ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୯

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପ ମହାମାୟା ବା ଯୋଗମାୟାଙ୍କ ବିଷୟରେ ଆଲୋଚନା ସମୟରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ପରମାତ୍ମାଙ୍କ ଇଛାଶକ୍ତି ବଳରେ ପ୍ରକୃତି (ଶକ୍ତିରୁପା) ଓ ପୁରୁଷ (ସାକାର ବ୍ରହ୍ମ ସ୍ୱରୂପ )ଙ୍କ ସଂଯୋଗରୁ ସୃଷ୍ଟିର ବୀଜ ସ୍ୱରୂପ ମହତତ୍ତ୍ୱ ସଂଯାତ ହୁଏ। ଯଥା “ମୟାଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ । ”
ସେହି ମହତତ୍ତ୍ୱରୁ ପଞ୍ଚମହାଭୂତ (କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ) ତିନି ଗୁଣ (ସାତ୍ଵିକ, ରାଜସିକ ଓ ତlମସିକ )। ତଥା ଏକାଦଶ ଇନ୍ଦ୍ରିୟ (ପଞ୍ଚଜ୍ଞାନେନ୍ଦ୍ର, ପଞ୍ଚକର୍ମଇନ୍ଦ୍ରିୟ, ଓ ମନ )ଉଦ୍ଭବ ହୁଅନ୍ତି। ତେଣୁ ସୃଷ୍ଟିର ପ୍ରକୃତ କାରଣ କେବଳ ଜଡ଼ରୁପା ପ୍ରକୃତି ନୁହେଁ। ଏହା ପରଂବ୍ରହ୍ମଙ୍କ ଅଂଶ ରୂପକ ଶକ୍ତି ସ୍ୱରୂପା ମହାମାୟା। ଏଥିରୁ ସ୍ପଷ୍ଟ ହୁଏ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଇଛାଶକ୍ତି ହିଁ ଜଗତ ସୃଷ୍ଟିର ମୂଳ କାରଣ। ପ୍ରକୃତି ସେ କାରଣର ଆଧାର ମାତ୍ର ପରମାତ୍ମାଙ୍କ ସୃଷ୍ଟି ସର୍ଜନାର ଇଛାଶକ୍ତି ହିଁ ମା ଯୋଗମାୟା। ସେଥିପାଇଁ ତାଙ୍କୁ ଚିତି ଶକ୍ତି ରୂପେ ଆଲୋଚନା କରିଥିଲେ, ଏହି ଶକ୍ତିଙ୍କ ସ୍ୱରୂପକୁ ଠିକ ଭାବରେ ହୃଦୟଙ୍ଗମ କରିବା ପାଇଁ ତନ୍ତ୍ରର ଆବଶ୍ୟକତା ହୁଏ। ଯେଉଁ ତନ୍ତ୍ରର ଆରମ୍ଭ ଓ ଶେଷ ହୁଏ ଵିନ୍ଦୁରୁ, ଏକ ବିନ୍ଦୁ ଶିବ, ଦୁଇ ବିନ୍ଦୁ ଶକ୍ତି.। ଏହାକୁ ତନ୍ତ୍ରରେ ବିନ୍ଦୁ ଓ ବିସର୍ଗ ନାମରେ ଅଭିହିତ କରାଯାଇଛି ଉପରେ ଏକ ବିନ୍ଦୁ (ଶିବ )ତଳେ ଦୁଇବିନ୍ଦୁ (ଶକ୍ତି )ଙ୍କୁ ତିନି ବାହୁ (ଇଛା, ଜ୍ଞାନ ଓ କ୍ରିୟା )ଦ୍ୱାରା ସଂଯୁକ୍ତ କଲେ ଏକ ତ୍ରିକୋଣ ସୃଷ୍ଟି ହୁଏ। ଏହା ମୁଖି ହେଲେ ଶିବ (ବ୍ରହ୍ମବୀଜ )ନିମ୍ନ ମୁଖି ହେଲେ ଶକ୍ତି (ଆଧାର ରୁପା ପ୍ରକୃତି )। ଉଭୟ ତ୍ରିକୋଣ ମିଳିତ ହେଲେ ଷଠକୋଣ (ପିଣ୍ଡ ଓ ବ୍ରହ୍ମlଣ୍ଡ )। ପିଣ୍ଡରେ ଏହି ଷଠ କୋଣ ଷଟଚକ୍ର ରୂପେ ବିଦ୍ୟମାନ, ଯାହା ବ୍ରହ୍ମlଣ୍ଡରେ ନକ୍ଷତ୍ର ରୂପେ ପରିଗଣିତ ହୁଏ।
