Latest Odisha News

BREAKING NEWS

ମଧ୍ୟାହ୍ନର ମେଘ

ମଧ୍ୟାହ୍ନର ମେଘ

ପ୍ରତାପ ବିଶ୍ୱାଳ

ତାକୁ ଆଉ କିଛି ପଚାରନ୍ତୁ ନାହିଁ । ନୀରବତା ଏବେ ତାର ଅବଲମ୍ବନ । ମୌନତା ଶିଖି ନେଇଛି ସେ କେଉଁ ପାହାଡ଼ଠାରୁ । ନିଜେ ସେ ଭାଂଗି ଦେଇଛି ତା ବାଇଚଢେ଼ଇର ବସା । ସଂପର୍କ ଫେଣାର ଟୋପି ଟୋପି ସାଇତା ମହୁ ଆଜି ଶୂନ୍ୟ । ଜୀବନ ଲାଗୁଛି ଖାଁ-ଖାଁ । ଆଉ କାହାକୁ ନୁହେଁ, ଏବେ ସେ ଅନୁଭବ କରୁଛି ସେ ଠକି ଦେଇଛି ନିଜକୁ ନିଜେ ।

ମୁଁ ବି କେବେ ଭାବିନଥିଲି ସେ ମୋ ଗପର ଏକ ଚରିତ୍ର ହୋଇଯିବ । ଜାଣିଥିଲେ ବହୁତ ପୂର୍ବରୁ ମୁଁ ତାକୁ ଖୋଜିଥାନ୍ତି ତା ଭିତରୁ । ପଚାରି ପାରିଥାନ୍ତି ତାକୁ କିଛି । ଆଉ ଏବେ ପଚାରି ତାକୁ ବେଶୀ ଦୁଃଖ ଦେବାକୁ ମୁଁ ଚାହୁଁନାହିଁ ।

ଆଲୋକକୁ ମୁଁ ମୋ କଲେଜ କ୍ୟାରିୟରରୁ ହିଁ ଜାଣିଥିଲି । ବେଶ ଚୁପ ଚାପ । ଡେଙ୍ଗା, ଗୋରା ସୁନ୍ଦର ସାଙ୍ଗକୁ ଜିନିୟସ ବି । ଅନେକ ଝିଅଙ୍କର ଆସକ୍ତି ଥିଲା ତା’ ପ୍ରତି । କିନ୍ତୁ କୌଣସି ଝିଅକୁ ସେ ଧରାଦେବାର ମୁଁ ଜାଣିନଥିଲି । ଅନେକ ସେତେବେଳେ ଭାବୁଥିଲେ ଝିଅମାନଙ୍କୁ ସେ ଘୃଣା କରେ । କିନ୍ତୁ ଯେଉଁଦିନ ସେ ଆମ କଲେଜ ତରଫରୁ ଇଣ୍ଟର କଲେଜ ଡିବେଟ କମ୍ପିଟିସେନରେ ଆମ ସମାଜରେ ନାରୀର ଭୂମିକାକୁ ନେଇ ଏକ ସାରଗର୍ଭକ ଭାଷଣ ଦେଇ ପ୍ରଥମ ପୁରସ୍କାର ଜିତିଲା, ସମସ୍ତଙ୍କ ଧାରଣା ସେଦିନ ବଦଳି ଯାଇଥିଲା ।

ସେ ଆଇଏଏସ ପାଇଲା । ତା’ପରି ଜିନିୟସ ପିଲା ପକ୍ଷେ ଏଇଟା ସ୍ୱାଭାବିକ । ଏଇ ସହରରେ ବି ଚାକିରି । ମୁଁ ଯେତେବେଳେ ବଲାଙ୍ଗୀରରୁ ଏ ଡାକ୍ତରଖାନାକୁ ବଦଳି ହୋଇଆସିଲି ସେତେବେଳକୁ ସେ ଗୋଟାଏ ପିଲାର ବାପା ହୋଇସାରିଥିଲା । ଥରେ ଅଧେ କେବେ କେଉଁଠି ଦେଖାହେଲେ ମୁଁ ତାକୁ କହୁଥିଲି କେବେ କେମିତି ମିସେସଙ୍କୁ ଧରି ମୋ କ୍ୱାଟର ଆ । ସେ ବି ଠିକ ସେଇକଥା କହୁଥିଲା । ତାର ବ୍ୟସ୍ତ ଚାକିରିକୁ ମୋର ବ୍ୟସ୍ତତା କେବେ ଥରେ ବି ଆମ ଦୁହିଁଙ୍କୁ ଏତେ ନିକଟରେ ପହଁଚାଇ ପାରିନଥିଲା । କିନ୍ତୁ ଯେବେ ପହଞ୍ଚାଇଲା, ସେତେବେଳକୁ ମୋ ଡାକ୍ତରୀ ହାତର କରାମତି ହେଉ କି ବନ୍ଧୁ ବୋଲି ସାହାଯ୍ୟ କରିବା ମନୋବୃତ୍ତି ହେଉ ସବୁ ନିରର୍ଥକ ଥିଲା ।

