Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୨ 

ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ ପାଟରାଣୀ କରି ସମସ୍ତ ସୁଖ ଦେବେ ବୋଲି ତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସେ ସ୍ପଷ୍ଟ ଶବ୍ଦରେ ମନା କରିଦେଇ କହିଥିଲେ, ତାଙ୍କ ପରି ଲମ୍ପଟ ଦେବତାଙ୍କୁ ସେ ନିଜର ପତି ରୂପେ ଚାହାଁନ୍ତି ନାହିଁ । ବାମନ ହୋଇ ଚନ୍ଦ୍ରଙ୍କୁ ଛୁଇଁବାର ଅଭିଳାଷ ସେ ମନରୁ ପୋଛି ଦିଅନ୍ତୁ। ଅନେକ ନାରୀଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାଙ୍କର ଜୀବନସାଥୀ କଦାପି ହୋଇ ନ ପାରେ।

ସୁଲୋଚନାଙ୍କର ସୌନ୍ଦର୍ଯ୍ୟ ଇନ୍ଦ୍ରଙ୍କୁ ପାଗଳ କରିଦେଇଥିଲା। ତିରସ୍କୃତ ନିରାଶ ଇନ୍ଦ୍ର ତେଣୁ ସୁଲୋଚନାଙ୍କର ପିତାଙ୍କ ନିକଟରେ ନିଜର ଅଭିପ୍ରାୟ ରଖିବା ଉଚିତ ମଣିଲେ। ସେ ଭଲରେ ଜାଣିଥିଲେ, ନାଗରାଜ ତାଙ୍କ ପ୍ରସ୍ତାବ କେବେହେଲେ ଅସ୍ବୀକାର କରି ପାରିବେ ନାହିଁ।

ବାସୁକିଙ୍କର ଆଶ୍ୱାସନାରେ ସାମାନ୍ୟ ଆଶାର ଆଲୋକ ଦେଖାଗଲା ଇନ୍ଦ୍ରଙ୍କର ମନରେ। ପରନ୍ତୁ ତାଙ୍କ ମନରେ ଭୟ ଥିଲା,ସୁଲୋଚନା ହୁଏତ ତାଙ୍କୁ ପୁନଶ୍ଚ ପ୍ରତ୍ୟାଖ୍ୟାନ କରି ପାରନ୍ତି ! ତେଣୁ ସେ କହିଲେ, ସୁଲୋଚନାଙ୍କର ମତ ମଧ୍ୟ ତାଙ୍କୁ ପଚରାଯିବା ଉଚିତ ହେବ। ପୁତ୍ରୀ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖୁଥିବା ପିତା କହିଲେ, ” ସୁଲୋଚନାଙ୍କୁ ପଚାରିବା ଆବଶ୍ୟକ ନାହିଁ। ମୁଁ ଜାଣେ ମୋ ପୁତ୍ରୀ ପରି ସୁଶୀଳା ପିତୃ ଆଜ୍ଞାକାରିଣୀ କନ୍ୟା କଦାପି ପିତାଙ୍କ ନିଷ୍ପତ୍ତିର ଅବମାନନା କରିବ ନାହିଁ। ”

ଇନ୍ଦ୍ରଙ୍କ ମନ ବୁଝିଲା ନାହିଁ। ସେ ପୁନଶ୍ଚ ସନ୍ଦେହ ପ୍ରକଟ କରିବାରୁ ବାସୁକି ତାଙ୍କ ନିକଟରେ ସୁଲୋଚନାଙ୍କ ସହିତ ତାଙ୍କର ବିବାହ ପାଇଁ ସଂକଳ୍ପ କରିଦେଲେ।

ଇନ୍ଦ୍ରଙ୍କର ବାରମ୍ବାର ଅନୁରୋଧରେ ବାସୁକି ସୁଲୋଚନାଙ୍କୁ ଡକାଇ ପଠାଇଲେ। ଇନ୍ଦ୍ରଙ୍କୁ ଦେଖିବାକ୍ଷଣି ସୁଲୋଚନା ବୁଝିଗଲେ ପରିସ୍ଥିତିର ଗମ୍ଭୀରତା। ବାସୁକି ହସି ହସି କହିଲେ, ” ପୁତ୍ରୀ ସୁଲୋଚନା ! ଦେବରାଜଙ୍କ ସହିତ ତୁମର ବିବାହ ସ୍ଥିର ହୋଇ ସାରିଛି। ବହୁତ ସୌଭାଗ୍ୟବତୀ ତୁମେ ଯେ ଦେବଲୋକର ଇନ୍ଦ୍ରାଣୀ ହେବାକୁ ଯାଉଛ। ସ୍ଵୟଂ ଦେବରାଜ ତୁମର ପାଣିଗ୍ରହଣ ପାଇଁ ଇଚ୍ଛୁକ। ”

କ୍ରମଶଃ…

Comments are closed.