Latest Odisha News

BREAKING NEWS

Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’

ଭୁବନେଶ୍ବର: କୋଟିଆକୁ ନେଇ ପୁଣି ମୁହାଁମୁହିଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ! କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ବିବାଦୀୟ କୋଟିଆ ଅଞ୍ଚଳର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଓଡ଼ିଶା ସରକାର ତତ୍ପର ହୋଇଉଠିଛନ୍ତି। ଏହି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ରଖିବା ସହ ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା କହିଛନ୍ତି।

ମନ୍ତ୍ରୀ ସ୍ପଷ୍ଟ ମତ ରଖି କହିଛନ୍ତି, କୋଟିଆ ଓଡ଼ିଶାର। ଆନ୍ଧ୍ର ଯେଉଁ ଉଦ୍ୟମ କରୁଛି, ତାହାକୁ ରୋକିବାକୁ ଓଡ଼ିଶା ସରକାର ଚେଷ୍ଟା କରୁଛନ୍ତି। ଏଥିସହ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ କୋଟିଆ ଉପରେ ନଜର ରଖିବାକୁ କୁହାଯାଇଛି। ଆନ୍ଧ୍ରପ୍ରଦେଶର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଥିବା ମନ୍ତ୍ରୀ କହିଛନ୍ତି।

ଆହୁରି ମଧ୍ୟ କୋଟିଆକୁ ନେଇ ନିଜ ମତ ରଖି ମନ୍ତ୍ରୀ ସୁରେଶ ପୂଜାରୀ କଟାକ୍ଷ କରି କହିଛନ୍ତି, ପୂର୍ବରୁ ଓଡ଼ିଶା ସରକାର କୋଟିଆବାସୀଙ୍କ ପାଖରେ ଠିକ୍ ଭାବେ ପହଞ୍ଚିପାରି ନଥିବା ସମୟରେ ଆନ୍ଧ୍ର ସେଠାରେ ମାଉସୀ ଭଳି ଭୂମିକା ନେଉଥିଲା। କିନ୍ତୁ ଏବେ ଓଡ଼ିଶା ସରକାର କୋଟିଆବାସୀଙ୍କ ପାଖରେ ପହଞ୍ଚିଛନ୍ତି। ତେଣୁ ମାଆ ଆସିଗଲା ପରେ ମାଉସୀର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏଥିସହିତ କୋଟିଆରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ପ୍ରଶାସନିକ ଉଦ୍ଦେଶ୍ୟ ନେଇ ହସ୍ତକ୍ଷେପ କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଆନ୍ଧ୍ରର ଲୋକେ ପର୍ଯ୍ୟଟକ ଭାବେ କୋଟିଆକୁ ଆସିପାରିବେ କିମ୍ବା ସେଠାରେ ରହୁଥିବା ସମ୍ପର୍କୀୟଙ୍କୁ ଭେଟିପାରିବେ। କିନ୍ତୁ ଲୋକଙ୍କୁ ପ୍ରଭାବିତ କରିବା, ପ୍ରଚାରପତ୍ର ବାଣ୍ଟିବା କିମ୍ବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ ବୋଲି ସେ କହିଛନ୍ତି।

କୋଟିଆ ଓଡ଼ିଶା ସରକାରଙ୍କ ପାଇଁ ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି। ଅଞ୍ଚଳର ବିକାଶ ପାଇଁ ସରକାରୀ ଅଧିକାରୀମାନେ ନିୟମିତ ଭାବେ ସେଠାକୁ ଯିବେ। ସ୍ୱାସ୍ଥ୍ୟସେବା, ଶିକ୍ଷା, ମୋବାଇଲ୍ ନେଟୱର୍କ ଟାୱାର, ରାସ୍ତାଘାଟ ଓ ପର୍ଯ୍ୟଟନର ବିକାଶ ପାଇଁ ଯୋଜନା କରାଯାଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି କୋଟିଆବାସୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା, ଯାହାଦ୍ୱାରା ସେମାନେ ନିଜ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଯୋଗାଯୋଗ ସୁବିଧା ପାଇପାରିବେ।

ଆନ୍ଧ୍ର ପକ୍ଷରୁ ଅକ୍ଟୋବର ୨୮ ତାରିଖରେ ନିର୍ବାଚନ ହେବାକୁ ଥିବା କଥା ଉଲ୍ଲେଖ କରି ମନ୍ତ୍ରୀ କୋଟିଆବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ତାଙ୍କ କହିବା ଅନୁସାରେ, କୋଟିଆବାସୀ ଓଡ଼ିଶା ସରକାରଙ୍କ ସହ ଅଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ହଟଚମଟ କରିବା ପରିବର୍ତ୍ତେ ବିକାଶମୂଳକ କାର୍ଯ୍ୟରେ ସାମିଲ ହେବା ଉଚିତ। ମନ୍ତ୍ରୀ କହିଛନ୍ତି, ସେ କଂଗ୍ରେସ ବିଧାୟକ ଦଳ ନେତା ଓ ଅନ୍ୟ ବରିଷ୍ଠ ବିଧାୟକଙ୍କ ସହ କୋଟିଆ ଗସ୍ତ କରିଥିଲେ। ସେଠାରେ ସରକାର କ’ଣ କରୁଛନ୍ତି, ସେମାନେ ମଧ୍ୟ ତାହା ଜାଣିଛନ୍ତି। ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ନେଇ ଅଭିଯୋଗ କରୁଛନ୍ତି, ସେମାନେ ମଧ୍ୟ ଏହି ଅଭିଯାନରେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.