ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୩
ସୁଲୋଚନା ବିନମ୍ର ଭାବରେ କହିଲେ, ” କିନ୍ତୁ !! ମୁଁ ଏ ବିବାହ ପାଇଁ ଇଚ୍ଛୁକା ନୁହେଁ । ଦେବରାଜ ପ୍ରଥମେ ମୋ ନିକଟକୁ ଆସିଥିଲେ। ମୁଁ ତ ତାଙ୍କୁ ଅସ୍ବୀକାର କରି ସାରିଛି। ”
ସାମାନ୍ୟ କ୍ରୋଧ ପ୍ରକାଶ କରି ନାଗରାଜ ସୁଲୋଚନାଙ୍କର ଏପରି ବ୍ୟବହାରର କାରଣ ଜାଣିବାକୁ ଚାହିଁ କହିଲେ, ଇନ୍ଦ୍ରଙ୍କ ସହିତ ବିବାହ ହେଲେ ତାଙ୍କ ସମ୍ମାନ ବୃଦ୍ଧି ହେବ। ଏହିପରି ଭାବରେ ତାଙ୍କ ପ୍ରସ୍ତାବକୁ ଅସ୍ବୀକାର କରିବା ଦ୍ୱାରା ଦେବରାଜଙ୍କର ଅପମାନ ହିଁ ହେଉଛି।
ସୁଲୋଚନା ନିର୍ଭୀକ କଣ୍ଠରେ କହିଲେ, ସେ ଏପରି ଲମ୍ପଟ ଦେବତାଙ୍କର ପତ୍ନୀ ହେବାକୁ ଚାହାଁନ୍ତି ନାହିଁ , ଯିଏ ଅନେକ ନାରୀଙ୍କୁ ଭୋଗ କରିବା ପାଇଁ ସର୍ବଦା ଲାଳାୟିତ ରୁହନ୍ତି। ସେ ଏପରି ପୁରୁଷଙ୍କୁ ବିବାହ କରିବେ ଯିଏ କେବଳ ତାଙ୍କୁ ହିଁ ଭଲ ପାଇବେ। ତାଙ୍କ ଭିନ୍ନ ଅନ୍ୟ କୌଣସି ନାରୀର କାମନା କରିବେ ନାହିଁ। ସେ ଏକପତ୍ନୀବ୍ରତଧାରୀ ହୋଇଥିବେ।
ଇନ୍ଦ୍ରଙ୍କ ସମ୍ମୁଖରେ ନିଜକୁ ଅପମାନିତ ବୋଧ କଲେ ବାସୁକି। ପୁତ୍ରୀର ଏପରି ଆଚରଣରେ ଅତିଶୟ କ୍ରୋଧିତ ହୋଇ ସୁଲୋଚନାଙ୍କୁ ଅଭିଶାପ ଦେଇ କହିଲେ, ” ତୁମେ ଦେବରାଜଙ୍କ ସହିତ ମୋର ମଧ୍ୟ ଅପମାନ କରିଛ। ତୁମ ପରି ଉଦ୍ଧତା ପୁତ୍ରୀର ଆବଶ୍ୟକତା ମୋର ନାହିଁ। ପିତୃବାକ୍ୟର ଅବମାନନା କରୁଥିବା ନାରୀ ଅଭିଶାପର ଯୋଗ୍ୟା। ମୁଁ ଅଭିଶାପ ଦେଉଛି ତୁମର ବିବାହ ଏକ ଅସୁର ସହିତ ହେବ। ଏଇ ମୁହୂର୍ତ୍ତରେ ପାତାଳଲୋକ ତ୍ୟାଗ କରି ପୃଥିବୀ ଲୋକକୁ ଚାଲିଯାଅ। ”
ପିତାଙ୍କର ଅଭିଶାପ ନେଇ ସୁଲୋଚନା ପୃଥିବୀଲୋକକୁ ଚାଲି ଆସିଲେ। ଶ୍ରୀବିଷ୍ଣୁଙ୍କର ପରମ ଭକ୍ତା ସୁଲୋଚନା ବର୍ତ୍ତମାନ ଜଙ୍ଗଲ ମଧ୍ୟରେ ଏକ ବିଷ୍ଣୁ ମନ୍ଦିରରେ ଆଶ୍ରୟ ନେଇଛନ୍ତି ଏବଂ ସୁଲୋଚନା ବିଷ୍ଣୁଙ୍କ ପୂଜା ଅରାଧନାରେ ମନପ୍ରାଣ ଢାଳି ଦେଇଛନ୍ତି।
ଆପଣ କୁହନ୍ତୁ ପ୍ରଭୁ ! ନାଗରାଜ, ପୁତ୍ରୀ ସୁଲୋଚନାଙ୍କ ସହିତ ଏପରି ଅନ୍ୟାୟ କରିବା ଉଚିତ ହୋଇଛି କି ? ସେ ବିଚାରୀ ଘଞ୍ଚ ଅରଣ୍ୟ ଭିତରେ ଶ୍ରୀବିଷ୍ଣୁଙ୍କ ମନ୍ଦିରରେ ଅତିଶୟ ଦୁଃଖରେ ନିଃସଙ୍ଗ ଜୀବନ ବିତାଉଛି। ମୋର ମାତୃପ୍ରାଣ କାନ୍ଦି ଉଠୁଛି। କିଛି କରନ୍ତୁ ପ୍ରଭୁ ! ”
କ୍ରମଶଃ…
Comments are closed.