Latest Odisha News

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ,ଭର୍ଚୁଆଲ ମୋଡରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ

ପୁରୀ : ପୁରୀରେ ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ହୋଇଯାଇଛି । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ  । ଏହି କାର୍ଯ୍ୟାକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ ।

ପୁରୀେରେ ବହୁ ବାଦ ବିବାଦ ଲାଗିରହିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ନିମନ୍ତ୍ରଣ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି କେନ୍ଦ୍ରମନ୍ତ୍ରୀ ଆଜି ଉଦଘାଟନୀ ସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ । ପରେ ବିଦ୍ୟାର୍ଥୀ ମାନଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ଭାଗ ନେଇଥିବା ମେଡିକାଲ ଛାତ୍ର ବାଲେଶ୍ବର ଜିଲ୍ଲାର ଶ୍ରୀ ରାଧାବଲ୍ଲଭ ବେହେରା ଜଣେ ଭାଗଚାଷୀଙ୍କ ପୁଅ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରି ସେ କହିଥିଲେ ଯେ ଆଜି ଏଥିପାଇଁ ସେ ଏମବିବିଏସ  ପାଠ ପଢିବାର ସୁଯୋଗ ପାଇଛନ୍ତି । ସେହିପରି ମୟୁରଭଂଜ ଜିଲ୍ଲାର ଶ୍ରୀ ଭଟ୍ଟ ହେମ୍ବ୍ରମ ମଧ୍ୟ ଜଣେ ଅତି ଗରିବ ପରିବାର ପିଲା । ତାଙ୍କ ବାପମା ଉଭୟ ଦିନ ମଜୁରିଆ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସେ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରିଥିଲେ ।

ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୦୦ଟି ଏମବିବିଏସ  ଆସନ ରହିଛି । । ଏହାଦ୍ବାରା ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ ଏମବିବିଏସ ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି ।କଲେଜରେ ସୋମବାରଠାରୁ ଆରମ୍ଭ ହେବ ପ୍ରଥମ ବ୍ୟାଚର ପାଠପଢ଼ା । ଏଥିପାଇଁ ଏମବିବିଏସରେ ପ୍ରଥମ ବ୍ୟାଚରେ ଶହେ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା ।

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଏହି କଲେଜ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପୁରୀର ଶ୍ରୀ ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ । ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ।

ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।

ମେଡିକାଲ କଲେଜ ସହିତ ୬୫୦ ଆସନ ବିଶିଷ୍ଟ ଏକ ସାତ ମହଲା ବିଶିଷ୍ଟ ଶିକ୍ଷା ହସ୍‌ପିଟାଲ ନିର୍ମାଣ ପାଇଁ ମଧ୍ୟ କାମ ଚାଲିଛି । ଏହି ଶିକ୍ଷା ହସ୍‌ପିଟାଲ ଜୁଲାଇ ୨୦୨୩ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ବର୍ତ୍ତମାନ ଏହି କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିକ୍ଷା ହସ୍‌ପିଟାଲ ଭାବେ କାର୍ଯ୍ୟ କରୁଛି। ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମେଡିକାଲ କଲେଜ ଓ ହସ୍‌ପିଟାଲ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡାମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା, ସାଂସଦ ଶ୍ରୀ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.