Latest Odisha News

ରଥଯାତ୍ରା: ଦୁଇ ବର୍ଷ ପରେ ରଥ ଟାଣିବେ ଭକ୍ତ

ପୁରୀ: କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି । ତେଣୁ ଦୁଇ ବର୍ଷ ପରେ ଚଳିତଥର ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ରଥଯାତ୍ରାରେ ରଥ ଟାଣିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଏହା ପୂର୍ବରୁ ହେବାକୁ ଥିବା ଚନ୍ଦନ ଯାତ୍ରା ଏବଂ ସ୍ନାନଯାତ୍ରା ମଧ୍ୟ ଦେଖିବାକୁ ଭକ୍ତଙ୍କୁ ସୁଯୋଗ ମିଳିବ ବୋଲି ସୂଚନା ରହିଛି। ଶ୍ରୀରାମ ନବମୀ ତିଥି ଏବଂ ପରମ୍ପରା ଅନୁଯାୟୀ ରବିବାର କଟକ ଖପୁରିଆ କରତକଳରେ ରଥକାଠ ଚିରଟ ଅନୁକୂଳ ଆରମ୍ଭ ହୋଇଛି। ମେ ତିନି ତାରିଖରୁ ଅକ୍ଷୟା ତୃତୀୟା ରହିଛି। ଏହି ଦିନଠୁ ରଥ ନିର୍ମାଣ ହେବ ବୋଲି ସୂଚନା ରହିଛି। ଏଯାଏ 81 ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ପହଞ୍ଚିଛି ।

ଉଲ୍ଲେଖଯୋଗ୍ୟ, ସଂକ୍ରମଣ କମିବା ପରେ ରାଜ୍ୟରେ କରୋନା ନିୟମ ହଟାଇ ଦିଆଯାଇଛି। ନିକଟରେ ହୋଇଥିବା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥକୁ ମଧ୍ୟ ଭକ୍ତମାନେ ଟାଣିଛନ୍ତି । କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦୀର୍ଘ ଦୁଇ ବର୍ଷ ହେବ ରଥ କେବଳ ସେବାୟତ, ସୁରକ୍ଷାକର୍ମୀ ଏବଂ ପୁଲିସ ମାନେ ଟାଣୁଥିଲେ । ଏ ନେଇ ଅନେକ ପ୍ରସ୍ତୁତି ମଧ୍ୟ ହେଉଥିଲା। ଚଳିତଥର ରଥଯାତ୍ରା ବେଳକୁ ଯଦି ସବୁକିଛି ଠିକଠାକ ହୁଏ ତାହେଲେ ଭକ୍ତଙ୍କୁ ରଥ ଟାଣିବାକୁ ସୁଯୋଗ ଦିଆଯିବ ବୋଲି ସୂଚନା ରହିଛି। ଜୁଲାଇ 1 ତାରିଖ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା।

Comments are closed.