Latest Odisha News

BREAKING NEWS

ବିରୋଧୀ ଶୂନ୍ୟ ସରକାର ଗଢ଼ିବାକୁ ଜଗନ ଦେଲେ ଗୁରୁମନ୍ତ୍ର

ଅମରାବତୀ: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୧୭୫ ବିଧାନସଭା ଆସନରେ ଓ୍ୱାଇଏସଆର କଂଗ୍ରେସ କିପରି ବିଜୟୀ ହେବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗୁରୁତ୍ୱ ଦେଇଛନ୍ତି । ଦଳ ଯଦି ୨୦୧୯ରେ ୧୫୧ ଆସନରେ ବିଜୟୀ ହୋଇପାରିଲା ତାହାଲେ ବାକି ଆସନରେ ଥିବା ସମସ୍ୟାର ସମାଧାନ କରି ୨୦୨୪ରେ ବିରୋଧୀ ଶୂନ୍ୟ ସରକାର ଗଢିବାକୁ ଦଳୀୟ ବୈଠକରେ ଗୁରୁତ୍ୱ ଦେଇଛନ୍ତି ଜଗନ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଧାୟକ, ମନ୍ତ୍ରୀ, ବିଧାୟକ, ଆଞ୍ଚଳିକ ସଂଯୋଜକ ଏବଂ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ସାଧାରଣ ଲୋକଙ୍କର ସରକାର ଏବଂ ଦଳ ପ୍ରତି କିଭଳି ମନୋଭାବ ରହିଛି ଜାଣିବାକୁ ପ୍ରତି ମାସରେ ଏକ କର୍ମଶାଳା ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ଜଗନ ଘୋଷଣା କରିଛନ୍ତି।

ତେବେ ଏହି କର୍ମଶାଳା ସେତେବେଳେ ଆୟୋଜନ ହୋଇଛି ଯେତେବେଳେ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଟିଡିପି, ପବନ କଲ୍ୟାଣଙ୍କ ଜନସେନା ଓ ବିଜେପି ଭଳି ସମସ୍ତ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ଟିଡିପି ‘ବଡୁଡ଼େ ବଡୁଡୁ’ ଆନ୍ଦୋଳନ ଚଳାଇଥିବା ବେଳେ ଜେଏସପି ଓ ବିଜେପି ନିୟମିତ ଭାବେ ରାଜ୍ୟରେ ସଭା ଓ ରାଲି କରୁଛନ୍ତି।

ଏବେ ବିଧାୟକମାନେ ଦୁଇରୁ ତିନି ଦିନ ପାଇଁ ପ୍ରତ୍ୟେକ ଓ୍ୱାର୍ଡ କିମ୍ବା ଗାଁ ପରିଦର୍ଶନ କରିବା କଥା ଦୋହରାଇ ଜଗନ କହିଛନ୍ତି, “୨୦ ଦିନରେ ଜଣେ ବିଧାୟକଙ୍କୁ ୧୦ଟି ଗାଁ ବା ବ୍ଲକ ଗସ୍ତ କରିବାକୁ ପଡ଼ିବ ଏବଂ ‘ଗଡାପା ଗଡାପାକୁ’ ଅଭିଯାନକୁ ସଫଳ କରିବାକୁ ହେବ। ଏହା ସହ ଲୋକଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବାକୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ବିଧାୟକମାନେ ଲୋକଙ୍କ ପାଖରେ ନ ପହଞ୍ଚିଲେ ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେମାନଙ୍କୁ ନବୁଝାଇଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜଗନ ଚେତାବନୀ ଦେଇଛନ୍ତି।

୨୦୨୪ରେ ସମସ୍ତ ୧୭୫ଟି ବିଧାନସଭା ଆସନ ଜିତିବା ଆମର ଲକ୍ଷ୍ୟ ବୋଲି ଜଗନ କହିଛନ୍ତି। ଏହି ଲକ୍ଷ୍ୟ ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.