Latest Odisha News

ଅନୁବାଦ ଗଳ୍ପ : ପାକିସ୍ତାନ ଜିନ୍ଦାବାଦ

ଅବିଭକ୍ତ ପଞ୍ଜାବର ରାୱଲପିଣ୍ଡିରେ ୧୯୧୭ ମସିହାରେ ଜନ୍ମଗ୍ରହଣ କରିଥିବା କର୍ତ୍ତାର ସିଂହ ଡୁଗ୍‍ଗଲ ଥିଲେ ୧୯୪୭ ମସିହାର ଦେଶ ବିଭାଜନର ପ୍ରତ୍ୟକ୍ଷ ଶରବ୍ୟ । ଭାରତ ପାକିସ୍ତାନ ଭାଗ ଭାଗ ହେବାପରେ ତାଙ୍କୁ ନିଜର ଭିଟାମାଟି ରାୱଲପିଣ୍ଡି ଛାଡ଼ିବାକୁ ପଡ଼ିଥିଲା । ଦୀର୍ଘବର୍ଷ ଧରି ଆକାଶବାଣୀ, ଯୋଜନା କମିଶନ ଏବଂ ନ୍ୟାସନାଲ ବୁକ୍‍ ଟ୍ରଷ୍ଟରେ କାର୍ଯ୍ୟ କରିଥିବା ଡୁଗ୍‍ଗଲ ପଞ୍ଜାବୀ ଓ ଇଂରାଜୀରେ ଅନେକ ଗଳ୍ପ ଓ ଉପନ୍ୟାସର ସ୍ରଷ୍ଟା । ‘ମନ୍‍ ପରଦେଶୀ’ ବିଭାଜନ କଥାବସ୍ତୁ ଉପରେ ତାଙ୍କ ଦ୍ୱାରା ରଚିତ ଏକ ଚର୍ଚ୍ଚିତ ଉପନ୍ୟାସ । ସେହିଭଳି ବିଭାଜନର ଦୁଃଖଦ ଘଟଣାବଳୀ ଉପରେ ସେ ଏକାଧିକ ମନୋଜ୍ଞ ଗଳ୍ପ ରଚନା କରିଛନ୍ତି । ୧୯୬୫ ମସିହାରେ ତାଙ୍କୁ ଗଳ୍ପ ସଂକଳନ ‘ମାଝା ନହିଁ ମୋୟା’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୭

ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ 

ତା’ର ଅସଲ ନାଁ ରାମ ରାକ୍ଷୀ । କିନ୍ତୁ ଏବେ ତା ନାଁ ବଦଳେଇ ଦିଆଯାଇଥିଲା ଆଲ୍ଲା ରାକ୍ଷୀ । ତେବେ ଏଭଳି ନାମ ପରିବର୍ତ୍ତନ
ପୂର୍ବରୁ ଓ ପରେ ସମସ୍ତେ ତାକୁ କେବଳ ‘ରାକ୍ଷୀ’ ନାଁରେ ହିଁ ଡାକୁଥିଲେ । ସେ ଯେଉଁ ଭୟଙ୍କର ରାତି ଆଉ ତା’ ସାଙ୍ଗକୁ ରଣ ଦୁନ୍ଦୁଭି ଭଳିଆ ଡ୍ରମ୍ ମାଡ଼ ଓ ସମବେତ କଣ୍ଠରେ ଲୋକମାନଙ୍କ ଗଳାଫଟା ଚିତ୍କାର ସମସ୍ତଙ୍କ ଛାତିକୁ ସେ ଶବ୍ଦ ଥରାଇ ଦେଉଥିଲା । ସେ ଶବ୍ଦରେ ଗଗନ ପବନ କମ୍ପି ଉଠୁଥିଲା । ବସୁଧା ଦୁଲୁକି ପଡ଼ୁଥିଲା । ସମସ୍ତଙ୍କ ହାତରେ ବର୍ଚ୍ଛା ଚକମକ କରୁଥିଲା । ରାତି ଅଧରେ ସେ ଶବ୍ଦ ରାକ୍ଷୀ କାନରେ ପଡ଼ିବା ମାତ୍ରେ ସେ ଆଖି ପିଛୁଡ଼ାକେ ଖଟଟା ଉପରୁ ଡେଇଁପଡ଼ି ସେଇ ନିଦୁଆ ଆଖିରେ ଏକମୁହାଁ ଦୌଡ଼ିଥିଲା । ଏତେବଡ଼ ପାଚେରୀଟାକୁ ସେ କେମିତି ଡେଇଁ ପଡ଼ିଥିଲା ସେକଥା ତାକୁ ଜଣା ନଥିଲା । ଦୌଡ଼ି ଦୌଡ଼ି ସେ କ୍ଷେତ ପାର ହୋଇ ସେ ଗାଁମୁଣ୍ଡ ପୋଖରୀ ହୁଡ଼ାତଳେ ଛପି ଯାଇଥିଲା ।

