ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ସର୍ବଭାରତୀୟ ମନ୍ଦିର ସ୍ଥାପତ୍ୟର କ୍ରମବିକାଶ କ୍ଷେତ୍ରରେ ଉତ୍ତର ଭାରତୀୟ ନାଗର ସ୍ଥାପତ୍ୟ ଶୈଳୀରେ ମୂଳ ଗଣ୍ଡି ମଧ୍ୟରେ ଦ୍ରାବିଡ଼ ଓ ବେସର ସ୍ଥାପତ୍ୟର ମିଶ୍ରଣ ଓ ସମନ୍ୱୟ ପ୍ରତିଷ୍ଠା କରି ପ୍ରାଚୀନ କଳିଙ୍ଗରେ ଯେଉଁ ମନ୍ଦିରମାନ ନିର୍ମିତ ହୋଇଥିଲା, ତାହା ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାଜନକ ସ୍ଥାନ ଅଧିକାର କରେ । ସାମଗ୍ରୀକ ଭାବେ ଆମ ରାଜ୍ୟର ମନ୍ଦିରଗୁଡ଼ିକର ଗଢ଼ଣ ଶୈଳୀକୁ ଅବଲୋକନ କଲେ ଏଗୁଡ଼ିକ ବେସର ଶୈଳୀର ବୋଲି ସ୍ଥାପତ୍ୟ ବିଶାରଦଙ୍କ ଦ୍ୱାରା ସ୍ୱୀକୃତି ଲାଭ କରିଅଛି । ପୂଜିତ ଦେବ ପ୍ରତିମା ଅଧିଷ୍ଠିତ ମୁଖ୍ୟ ମନ୍ଦିରକୁ ବିମାନ ବା ଲୋକମୁଖରେ ବଡ଼ଦେଉଳ ତଥା ଏହାର ଆଭ୍ୟନ୍ତର ଗର୍ଭଗୃହ ନାମରେ ପରିଚିତ । ପୂର୍ବ ଦିଗରେ ବିମାନ ସହିତ ସଂଲଗ୍ନ ହୋଇଥିବା କକ୍ଷ ବା ମଣ୍ଡପକୁ ମୁଖଶାଳା ବା ଜଗମୋହନ ତଥା ସେବକଙ୍କ ଭାଷାରେ ସାନଦେଉଳ କୁହାଯାଏ । ଉଲ୍ଲେଖଯାଗ୍ୟ ଯେ ନାଟ୍ୟମଣ୍ଡପ ଓ ଭୋଗମଣ୍ଡପ ଓଡ଼ିଶା ମନ୍ଦିର ସ୍ଥାପତ୍ୟର ନିଜସ୍ୱ ପରିପ୍ରକାଶ । ବିମାନ, ମୁଖଶାଳା, ନାଟ୍ୟମଣ୍ଡପ ଓ ଭୋଗମଣ୍ଡପ ଯଥାକ୍ରମେ ଗୋଟିଏ ସରଳ ରେଖାରେ ପୂର୍ବାଭିମୁଖୀ ହୋଇ ନିର୍ମିିତ ।
ନାଟ୍ୟମଣ୍ଡପ ଓ ଭୋଗମଣ୍ଡପ ଓଡ଼ିଶା ବାହାରେ ଅନ୍ୟତ୍ର କୌଣସି ମନ୍ଦିରରେ ଦେଖାଯାଏ ନାହିଁ । ପ୍ରାଚୀନ ଉତ୍କଳୀୟ ମନ୍ଦିର ସ୍ଥାପତ୍ୟରେ କ୍ରମବିବର୍ତ୍ତନ ହୋଇ କାଳକ୍ରମେ ଉକ୍ତ ଦୁଇ ଅଂଶ ମନ୍ଦିର ନକ୍ସାରେ ଯୋଗ କରାଯାଇଥିବା ବିଶ୍ୱାସ କରାଯାଏ । ଶାସ୍ତ୍ରୀୟ ଓ ତାତ୍ତ୍ୱିକ ଦୃଷ୍ଟିକୋଣରୁ କଳିଙ୍ଗ ଶିଳ୍ପୀମାନେ ମନ୍ଦିରର ବିଭିନ୍ନ ଅଂଶକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରି କଳିଙ୍ଗ ସ୍ଥାପତ୍ୟକୁ ଶିଳ୍ପଶାସ୍ତ୍ର ପ୍ରସୂତ କୀର୍ତ୍ତିର ମର୍ଯ୍ୟାଦା ଦେବାକୁ ସମର୍ଥ ହୋଇଥିଲେ । ଏହି ମନ୍ଦିରମାନଙ୍କର ବାହ୍ୟ ପାଶ୍ୱର ଆପାଦମସ୍ତକ କମନୀୟ କାରୁକାର୍ଯ୍ୟପୂର୍ଣ୍ଣ ହୋଇଥିବାବେଳେ ଆଭ୍ୟନ୍ତର ଅଂଶରେ କୌଣସି କାରୁକାର୍ଯ୍ୟ ପ୍ରାୟତଃ ରହିନଥାଏ । ବୋଧହୁଏ ଆଭ୍ୟନ୍ତରୀଣ କାରୁକାର୍ଯ୍ୟ ଭକ୍ତଜନଙ୍କୁ ଆକୃଷ୍ଟ କରି ଅନ୍ୟ ପକ୍ଷରେ ଭକ୍ତିଭାବରେ ବାଧକ ସାଜିବା ଆଶଙ୍କା ନେଇ ଏହିଭଳି କରାଯାଇଛି । ମାତ୍ର ଦକ୍ଷିଣ ଭାରତୀୟ ମନ୍ଦିରରେ ଆଭ୍ୟନ୍ତରୀଣ କାନ୍ଥ, ବାଡ଼, ଛାତତଳ ତଥା ସ୍ତମ୍ଭଗୁଡ଼ିକରେ କାରୁକାର୍ଯ୍ୟ ଖୋଦିତ ହୋଇଥିବାର ଲକ୍ଷ୍ୟ କରାଯାଏ ।
କଳିଙ୍ଗ ଶୈଳୀରେ ନିର୍ମିତ ମନ୍ଦିରମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଅନ୍ୟତମ । ଶଙ୍ଖକ୍ଷେତ୍ରର ଶଙ୍ଖନାଭି ମଣ୍ଡଳରେ ପ୍ରତିଷ୍ଠିତ ଶାସ୍ତ୍ରୀୟ ବିଧିରେ ଗଢ଼ା ଯାଇଥିବା ଏହି ମନ୍ଦିରର ବଡ଼ ଦେଉଳ (ବିମାନ ବା ରେଖଦେଉଳ), ମୁଖଶାଳା (ଜଗମୋହନ) ପ୍ରଥମ ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ନାଟ୍ୟମଣ୍ଡପ ଓ ଭୋଗ ମଣ୍ଡପ ଇତ୍ୟାଦି ଏହାର ପୂର୍ବଦିଗକୁ ସଂଯୁକ୍ତ ହୋଇ ଗଢ଼ାଯାଇଛି । ଏଥି ସହିତ କୂର୍ମବେଢ଼ାରେ ଥିବା ଅନେକ ଦେବଦେବୀଙ୍କ ପ୍ରାୟ ୯୫ଗୋଟି ଛୋଟ ବଡ଼ ମନ୍ଦିରର ସମନ୍ୱୟରେ ଶ୍ରୀମନ୍ଦିର ପରିସର ଏକ ବୃହତ ‘ଦେବଗ୍ରାମ’ ଭାବେ ଗୃହୀତ ହୋଇଛି । ଉକ୍ତ ମନ୍ଦିର ସମୁହର ନିର୍ଦ୍ଦିଷ୍ଟ ଭାବେ ନିର୍ମାଣ କାଳ ବିଷୟରେ ଯେମିତି ଭିନ୍ନ ମତ ପ୍ରକାଶ ପାଇଛି ସେହିପରି ବଡ଼ ଦେଉଳର ସଠିକ୍ ଉଚ୍ଚତା ନେଇ ମଧ୍ୟ ବିଭିନ୍ନ ଗବେଷକ ଭିନ୍ନମତ ପୋଷଣ କରିଛନ୍ତି । ଗବେଷକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ବିମାନର ଉଚ୍ଚତା ୨୧୫ ଫୁଟ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମାପ ଅନୁଯାୟୀ ପରିକ୍ରମା ଚଟାଣ ଉପରୁ ନୀଳଚକ୍ର ପର୍ଯ୍ୟନ୍ତ ଉଚ୍ଚତା ୧୭୬ଫୁଟ । ଏଥିରୁ ରାଜଗୁରୁ ମହୋଦୟ ବଡ଼ଦାଣ୍ଡ ସ୍ତରରୁ ୨୨ ପାହାଚର ଉଚ୍ଚତା ମିଶାଇ ଏହି ତଥ୍ୟ ଦେଇଥିବାର ଅନୁମାନ କରାଯାଏ ।
ସେ ଯାହା ହେଲେ ବି ଏହି ଐତିହ୍ୟ କୀର୍ତ୍ତୀ ଅନନ୍ୟତା ସର୍ବବିଦିତ । ଆମୂଳଚୂଳ ଭାସ୍କର୍ଯ୍ୟମଣ୍ଡିତ ହୋଇ ଏହି ସୁଉଚ୍ଚ ମନ୍ଦିରର ଶିଳ୍ପଗତ ଆକର୍ଷଣରେ ସମସ୍ତେ ବିମୋହିତ ହୁଅନ୍ତି । ଏହାର ଆଭ୍ୟନ୍ତର ବା ଗର୍ଭଗୃହରେ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ବସି ଜୀବନ୍ତ ଠାକୁର ଭାବରେ କେତେ ରୀତିନୀତି ସହକାରେ ପୂଜା ପାଉଛନ୍ତି । ଦେଉଳ ଶିଖରରେ ନୀଳଚକ୍ର ଓ ତତୋପର ପତିତପାବନ ନେତର ଅନନ୍ତ ଲହର କେତେ ଭକ୍ତଙ୍କୁ ବିମୋହିତ କରୁଛି । ପାଟ ଅଗଣାର ନିଶାତଳେ ଉର୍ଦ୍ଧ୍ୱ ମୁଖା ହେଇ ଦେଖିଲେ ଦେଉଳର ସର୍ବାଙ୍ଗରେ ଫୁଟି ଉଠିଥିବା କାରୁକାର୍ଯ୍ୟ କେତେ ଭକ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି । ବଡ଼ ଦେଉଳକୁ ମାଦଳା ପାଞ୍ଜିରେ ଉଲ୍ଲିଖିତ ଭାଷାରେ ‘ଶ୍ରୀବତ୍ସ ଖଣ୍ଡଶାଳ’ ବୋଲି କୁହାଯାଇଛି । ‘ଶ୍ରୀବତ୍ସ ଖଣ୍ଡଶାଳ ହରିର ଅତି ପ୍ରିୟ ପ୍ରାସାଦ’ଆଧ୍ୟାତ୍ମିକ ଭାବଧାରାରେ ମହାପ୍ରଭୁ ସ୍ୱୟଂ ତାଙ୍କର ପ୍ରକଟିତ ରୂପର ପରିପ୍ରକାଶ କରିଥିବା ଭଳି ନିଜର ନିବାସକୁ ମଧ୍ୟ ନିଜ ପସନ୍ଦରେ ସଫଳତାର ସହ ଗଢ଼ିବା ପାଇଁ ଶିଳ୍ପୀମାନଙ୍କୁ ଦିବ୍ୟ ପ୍ରେରଣା ଯୋଗାଇଛନ୍ତି ବୋଲି ମନେହୁଏ । ତା’ ନହୋଇଥିଲେତତ୍କାଳୀନ ନରପତିମାନଙ୍କର ବିପୁଳ ପ୍ରୋତ୍ସାହନ ଏହି ଅନନ୍ୟ ଐତିହ୍ୟ