ବ୍ଲଡ ପରୀକ୍ଷା ପରେ ମୁଁ ବି ନିଜକୁ ବିଶ୍ୱାସ କରିପାରୁନଥିଲି । ସିଷ୍ଟରଙ୍କୁ କହିଲି, ସି ଏଗେନ । ଇଟ ମେ ବି ନେଗେଟିଭି । ସିଷ୍ଟର ଆଉ ଥରେ ପରୀକ୍ଷା କରି କହିଲା “ନାଇଁ ସାର । ଇଟ ଇଜି ଏଚଆଇଭି ପଜେଟିଭ ।’ ମୁଁ କେତେବେଳେ ବି ବିଶ୍ୱାସ କରି ପାରୁନଥିଲି । ମୁଣ୍ଡରେ ହାତ ଦେଇ ଚିନ୍ତାକରି ହାଓ ଇଟ ଇଜ ପସିବୁଲ ଆଲୋକ ପରି ମଣିଷ ତ ଏତେ ତଳକୁ ଖସିବ ନାହିଁ । ନିଡ଼ିଲି କିମ୍ବା ଅନ୍ୟକୌଣସି ଯୋଗେ ।

ଆଜି ତା ଘରକୁ ଯାଇ କେମିତି ତାକୁ କହିବି ଏ କଥାଟା! ତା’ପରେ କ’ଣ ହେବ ତାର, କି ତାର ସ୍ତ୍ରୀ । ପିଲାର ଅବସ୍ଥା! ତେବେ ଏପରି ଏକ ଅପ୍ରିୟ ସତ୍ୟକୁ କେତେ ଦିନ ବା ଲୁଚାଇ ହେବ ଭାବୁଥିଲା ସମୟରେ ରିଙ୍ଗ ଆସିଲା । ସେ ପଟୁ ଅନୀତା ଦେବୀଙ୍କ କଣ୍ଠସ୍ୱର ଶୁଭୁଥିଲା । “ନୋ ରେମିସନ ଅଫ ଫିବର । ଟେମ୍ପରଚର ଶହେ ଦୁଇରୁ ଶହେ ଚାରି ରହୁଛି । ମୁଣ୍ଡ ବିନ୍ଧୁଛି । ବାନ୍ତି ବି ବେଳେ ବେଳେ ହେଉଛି ।” କ’ଣ ଉତ୍ତର ଦେବି? କହିଲି ଯାଉଛି । ଡୋଣ୍ଟ ଓରି ।

ମୋତେ ଦେଖି ଅନୀତା ଦେବୀ ଟେଲିଫୋନରେ କହିଥିବା କଥାକୁ ପୁଣିଥରେ ଦୋହରାଇଲେ । ମୁଁ ଟେମ୍ପରଚର ମାପିଲାବେଳେ ସେ କହିଲେ “ମୁଁ ଚା’ ନେଇ ଆସୁଛି’ । ସେପଟେ ତା’ପୁଅ ବୋଧେ ଟିଉସନ ସାର୍‍ଙ୍କ ପାଖରେ ବୋଲୁଥିଲା “ଅରଣା ମଇଁଷି ରହିଛି ଅନେଇ…”

ମୁଁ ଥଙ୍ଗମଙ୍ଗ ହୋଇ ପ୍ରଶ୍ନ କଲି: କେବେ ନର୍କକୁ ଯାଇଥିଲୁ?

ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା: ନର୍କ!

: ହଁ ନର୍କ । ତୋ ବ୍ଲଡ କହୁଛି । ମୁଁ କହୁ ନାହିଁ । ସେ ଏଥର ସବୁ ବୁଝିଗଲା ପ୍ରାୟ । ମୁଣ୍ଡତଳକୁ କରି ପଚାରିଲା କିଛି ସମୟ ପରେ : ଇଜ୍‍ ଇଟ ସିଓର?