ରାତିସାରା ସେଇ ପୋଖରୀହୁଡ଼ା ପଛପଟେ ରାକ୍ଷୀ ସେମିତି ବସି ରହିଥିଲା । ଗାଁରେ ଗୁଳିବର୍ଷର କାନଫଟା ଶବ୍ଦରେ ତା’ଛାତି
କମ୍ପି ଉଠୁଥିଲା । ପରିଚିତ ଲୋକଙ୍କ ଆର୍ତ୍ତ ଚିତ୍କାର ଓ ବିକଳ କାନ୍ଦଣା ତା’ କାନରେ ପଡ଼ୁଥିଲା । ସଭିଏଁ ସାହାଯ୍ୟ ପାଇଁ ବିକଳ ସ୍ୱରରେ ଡାକ ଛାଡ଼ୁଥିଲେ । ନିଜ ଆତ୍ମୀୟମାନଙ୍କ ଅସହାୟ ଓ ଆର୍ତ୍ତ ଚିତ୍କାର ବି ସେ ଶୁଣିପାରୁଥିଲା । ତା’ପରେ ସବୁକିଛି ଶାନ୍ତ ପଡ଼ିଗଲା । ସବୁ ସ୍ୱର ଥମିଗଲା । ଏକ ମୃତ୍ୟୁର ନୀରବତା ବିରାଜମାନ କରିଥିଲା । ତା’ପରଦିନ ସକାଳୁ ପୁଣି ଗାଁରେ ସବୁକିଛି ସ୍ୱାଭାବିକ ପରି ଲାଗିଥିଲା । ଲୋକମାନେ ଯେଝାଯେଝା କାମଧନ୍ଦାରେ ଲାଗିପଡ଼ିଲେ । ଗାଈମାନଙ୍କ ବେକରେ ବନ୍ଧା ହୋଇଥିବା ଘଣ୍ଟି ସେମିତି ସ୍ୱାଭାବିକ ଶୁଭୁଥିଲା । ଗାଈଗୋରୁମାନେ ଠେଲାପେଲା ହୋଇ ଚରିବାକୁ ଗାଆଁ ଦାଣ୍ଡ ଦେଇ ଗହୀରକୁ ବାହାରିଗଲେ ।

ପର୍ସିିଆନ୍ ହୁଇଲ୍‌ର ଗର୍ଜନ ସେଇ ଏକା ସ୍ୱରରେ ପୁଣି ସମଗ୍ର ବାତାବରଣକୁ ଶବ୍ଦମୟ କରିପକାଇଲା । ସବୁଦିନ ପରି ଗାଆଁ ଆକାଶରେ ବିଭିନ୍ନ ଜାତିର ଚଢ଼େଇ ଉଡ଼ିବୁଲିଲେ । ପାଖ ମସଜିଦରୁ ନମାଜ ପାଠ ଶୁଭିଲା । ଲୋକମାନଙ୍କ ରୋଷେଇଘର ଚାଳରୁ ସ୍ୱାଭାବିକ ଭାବେ ଧୂଆଁ କୁଣ୍ଡଳୀ ଆକାଶକୁ ଉଠିଲା । ଲସି ବନେଇବା ଲାଗି ଘରର ସ୍ତ୍ରୀଲୋକମାନେ ହାଣ୍ଡିରେ ଦହି ଗୋଳେଇବାରେ ଲାଗିଲେ । ସେ ଦହିଗୋଳା ଶବ୍ଦ ଅନ୍ୟ ଶବ୍ଦଠାରୁ ନିଆରା । ସକାଳ ହେବା ପରେ ରାକ୍ଷୀ ସେଇ ପୋଖରୀ ହୁଡ଼ା ପଛପଟୁ ବାହାରି ପୁଣି ଥରେ ମୁସଲମାନ ବସ୍ତି ପର୍ଯ୍ୟନ୍ତ ଆସିଲା । ସବୁଲୋକ ସ୍ୱାଭାବିକ ଭାବେ ହସଖୁସିରେ ପରସ୍ପର ସହ ଗପସପରେ ମଜ୍ଜି ରହିଥିଲେ । କିନ୍ତୁ ରାକ୍ଷୀ ଉପରେ ସେମାନଙ୍କ ଦୃଷ୍ଟି ପଡ଼ିବା ମାତ୍ରେ ସେମାନେ ପରସ୍ପର ମୁହଁକୁ ଆବାକାବା ହୋଇ ଚାହିଁଲେ । ସ୍ତ୍ରୀଲୋକମାନେ ଭାବିଲେ, ଆଉ କ’ଣ ରାକ୍ଷୀର ଶବ ପୁଣି ଥରେ ଜୀଇଁ ଉଠିଲା କି!

ପୁରୁଖା ଲୋକମାନେ ଭାବିଲେ ସେମାନଙ୍କୁ ମିଛ କଥା କହି ଠକି ଦିଆଯାଇଚି । ଯୁଆନ ଟୋକା ଶେର୍ ବାଜ୍ ତ ରାଗିପାଚି ନିଆଁ ହୋଇଗଲା । ତା’ ଆଖି ରଙ୍ଗା ପଡ଼ିଗଲା । କ୍ରୋଧରେ ତା’ ହାତ ମୁହଁ ଓ ବେକର ସିରାସବୁ ଫୁଲି ଉଠିଲା । ସେ ରାଗରେ ଫଁ ଫଁ ବାଜିଲା । ଦଉଡ଼ିଆ ଖଟ ତଳେ ଲୁଚେଇ ରଖିଥିବା ଟାଙ୍ଗିଆଟିକୁ ହଠାତ୍ ବାହାର କରିଆଣି ସେ ରାକ୍ଷୀ ଉପରକୁ ଝାମ୍ପ ମାରିଲା । କିନ୍ତୁ ଆଶ୍ଚର୍ଯ୍ୟ! ତାକୁ ସୁରକ୍ଷା ଦେବାକୁ ଶେର୍ ବାଜ୍‌ର ମା’ ଓ ଭଉଣୀ ଆସି ରାକ୍ଷୀ ଆଗରେ ଠିଆ ହୋଇପଡ଼ିଲେ । ରାକ୍ଷୀ କାଫେର୍‌, ଅସହାୟା । ଶେର୍ ବାଜ୍‌ର ଉଦ୍ୟଦ ଟାଙ୍ଗିଆଟା ଆପେ ତଳକୁ ନଇଁଗଲା ।

