ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
” ଆମ କୁଳର କଳଙ୍କ ବିଭୀଷଣ କାକା, ରାମର ଆଶ୍ରୟ ନେଇଛନ୍ତି। ଗୁପ୍ତଚର କହିଲା, ରାମ କୁଆଡେ ତାଙ୍କୁ ଲଙ୍କାର ରାଜା କରିବେ ବୋଲି ବଚନ ଦେଇଛି । ହା.. ହା.. ନିଜେ ତ ଭିକାରୀ , ସେ ପୁଣି କରିବ ଆଉ କାହାକୁ ରାଜା !! ”
” ସୁଗ୍ରୀବଙ୍କୁ ବି ତ ସେହି କଥା ଦେଇଥିଲେ ଏବଂ ପୂର୍ଣ୍ଣ ମଧ୍ୟ କଲେ ନିଜର ବଚନ। ଯଦି ସେମିତି ହୁଏ… ! ”
” ଚୁପ୍ କର.. ” ବିରକ୍ତିରେ କକ୍ଷ ତ୍ୟାଗ କଲେ ମେଘନାଦ।
ଏହି ସମ୍ବାଦ ସୁଲୋଚନାଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଲା। ଲଙ୍କାରେ ବିଭୀଷଣ କେବଳ ଜଣେ ଏମିତି ଥିଲେ, ଯିଏ ସତ୍ୟ ଓ ନ୍ୟାୟ ପଥରେ ଥିଲେ। ଭବିଷ୍ୟତର ଅଶୁଭ ଆଶଙ୍କାରେ ଆତ୍ମା ତାଙ୍କର ଥରି ଉଠିଲା। ସରମାଙ୍କ ସହ ସାକ୍ଷାତ ନିମିତ୍ତ ମନ ବ୍ୟଗ୍ର ହୋଇଉଠିଲା।
ନିରବରେ ଅଶ୍ରୁ ଝରାଉଥିବା ସରମାଙ୍କୁ ଦେଖି ଦୁଃଖ ଅନୁଭବ କଲେ ସୁଲୋଚନା। ଯାହାର ସ୍ୱାମୀ ରାଜ୍ୟରୁ ରାଜଦ୍ରୋହୀର କଳଙ୍କ ନେଇ ବିତାଡ଼ିତ ତାଙ୍କର ପତ୍ନୀଙ୍କର ଏପରି ଶୋକାତୁରା ହେବା ସ୍ବାଭାବିକ। ସୁଲୋଚନାଙ୍କୁ ସମ୍ମୁଖରେ ଦେଖି ଅଶ୍ରୁ ପୋଛି ସରମା କହିଲେ, ” ଆସ ପୁତ୍ରୀ ! କିଛି କ୍ଷଣ ମୋ ନିକଟରେ ବସ। ତୁମ ସହ କଥା ହେଲେ ମନ ମୋର ହାଲ୍କା ହେବ। ”
” ସବୁ ଶୁଣି ସାରିବା ପରେ ସ୍ଥିର ହୋଇ ରହି ପାରିଲି ନାହିଁ କାକୀ ! ”
” ତୁମ କାକାଙ୍କୁ ଯେ ରାଜଦ୍ରୋହୀର ଅପବାଦ ଦିଆଗଲା ବା ତାଙ୍କୁ ରାଜ୍ୟରୁ ବିତାଡ଼ିତ କରାଗଲା ସେଥିପାଇଁ ମୁଁ ଜମାରୁ ଚିନ୍ତିତା ନୁହେଁ। ସେ ତ ଶରଣ ରକ୍ଷକ ପ୍ରଭୁ ଶ୍ରୀରାମଙ୍କ ଚରଣରେ ଆଶ୍ରୟରେ ଅଛନ୍ତି। ମୋର ଆଉ ଭୟ କ’ଣ ? ”
” ତେବେ ଏ ଅଶ୍ରୁ କାହିଁକି ? ବୁଝି ପାରିଲିନି ମାତା ! ”
” ମୋର ଚିନ୍ତାର କାରଣ ଏହି ସ୍ୱର୍ଣ୍ଣ ଲଙ୍କା , ଯାହାର ବିନାଶ ସୁନିଶ୍ଚିତ। ସୂର୍ପଣଖାଙ୍କର ଅଭିଶାପ ଫଳବତୀ ହେବା ପରି ପ୍ରତୀୟମାନ ହେଉଛି। ”
” ପିଉସୀମାଆଙ୍କର ଅଭିଶାପ ! ତାହା ପୁଣି ସ୍ଵ ଭ୍ରାତାଙ୍କ ନିମିତ୍ତ ! ”
” ହଁ ସୁଲୋଚନା ! ବ୍ରହ୍ମାଙ୍କ ନିକଟରୁ ବରପ୍ରାପ୍ତ ହୋଇ ଲଙ୍କେଶ୍ୱର ତ୍ରିଲୋକ ବିଜୟର ଅଭିଯାନରେ ବାହାରିଲେ। ସେ ପିତାମହ ସୁମାଳି ଓ ସୂର୍ପଣଖାଙ୍କୁ ରସାତଳର ଦାନବରାଜା କାଳକେୟ ବଂଶଜ ବିଦ୍ୟୁତ୍ ଜିହ୍ଵାଙ୍କ ନିକଟକୁ ସମ୍ବାଦ ଦେଇ ପଠାଇଲେ ଲଙ୍କେଶ୍ୱରଙ୍କର ଅଧୀନସ୍ଥ ହେବା ନିମିତ୍ତ।
କ୍ରମଶଃ…
Comments are closed.