ମୋ ଚାହାଣୀ ଏଥର ଏମିତି ଥିଲା ଯେ, ସେ ଆଉ କିଛି ନପଚାରି ଗୋଟାଏ ଦୀର୍ଘଶ୍ୱାସ ପକାଇଲା ।

ମୋ’ ଅଜାଣତରେ ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ମୋ ଛାତି ଥରାଇ । ମୁଁ କହିଲି କିପ ଇଟ ସିକ୍ରେଟ । ବଟ ହାଓ ଆର ୟୁ ଗୋ ଟୁ ହେଲ!

ସେ ସେମିତି ଚୁପ ରହିଲା । ଆଖିରେ ତାର ଦୁଇଧାର ଅଶୁ୍ର ବାରି ହୋଇ ପଡ଼ୁଥିଲା, କହିଲା ଶୁଣିବୁ?

ମୁଁ କହିଲି ଆଉ କିଛି ଶୁଣିବା ଦର୍କାର ନାହିଁ । ପାଖରେ ଏମିତି ସୁନ୍ଦରୀ ସ୍ତ୍ରୀ, ପୁଅ ଥାଇ ତୋ ପରି ଜଣେ ଏତେ ଉଚ୍ଚଶିକ୍ଷିତ ବ୍ୟକ୍ତି ଯେ ଏପରି ନିମ୍ନକୁ ଖସିଯିବ, ମୁଁ କେବେ ଚିନ୍ତା ବି କରିନଥିଲି । ତାହାହେଲେ ଆଉ ସାଧାରଣ ଲୋକଙ୍କ କଥା କ’ଣ କହିବା!

ପୁଣି କିଛି ସମୟ ନୀରବତାରେ ବିତିଗଲା, ଖାଲିଯାହା ଶୁଭୁଥିଲା । ସେପଟ ଘରୁ ତା’ ପୁଅକୁ ଟିଉସନ ସାର ପଢ଼ାଉଥିବା ଅସ୍ପଷ୍ଟ ଶବଦ “ଅରଣା ମଇଁଷି ରହିଛି ଅନାଇ…”

ମୁଁ ତା ନୀରବତାକୁ ଭଂଗ କରି ପଚାରିଲି, “କି ଉତ୍ତର ଦେବି ମୁଁ ଅନୀତା ଦେବୀଙ୍କୁ?”

ତା ଆଖିରେ ସେତେବେଳେ ଆଖିଏ ଲୁହ । ଉତ୍ତର ନଥିଲା ତା’ ପାଖରେ ମୋତେ କହିବାକୁ ।

ଏହି ସମୟରେ ଅନୀତା ଦେବୀ ଚା’ଟା, ମୋ ହାତକୁ ବଢ଼ାଇ ଦେଇ ପୁଣି ମୋତେ ବିବ୍ରତ ହୋଇ ପ୍ରଶ୍ନ କଲେ, “କ’ଣ କରିବା? ସାତଦିନ ହୋଇଗଲାଣି । ଟେମ୍ପରଚର ଜମା କମୁନି!”

ମୁଁ ସିଧା ଚାହିଁ ପାରୁନଥିଲି ତାଙ୍କ ମୁହଁକୁ । କହିଲି: ଆଜି ଆଡମିସନ ହୋଇଯାଉ ସେ ହସପିଟାଲରେ ।

ଚେଙ୍କା ଖାଇଲା ପରି ଏଥର ଆଲୋକ କହିଲା: ନାଁ, ଏଇଠି ଯାହା ହେବ ହେଉ । ମୁଁ ମୋଟେ ହସପିଟାଲ ଯିବିନି ।

ମୁଁ କହିଲି: ତୁ ମୋ ଉଦ୍ଧିଷ୍ଟ ବେଡରେ ଆଡ଼ମିସନ ହୋଇଯିବୁ । ମୁଁ ଯାଇ ଗୋଟେ କେବିନ ଠିକ କରି ଦେଉଛି ।

କିନ୍ତୁ ସେ ମୋର କୌଣସି କଥା ମାନିବାକୁ ପ୍ରସ୍ତୁତ ନଥିଲା । ମୁଁ ଜାଣିଥିଲି ତା ସମ୍ମାନକୁ ସେ ତଳେ ପକାଇ ଦେବାକୁ ମୋଟେ ଚାହୁଁନଥିଲା । କିନ୍ତୁ ମୁଁ ତାକୁ ଆଡମିସନ ନେବାକୁ ବୁଝାଇ କହି ଚାଲି ଆସିଲି ।

ମୁଁ ଆସି ଘରେ ପହଁଚୁ ପହଁଚୁ ପୁଣି ଟେଲିଫୋନ ଆସିଲା । ଅନୀତା ଦେବୀଙ୍କ ବାଷ୍ପରୁଦ୍ଧ ସ୍ୱର ଟେଲିଫୋନରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।

: ଏହା କ’ଣ ସତ, ଡକ୍ଟର!

