Latest Odisha News

BREAKING NEWS

ଇମ୍ରାନଙ୍କୁ ସମର୍ଥନ କରି ପାକିସ୍ତାନରେ ବିଶାଳ ରାଲି

ଲାହୋର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଜରିଆରେ ଗାଦିଚ୍ୟୁତ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆ ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାନ । ଏପରି କ୍ଷମତାଚ୍ୟୁତକୁ ବିରୋଧ କରି ଲାହୋର ଲିବର୍ଟି ଛକରେ ପାକିସ୍ତାନ ତେହେରିକ୍-ଏ-ଇନସଫା (ପିଟିଆଇ)ର ବହୁ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରବିବାର ରାତି ୯ଟାରୁ ଆରମ୍ଭ ହୋଇ ସୋମବାର ଭୋର୍ ୩ଟା ଯାଏ ଚାଲିଥିଲା ଏହି ରାଲି । ଏହି ରାଲିରେ ସୁବବର୍ଗର ଲୋକେ ସାମିଲ ହୋଇ ଏକତା ପ୍ରଦର୍ଶନ କରିଥିଲେ।

ଇସଲାମାବାଦ, କରାଚି ପାଖରୁ ଆରମ୍ଭ କରି ପାକିସ୍ତାନର ସମସ୍ତ ଜିଲ୍ଲାରେ ଏପରି ବିଶାଳ ସମାବେଶ ହୋଇଥିବା ଦେଖିବାକୁ ମିଳିଛି। ଇମ୍ରାନ ଖାନଙ୍କ ଆହ୍ୱାନ କ୍ରମେ ଅନେକ ଘଣ୍ଟା ଧରି ଏପରି ସମାବେଶ ହୋଇଥିଲା।

କ୍ଷମତାଚ୍ୟୁତ ହେବା ପରେ ଇମ୍ରାନ ଖାନ୍ ଟ୍ୱିଟ୍ କରି କହିଥିଲେ ଯେ, ପାକିସ୍ତାନରେ ଶାସନ ପରିବର୍ତ୍ତନ ପଛରେ ରହିଛି ବିଦେଶୀ ଷଡଯନ୍ତ୍ର। ଏବେ ଏକ ଆମଦାନୀ ସରକାର ଆସିଛି । ଏପରି ହେବା ଦ୍ୱାରା ପାକିସ୍ତାନରେ ପୁଣିଥରେ ଏକ ସ୍ୱାଧୀନତା ସଂଗ୍ରାମର ଆରମ୍ଭ ହୋଇଛି। ନିଜ ସମର୍ଥକଙ୍କୁ ଉତ୍ସାହିତ କରିବାକୁ ଯାଇ ସେ ଏପରି କହିଛନ୍ତି। ଅନ୍ୟ ଏକ ଟୁଇଟରେ ଇମ୍ରାନ ଲାହୋର ରାଲିକୁ ଆକାଶମାର୍ଗରୁ ଦେଖିବା ସହ ଏତେ ବଡ଼ ଜନସମାଗମ ସେ କେବେ ଦେଖିନଥିବା କହିଛନ୍ତି।

ପିଟିଆଇର ସ୍ଥାନୀୟ ନେତୃତ୍ୱ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଇମ୍ରାନଙ୍କ ସମର୍ଥକମାନେ ଆମେରିକା ସହିତ ନୂଆ ସରକାର ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ପାକିସ୍ତାନ ମୁସଲିମ ଲିଗ୍-ନବାଜ (ପିଏମଏଲ-ଏନ) ସଭାପତି ତଥା ଆଗାମୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ୍ ଦେଉଥିଲେ ଲୋକେମାନେ । ବିକ୍ଷୋଭକାରୀଙ୍କ ହାତରେ ଥିବା ଅଧିକାଂଶ ପ୍ଲାକାର୍ଡରେ ଲେଖାଥିଲା “ଆମଦାନୀ ହୋଇଥିବା ସରକାର ଗ୍ରହଣୀୟ ନୁହେଁ” । ସୋମବାର ସକାଳ ସୁଦ୍ଧା ୨.୭ ମିଲିୟନରୁ ଅଧିକ ଟୁଇଟ୍ ସହିତ ପାକିସ୍ତାନର ଟପ୍ ଟ୍ରେଣ୍ଡରେ ଥିଲା।

ବିଦେଶୀ ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଇମ୍ରାନଙ୍କ ସମର୍ଥନରେ ଏତେ ଲୋକ ରାସ୍ତାକୁ ଓହ୍ଲାଇ ଥିବାରୁ ପିଟିଆଇ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

Comments are closed.