୍ଦିଲା ବହୁତ ଥରେ । ଥରଟିଏ ଦେଖିବାକୁ ବି ଇଛା କଲା ବୈଭବକୁ । ମୁଁ ଚୁପ୍ ରହିଲି । ମୁଁ ଜମାରୁ ଜାଣିନଥିଲି ସେଇଟା ତା’ ଶେଷ ଇଛା ଥିଲା ବୋଲି ।
ଏତକ କହିସାରି ଟିକେ ନିରବ ରହିଲା ଲିପି ।
କାଲି ଆମେ ଅଷ୍ଟ୍ରେଲିଆ ଚାଲିଯାଉଛୁ । ହୁଏତ ସବୁ ଦିନ ପାଇଁ । କାହା ସହ କଣ୍ଟାକ୍ଟ ରଖିବାକୁ ମୋ’ର ଆଉ ଇଛା ନାହିଁ । ଏଇଟା
ଶେଷ । ସତ କହୁଛି ଯଦି ନନ୍ଦିତା ବଞ୍ଚି ଯାଇଥାଆନ୍ତା, ଏ କଥା ଜୀବନରେ କେବେ ବି କାହାକୁ କହି ନଥାନ୍ତି ।
ଶେଷ ପଦଟା ଆଉ ସ୍ପଷ୍ଟ କରି କହିପାରିଲାନାହିଁ । ତା’ କଣ୍ଠ ରୁଦ୍ଧ ହେଲା । ନିଜେ ଉଠି ଆଗ ଆଖି ପୋଛିପୋଛି ଚାଲିଗଲା ।
ସ୍ତବ୍ଧ ହେଇ ଖମ୍ବ ପରି ଛିଡ଼ା ହେଇ ରହିଲା ଆରାଧ୍ୟା ।
ନନ୍ଦିତା ଆଉ ଏ ଦୁନିଆରେ ନାହିଁ! ଏତେ କମ୍ ବୟସରେ ଚାଲିଗଲା!
(କ୍ରମଶଃ)
Comments are closed.