କ’ଣ ବା ଉତ୍ତର ଦେଇପାରିଥାନ୍ତି ମୁଁ ଅନୀତା ଦେବୀଙ୍କୁ । କହିଲି ମୋତେ ନପଚାରି ବରଂ ଆଲୋକକୁ ପଚାରନ୍ତୁ ।

ସେ ସେମିତି କୋହ ମିଶା ସ୍ୱରରେ କହିଲେ- ଆପଣ ଗଲାପରେ ସେ ମୋତେ କହିଲେ । କେଉଁଦିନ ଥରେ ଟୁରରେ ଗୋଟେ ବିଶ୍ରାମ ଭବନରେ…

: ମୁଁ କହିଲି ବର୍ତ୍ତମାନ ଆଉ ଭାବି ଲାଭ କ’ଣ?

: କିନ୍ତୁ ସତରେ କ’ଣ ଆଉ କିଛି ଉପାୟ ନାହିଁ ଡକ୍ଟର?

ମୋତେ ଲାଗିଲା ସତରେ ଯେପରି ଅନୀତା ଦେବୀ କିଛି ଜାଣିନାହାନ୍ତି ଏଡସର ଭୟାବହତା ବିଷୟରେ! ତାଙ୍କର ଏପରି ପ୍ରଶ୍ନ ତେଣୁ ମୋତେ ଚୁପ କରିଦେଲା । ସେ ପୁଣି କହିଲେ: କିଛି କୁହନ୍ତୁ ଡକ୍ଟର । ମୁଁ ବାଧ୍ୟ ହୋଇ କହିଲି: କେବଳ ଭଗବାନ ଭରସା।

କିଛି ଭଲ ଲାଗୁନଥିଲା । କେମିତି ଏକ ଦୁଃଖ କାହିଁକି କେଜାଣି ମୋ ଭିତରେ ଜମାଟ ବାନ୍ଧୁଥିଲା । ମୁଁ ଚିନ୍ତା ବି କରିପାରୁନଥିଲି ଆଲୋକ ଯିଏକି ଏକଦା ତା କଲେଜ କ୍ୟାରିୟରରେ ସଦାସର୍ବଦା ଝିଅମାନଙ୍କଠାରୁ ଦୂରରେ ରହୁଥିଲା, ସେ ଏତେ ତଳକୁ ଖସିପାରିବ! ପୁଣି ତାର ପରିଣତି ତାକୁ ମୃତ୍ୟୁ ଆଡ଼କୁ ଡାକି ନେବ ।

କିଛି ସମୟ ପରେ ପୁଣି ଟେଲିଫୋନ ରିଂ ହେଲା ଆଲୋକର ଆକ୍ତାମାକ୍ତା ଦୁଃଖଦ ସ୍ୱର । କହିଲା: ହ୍ୟାଲୋ ଡକ୍ଟର ତୋ କଥା ରଖି ପାରିଲି ନାହିଁ । ମୁଁ ଅନୀତାକୁ ସବୁକଥା କହିଦେଇଛି । ଗୋଟାଏ ଭୁଲ ପାଇଁ କାହିଁକି ଆଉ ଗୋଟାଏ ଭୁଲକୁ ଆପଣେଇ ନେଇଥାନ୍ତି, କି ସ୍ୱାର୍ଥରେ? ନିଜ ବସାକୁ ନିଜ ହାତରେ ଭାଂଗି ସାରିଲା ପରେ ନ ଭାଂଗିଯିବାର ଅଭିନୟ ଆଉ କେତେଦିନ କରି ହୋଇଥାନ୍ତା? କେତେଦିନ ନିଜ ଭିତରେ ବା ଜଳିପୋଡ଼ି ରହି ହୋଇଥାଆନ୍ତା? ମୁଁ ଠିକ କରିଛି ନା?

