ନ୍ୟୁୟର୍କ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ୪୦ଦିନରେ ପହଞ୍ଚିଛି । ଏହି ୪୦ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଛି । ୟୁକ୍ରେନ ରାଜଧାନୀ କିଭ ପାଖରେ ଥିବା ବୁଚା ସହରରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଏହା ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ପୁଟିନଙ୍କୁ ‘ଯୁଦ୍ଧ ଅପରାଧୀ’ କହିଥିଲି । ଏହାକୁ ନେଇ ମତେ ସମାଲୋଚନା କରାଯାଇଥିଲା । କିନ୍ତୁ ସେ ଜଣେ ଯୁଦ୍ଧ ଅପରାଧୀ। ଆମେରିକା ୟୁକ୍ରେନକୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିବ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜଣେ ନିଷ୍ଠୁର ଏବଂ ବୁଚାରେ ଯାହା ଘଟୁଛି ତାହା ସମସ୍ତଙ୍କୁ କ୍ରୋଧିତ କରିବା ଭଳି ଘଟଣା । ଆବଶ୍ୟକ ପଡିଲେ ପୁଟିନଙ୍କ ଉପରେ ଆହୁରି ଅଧିକ କଟକଣା ଲଗାଯିବ।
ଅନ୍ୟପକ୍ଷରେ, ଜେଲେନସ୍କି କହିଛନ୍ତି ଯେ ବୁଚାରେ ସାଧାରଣ ନାଗରିକଙ୍କୁ ମନଇଚ୍ଛା ହତ୍ୟା କରାଯାଇଥିଲା। ଯେଉଁମାନେ ଯୁଦ୍ଧ ଅପରାଧ କରିଛନ୍ତି ସେମାନେ ମୃତ୍ୟୁ ଦଣ୍ଡ ପାଇବାକୁ ଯୋଗ୍ୟ।
ଉଲ୍ଲେଖଯୋଗ୍ୟ, ୟୁକ୍ରେନ ରାଜଧାନୀ କଭରୁ ରୁଷ ଏବେ ନିଜ ସେନାଙ୍କୁ ପ୍ରତ୍ୟାହାର କରିବା ପରେ ଅନେକ ଲୋକଙ୍କର ଶବ ସହର ବାହାରେ ଥିବା ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି । ଯେଉଁମାନଙ୍କ ମଧ୍ୟରୁ କେତେକଙ୍କ ହାତ ବନ୍ଧା ହୋଇଥିବାବେଳେ ଅନ୍ୟମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇଉରୋପୀୟ ନେତାମାନେ ଏପରି ଘଟଣାକୁ ନିନ୍ଦା କରିବା ସହ ବୁଚାରେ ଶବ ବ୍ୟବଚ୍ଛେଦ ପରେ ମସ୍କୋ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
Comments are closed.