Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

କ୍ରୋଧିତା ବେଦବତୀ ତତ୍କ୍ଷଣାତ୍ କେଶକୁ ନିଜ କମରରେ ବାନ୍ଧି ରଖିଥିବା ଛୁରୀକା ଦ୍ୱାରା କାଟିଦେଲେ ଏବଂ ଅଭିଶାପ ଦେଇ କହିଲେ, ‘ ରେ ପାପୀ! ମୋତେ ସ୍ପର୍ଶ କରିବା ପରେ ଏ ଶରୀର ଆଉ ରଖିବାର ସ୍ପୃହା ନାହିଁ। ମୁଁ ଏହିକ୍ଷଣି ଏ ଶରୀରକୁ ଅଗ୍ନିରେ ବିସର୍ଜନ କରିଦେବି। ତୁମର ଅନ୍ତ ପାଇଁ ମୁଁ ଆଉଥରେ ଜନ୍ମ ନେବି। ତୁମ ସର୍ବନାଶର କାରଣ ହେବି। ‘

ବେଦବତୀ ନିଜକୁ ଅଗ୍ନିରେ ବିସର୍ଜନ ଦେଇଦେଲେ। ସେହି ବେଦବତୀ ନିଜର ସାଧନା ଓ ତପସ୍ୟା ବଳରେ ଭଗବାନ ବିଷ୍ଣୁଙ୍କୁ ପ୍ରାପ୍ତ ହେଲେ। ସୀତା ସେହି ବେଦବତୀ ଯିଏକି ଲଙ୍କେଶ୍ୱରଙ୍କର ବିନାଶର କାରଣ ହେବ। ”

” ଏକଥା କ’ଣ ପିତାଙ୍କୁ ଜଣା , ବେଦବତୀ ହିଁ ସୀତା ? ”

” ଜଣା ଥାଇପାରେ । ମୋତେ ତୁମ କାକା ଏହି ସକଳ ବୃତ୍ତାନ୍ତ କହିଥିଲେ। ”

” ଦ୍ଵିତୀୟ ଶାପ ତାଙ୍କୁ କିଏ ଦେଇଥିଲେ ଓ କାହିଁକି ? ‘

” ଗନ୍ଧର୍ବ କନ୍ୟା ରମ୍ଭା ”

” ସ୍ୱର୍ଗର ଅପ୍ସରା ରମ୍ଭା ତ ! କିନ୍ତୁ କାହିଁକି ? ”

” ଏହା ସେହି ସମୟର କଥା ଯେତେବେଳେ ଲଙ୍କେଶ୍ୱର ତାଙ୍କ ସୈନ୍ୟ ସହିତ ଅଳକାପୁରୀ ଆକ୍ରମଣ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟ। ସୈନ୍ୟମାନେ ବିଶ୍ରାମ ନେଇଥାଆନ୍ତି। କୁବେରଙ୍କ ପ୍ରାସାଦରୁ ଅପ୍ସରାମାନଙ୍କର ନୃତ୍ୟ ସଙ୍ଗୀତର ଶବ୍ଦ ଭାସି ଆସୁଥାଏ। ସେମାନଙ୍କର ନୂପୁରର ଛମ ଛମ ଶବ୍ଦ ଏବଂ ଚନ୍ଦ୍ରମାର ଶୀତଳ ଜୋଛନା ଦଶାନନଙ୍କ ମନରେ କାମଭାଵ ବଢ଼ାଉଥାଏ।

ସେହି ରାତ୍ରିରେ ସର୍ବଶ୍ରେଷ୍ଠ ସୁନ୍ଦରୀ ଅପ୍ସରା ରମ୍ଭା ଦିବ୍ୟ ବସ୍ତ୍ର ଓ ଅଭୂଷଣରେ ସଜ୍ଜିତା ହୋଇ ସେହି ମାର୍ଗ ଦେଇ ଆସୁଥିଲେ। ଦିବ୍ୟଚନ୍ଦନ ଅଙ୍ଗରେ ଲେପନ କରିଥିଲେ ଏବଂ ଦିବ୍ୟ ପାରିଜାତ ପୁଷ୍ପରେ ଗଭା ସଜାଇଥିଲେ।

କାମାଗ୍ନିରେ ଦଗ୍ଧ ରାବଣ ରମ୍ଭାର ହସ୍ତ ଧରି ନେଇ କହିଲେ, ‘ କାହାକୁ ତୃପ୍ତ କରିବା ଅଭିଳାଷରେ ଏହିପରି ଦିବ୍ୟ ଶୃଙ୍ଗାର ହୋଇ ଯାଉଛ ? ମୁଁ ଲଙ୍କାପତି ରାବଣ ସମସ୍ତ ଦେବତାଙ୍କଠାରୁ ସବୁଥିରେ ଉର୍ଦ୍ଧ୍ବରେ। ପ୍ରଥମେ ମୋତେ ତୃପ୍ତ କର। ”

କ୍ରମଶଃ….

Leave A Reply

Your email address will not be published.