Latest Odisha News

ବ୍ରହ୍ମପୁରରେ ନିର୍ମାଣ ହେଉଛି ବୁଲା ଗୋରୁ ଗାଈଙ୍କ ପାଇଁ ହଷ୍ଟେଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣେ ତେଣେ ବୁଲାବୁଲି କରୁଥିବା ଗୋରୁ ଗାଈକୁ ରଖିବା ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେ ସହର ଉପକଣ୍ଠ ଗୁରୁଣ୍ଠି ପାଖରେ ଏହି ହୋଷ୍ଟେଲ୍‌ ନିର୍ମାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର।

ପ୍ରାୟ ଦୁଇ ଏକ ପରିମିତ ଜମିରେ ଏହି ହୋଷ୍ଟେଲ୍‌ ନିର୍ମାଣ କରାଯାଉଛି। ଏଠାରେ ଏକକାଳୀନ ୧୦୦ଟି ଗାଈ ରହିବା ଭଳି ବ୍ୟବସ୍ଥା ହେଉଛି । ଗାଈକୁ ଖାଦ୍ୟ ଦେବା ସହ ଚିକିତ୍ସା ସୁବିଧା ମଧ୍ୟ ରହିବ ବୋଲି ଆୟୁକ୍ତ ବୋନ୍ଦର ପ୍ରକାଶ କରିଛନ୍ତି ।

ସହରରେ ଅବାଧାରେ ଚାରଣ କରୁଛନ୍ତି ଗାଈ ଗୋରୁ । ମାଲିକମାନେ କ୍ଷୀର କାଢ଼ି ଦେଇ ରାସ୍ତାରେ ଗାଈକୁ ଛାଡ଼ି ଦେଉଛନ୍ତି । ସେମାନଙ୍କ ରହଣୀ କିମ୍ବା ଖାଦ୍ୟର ବ୍ୟବସ୍ଥା କରୁନାହାନ୍ତି । ଅନେକ ଗାଈ ଅନାହାରରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।

ଅପରପକ୍ଷେ ଗାଈ ଯୋଗୁ ସହରରେ ଦୁର୍ଘଟଣା ମଧ୍ୟ ଘଟୁଛି । ରାସ୍ତା ଉପରେ ଦିନ ହେଉ କି ରାତି ଗାଈଗୁଡ଼ିକ ଶୋଇ ରହିଥାଉଛନ୍ତି । ବ୍ୟସ୍ତ ବହୁଳ ରାସ୍ତା ଏମାନଙ୍କ ଦଖଲରେ ରହୁଛି । ବିଶେଷକରି ରାତିର ଅନ୍ଧାରରେ ଗାଈ ଶୋଇଥିବା ଦେଖାଯାଉନାହିଁ ଏବଂ ଗାଡ଼ି ଚାଳକମାନେ ଧୁର୍ଘଟଣା ଘଟାଉଛନ୍ତି।

ବିଗତ ଦିନରେ ବୁଲା ଗାଈଙ୍କୁ ଧରିବା ପାଇଁ ମହାନଗର ନିଗମ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି । ଅସ୍ଥାୟୀ କାଞ୍ଜିଆହୁଦାରେ ରଖାଯାଇଛି । ମାଲିକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି।

କିନ୍ତୁ ବହୁଥର ଏହାକୁ ନେଇ ମାଲିକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମହାନଗର ନିଗମର ଅଧିକାରୀ । ସେହିଭଳି ପଶୁ ସଂପଦ ବିଭାଗ ସହଯୋଗରେ ଗାଈଙ୍କ ଟ୍ୟାଗିଂ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଥିଲା।

ସହରରେ ବୁଲୁଥିବା ଗାଈଙ୍କୁ କାନରେ ସ୍ବତନ୍ତ୍ର ନମ୍ବର ଲଗାଯାଇଥିଲା । ଏହି ନମ୍ବରରେ ମାଲିକଙ୍କ ବିଷୟରେ ସବିଶେଷ ସୂଚନା ରହୁଥିଲା । ଗାଈକୁ ଧରିବା ପରେ ମାଲିକଙ୍କୁ ଯୋଗାଯୋଗରେ ସହଜ ହେଉଥିଲା । ମାଲିକଙ୍କ ଠାରୁ ଜୋରିମାନା ମଧ୍ୟ ଆଦୟ ହେଲା । ଅଳ୍ପ କିଛି ଦିନ ଏହି ଅଭିଯାନ ଚାଲିବା ପରେ ପ୍ରାୟ ୩ ବର୍ଷ ହେଲା ଏହା ବନ୍ଦ ରହିଛି ।

ଏଭଳି ସମୟରେ ସହରରେ ବୁଲା ଗାଈ ଗୋରୁଙ୍କ ଉତ୍ପାତ ଏବଂ ଦୌରାତ୍ମ ମଧ୍ୟ ବଢ଼ିଛି । ସହରବାସୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ । ସହର ଠାରୁ ଦୂରକୁ ନେଇ ଏଗୁଡ଼ିକ ରଖିବା ପାଇଁ ଦାବି ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ଏହି ନୂତନ ହଷ୍ଟେଲ୍‌ ନିର୍ମାଣ କରାଯାଇଛି ।

ନିଗମର ଆୟୁକ୍ତ ବୋନ୍ଦରଙ୍କ କହିବାନୁଯାୟୀ, ସହରରେ ବୁଲୁଥିବା ଗାଈକୁ ଧରି ଏହି ହଷ୍ଟେଲ୍‌ରେ ରଖାଯିବ । ପ୍ରଥମ ଥର ପାଇଁ ମାଲିକଙ୍କ ଠାରୁ ସାମାନ୍ୟ ଜୋରିମାନା ଆଦୟ ହେବ। କିନ୍ତୁ ଦ୍ବିତୀୟ ଥର ଠାରୁ ଜୋରିମାନା ରାଶୀକୁ ବଢ଼ାଇ ଦିଆଯିବ ।

ଅପରପକ୍ଷେ ଗାଈଗୁଡ଼ିକର ରହଣୀ ସମୟରେ ଚିକିତ୍ସା ଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲିଛି । ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ବୋନ୍ଦର ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ସହରର ବୁଲା ଗୋରୁ ଗାଈଙ୍କୁ ଏଠାରେ ରଖାଯିବ । ଫଳରେ ସେମାନଙ୍କୁ ଆଉ ସହରର ରାସ୍ତାରେ ଦେଖିବାକୁ ମିଳିବନି । ସହରର ଟ୍ରାଫିକ ସମସ୍ୟା ଦୂର ହେବା ସହ ଦୁର୍ଘଟଣା ହ୍ରାସ ଦିଗରେ ଏହା ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.