ସମ୍ପନ୍ନ କୃତିର ସଫଳ ରୂପାୟନ ପ୍ରଚ୍ଛଦର ଏକମାତ୍ର କାରଣ ହୋଇନପାରେ । ବିଭୁକୃପା ବିନା ଏଭଳି ଦିବ୍ୟ ସଂରଚନା ଅସମ୍ଭବ ।
ସେ ଯୁଗର ଶିଳ୍ପୀ ମାନସରେ ପ୍ରଚଣ୍ଡ ପରିକଳ୍ପନା, ସୁଦକ୍ଷ କାରିଗରୀ କୌଶଳ, ଦକ୍ଷତା ଭିତ୍ତିରେ କର୍ମ ବିଭାଜନ , ନିଷ୍ଠାପର ପରିଚାଳନା ତଥା ଶାସ୍ତ୍ରୀୟ ନିୟମର ସମନ୍ୱିତ ପ୍ରୟୋଗରେ ସମୃଦ୍ଧ ଏହି ‘ଶ୍ରୀବତ୍ସ ଖଣ୍ଡଶାଳ’ର ସଂରଚନା । ଶିଳ୍ପଶାସ୍ତ୍ରରେ ମନ୍ଦିରର ପ୍ରକାରଭେଦ ବିଷୟରେ କୋଡ଼ିଏ ପ୍ରକାର ଶୈଳୀର ବର୍ଣ୍ଣନା କରାଯାଇଛି ଯଥା – ୧ . ବୀରଚାଳ, ୨. ନାହାଚାଳ, ୩. ଫୁଲ ବନ୍ଧଚାଳ, ୪. ଖଣ୍ଡିବନ୍ଧ, ୫. ଛନ୍ଦାବନ୍ଧ, ୬. ନବରୀ , ୭. ସପ୍ତ ରଥ, ୮. ତିନି ରଥ, ୯. ଦକ୍ଷିଣୀ କରଟି ବସନ୍ତ, ୧୦. ଲଉଡ଼ି ମୁଦ୍ଦା, ୧୧. ହେମ ଚାଳ, ୧୨. ପଟଳ, ୧୩. ବିରଥ, ୧୪. ଶିବ ଚାଳ, ୧୫. ବୋଇତାଳ , ୧୬. ଖଣ୍ଡାଛାଟ, ୧୭. ଖଣ୍ଡଶାଳ, ୧୮. ରେଖ, ୧୯. ପିଢ଼, ୨୦. କାଠ ଚାଳିଆ । ଶାସ୍ତ୍ରୀୟ ନିୟମର ମୌଳିକତା ଏହି ବିଶାଳ କୀର୍ତ୍ତିର ମୁଖ୍ୟ ଉପାଦାନ । ବିଧି ଅନୁସାରେ ମନ୍ଦିରକୁ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗ ସହିତ ତୂଳନା କଲେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ମନୁଷ୍ୟ ଦେହର ଆପାଦମସ୍ତକ ମନ୍ଦିରର ବିଭିନ୍ନ ଅଂଶ ସହିତ ତୂଳନୀୟ । ସଂଯୁକ୍ତ ଚିତ୍ରକୁ ଅବଲୋକନ କଲେ ତାହା ସ୍ପଷ୍ଟ ପ୍ରମାଣିତ ହୁଏ । ମନ୍ଦିରର ଅବୟବକୁ ନିମ୍ନଦେଶରୁ ସମୀକ୍ଷା କଲେ ପା’ଭାଗ, ତଳଜଙ୍ଘ, ଉପର ଜଙ୍ଘ, ଗଣ୍ଡି, ବେକି ଓ ଖପୁରି ଇତ୍ୟାଦି ମଣିଷ ଶରୀରର ବିଭିନ୍ନ ଅଙ୍ଗ ଭଳି ନାମକରଣ କରାଯାଇଛି ।
କ୍ରମଶଃ…
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.