Latest Odisha News

ଶିଶୁ କବିତା : ମଉନେ ଦିଏ ଜୀବନ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ

ବନ୍ଦିତା ଦାଶ

ଦୀପ ଲଗାଅ ତୁଳସୀ ମୂଳେ
ଧୂପ ଲଗାଅ ଠାକୁର ଘରେ
ଝୁଣା ଗୋଗ୍ଗୁଳ ବାସରେ ପୂରୁ ଆମରି ପରିବେଶ,
ଗଛ ଲଗାଅ ପଥର ଧାରେ
ମଞ୍ଜି ପକାଅ ଲଣ୍ଡା ଭୂଇଁରେ
ନାନା ଜାତିର ଫୁଲ ଫଳରେ ସୁନ୍ଦର ହେଉ ଗଛ ।୧।

ଗଛ ବଢ଼ିବ ମନ ଖୁସିରେ
ପକ୍ଷୀ ବସିବେ ତା’ର ଶାଖାରେ
ଜାତି ଜାତିକା ପକ୍ଷୀଙ୍କୁ ଧରି ସେ ହୋଇବ ଖୁସି,
ଛାଇ ଦେବ ସେ ଖରା ଦିନରେ
କାଠ ଦେବ ସେ ବେଳ ଅବେଳେ
ପଥିକ ପୁଣି ହୋଇବ ଖୁସି, ତା’ର ଛାଇରେ ବସି ।୨।

ଘରର ସବୁ ଅସନା ନେଇ
ଦୂର ଜାଗାରେ ପୋତରେ ଭାଇ
ସୁନ୍ଦରକରି ରଖ ଘରକୁ, ରଖ ପରିବେଶକୁ,
ଗଛ ମୂଳରୁ ବାଛରେ ଘାସ
ସଫା ସୁତର ରଖରେ ବାସ
ଭଲରେ ରୁହ, ଭଲରେ ରଖ ,ନିଜେ ନିଜର ମନକୁ ।୩।

ବରଷା ଋତୁ ଆସିବ ଏବେ
ଗଛ ପୋତିବା ଯାଇକି ତେବେ
ହସିବ ଧରା,ହସିବ ଗଛ,ହସିବ ପରିବେଶ;
ମାଟି ମାଆବି ହୋଇବ ଖୁସି
ସବୁଜ ରଙ୍ଗ ଦେହରେ ଲେସି
ମନ ଖୁସିରେ ହସିହସିକା ବିତରିବ ଆଶିଷ ।୪।

ବଢିବ ଗଛ, ହେବ ସବୁଜ
ଅମ୍ଳଜାନ ଦେବ ସେ ହେଜ
ମାଟିକୁ ପୁଣି ଧରି ରଖିବ , ଧୂଳି ଧୂଆଁକୁ ପିଇ ସେ ଯିବ,
ତଥାପି ଆମେ ବୁଝି ପାରୁନୁ
ମଞ୍ଜିଟିଏ ବି କେବେ ପୋତୁନୁ
ମଉନେ ଦିଏ ଜୀବନ ଯିଏ,ତାକୁଇ କଷ୍ଟ ଦଉ।୫।

ଆମ ପରିବେଶ ଆମ ହାତରେ
ଅମ ସୁରକ୍ଷା ଆମ ପାଖରେ
ଏ ପୃଥିବୀ ଆମର, ଆମେ ସବୁ ଏକ ପରିବାର,
ଏତିକି କଥାରେ ଦିଅ ମନ
ପୁଣି ଫେରିବ ସେଇ ସୁଦିନ
ଏକତା ବିନା ହୋଇନି କିଛି, ଏଇ କଥା ବେଦ ମନ୍ତର।୬।

କାଂଶବାହାଲ 

Leave A Reply

Your email address will not be published.