Latest Odisha News

BREAKING NEWS

ଆଇଆଇଟି ମାଡ୍ରାସରେ 5ଜି ଟେଷ୍ଟର ସଫଳ ପରୀକ୍ଷଣ କଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ 5G କଲର ପ୍ରଥମ ସଫଳ ପରୀକ୍ଷା ଗୁରୁବାର ଶେଷ ହୋଇଛି । ଆଇଟି ଏବଂ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ଏହି 5G କଲ କରିଛନ୍ତି। ସମଗ୍ର ନେଟୱର୍କକୁ ଭାରତରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ବୋଲି ଟୁଇଟ୍ କରି ସେ କହିଛନ୍ତି ।

ଟେଲିକମ୍ ବିଭାଗ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ଅନୁମୋଦନ ପାଇଁ 5G ସ୍ପେକ୍ଟ୍ରମ୍ ନିଲାମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟକୁ ନେଇପାରେ। ବର୍ଷର ଶେଷ ଭାଗରେ ଆଶା କରାଯାଉଥିବା 5G ସେବାଗୁଡିକର ରୋଲ-ଆଉଟ୍, ସେବା ଗୁଣବତ୍ତା ତଥା ନୂତନ ପ୍ରକାରର ସେବାରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବ। ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଚେୟାରମ୍ୟାନ୍ ପିଡି ଭାଗେଲା କହିଛନ୍ତି ଯେ ଡିଜିଟାଲ୍ ଟେକ୍ନୋଲୋଜି ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ସେବା ଦ୍ୱାରା ଆଗାମୀ ଦିନରେ ପରିବର୍ତ୍ତନ ଦେଖାଯିବ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଟି ମାଡ୍ରାସରେ ଦେଶର ପ୍ରଥମ 5G ପରୀକ୍ଷାକୁ ଉଦଘାଟନ କରିଥିଲେ। ନିକଟରେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ରୌପ୍ୟ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆସନ୍ତା ଦେଢ ଦଶନ୍ଧି ମଧ୍ୟରେ 5G ଦେଶର ଅର୍ଥନୀତିରେ 450 ବିଲିୟନ ଡ଼ଲାର ବୃଦ୍ଧି କରିବ ଏବଂ ଏହା ଦେଶର ଅନେକ ସମ୍ଭାବନାକୁ ବୃଦ୍ଧି କରିବ। ନୂଆ ରୋଜଗାର ମଧ୍ୟ ସୃଷ୍ଟି କରିପାରିବ।

Comments are closed.