ଭୁବନେଶ୍ୱର : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ତେବେ ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ ।
ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।
Comments are closed.