ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୭
ଚିତ୍ର ଭିତରେ ଆରାଧ୍ୟା ଜୀବନ ଦେଖେ । ଅନୁଭବ କରେ । ଭୋଗେ । ବୈଭବଙ୍କୁ ବୁଝେଇ ପାରେନା ତା’ର ମାନେ କ’ଣ, ବା
ବୁଝେଇବା ଆଉ ଜରୁରୀ ଭବେନା ।
କୁମାର କିନ୍ତୁ ସେ ବାବଦରେ ଟିକେ ଅଲଗା । ସେ ଦିନ ଫେରିବା ବେଳେ, ତା’ର ଏଇ ସୌକ ବିଷୟରେ ଜାଣିବା କ୍ଷଣୀ ନିଜେ ଏ ସବୁର ଯୋଗଡ଼ କରି ଚିତ୍ର ଆଙ୍କିବାକୁ ବାଧ୍ୟ କରିଥିଲା । ଏ ସବୁରୁ ପାଉଥିବା ଆନନ୍ଦ ଓ ଆତ୍ମ ସନ୍ତୋଷ ବିଷୟରେ କାହାକୁ
କ’ ଣ ବୁଝେଇ ହୁଏ!
ବୈଭବ ଏବେ ଖୁବ୍ ଟେନସନ୍ରେ ରହୁଛନ୍ତି । ନିହାତି ବିଜନେସ୍ ପାଇଁ । ସେ ଜାଣେ, ଅଫିସ୍ କଥା ସେ ତା’ ସହ କେବେ ବି ସେୟାର କରନ୍ତିନି । କହିବେନି କିଛି । କିନ୍ତୁ ସେ ବୋଧହୁଏ ପୁଣି ଥରେ ବାହାରକୁ ଯିବାକୁ ପ୍ଲାନ୍ କଲେଣି । ରାତି ଅଧଯାଏ ଫୋନ୍ରେ କାହା ସହ ସେ ବିଷୟରେ ଗପୁଥିଲେ!
ଯାଆନ୍ତୁ । ଆରାଧ୍ୟା ଭିତରେ ଆଉ ସେ ବ୍ୟାକୁଳତା ନାହିଁ । ତା’ ଅଭ୍ୟାସରେ ପରିଣତ ହେଇସାରିଛି । ବୈଭବ ବିଦେଶ ଯିବେ, ଗୁଡାଏ ଦିନ ରହିବେ, କୋଉ ନୂଆ କଥା! ଯାଆନ୍ତୁା ତା’କୁ ବଞ୍ଚିବାର ନୂଆ ରାହା ମିଳି ଯାଇଛି । ବୈଭବ ଆଗରୁ ଠିକ୍ କହୁଥିଲେ, ସମୟ କଟୁନି କ’ଣ? କାଟି ଜାଣିଲେ ଠିକ୍ କଟିବ ।
ସେ ଡିସାଇଡ଼୍ କରିଛି, ଇକୋନମିକ୍ସରେ ପିଜି କରୁଥିଲା, ଲାଷ୍ଟ ଇୟରଟା ବାକି ଅଛି ତ’ ଘରେବସି କମ୍ପ୍ଲିଟ୍ କରିଦେବ । ତା’କୁ
ଆଉଥରେ ପଢା ଆରମ୍ଭ କରିବାର ଅଛି । ତା’ ଭିତରେ ଯେଉଁ ଆଶାର କିରଣଟି ଜନ୍ମ ନେଇଛି, ସେ ତାକୁ ପୁଣି ଥରେ ଝାଉଁଳି
ଯିବାକୁ ଦେବନାହିଁ ।
ଦିନ ପରେ ଦିନ ଗଡ଼ି ଚାଲିଛି । ଆରାଧ୍ୟା ଓ ବୈଭବ ଭିତରର ଦୂରତା ବି ବଢ଼ିବାରେ ଲାଗିଛି । ଗୋଟିଏ ଛାତ ତଳେ ଥାଇ ମଧ୍ୟ, ଦୁହିଁଙ୍କର ରୋଜ୍ ଭେଟ ହେଇ ପାରେନା ।
ସମ୍ପର୍କମାନେ ଯେତିକି ମଧୁର ସେତିକି ସୁକ୍ଷ୍ମ । ପାଣି ଛିଞ୍ଚି ସତେଜ ରଖିବାକୁ ହୁଏ । ଦୀର୍ଘଦିନ ଅବହେଳିତ ହେଲେ କେତେବେଳେ ଝାଉଁଳି ଯାଇଥାଏ ଯେ, ତା’ର ଆଭାସ ବି ମିଳେନା । ଦିନେ ସମ୍ପୂର୍ଣ୍ଣ ବିଲୁପ୍ତ ହେଇଯାଏ । ଯାହା ରହିଯାଏ ତାହା କେବଳ ଜୀବାସ୍ମ, ସ୍ମୃତି ।
କ୍ରମଶଃ
Comments are closed.