Latest Odisha News

BREAKING NEWS

ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ

ନୂଆଦିଲ୍ଲୀ: ନାଇଜେରିଆର ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଯାଉଥିବା ନାଇଜେରିଆର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

ମୃତ୍ୟୁବରଣ କରିଥିବା ୩୨ ଜଣଙ୍କ ମଧ୍ୟରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ ବିମାନ କର୍ମଚାରୀ ରହିଛନ୍ତି। ସୋମବାର ସକାଳେ ନାଇଜେରିଆନ ବାୟୁସେନାର ବିମାନ ATR-42 ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ସୋମବାର ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।ଶେଷରେ ଇଗବୋକୋଡା ଉପକୂଳବର୍ତ୍ତୀ ସହର ନିକଟରେ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା ଏବଂ ସେଠାରେ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା।

ଦୁର୍ଘଟଣା ପରେ ନାଇଜେରିଆ ବାୟୁସେନା କହିଛି ଯେ, ସମ୍ପୃକ୍ତ ଆପାତକାଳୀନ ସେବା ଓ ଏଜେନ୍ସିଗୁଡ଼ିକ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍‌କୁ ସଫଳ କରିବା ପାଇଁ ଏୟାରଫୋର୍ସ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ଏହି ଭୟାବହ ଦୁର୍ଘଟଣା ପରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁ ଶୋକ ପ୍ରକାଶ କରିଛନ୍ତି। ଏହି ଘଟଣାରେ କେହି ଜୀବିତ ନ ଥିବା କଥା ନିଶ୍ଚିତ କରିବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ତୁରନ୍ତ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିବାକୁ ନାଇଜେରିଆ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିକଟ ଅତୀତରେ ନାଇଜେରିଆରେ ଘଟିଥିବା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଉଛି।

Leave A Reply

Your email address will not be published.