କଲମ୍ବୋ: ଲଙ୍କା ଜଳୁଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁ ଅସ୍ଥିରତା ବ୍ୟାପକ ହିଂସାର ରୂପ ନେଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଏହାର ମୁକାବିଲା ପାଇଁ ସରକାର ଜରୁରୀ ପରିସ୍ଥିତି ସତ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ସେନା ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ହିଂସା ମୁକାବିଲା ପାଇଁ ଶ୍ରୀଲଙ୍କାରେ ବନ୍ଦ ହୋଇଛି ସୋସିଆଲ୍ ମିଡିଆ । ସରକାର ସୋସିଆଲ୍ ମିଡିଆ ଉପରେ ବ୍ୟାନ୍ ଲଗାଇଛନ୍ତି । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟସଆପ୍ ଆଦି ସୋସିଆଲ୍ ମିଡିଆ ସାଇଟ୍ ଉପରେ ରୋକ ଲାଗିଛି । ଆନ୍ଦୋଳନାତ୍ମକ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ।
ଶ୍ରୀଲଙ୍କାରେ ଏବେ ଖାଦ୍ୟର ଅଭାବ । ପେଟ୍ରୋଲ ଓ ଡିଜେଲ୍ ମିଳୁନି । ବିଜୁଳି କାଟ ଯୋଗୁ ସ୍ଥିତି ସାଂଘାତିକ ହୋଇଛି । ଲୋକମାନେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ୟକ୍ତ ଲୋକ ରାଷ୍ଟ୍ରପତିଙ୍କ ଘର ଉପରେ ବି ଆକ୍ରମଣ କରିଛନ୍ତି । ପରିସ୍ଥିତି ବିଗୁଡୁଥିବାରୁ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ରାଷ୍ଟ୍ରପତି ।
Comments are closed.