ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୨
ଅସୁବିଧା କୋଉଠି ଆରାଧ୍ୟା ? କେଦାରକୁ ନେଇ ଆମେ ଖୁସିରେ ରହିବା । ମୋ’ ପରି କୋଉଠି ନା କୋଉଠି ତୁମେ ବି ମତେ ପସନ୍ଦ କର । ଫାଙ୍କି ପାରିବକି କୁହ ? ଅରୁ..ତୁମ ଜୀବନରେ ଯାହା ଘଟିଯାଇଛି ସେସବୁ ତୁମ ଅତୀତ । ଏବେ ନୂଆକରି ଜୀବନ ଗଢ଼ିବା । ଭାବିକି ଜବାବ୍ ଦିଅ । ଏମିତି ହଠାତ୍ କିଛି ନିଷ୍ପତି ନିଅନା ପ୍ଲିଜ୍ ।
ଭାବି ସାରିଛି । ହଁ ମୁଁ ପସନ୍ଦ କରେ । ଆଉ ସବୁଦିନ ପସନ୍ଦ କରୁଥିବି । ଜୀବନର ଅନେକ ଜଟିଳ ସମୟରେ ତୁମେ ମୋ ପାଖରେ ଥିଲ, ଅଛ ଆଉ ରହିବ ମଧ୍ୟ । ସବୁବେଳେ ମୋ’ ସାହାରା ହୋଇଛ, ସାଥ୍ ଦେଇଛ । ଆଉ ମୋ ମନରେ ତୁମ ପାଇଁ ଦୁର୍ବଳତା ଆସିଛି, ତା ବି ସତ । ସେହି କାରଣରୁ ସେ ଦିନ ସବୁ ସୀମାରେଖା ଡେଇଁ ବୋଧହୁଏ ନିଜକୁ ତୁମ ପାଖରେ ସର୍ମପି ଦେବାରେ, ଟିକିଏ ବି ସଙ୍କୋଚ ବୋଧ ହେଲାନାହିଁ ।
ଅଚେତନ ଭାବରେ କ’ଣ ଯେ କରିଗଲି..ବହୁତ ଭାବିଛି । ମନେ ରଖ କୁମାର, ଜୀବନର ଆଉ କେବେ ବି ସେ ସୀମା ଲଙ୍ଘିବି ନାହିଁ । ଏତେ ସବୁ ପରେ ବି ମୁଁ ତୁମକୁ ବିବାହ କରିପାରିବି ନାହିଁ ।
ବହୁତ କଷ୍ଟରେ ମୁଁ ନିଜକୁ ଶକ୍ତ କରିଛି । ମତେ ଆଉଥରେ ତା’ ଭିତରକୁ ଟାଣ ନାହିାଁ
ବିବାହ ଏକ ପବିତ୍ର ସମ୍ପର୍କ । ମୋ ଜୀବନରେ ଯାହା ଘଟିଗଲା, ତୁମେ ଜାଣ । ବିଭୁ ମତେ ଖୁବ୍ ଅସହାୟ ଭାବେ ଛାଡି ଚାଲିଯିବା ପରେ, ସେ ସମ୍ପର୍କ ଉପରୁ ମୋ’ର ଆସ୍ଥା ତୁଟିଯାଇଛି । ସେ ସମ୍ପର୍କକୁ ସେଇଦିନ ହିଁ କବର ଦେଇସାରିଛି । ଦ୍ୱିତୀୟ ଥର ବିବାହ କେବେ ବି କରିବିନାହିଁ ।
ଅରୁ..ତୁମର ସବୁ ନିଷ୍ପତ୍ତିରେ ମୁଁ ରାଜି । ହେଲେବି ମୁଁ ଆଶାବାଦୀ ।
କୁମାର..ସେ ସମ୍ପର୍କରେ ବନ୍ଧନ ଥାଏ, ସ୍ୱାର୍ଥ ଥାଏ, ଅଧିକାର ଥାଏ । କୌଣସି କାରଣରୁ ସେ ସମ୍ପର୍କ ଟଳମଳ ହେଲେ, ମଜବୁତ୍ କରି ରଖିବାକୁ ଅନେକ ସମୟରେ ମଣିଷକୁ ମୁଖା ପିନ୍ଧି ଅଭିନୟ କରିବାକୁ ପଡେ । ସତ ମିଛର ସାହାରା ନିଏ । ହରେଇ ଦେବାର ଭୟରେ ମଣିଷ ଦୁଃଖ ପାଏ । ମୁଁ ବହୁତ ଚିନ୍ତା କରିଛି । ଭାବୁଛି ମତେ ବୁଝିବ, ଭୁଲ ବୁଝିବନି ।
ଆମେ ଚିରଦିନ ଗୋଟେ ନିଃସ୍ୱାର୍ଥ ବନ୍ଧନରେ ବାନ୍ଧି ହେଇ ରହିଛନ୍ତି । ବନ୍ଧୁତାର ବନ୍ଧନ । ଯେଉଁଠି ପାଇବାର ଆଶା ନାହିଁ, ହରେଇ ଦେବାର ଭୟ ନାହିଁ, ଦୁଃଖ ବି ନାହିଁ । ସେମିତି ଆମ ସମ୍ପର୍କ । ଚିରଦିନ ସେମିତି ରହିବାକୁ ଦିଅ ।
ଖୁବ୍ ଶାନ୍ତ ସରଳ ଭାବରେ ଆରାଧ୍ୟା କହିଗଲା ତା’ ମନକଥା । କୁମାର ନୀରବରେ ଆରାଧ୍ୟାର ବିଚାରକୁ ସମ୍ନାନ ଜଣାଇବା ଭଙ୍ଗୀରେ ଚାହିଁ ରହିଛି ।
ଚୋରାବାଲିରେ ଆଉ ପାଦ ଖସିବାର ନାହିଁ । ମରୀଚିକାକୁ ଭେଟିବାର ନାହିଁ । ଏବେ କେବଳ ଜୀବନ । ଜୀବନ୍ତ ଜୀବନ ।
—–ସମାପ୍ତ——
Comments are closed.