ସେଇ ଦିନଠାରୁ ଶେର୍ ବାଜ୍ ସଦାବେଳେ ବିସ୍ମିତ ହୁଏ, ରାକ୍ଷୀକୁ ମାରିବା ଲାଗି ସେ କେମିତି ଚିନ୍ତା କରିପାରିଲା! ଯେତେବେଳେ ସେ ତା’ ଟାଙ୍ଗିଆଟାକୁ ଚାହେଁ, ନିଜ ନିଷ୍ଠୁରପଣିଆ କଥା ତା’ର ମନେ ପଡ଼ିଯାଏ । ଫି’ଥର ଏକଥା ମନକୁ ଆସିବା ମାତ୍ରେ ଲଜ୍ଜାରେ ତା’ ମୁଣ୍ଡ ତଳକୁ ହୋଇଯାଏ । ବେଳେବେଳେ ସେ ଭାବେ, ଟାଙ୍ଗିଆଟାକୁ ପାଖ କୂଅକୁ ଫିଙ୍ଗିଦେବ । ଯେଉଁ ସ୍ଥାନରେ ଶେର୍ ବାଜ୍ ତାକୁ ମାରିବାଲାଗି ଟାଙ୍ଗିଆ ଉଞ୍ଚେଇ ଚମକି ଆସିଥିଲା, ବେଳେବେଳେ ରାକ୍ଷୀ ସେଇଠି ତା’ ବାହା ପିଢ଼ାଟାକୁ ପକେଇ ଘଣ୍ଟା ଘଣ୍ଟା ଧରି ବସିରହେ । ପୁଣି ତା’ ଶାଶୂ ଯେମିତି ତାକୁ ରକ୍ଷା କରିବା ଲାଗି ଦଉଡ଼ି ଆସିଥିଲେ ସେମିତି ଅଭିନୟ କରେ । ସେଠାରେ ଢେର୍ ସମୟ ପର୍ଯ୍ୟନ୍ତ ଠିଆ ହୋଇରହେ । ଠିକ୍ ଶାଶୂଙ୍କ ପରି । ଶାଶୂଙ୍କ ଶାଶୂ ଯେମିତି ଠିଆ ହୋଇ ରହୁଥିଲେ, ଅବିକଳ ସେମିତି… ଦିନେ ଏଇ ଜାଗାରେ ଶେର୍ ବାଜ୍ କ୍ରୋଧରେ ଅନ୍ଧ ପାଲଟି ତାକୁ ଜୀବନରେ ମାରିଦେବାଲାଗି ତା’ ଆଡ଼କୁ ଚମକି ଆସିଥିଲା । ଠିକ୍ ତା’ ଆର ଦିନ ସେ ତାକୁ ନିଜର ପତ୍ନୀ ରୂପେ ଗ୍ରହଣ କରିଥିଳା । ଜୀଇଥିବା ଯାଏ ଓ ମରିବା ପରେ ସୁଦ୍ଧା ସଦାବେଳେ ତାକୁ ସୁରକ୍ଷା ଦେବ ବୋଲି ତାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲା । ତା’ ହାତ ଧରି ଶପଥ କରିଥିଲା ।

ଶେର୍ ବାଜ୍ ସଦାବେଳେ ରାକ୍ଷୀକୁ ପ୍ରଶଂସା କରୁଥିଲା । ପିଲାଟି ଦିନରୁ ସେମାନେ ଏକା ସାଥିରେ ଦାଣ୍ଡରେ ଖେଳିଥିଲେ, ବୁଲିଥିଲେ, ପରସ୍ପରର ନିକଟତର ହୋଇଥିଲେ । ଯେତେବେଳେ ରାକ୍ଷୀ ବଡ଼ ହେଲା, ତାକୁ ପ୍ରଶଂସା କରି ଶେର୍ ବାଜ୍ କେତେ ଯେ ଗୀତ ଗାଇଥିଲା, ତା’ର କିଛି ହିସାବ ନଥିଲା । ଜଣାନାହିଁ ଶେର୍ ବାଜ୍ର ସ୍ୱପ୍ନକୁ ରାକ୍ଷୀ କେତେଦିନ ଧରି ଆଚ୍ଛନ୍ନ କରି ରଖିଥିଲା । ରାକ୍ଷୀ କୂଅକୁ ପାଣିଆଣି ଗଲାବେଳେ ଫି’ଦିନ ସଞ୍ଜ ସକାଳେ ଆମ୍ବତୋଟାରେ ଗଛ ଉପରେ ଲୁଚିବସି ତାକୁ ଲକ୍ଷ୍ୟ କରୁଥିଲା । ତା’ ଚଲାବାଟକୁ ଅପେକ୍ଷା କରି ରହୁଥିଲା । ଶେର୍ ବାଜ୍‌କୁ ବାହାହୋଇ ସାରିବା ପରେ ଦିନ କେଇଟା ଭିତରେ ରାକ୍ଷୀ ପରିବାରର ସମସ୍ତଙ୍କୁ ଆପଣାର କରି ନେଇଥିଲା । ଶାଶୂଙ୍କର ତ ସେ ସବୁଠୁ ଗେହ୍ଲୀ ବୋହୂ । ସକାଳୁ ଉଠି ଘରଦ୍ୱାର  ଖରକିବାଠାରୁ ନେଇ ଗାଈଗୋରୁଙ୍କୁ ଖାଇବାକୁ ଦେବା, ଗାଈ ଦୁହିଁବା, କୂଅରୁ ପାଣି ଆଣିବା ଓ ପରିବାରର ସମସ୍ତଙ୍କ ଲାଗି ରୋଷେଇବାସ କରିବା ପର୍ଯ୍ୟନ୍ତ ସେ ସବୁକାମ କରୁଥିଲା । ଆଉ ଓପରବେଳା ଯେତେବେଳେ ସମସ୍ତେ ଖାଇପିଇ ବିଶ୍ରାମ ନେଉଥିବେ, ସାଇପଡ଼ିଶାର ଝିଅମାନଙ୍କୁ ପାଖରେ ବସେଇ ସେ ସେମାନଙ୍କୁ ଲେଖାପଢ଼ାଠାରୁ ଆରମ୍ଭ କରି ସିଲେଇ ଓ କପଡ଼ା ଉପରେ ସୁନ୍ଦର ସୁନ୍ଦର ଚିତ୍ର ବୁଣିବା ପର୍ଯ୍ୟନ୍ତ ସବୁକିଛି ଶିଖାଉଥିବ । ସଦେବେଳେ ଘରର ସବୁ ଆସବାବପତ୍ରକୁ ସଜେଇବା ଓ ଘର ଓଳାପୋଛା କରି ପରିଚ୍ଛନ୍ନ ରଖିବାରେ ତାକୁ କେହି ଖୁଣି ପାରିବେନି । ଏବେ ଶାଶୂ ତ ଘର କାମ କିଛି ବୁଝୁ ନଥିଲେ ।

