ବରଯାତ୍ରୀରେ ନଚେଇଲେ ବିଷାକ୍ତ ନାଗ, କରଞ୍ଜିଆ ରେ ୫ ଜଣ ଗିରଫ
ଯାଜପୁର ରେ ଏକ ନାଗିନ୍ ଗୀତ ଭିଡିଓ ସୁଟିଂ ବେଳେ ଏକ ବିଷାକ୍ତ ନାଗ ସାପ ବ୍ୟବହାର କରାଯାଇଛି। ମାସକ ଆଗରୁ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଶୂନ
ଭୁବନେଶ୍ୱର: ବରଯାତ୍ରୀ ରେ ନାଗ ସାପ ଧରି ନାଚୁଥିଲେ । ଭିଡିଓ ଭାଇରାଲ ହେଲା । କରଞ୍ଜିଆ ବନ ବିଭାଗ ଆସି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏନେଇ ସ୍ନେକ୍ ହେଲପଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ୍ ସୂଚନା ଦେଇଛନ୍ତି । ବୁଧବାର କରଞ୍ଜିଆ ସହରରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଜଣେ ସାପୁଆ ଏକ ବିଷାକ୍ତ ନାଗ ଧରି ନାଚୁଥିବା ଦେଖିବାକୁ ମିଳିଥିଲା ।
ନିଜେ ନାଚିବା ସହ ସାପକୁ ଧରି ଅନ୍ୟ ମାନଙ୍କୁ ମଧ୍ୟ ନଚାଉଥିଲେ ସାପୁଆ ଜଣକ । ଅଭିଯୋଗ ହେବା ପରେ କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାୟକ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଡିଏଫଓ, ରେଞ୍ଜ ଅଫିସର ପ୍ରବୀର ମୁର୍ମୁ ଏବଂ ଏସିଏଫ ଫାଲ୍ଗୁନି ବେହେରାଙ୍କୁ ଶୁଭେନ୍ଦୁ ଧନ୍ୟବାଦ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ସହିତ ଶୁଭେନ୍ଦୁ ଏକ ଅଭିଯୋଗ ମଧ୍ୟ ନିଜ ଫେସବୁକ୍ ପୋଷ୍ଟ ଜରିଆରେ କରିଛନ୍ତି । ଯାଜପୁର ରେ ଏକ ନାଗିନ୍ ଗୀତ ଭିଡିଓ ସୁଟିଂ ବେଳେ ଏକ ବିଷାକ୍ତ ନାଗ ସାପ ବ୍ୟବହାର କରାଯାଇଛି । ଯାହାକୁ ନେଇ ସେ ଅଭିଯୋଗ ମଧ୍ୟ ଦାଖଲ କରିସାରିଛନ୍ତି । ମାସକ ଆଗରୁ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାକୁ ଶୁଭେନ୍ଦୁ ନାପସନ୍ଦ କରିଛନ୍ତି ।

ସେ ଲେଖିଛନ୍ତି, ଯଦି କରଞ୍ଜିଆ ଡିଏଫଓ ନିଜର ଦାୟିତ୍ୱ ଠିକ୍ ରେ ତୁଲାଇ ପାରୁଛନ୍ତି । କଟକ ଡିଏଫଓ ଙ୍କ ଠାରେ କି ଅସୁବିଧା ଅଛି ବୋଲି ପ୍ରଶ୍ନ କରିଛନ୍ତି। ଖୁବ୍ ଶୀଘ୍ର ଭିଡିଓ ସୁଟିଂ କରୁଥିବା ଟିମ୍ ଓ ସାପ ଯୋଗାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ଶୁଭେନ୍ଦୁ ।

ପ୍ରମାଣ ସ୍ୱରୂପ ଭିଡିଓର ସ୍କ୍ରିନସଟ୍ ସେୟାର କରି କଟକ ଡିଏଫଓଙ୍କୁ ଭର୍ତ୍ସନା କରିଛନ୍ତି ସ୍ନେକ ହେଲପଲାଇନ ପ୍ରତିଷ୍ଠାତା ।
Comments are closed.