Latest Odisha News

ପରମେଶ୍ୱର ଆୟର ହେବେ ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ: ପରମେଶ୍ୱର ଆୟର ହେବେ ନୀତି ଆୟୋଗ ସିଇଓ । ଡିଓପିଟି ବିଭାଗ ଏହି ସୂଚନା ଦେଇଛି । ବର୍ତ୍ତମାନର ସିଇଓ ଅମିତାଭ କାନ୍ତଙ୍କ ଅବସର ପରେ ପରମେଶ୍ୱର ଜୁଲାଇ ପହିଲାରୁ ନୀତି ଆୟୋଗ ମୁଖ୍ୟ ଭାବେ ଯୋଗ ଦେବେ । ଅମିତାଭଙ୍କ କାର୍ଯ୍ୟକାଳ ଜୁନ ମାସ ଶେଷ ଆଡ଼କୁ ଅନ୍ତ ହେଉଛି । ତାଙ୍କ ବଦଳରେ କେନ୍ଦ୍ର ସରକାର ୧୯୮୧ ବ୍ୟାଚ୍ ଉତ୍ତରପ୍ରଦେଶ କ୍ୟାଡର ଆଇଏସ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ।

୨୦୨୧ ଜୁନରେ ବର୍ତ୍ତମାନର ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ସରିବାର ଥିଲା । ହେଲେ ଏହାକୁ ଗୋଟିଏ ବର୍ଷ ବଢ଼ାଯାଇଥିଲା । ଏବେ ନିଯୁକ୍ତ ହେବାକୁ ଥିବା ପରମେଶ୍ୱରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ ବୋଲି ଡିଓପିଟି ସୂଚନାରୁ ଜଣାପଡ଼ିଛି ।

ପରମେଶ୍ୱର ପ୍ରାୟ ୨୭ ବର୍ଷ ଆଇଏଏସ ଭାବେ କାର୍ଯ୍ୟ କରିବା ପରେ ୨୦୦୯ ମସିହାରେ ଇସ୍ତଫା ଦେଇଥିଲେ । ପୁଣି ୨୦୧୬ ମସିହାରେ ପାନୀୟ ଜଳ ଏବଂ ସ୍ୱଚ୍ଛତା ବିଭାଗର ସଚିବ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ସେ ମାୟାବତୀ ସରକାରରେ ଗ୍ରାମୀଣ ଜଳ ସ୍ୱଚ୍ଛତା ଦିଗରେ ଅଭିଜ୍ଞତା ରଖିଛନ୍ତି ।

ମୋଦି ସରକାରର ସ୍ୱଚ୍ଛ ଭାରତ ଯୋଜନାରେ ପରମେଶ୍ୱରଙ୍କ ବଡ଼ ଭୂମିକା ଥିଲା । ଖୋଲାରେ ଶୌଚ ହ୍ରାସ କରିବା ପାଇଁ ପରମେଶ୍ୱରଙ୍କୁ ଶ୍ରେୟ ଦିଆଯାଇଥାଏ । ଜୁଲାଇ ୨୦୨୦ରେ ସେ ଭାରତ ସରକାରରୁ ଇସ୍ତଫା ଦେଇ ବିଶ୍ୱ ବ୍ୟାଙ୍କରେ ଯୋଗ ଦେଇଥିଲେ ।

Comments are closed.