ରାକ୍ଷୀ ଉପରେ ସବୁ ଦାୟିତ୍ୱ ଦେଇ ସେ ନିଶ୍ଚିନ୍ତ ଥିଲେ । ଛୋଟ ବଡ଼ ସବୁ ଦାୟିତ୍ୱ ରାକ୍ଷୀ ସହଜରେ ସମ୍ଭାଳି ନେଉଥିଲା । କେବଳ ଘରଲୋକ ନୁହନ୍ତି, ସାଇପଡ଼ିଶା ଓ ଗାଆଁଲୋକ ସମସ୍ତଙ୍କ ତୁଣ୍ଡରେ ରାକ୍ଷୀର ପ୍ରଶଂସା ଶୁଣିବାକୁ ମିଳୁଥିଲା । ସମସ୍ତଙ୍କ ସାଙ୍ଗରେ ତା’ର ଭଲ ଭାବ, ସଭିଏଁ ତା’ର ପ୍ରିୟ । ଆଉ ଗୀତ ଗାଇବାରେ କି ନାଚିବାରେ ତ ତା’ ପାସଙ୍ଗରେ କେହି ପଡ଼ିବେନି । ଯଦି କାହା ଆଖି ଲାଲ ପଡ଼ିଚି କି ଫୁଲିଚି ରାକ୍ଷୀ ତା’ ଆଖିରେ କଜଳ ଟିକେ ମାରିଦେଲେ ସେ ଭଲ ହୋଇଯାଉଥିଳା ।

ଯଦି କାହାକୁ ଜର ହୋଇଛି, ରାକ୍ଷୀ ତାକୁ ଯେଉଁ ଜାଉ କି କାଡ଼ା ବନେଇ ପିଇବାକୁ କହେ, ସେଥିରେ ସିଏ ଭଲ ହେବା ସୁନିଶ୍ଚିତ । ଅଶ୍ୱତ୍ଥ ଗଛରେ ଲାଗିଥିବା ଦୋଳିରେ ବସି ଝୁଲିଲାବେଳେ ରାକ୍ଷୀ ଭାବିଚାଲେ – ଗାଆଁଟା ସାର ଲୋକ ଭଲା କେମିତି ଭିଟାମାଟି ଛାଡ଼ି ଚାଲିଗଲେ! ଏଇଠି ସେମାନେ ଜନ୍ମ ହୋଇଥିଲେ, ବଢ଼ିଥିଲେ । ନିଜ ଭିଟାମାଟିକୁ କିଏ ଛାଡିପାରେ ଛାଡ଼ିପାରେ, ଭୁଲିପାରେ? ଗାଆଁ ପୋଖରୀର ସ୍ୱଚ୍ଛ ଜଳକୁ ଆଞ୍ଜୁଳାରେ ଆଣି ମୁହଁରେ ଛାଟିଲାବେଳେ ସେ ମନେ ମନେ ଭାବେ – ଗାଆଁ ଲୋକମାନେ ନିଜ ଘର, ନିଜ ଚୁଲିଚାଳକୁ କେମିତି ସହଜରେ ଭୁଲିଗଲେ? କେମିତି ସେସବୁକୁ ପଛ କରି ଚାଲିଗଲେ! ଗାଆଁ ବାହାର ଘାସ ପଡ଼ିଆରେ ଚାଲିଲାବେଳେ ରାକ୍ଷୀ ବିସ୍ମିତ ହୁଏେ ତାଙ୍କ ଗାଆଁ କ୍ଷେତ ଭଳିଆ ଉର୍ବର ଭୂଇଁ କ’ଣ ସଂସାରର ଆଉ କେଉଁଠି ଅଛି? ତାକୁ ଲାଗେ, ଗାଆଁର ବଡ଼ ବଡ଼ ଗଛସବୁ ମୁଣ୍ଡଟେକି ସେଇ ଲୋକମାନଙ୍କ ଫେରିବା ପାଟକୁ ଅପେକ୍ଷା କରି ରହିଛନ୍ତି । ଏପରିକି ଫଳସବୁ ସେଇ ଅପେକ୍ଷାରେ ଅଛନ୍ତି । ସେମାନଙ୍କ ଅନୁପସ୍ଥିତିରେ ଗାଆଁଦାଣ୍ଡ, ଗଳିସବୁ କେମିତି ଖାଁ ଖାଁ ଲାଗୁଛି! ଏପରିକି ଗାଆଁମୁଣ୍ଡ ଦିଅଁଦେବତାମାନେ ସେମାନଙ୍କ ଭକ୍ତମାନଙ୍କ ଅପେକ୍ଷାରେ ବସି ରହିଛନ୍ତି -କେତେବେଳେ ସେମାନେ ପୁଣି ଥରେ ଆସି ସେମାନଙ୍କୁ ପ୍ରଣିପାତ କରିବେ, ପୂଜାର୍ଚ୍ଚନା କରିବେ ।

