Latest Odisha News

BREAKING NEWS

ଶୁକଶାରି ମନ୍ଦିରରୁ ମିଳିଲା ପ୍ରାଚୀନ ଲିପି, ଅଧିକ ଗବେଷଣା ଆବଶ୍ୟକ: ଏଏସ୍‌ଆଇ

ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ଚାଲିଥିବା ଖନନ କାର୍ଯ୍ୟ ଲୋକଙ୍କ ଭିତରେ ଦିନକୁ ଦିନ ଉତ୍କଣ୍ଠା ବଢ଼ାଇବାରେ ଲାଗିଛି। ମାଟି ତଳୁ ବାହାରୁଥିବା ପ୍ରାୟ ୧୪ ଶହ ବର୍ଷ ତଳର କୀର୍ତ୍ତିରାଜି କିଭଳି ପୋତି ହୋଇଗଲା, ତାହା ଜାଣିବାକୁ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ପୂର୍ବରୁ ୪ଟି ମନ୍ଦିର ଭଗ୍ନାବଶେଷ ସହିତ ତିନି ତିନିଟି ପ୍ରାଚୀନ ମୂର୍ତ୍ତି ବାହାରି ସାରିଲାଣି। ଆଜି ମାଟି ତଳୁ ବାହାରିଛି ପ୍ରାଚୀନ ଲିପି ଓ ପୌରାଣିକ ଚିତ୍ରକଳା। ଉକ୍ତ ଚିତ୍ରକଳା ସବୁ ଏକାମ୍ର କ୍ଷେତ୍ରରେ ଶିବପାର୍ବତୀଙ୍କ ଲୀଳାଖେଳାକୁ ନେଇ ରହିଥିବା ପୌରାଣିକ କାହାଣୀର ଚିତ୍ର ବୋଲି ଅନୁମାନ କରାଯାଉଛି। ତେବେ ଏହା ଉପରେ ଅଧିକ ଗବେଷଣା ଦରକାର ଓ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି।

ଗତକାଲି ଖନନ ବେଳେ ମାଟି ଭିତରୁ ଏକ ଦେବୀ ମୂର୍ତ୍ତିର ଅଧା ଅଂଶ ଦେଖାଯାଇଥିଲା। ତାହା ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ମୂର୍ତ୍ତି ବୋଲି କୁହାଯାଇଥିଲା। ଆଜି ଏହି ମୂର୍ତ୍ତିକୁ ପୂରା ବାହାର କରାଯାଇଛି। ମା’ଙ୍କ ଏହି ମୂର୍ତ୍ତି ସିଂହାସନ ଉପରେ ବିରାଜମାନ ଅବସ୍ଥାରେ ବାହାର କରାଯାଇଛି। ତେବେ ଏହା ମହିଷାମର୍ଦ୍ଦିନୀ ନୁହେଁ, ମା’ ଭବାନୀ ମୂର୍ତ୍ତି ବୋଲି କୁହାଯାଉଛି।

ଭବାନୀ ଶଙ୍କର ମନ୍ଦିର ନିକଟରୁ ବାହାରିଥିବାରୁ ଏହାକୁ ମା’ଭବାନୀଙ୍କ ମୂର୍ତି ବୋଲି ଅନୁମାନ କରାଯାଉଛି। ସେହିଭଳି ଏହି ମୂର୍ତି ଉଦ୍ଧାର ହୋଇଥିବା ମନ୍ଦିର ପ୍ରାଙ୍ଗଣ ଓ କାନ୍ଥରେ ଆଜି ସ୍ବତନ୍ତ୍ର ଲିପି ଦେଖିବାକୁ ମିଳିଛି। ଏହି ଶିଳାଲିପି କେଉଁ ଭାଷାରେ ଲେଖାଯାଇଛି ଓ ଏଥିରେ କ’ଣ ଲେଖାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ଗବେଷଣା ପରେ ଏଥିରୁ ବହୁ ତଥ୍ୟ ମିଳିବ ବୋଲି କୁହାଯାଉଛି।

Comments are closed.