Latest Odisha News

BREAKING NEWS

କବିତା : ମାଆର ମମତା

ଶୁଭ୍ରାଂଶୁ ଶେଖର ମାହୁନ୍ତ

ମାଆର ମମତା ଅତୁଳନୀୟ ଯେ
ଶ୍ରଦ୍ଧାରେ ଥାଏ ଯେ ଭରା ,
ସ୍ନେହର ପଣତ ଢାଙ୍କିଥାଏ ସିଏ
ସଦା ସେ ଜୀବନସାରା ।

ନିଃସ୍ବାର୍ଥ ସମ୍ପର୍କ ନିଃସର୍ତ୍ତ ବନ୍ଧନ
ଥାଏ ତା’ ସନ୍ତାନ ସହ,
ଅଳି ଅର୍ଦ୍ଦଳି ସେ ପୂରଣ କରଇ
ହୃଦୟରେ ଚାପି କୋହ ।

ଅନାବିଳ ସ୍ନେହ ଆତ୍ମୀୟତା ଭରା
ଚିର ବନ୍ଦନୀୟା ମାଆ,
ଯେତେ ବର୍ଣ୍ଣିଲେ ବି ଊଣା ତ’ ହୋଇବ
ଅଟେ ସିଏ ପୂଜନୀୟା ।

ସନ୍ତାନଙ୍କ ସୁଖ କଥା ସେ ଭାଳଇ
ନିଜ ସୁଖ ଭୁଲିଯାଇ,
କୁଶଳ ମନାସେ ସନ୍ତାନଙ୍କ ପାଇଁ
ଆଶୀର୍ବାଦ ହାତ ଥୋଇ ।

ଭୁଲି ପାରିବୁନି ମାଆର ମମତା
ମାଆର ପଣତକାନି,
ପୋଛିଦିଏ ଲୁହ କୋଳରେ ବସେଇ
କରେ ସେ ଆମକୁ ତୁନି ।

ବିପଦେ ଆପଦେ ସେଇ ଏକା ସାହା
ଆଶିଷ ଥାଏ ଯେ ଭରା,
ମାଆର ପଣତେ ସରଗର ସୁଖ
ଭୁଲିବୁନି ଆମେ ପରା ।

ସାଳନ୍ଦୀ ବାଇପାସ୍, ଭଦ୍ରକ

Leave A Reply

Your email address will not be published.