ଦିନେ ପାକିସ୍ତାନର ଜଣେ ରାଜନେତା ତାଙ୍କରି ଗାଆଁ ବାଟ ଦେଇ ଯାଉଥିଲେ । ତାଙ୍କୁ ସ୍ୱାଗତ କରିବା ଲାଗି ରାକ୍ଷୀ ଗୋଟିଏ ସମ୍ବର୍ଦ୍ଧନା ସଭାର ଆୟୋଜନ କଲା । ଗାଆଁ ଲୋକମାନେ ରାକ୍ଷୀ କହିବା ଅନୁସାରେ ନେତାଙ୍କ ଗଳାକୁ ଫୁଲମାଳରେ ଭରିଦେଲେ, ତାଙ୍କୁ ପାଛୋଟି ନେଲେ । ନେତା ଯାଉଥିବା ବାଟରେ ଗୋଲାପ ପାଖୁଡ଼ା ଶେଯ ଭଳି ବିଛା ଯାଇଥିଲା । ସମସ୍ତେ ଏକା ସ୍ୱରାରେ ଗଳା ଫଟାଇ ଚିତ୍କାର ଛାଡ଼ିଲେ- ‘ପାକିସ୍ତାନ ଜିନ୍ଦାବାଦ!’

ରାକ୍ଷୀ ବେଶ୍ ଖୁସି ଥିଲା, ଆନନ୍ଦରେ ସେ କୁରୁଳି ଉଠୁଥିଲା । ଏମିତି ଦିନ ପରେ ଦିନ, ମାସ ପରେ ମାସ ବିତିଗଲା । ହଠାତ୍ ଦିନେ ଜଣେ ବାନ୍ଧବୀ ପାଖକୁ ବୁଲିଗଲାବେଳେ କେହିଜଣେ ତାକୁ ଚାହିଁ ପଛରୁ ଡାକୁଥିବାର ତା’ କାନରେ ପଡ଼ିଲା – ‘ଆଲୋ
ରାକ୍ଷୀ!’ ଆଉ ପର ମୁହୂର୍ତ୍ତରେ ସେ ନିଜକୁ ଆବିଷ୍କାର କରିଥିଲା ନିଜ ଭାଇର ବାହୁବେଷ୍ଟନୀରେ । ରାକ୍ଷୀ ନିଜ ଆଖକୁ ସୁଦ୍ଧା ବିଶ୍ୱାସ କରିପାରୁନଥିଲା । ପରସ୍ପରଙ୍କୁ କୁଣ୍ଢେଇ ଧରିବାବେଳେ ଦିହିଙ୍କ ଆଖିର କେବଳ ନୀରବରେ ଧାର ଧାର ଲୁହ ଗଡ଼ି ଚାଲିଥିଲା । ବେଶ୍ କିଛି ସମୟ ଏମିତି ଦୁହେଁ ଦୁହିଙ୍କୁ ଜାବୁଡ଼ି ଧରିଥିଲେ । ରାକ୍ଷୀ ଅବୁଝା ଶିଶୁଟିଏ ପରି କାନ୍ଦି ଚାଲିଥିଲା । ଏତେ ବର୍ଷ ପରେ ତା’ର ଏକମାତ୍ର ଭାଇକୁ ଆକସ୍ମିକ ଭାବେ ଭେଟିବା ଆନନ୍ଦ ତାକୁ ଖୁସିରେ ଆତ୍ମହରା କରିପକାଇଥିଲା । ଭାଇଭଉଣୀ ଦିହେଁ ଏକଥା ସୁଦ୍ଧା ଲକ୍ଷ୍ୟ କରିବାକୁ ଭୁଲି ଯାଇଥିଲେ ଯେ ସେମାନଙ୍କ ପାଖରେ କେହିଜଣେ ଅଜଣା ଲୋକ ଆସି କେତେବେଳୁ ଠିଆ ହୋଇଥିଲା । ଚେହେରାରୁ ଲୋକଟା ପୁଲିସ ଅଧିକାରୀଟିଏ ପରି ଲାଗୁଥିଲା ।

