Latest Odisha News

BREAKING NEWS

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୪ 

ବିଜ୍ଞାନ, ବିଚାର, ଶାସନ
କ୍ଷେତ୍ରରେ ଲୋଡ଼ା ଶବ୍ଦମାନ
ନିର୍ଦିଷ୍ଟାର୍ଥକ ଆଉ ସ୍ପଷ୍ଟ
ଭାବରେ ହୁଅଂତି ପ୍ରକଟ

ରହିଲେ ଯତ୍‌ସାମାନ୍ୟ ତ୍ରୁଟି
ଜ୍ଞାନ ଶୃଂଖଳା ଯାଏ ତୁଟି
ଆବେଗ ବିରହିତ ଭାଷା
ପ୍ରଯୁକ୍ତ ହେଲେ ବଢ଼େ ଆଶା

ଜ୍ଞାନର ମୂଳ ଭିତ୍ତି ଯୁକ୍ତି
ତହିଁରେ ଭାବ ଅନୁରକ୍ତି
କଲେ ଅଯଥା ପ୍ରଦର୍ଶନ
ଜ୍ଞାନର ମାନ ହୁଏ ମ୍ଳାନ

ଆବେଗ ଆଧାରିତ ଭାଷା
ବିଜ୍ଞାନୀ ନ କରେ ଭରସା
ସୂକ୍ଷ୍ମ ପ୍ରଭେଦ କରି ରକ୍ଷା
ପାଏ ଓ ଦେଉଥାଏ ଶିକ୍ଷା

ଆମର ଭାଷା ଭାବବାହୀ
ତଥ୍ୟ ଆଶ୍ରିତ ହୋଇନାହିଁ
ତେଣୁ ଉଚ୍ଚ ସ୍ତରର ଜ୍ଞାନ
ହେଉନି ଏଠାରେ ଉତ୍ପନ୍ନ

କେବଳ ସାହିତ୍ୟ ରଚିତ
ହେଲେ ବି ସ୍ବଭାଷା ମହତ୍ତ୍ୱ
ହେଉନି ପୂର୍ଣ ପ୍ରକଟିତ
ସ୍ବୀକାର କରୁଁ ଏହି ସତ୍ୟ

ଏହି ସମସ୍ୟା ସମାଧାନ
ଆଡ଼କୁ ଦେଉଁ ଏବେ ଧ୍ୟାନ
ବର୍ଜନ କରୁଁ ଆଡ଼ଂବର
ଜିଜ୍ଞାସୁ କରିବେ ସ୍ବୀକାର

କେତେ କେମିତି ହୁଏ ଲେଖା
ତହିଁର ସମ୍ୟକ୍ ସମୀକ୍ଷା
ଅନ୍ୟ ଭାଷାରୁ ଆସି କେହି
କେବେ କରି ପାରିବେନାହିଁ

ଆମେ ରହିଛୁଁ ଉଦାସୀନ
ଚିହ୍ନିନୁ ନିଜେ ନିଜ ଗୁଣ
ବିଜ୍ଞାନୀ ଲେଖୁ ପଢ଼ୁନାହିଁ
ତେଣୁ ସ୍ବଭାଷା ବଢ଼ୁନାହିଁ

ଗୋଟେ ବଦଳେ ଅନ୍ୟ ଶବ୍ଦ
ପ୍ରୟୋଗ ନୁହେ ନିରାପଦ
ଶିକ୍ଷକ ଆଉ ପ୍ରଶିକ୍ଷକ
ଶବ୍ଦ ଦୁଇଟି ଭିନ୍ନାର୍ଥକ

ଏହି ସୂକ୍ଷ୍ମ ପାର୍ଥକ୍ଯ ରକ୍ଷା
ସଂଭବ ହୁଏ କଲେ ଶିକ୍ଷା
ଭାଷା ହୋଇଲେ କାମଚଳା
ବୁଡ଼ଇ ବିଜ୍ଞାନର ଭେଳା

ଭାଷୀ ହୋଇଲେ ଯାଦୃଚ୍ଛିକ
ଶବ୍ଦାର୍ଥ ହୁଏନି ସାର୍ଥକ
ଏହି ସୂଚନା ମନେ ରଖି
ବିଜ୍ଞାନୀ ରଖୁଥାଂତି ଲେଖି

ବହୁସ୍ତରୀୟ ହେଉ ଭାଷା
ସଭିଏଁ କରିବେ ଭରସା
ପରିଶ୍ରମୀଂକ ଚେଷ୍ଟା ନିଷ୍ଠା
ଦେଉ ଏ ଭାଷାକୁ ପ୍ରତିଷ୍ଠା

ସ୍ଥୂଳ ହୋଇଲେ ଅଭିବ୍ୟକ୍ତି
କମିଯାଏ ଭାଷାର ଶକ୍ତି
କରିଲେ ସୂକ୍ଷ୍ମତା ସାଧନ
ଭାଷା ବହନ କରେ ଜ୍ଞାନ

 

Comments are closed.