Latest Odisha News

BREAKING NEWS

ଏମ୍‍କେସିଜିରେ ଖାଲିଥିବା ପଦବୀ ସପ୍ତାହ ଭିତରେ ହେବ ପୂରଣ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସହଯୋଗୀ ପ୍ରାଧ୍ୟାପକ/ସହକାରୀ ପ୍ରାଧ୍ୟାପକମାନେ ପଦୋନ୍ନତି/ନିୟମିତ ବଦଳିକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରରେ କାର୍ଯ୍ୟରତ ସାମ୍ବାଦିକମାନେ ୪ ଦିନ ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ ।

ସେହିଭଳି ବିଜେପି ଏବଂ ଅନ୍ୟ ସାମାଜିକ ସଂଗଠନଗୁଡ଼ିକ ତରଫରୁ ମଧ୍ୟ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଡାକ୍ତର ଅଭାବକୁ ନେଇ ସମାଲୋଚନାର ଶିକାର ହେବା ପରେ ମଙ୍ଗଳବାର ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟିକରଣ ଦେଇଛନ୍ତି ।

ଅଧ୍ୟକ୍ଷ ଡା. ଅବନୀକାନ୍ତ ମିଶ୍ରଙ୍କ ତରଫରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ଯେ, ଏହି ଭେଷଜ ମହାବିଦ୍ୟାଳୟରେ ସମୁଦାୟ ୩୫ଟି ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଓ ତନ୍ମଧ୍ୟରୁ ୩୫ଟି ପଦବୀରେ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୪ଗୋଟି ପଦବୀ ଖାଲିଅଛି।

ସେହିପରି ୮୧ଟି ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୫୧ଟି ପଦବୀରେ ସହଯୋଗୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୩୦ଟି ପଦବୀ ଖାଲି ଅଛି। ସେହିପରି ମୋଟ ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୫୨ ପଦବୀରେ ସହକାରୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୧୧ଟି ପଦବୀ ଖାଲି ଅଛି।

ଯେହେତୁ ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାଜ୍ୟର ସ୍ୱାର୍ଥ ପାଇଁ ୨ଟି ୧୦୦ ଏମ୍‍ବିବିଏସ୍‍ ସିଟ୍‍ ବିଶିଷ୍ଟ ମେଡିକାଲ୍‍ କଲେଜ ଖୋଲିବା ପାଇଁ ନ୍ୟାସନାଲ ମେଡ଼ିକାଲ କମିଶନ(ଏନ୍‍ଏମ୍‍ସି)କୁ ଆବେଦନ କରିଛନ୍ତି ଏବଂ ଏନ୍‍ଏମ୍‍ସି ମାପଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ୬ଟି ପ୍ରାଧ୍ୟାପକ, ୨୦ଟି ସହଯୋଗୀ ପ୍ରାଧ୍ୟାପକ ଓ ୨୪ଟି ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ଅନିବାର୍ଯ୍ୟ।

ସେଥିପାଇଁ ସରକାର ବାଧ୍ୟ ହୋଇ ରାଜ୍ୟର ପୁରାତନ କଟକ ସ୍ଥିତ ଏସ୍‌ସିବି ଏବଂ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ୍‍ କଲେଜରୁ ଏହି ୨ଟି ନୂତନ ମେଡିକାଲ୍‍ କଲେଜକୁ କିଛି ମେଡିକାଲ୍‍ ଶିକ୍ଷକମାନଙ୍କୁ ବଦଳି କରିଛନ୍ତି।

ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଏକ ଅଗ୍ରଜ ମହାବିଦ୍ୟାଳୟ ହିସାବରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି।

ଏହି ଅନୁକ୍ରମରେ ରାଜ୍ୟ ସରକାର ଗତ ୧୭.୫.୨୦୨୨ ଓ ୧୯.୫.୨୦୨୨ରିଖରେ ଏହି ଭେଷଜ ମହାବିଦ୍ୟାଳୟରେ ୧୧ଜଣ ସହକାରୀ ପ୍ରାଧ୍ୟାପକ, ୧୬ଜଣ ଟିଉଟର ଓ ୪ଜଣ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି। ଖାଲିଥିବା ଅନ୍ୟ ମେଡିକାଲ୍‍ ଶିକ୍ଷକ ପଦବୀ, ସିନିୟର ରେସିଡେଣ୍ଟ ଓ ଟିଉଟର ଦୁଇ ସପ୍ତାହ ମଧ୍ୟରେ ପୂରଣ ପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.