ସେମାନଙ୍କୁ ରାକ୍ଷୀ ନିଜ ଘରକୁ ଆମନ୍ତ୍ରଣ କରିବା ଆଗରୁ ତା’ର ଭାଇ ସେଇ ଅପରିଚିତ ଲୋକଟି ଆଡ଼େ ଚାହିଁ କହିଲା, ‘ଇଏ ମୋ ଭଉଣୀ ରାକ୍ଷୀ । ଆମେ ତାକୁ ସାଙ୍ଗରେ ନେଇଯିବା ।’ ସାମାନ୍ୟ ବିଳମ୍ବରେ ହେଲେ ସୁଦ୍ଧା ରାକ୍ଷୀର ଉତ୍ତର ଥିଲା ଏକ ବିସ୍ମୟସୂଚକ ପ୍ରଶ୍ନରେ, ‘କୁଆଡ଼େ?’ ରାକ୍ଷୀ ତା’ ନିଜ ଗାଆଁ, ନିଜ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ନିଜ ପରିିଚିତ ଗାଆଁ ଛାଡ଼ି ସେ ଏକ ଅଜଣା ସ୍ଥାନକୁ ଯିବାକୁ ଚାହୁଁନଥିଲା । ଯେଉଁ ଗାଆଁ ଦାଣ୍ଡରେ ସେ ବଢ଼ିଛି, ଖେଳିଛି, ବୁଲିଛି ତାକୁ ସେ କେମିତି ଅବା ଛାଡ଼ିପାରିବ? ଯେଉଁ ସବୁଜ କ୍ଷେତରେ ମନଭରି ନାଚି ସେ ପ୍ରେମସଙ୍ଗୀତ ଗାଇ ଘୂରିବୁଲିଛି ତାକୁ କେମିତି ପର କରିଦେଇ ପାରିବ? ଯେଉଁ ଗାଆଁରେ ସେ ଏତେ ସାଙ୍ଗସାଥି କରିଛି ସେମାନଙ୍କ ଆଡ଼ୁ କେମିତି ମୁହଁ ବୁଲେଇ ନେଇପାରିବ? ସେମାନଙ୍କ ସାଙ୍ଗରେ କେତେ ସୁଖଦୁଃଖ ହୋଇଛି । ପରସ୍ପର ଭିତରେ ସେମାନେ କେତେ ମନର କଥା ବଣ୍ଟା-ବଣ୍ଟି ହୋଇଛନ୍ତି! ସେସବୁ କ’ଣ କେବେ ଭୁଲିଯାଇହେବ?

ସେଦିନ ସନ୍ଧ୍ୟାବେଳେ ମଇଁଷିଙ୍କୁ ଦୁହିଁବାବେଳେ ସେ ସେମାନଙ୍କ ଆଗରେ ହଲପ କରି କହିଥିଲା ଯେ ସେମାନଙ୍କୁ ଛାଡ଼ି ସେ କୁଆଡ଼େ ଯିବନି । ବଗିଚାରେ ଅଙ୍ଗୁରଲତାରେ ପାଣି ଦେବାବେଳେ ସେ ସେମାନଙ୍କୁ ବି ନିର୍ଭର ପ୍ରତିଶ୍ରୁତି ଦେଇଥିଲା ଯେ ସେମାନଙ୍କଠାରୁ ପ୍ରଥମ ଫଳ ତୋଳିବା ଲାଗି ସେ ରହିବ । ଗୁହାଳର ଗାଈଙ୍କ କାନରେ ସେ ଫିିସ୍‌ଫିସ୍ କରି କହିଥିଲା, ଆସନ୍ତା ବସନ୍ତ ଋତୁରେ ସେ ଜନ୍ମ କଲା ପରେ ତା ବାଛୁରୀର ସେ ସେବାଯତ୍ନ କରିବ । ଏଥର ସେ ନିଜ କୋଠରୀ ଭିତରକୁ ପଶିଯାଇ କାନ୍ଦି ଉଠିଲା । ମନକୁ ମନ କହିହେଲା – ଏ ମୋ ନିଜ ଘର, ୟାକୁ ଛାଡ଼ି ମୁଁ କୁଆଡ଼େ ଯିବିନି । ଦିନ ଯାଇ ରାତି ହେଲା । ପଛୁଆ ପବନ ବେଶ୍ ଜୋର୍‌ରେ ବହିଲା । ନିଜ ଘର ଅଗଣାରେ ବସି ସେ ଆକାଶର ଜହ୍ନକୁ ଚାହିଁ ତାକୁ ମନେ ମନେ ପ୍ରଶାସା କଲା । ସେ ଯେତେବେଳେ ସାଧୁ ସନ୍ନ୍ୟାସୀ କି ପୀର ଫକୀରଙ୍କ ଜୀବନରେ ଭେଟିଥିଲା ସମସ୍ତଙ୍କ କଥା ତା’ର ଗୋଟି ଗୋଟି ହୋଇ ମନେ ପଡ଼ିଲା । ତାକୁ ସହାୟତା କରିବା ଲାଗି ସେ ସମସ୍ତଙ୍କୁ ସ୍ମରଣ କଲା । ଦେଶ ବିଭାଜନ ଦଙ୍ଗାବେଳେ ସେ ଯେଉଁ ଖମାକୁ ଡେଇଁ ଆତ୍ମଗୋପନ କରିଥିଲା, ପ୍ରାଣ ବଞ୍ଚେଇଥିଲା, ସେଥ ଆଡ଼କୁ ସେ ଚାହିଁଲା । ସେଇ ଖମା ଭିତରେ ତ ସେ ଲୁଚିଥିବାବେଳେ କେହି ତା’ର ଟେର ପାଇନଥିଲେ । ହେଲେ ଆଜି ଅବା ସେଇକଥା ସେ କେମିତି କରିପାରିବ? ତା’ ପେଟରେ ଏବେ ପରା ଶେର୍ ବାଜ୍‌ର ସମ୍ପତ୍ତି ବଢ଼ୁଛି । ଆଉ ସେ ଖମା ଭିତରକୁ କେମିତି ଡେଇଁବ ଭଲା?