ଏହି ବିନ୍ଦୁରୁ ମଧ୍ୟ ନାଦର ସୃଷ୍ଟି। ଯାହାଙ୍କୁ ଆମେ ଶବ୍ଦବ୍ରହ୍ମ କହିଥାଉ। ପରଂବ୍ରହ୍ମ ପ୍ରଥମେ ଥିଲେ ଅଶବ୍ଦ, ନିଃସଙ୍ଗ। କିନ୍ତୁ ନିର୍ଜନତା ଏଡାଇ ଏକରୁ ବହୁ ହେବାର ଇଛା ପ୍ରକଟ କରିବା ସଙ୍ଗେ ସଙ୍ଗେ ସୃଷ୍ଟି ହେଲା ଶବ୍ଦ (ପ୍ରଣବ ଓଁ କାର )। ଏହି ଶବ୍ଦବ୍ରହ୍ମ ହିଁ ତିନି ବିନ୍ଦୁକୁ ସଂଯୋଗ କରି ସୃଷ୍ଟି କଲା ତ୍ରିକୋଣ (ଯୋନି ର ପ୍ରତୀକ )। ଏଠାରେ ନାଦକୁ ଆମେ ଏକ ସ୍ପନ୍ଦନ ରୂପେ ଅବା ଆତ୍ମ ସ୍ପୁରଣ ରୂପେ ଅଭିହିତ କରିବା। ଅର୍ଥାତ ପରଂବ୍ରହ୍ମଙ୍କ ଆତ୍ମ ସ୍ପୁରଣ ହିଁ ପରାଶକ୍ତି ମହାମାୟାଙ୍କ ଜାଗରଣ ଓ ସୃଷ୍ଟିର ଆରମ୍ଭ। ଏ ସୃଷ୍ଟି ତତ୍ତ୍ୱ ବଡ଼ ଗହନ ତଥାପି ଏହାର ବିନ୍ଦୁ ଓ ବିସର୍ଗକୁ ଆମେ ଅଳ୍ପକେ ଆଲୋଚନା କଲେ ତ୍ରିକୋଣର ପ୍ରକୃତ ଅର୍ଥ ଜାଣିଲେ। ଦୁଇ ଭୃମଧ୍ୟରେ ଅବସ୍ଥିତ (ଚନ୍ଦନ ବା ବିନ୍ଦି ଲଗାଇବା ସ୍ଥାନ )ବିନ୍ଦୁ ହିଁ ବ୍ରହ୍ମଙ୍କ ସାଧନା କ୍ଷେତ୍ର ଆଉ ଦୁଇ ବିନ୍ଦୁର ସ୍ପନ୍ଦନ ହିଁ ଅନାହତ ନାଦର ସୃଷ୍ଟି ପ୍ରକ୍ରିୟା, ଯାହାକୁ ବୈଜ୍ଞାନିକ ମାନେ ବିସ୍ଫୋଟନ କୁହନ୍ତି। ଆସନ୍ତୁ ତେବେ ସେହି ଶବ୍ଦ ବ୍ରହ୍ମଙ୍କୁ ଆରାଧନା କରିବା, ଉପନିଷଦ କହେ :
“ଏତଦାଲମ୍ବନଂ ଶ୍ରେଷ୍ଠମେତଦାଲମ୍ବନଂ ପରମ, ଏତଦାଲମ୍ବନଂ ଜ୍ଞାତ୍ୱା ବ୍ରହ୍ମଲୋକେ ମହିୟତେ। ”
ଅର୍ଥାତ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ଆଶ୍ରୟ ସର୍ବୋର୍ତ୍ତମ , ଏ ଅନିତ୍ୟ ସଂସାରରେ ସେହିଁ ଏକମାତ୍ର ଆଶ୍ରୟ ଦାତା, ରକ୍ଷାକର୍ତ୍ତା। ଏହି ଜ୍ଞାନ ମଣିଷକୁ ଇହଲୋକ, ପରଲୋକ ଓ ବ୍ରହ୍ମଲୋକରେ ମଧ୍ୟ ମହିମା ମଣ୍ଡିତ କରେ। ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.