ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୪୪
କୀଟାଣୁ ଜୀବାଣୁ ବୀଜାଣୁ
ଶୁକ୍ରାଣୁ ବିଷାଣୁ ଭୂତାଣୁ
କିଏ ବା କେତେ କ’ଣ ଜାଣୁ?
କିଂତୁ ବଖାଣୁ ଏଣୁତେଣୁ
ଏପରି ମଣିଷ ସ୍ବଭାବ
କେଜାଣେ କେବେ ବଦଳିବ
କାହିଁକି ଏ ସୀମା ଲଂଘନ?
ଏବେ ପଚାରୁଁ ଏହି ପ୍ରଶ୍ନ
ବଡ଼ ବଡ଼ କଥା ନ କହି
କେହି ତ ଶିଖିନାହୁଁ ରହି
ଜ୍ଞାନରେ ମିଶାଇ କଳ୍ପନା
ହେଉଁ ଓ କରୁଁ ବାଟବଣା
କରୁଛୁଁ ଯାହା ପ୍ରଦର୍ଶନ
ସତେ କି ତାହା ଅଟେ ଜ୍ଞାନ?
ପୁନର୍ଲିଖନ କରି କରି
ପୂରା ଆୟୁଷ ଦେଉଁ ସାରି
ବହି ପୃଷ୍ଠାରେ ପାଠ ଦେଖି
ପୁନଶ୍ଚ ଦେଉଁ ତାହା ଲେଖି
ଦେଖାଉଥାଉଁ ଏ ଚାଲାକି
ସ୍ବଜ୍ଞାନ ବଢ଼ି ପାରିବ କି?
ପବନ ପରି ଯେଉଁ ଜ୍ଞାନ
ସବୁଠି ହୋଇ ବିଦ୍ୟମାନ
ପରିବର୍ତିତ ପ୍ରତି କ୍ଷଣ
କିପରି କରିବା ବଂଧନ
ଜ୍ଞାନ ନ କଲେ ସଂଶୋଧନ
ହୋଇ ନ ପାରେ ଉନ୍ନୟନ
କେବଳ କଥନ ଲିଖନ
ଅଯଥା କାଳ ପ୍ରକ୍ଷାଳନ
ଅତୀତଠାରୁ ପ୍ରାପ୍ତ ଜ୍ଞାନ
ସଂଗେ ଏବର ଅନୁଧ୍ୟାନ
ମିଶିଲେ ଯା ହୁଏ ଉତ୍ପନ୍ନ
ତାହା ହିଁ କାର୍ଯକାରୀ ଜ୍ଞାନ
ଭାଷାଘଟରେ ଜ୍ଞାନଜଳ
ନିର୍ଗୁଣ ତରଳ ନିର୍ମଳ
ଜ୍ଞାନର ନାହିଁ ରୂପାବଳି
ଭାଷା ତ ଅଛି ଭଳି ଭଳି
ଘଟରେ ଯଦି ଜଳ ନାହିଁ
ତାହାକୁ ଲୋଡ଼ଂତିନି କେହି
ଘଟରେ ବଂଦି ହୋଇ ଜଳ
ସର୍ବଦା ରହଇ ନିଶ୍ଚଳ
ଜଳ ତ ପବନର ଦାନ
ବଂଚାଇ ରଖିଛି ଜୀବନ
ଘଟ ବଦଳେ ବାରଂବାର
ଜ୍ଞାନ ପ୍ରବାହ ନିରଂତର
Comments are closed.