ରାକ୍ଷୀ ଶେର୍ ବାଜ୍‌କୁ ବାରମ୍ବାର ପଚାରି ଚାଲିଥିଲା, ‘ଶେର୍‌ ବାଜ୍‌, ତୋର ସେ ଟାଙ୍ଗିଆଟା ଗଲା କୁଆଡ଼େ?’ ଲମ୍ବରଦାରଙ୍କ ଘରୁ ଲେଉଟିବା ବେଳଠାରୁ ଶେର୍ ବାଜ୍ ଶେଯଟା ଉପରେ ସେମିତି ମୁହଁମାଡ଼ି ଶୋଇ ରହିଥିଲା । କାହାକୁ ଉଁ ଚୁଁ କିଛି କହିନଥିଲା । ଏପରିକି ତୁଣ୍ଡକୁ ଦାନାଟିଏ ସୁଦ୍ଧା ନେଇନଥିଲା ।

ରାକ୍ଷୀ ତାକୁ ବାରମ୍ବାର କହି ଚାଲିଥିଲା, ‘ଶେର୍ ବାଜ୍‌, ତୋ ସାଙ୍ଗରେ ରହିବା ଲାଗି ମୁଁ ମୋର ଶହେଟା ଭାଇଙ୍କୁ ବି ତ୍ୟାଗ କରିପାରେ ।’

ଶେର୍ ବାଜ୍ କିନ୍ତୁ ନୀରବ ଥିଲା । ତା’ ଆଖି ଲୁହ ଛଳଛଳ ହୋଇପଡ଼ୁଥିଲା । ଶେଷରେ ରାକ୍ଷୀ କହିଲା, ‘ଶେର୍ ବାଜ୍‌, ଚାଲ, ଆମେ ଦିହେଁ ଏଇଠୁ ଲୁଚି ପଳେଇବା ।’ ରାକ୍ଷୀ ତା’ ଦେହେରେ ହାତ ଥାପିଲା । ଶେର୍ ବାଜ୍ ଜରରେ ଗୋଟାପଣେ ଥରୁଥିଲା । ସେତେବେଳକୁ ସେ ଅଚେତ ଅବସ୍ଥାକୁ ଆସି ସାରିଥିଲା । ତା’ ତୁଣ୍ଡରୁ ଶବ୍ଦଟିଏ ସୁଦ୍ଧା ବାହାରୁନଥିଲା । ସିଏ ଅବା କ’ଣ କହିବ? ଲମ୍ବରଦାର ତ ତାକୁ ସବୁକଥା ସ୍ପଷ୍ଟ ଭାବେ ବୁଝେଇ ଦେଇଥିଲେ – ରାକ୍ଷୀ ହିନ୍ଦୁ ଘରେ ଜନ୍ମ ହୋଇଛି । ତା’ ବାପାମା’ମାନେ ଏବେ ହିନ୍ଦୁସ୍ତାନକୁ ପଳେଇ ସାରିଛନନତି । ତେଣୁ ରାକ୍ଷୀକୁ ତା’ ବାପାମା’ଙ୍କ ଜିମାରେ ଦିଆଯିବା ସୁନିଶ୍ଚିତ ।

ଦେଶ ବିଭାଜନବେଳେ ଯେତେ ଯାହା ଧର୍ମାନ୍ତରଣ ହୋଇଥିଲା ଅସିଦ୍ଧ, ବେଆଇନ । ରାକ୍ଷୀକୁ ହିନ୍ଦୁସ୍ତାନ ପଠେଇ ଦିଆଗଲେ ତା’ ବଦଳରେ ସେଠାରୁ ଜଣେ ମୁସଲମାନ ଝିଅକୁ ଫେରସ୍ତ ଅଣାଯାଇ ପାରିବ ।

ଏବେ ଦି’ ଦେଶ ଭିତରେ ଏମିତିକା ଅଦଳ ବଦଳ ଚାଲିଛି । ଦି’ଦେଶ ସରକାର ଏଇଆ ଫଇସଲା କରିଛନ୍ତି । ପାକିସ୍ତାନ ଲାଗି ଆମକୁ ତ ଏତିକି ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିବ । ଶେର୍ ବାଜ୍ ଭାବି ପାରୁନଥିଲା, ସେ କ’ଣ କରିବ? ତା’ର ଚେତା ଫେରିଲା, ହେଲେ ଏ କଥା ଭାବିବା ମାତ୍ରେ ସେ ପୁଣିଥରେ ହତଜ୍ଞାନ ହୋଇପଡ଼ିଲା ।