ମୁଁ ସଂକ୍ଷିପ୍ତ ଉତ୍ତରଟିଏ ଦେଲି । ହଁ ।

ବୋଧେ ମୋ ସ୍ୱରଟା ବଡ଼ ଗଂଭୀର ଥିଲା ।

ସେ ପୁଣି କହିଲା: ତୁ ମୋ ପାଇଁ ଚିନ୍ତା କରୁଛୁ ନୁହେଁ? କିନ୍ତୁ ଏତେ ଦିନ ପରେ ମୁଁ ସମସ୍ତଙ୍କ ପାଇଁ ଚିନ୍ତା କରୁଛି । କ୍ଷଣିକ ଆମୋଦ ପ୍ରମୋଦ ପାଇଁ କେତେଜଣଙ୍କ ଭାଗ୍ୟରବି ଅସ୍ତମିତ ହୋଇ ଯାଉନଥିବ ଏମିତି ଶୀତଳ ଅଂଧାରରେ । ତୋ ପାଖକୁ ଟେଲିଫୋନ କରିବାର କାରଣ ହେଲା, ମୁଁ କେବେ ହସପିଟାଲରେ ଆଡ଼ମିସନ ହେବାକୁ ଯିବି ନାହିଁ । ନିଶ୍ଚିତ ମୃତୁ୍ୟକୁ ଅପେକ୍ଷା କରିଥିବା ମଣିଷ କାହିଁକି ତା ଘର ଛାଡ଼ି, ପରିବାର ଛାଡ଼ି ଆଉ କେଉଁଠି ମରିବାକୁ ଯିବ କହତ?

ମୁଁ ଚାହେଁ ମୁଁ ବଂଚିଥିବା ଯାଏ ଅନିତା ମୋତେ ଘୃଣା କରୁ । ଖରାପ କରି କହୁ । ଏମିତି ହେଲେ ତା ମନରୁ ମୋ ପ୍ରତି ମୋହ ତୁଟିଯିବ । ମୁଁ ମରିଗଲା ପରେ ଆଉ ହୁଏତ ସେ ମୋ କଥା ଭାବିବନି, ଭାବିଲେ ଭାବିବ ଏମିତି ଏକ ଅବିଶ୍ୱାସୀ, ବାଜେ ସ୍ୱାମୀର ସ୍ତ୍ରୀ ହେବା ଅପେକ୍ଷା, ବିଧବା ହେବା ବରଂ ଶତଗୁଣେ ଭଲ ହୋଇଛି ।

ତା କଣ୍ଠ ଟେଲିଫୋନରେ ବେଶ ସ୍ପଷ୍ଟ ନିର୍ଭିକ ଥିଲେ ବି ଶେଷପଦ କଥା କେତୋଟି ବେଶ ନରମ ଥିଲା ।

ମୁଁ ବୁଝିପାରୁଥିଲି ଏପରି ତାସôଲ୍ୟତା ପ୍ରକୃତରେ ତାର ତା ସ୍ତ୍ରୀ ପାଇଁ ନଥିଲା; ଥିଲା ନିଜ ପାଇଁ । କେଉଁ ପୁରୁଷ ଚାହେଁ ତା ସ୍ତ୍ରୀ ତାକୁ ଘୃଣା କରୁ, ତାକୁ ଖରାପ ଭାବୁ । ତାକୁ ଭୁଲିଯିବାକୁ ଚେଷ୍ଟା କରୁ । ମୁଁ କହିଲି ବି ଷ୍ଟ୍ରଙ୍ଗ ।

ସେ ପୁଣି କହିଲା : ମୋର ଆଜି ଦୁର୍ନାମକୁ ଭୟ ନାହିଁ । କୃତକର୍ମର ଫଳ ଭୋଗୁଛି । ଜାଣିଛି ତୁ ଖାଲି ଡାକ୍ତର ନୁହେଁ । ଭଲ ଲେଖକଟିଏ ବି । ପାରିବୁ ଯଦି ଏହା ଉପରେ ଲେଖେ । ଏ ସମାଜ ପଢ଼ୁ । ଜାଣୁ । ଅସଂଗତ ଯୌନକ୍ରିୟା, କିଛି ସମୟର ଉନ୍ମାଦନା କିପରି ଏକ ଦୁଃଖଦ ମୁହୂର୍ତ୍ତକୁ ଅପେକ୍ଷା କରିଥାଏ, ଜୀବନକୁ କିପରି ତିଳ ତିଳ କରି ଦଗ୍ଧ କରି ଖିନ ଭିନ କରି ସୁନାର ସଂସାରକୁ ଚୁରମାର କରିଦିଏ ।

ମୁଁ ତାକୁ ପ୍ରତିଶ୍ରୁତି ଦେଇଥିଲି ଲେଖିବାକୁ କିନ୍ତୁ ମୋ ଲେଖା ସରିଲା ପୂର୍ବରୁ ସେ ଚାଲିଯାଇଥିଲା ଆର ପାରିକୁ ।

Comments are closed.