ତା’ପରଦିନ ସକାଳେ କାଉ କା’ କରିବା ଆଗରୁ ତା’ ଦୁଆରମୁହଁ ଆଗରେ ଆସି ଗୋଟିଏ ଜିପ୍ ବ୍ରେକ୍ କଷି ଅଟକିଲା । ଜିପ୍‌ରେ ବନ୍ଧୁକଧାରୀ ପୁଲିସଙ୍କୁ ଦେଖି ରାକ୍ଷୀର ଛାତି ଥରିଉଠିଲା । ସେ ଚିତ୍କାର ଛାଡ଼ିଲା, ‘ମୋର କୁଆଡ଼େ ଯିବାର ନାହିଁ । ମୁଁ ଏ ଗାଁ ଛାଡ଼ି କୁଆଡ଼େ ଯିବିନି । କ’ଣ ଅଡ଼ୁଆ ହୋଇଗଲା ସେଇଠୁ ଯଦି ନାଁ ବଦଳିଗଲା! ଇଏ ତ ଆମ ନିଜ ଦେଶ । ଏ ଘର ମୋର, ଏ ଅଗଣା ମୋର । ଏ ଅଗଣାକୁ ମୁ ସକାଳେ ସଞ୍ଜେ ଖରକୁଚି । ଏ ଗଛବୃଚ୍ଛ ସବୁ ବି ମୋର । ଏମାନଙ୍କୁ ମୁଁ ଦିନରାତି ପାଣି ଦେଇ ବଢ଼େଇଛି । ଏ ଗାଁ ଦାଣ୍ଡ ମୋର । ପିଲାଟି ଦିନରୁ ମୁଁ ଏଇଠି ଖେଳି ଆସିଛି । ଏଇଠି ବଢ଼ିଛି ।’ ତା’ ଆଖିରେ ସେତେବେଳକୁ ଆଖିଏ ଲୁହ ଭରି ସାରିଥିଲା । ‘ଶେର୍ ବାଜ୍‌, ତୁ କାଇଁକି କିଛି କହୁନୁ?’ ସେ ତା’ର ସ୍ୱାମୀକୁ ଅଭିଯୋଗ କଲାଭଳି ଡାକିଲା । ‘ଆରେ କିଛି ତ କହ । ତୋ ତୁଣ୍ଡ ଖୋଲୁନି କାଇଁକି? ମୋ ଗର୍ଭରେ ପରା ତୋରି ଛୁଆ ବଢ଼ୁଛି । ତାକୁ ନେଇ ମୁଁ ଯିବି କୁଆଡ଼େ?’ ଏତିକି କହି ରାକ୍ଷୀ ସେଇଠି କଚାଡ଼ି ହୋଇପଡ଼ିଲା । ପର ମୁହୂର୍ତ୍ତରେ ମୂର୍ଚ୍ଛା ହୋଇଗଲା ।

ଶେର୍ ବାଜ୍ ଓ ରାକ୍ଷୀ ଗୋଟି, ଘରେ କବାଟ କିଳି ପଶିଥିଲା । ଲମ୍ବରଦାର ପୁଣି ଥରେ ସେ ଦିହିଙ୍କ କଥା ଚିନ୍ତା କଲେ । ଗାଆଁର ପୁରୁଖା ଲୋକଙ୍କ ସହିତ ମଧ୍ୟ ପରାମର୍ଶ କରାଗଲା । ପୁଲିସ ଅଫିସରଙ୍କୁ ଅବଗତ କରାଗଲା । ହେଲେ ସବୁ ନିଷ୍ଫଳ । ସରକାରଙ୍କ ନିଷ୍ପତ୍ତି । ତେଣୁ ସେ ନିର୍ଦ୍ଦେଶକୁ ଯେମିତି ହେଲେ କାର୍ଯ୍ୟକାରୀ କରିବାକୁ ପଡ଼ିବ । ପାକିସ୍ତାନ ଲାଗି କୌଣସି ସ୍ୱାର୍ଥତ୍ୟାଗ ପର୍ଯ୍ୟପ୍ତ ନୁହେଁ – ଯେତେହେଳେ ଏଇଟା ପରା ତାଙ୍କ ପ୍ରିୟ ରାଷ୍ଟ୍ର । ତା’ପରେ ଦୁଆର ଖୋଲିଲା । ଆଗେ ଆଗେ ରାକ୍ଷୀ ଓ ତା’ପଛକୁ ଶେର୍ ବାଜ୍ ଖାନ୍ । ରାକ୍ଷୀ ବୋହୂ ବେଶରେ ସୁନ୍ଦର ଭାବେ ସଜେଇ ହୋଇଥିଲା । ତା’ ପାଖରେ ଥିବା ସବୁ ସୁନାରୁପା ଗହଣା ପିନ୍ଧିଥିଲା । ରାକ୍ଷୀର ଏଭଳି ହାବଭାବ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ରାକ୍ଷୀ ଆସି ଜିପ୍‌ରେ ବସିଛି କି ନାଇଁ ଶେର୍ ବାଜ୍ ତା’ର ସବୁ ଶାଢ଼ି ଓ ଅନ୍ୟାନ୍ୟ ଜିନିଷପତ୍ର ଟ୍ରଙ୍କ୍‌ରେ ପୂରେଇ ଆଣି ଗାଡ଼ିରେ ଲଦିଦେଲା । ଏଥର ଘର ଭିତରକୁ ଦୌଡ଼ିଯାଇ ସେ ଗୋଟିଏ କଂସା ଧରିଆସିଲା । ସେଥିରେ ଉର୍ଦ୍ଦୁରେ ଶେର୍ ବାଜ୍‌ର ନାଁ ଖୋଦେଇ ହୋଇଥିଲା । ପୁଣି ଥରେ ଶେର୍ ବାଜ୍ ଘର ଭିତରକୁ ଯାଇ ଝୋଟରେ ତିଆରି ବିଞ୍ଚଣାଟିଏ ଧରି ଫେରିଆସିଲା । ସେ ବିଞ୍ଚଣାଟିକୁ ରାକ୍ଷୀ ନିଜ ହାତରେ ବୁଣିଥିଲା । ସେ ବିଞ୍ଚଣା ମଝିରେ ସୂତାବୁଣା ହୋଇ ଲେଖାଯାଇଥିଲା – ପାକିସ୍ତାନ ଜିନ୍ଦାବାଦ୍‌!’
-ଠ-ଠ-ଠ-

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Comments are closed.