Latest Odisha News

BREAKING NEWS

ଚାଷରେ ଜ୍ଞାନକୌଶଳର ଲାଭ ନେଉଛି କିଏ ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ସାରା ବିଶ୍ୱରେ ଯଦି କୌଣସି ବୃତି ବା ବୃତ୍ତିଧାରୀ ସର୍ବାଧିକ ସଙ୍କଟରେ ଅଛନ୍ତି, ତାହା ହେଉଛି ଚାଷ ଓ ଚାଷୀ । ଚାଷ ଓ ଚାଷୀମାନଙ୍କର ସଙ୍କଟକୁ ବିଚାରକୁ ନେଲେ ଆମ ଦେଶ ବି ପଛରେ ନାହିଁ । ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଚାଷୀ ଆତ୍ମହତ୍ୟା କରୁଛି । ଗତ କୋଡ଼ିଏ ବର୍ଷ ଭିତରେ ଆମ ଦେଶରେ କୋଡ଼ିଏ ଭାଗ ଚାଷୀ ଚାଷ ଛାଡ଼ି ଦିନ ମଜୁରିଆରେ ପରିଣତ ହୋଇଛନ୍ତି । ଚାଷୀମାନଙ୍କର ସଂଖ୍ୟା ଜନସଂଖ୍ୟାର
୭୦ ପ୍ରତିଶତରୁ ଖସି ୫୦ ପ୍ରତିଶତରେ ପହଞ୍ଚିଲାଣି ।

କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନମିଳିବା ଯୋଗୁ ହିଁ ମୂଖ୍ୟତଃ ଭାବେ ଚାଷୀଙ୍କ ଅବସ୍ଥା ଅଧିକରୁ ଅଧିକ ସଙ୍କଟାପନ୍ନ ହେଉଛି । ସମ୍ପ୍ରତି ସାରା ବିଶ୍ୱର ଚାଷୀମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବା ପାଇଁ ସଂଘର୍ଷ କରୁଥିବା ବେଳେ, ନିକଟ ଅତୀତରେ ପ୍ରକାଶିତ ହୋଇଥିବା ଅକ୍ସଫାମ୍‌ର ବିସମତା ରିପୋର୍ଟରୁ ଜଣାଯାଏ ଯେ ଗତ ଦୁଇ ବର୍ଷ ମଧ୍ୟରେ ଖାଦ୍ୟ ଦ୍ରବ୍ୟ ବ୍ୟବସାୟ ସହିତ ଜଡ଼ିତ ଥିବା ୬୨ ଜଣ ବ୍ୟକ୍ତି ସୁପର ଧନୀ ତାଲିକାରେ ଯୋଡ଼ି ହୋଇଛନ୍ତି । ଏଥିମଧ୍ୟରୁ କୃଷି ଓ ଖାଦ୍ୟ ସାମଗ୍ରୀ ବ୍ୟବସାୟ ସହିତ ଜଡ଼ିତ ଥିବା କାର୍ଗିଲ୍ କଂପାନୀ ପରିବାରର ୧୨ ଜଣ ଏହ ତାଲିକାରେ ଅଛନ୍ତି । ପୂର୍ବ ରିପୋର୍ଟରେ ସୁପର ଧନୀ ତାଲିକାରେ କାର୍ଗିଲ୍ ପରିବାରର ୮ ଜଣ ଥିବା ବେଳେ ଗତ ଦୁଇ ବର୍ଷର କରୋନା ସଙ୍କଟ ସମୟରେ ଏହି ପରିବାରର ଆଉ ଚାରିଜଣ ଏଥିରେ ଯୋଡ଼ି ହୋଇଛନ୍ତି । ମହାମାରୀ ସମୟରେ ଓ ତା ପୂର୍ବରୁ ବି ଚାଷୀମାନେ ଯେତେବେଳେ ନିଜ ଉତ୍ପାଦନର ଉଚିତ୍‌ ମୂଲ୍ୟ ନପାଇ ଅତ୍ୟନ୍ତ ଦୁଃସ୍ଥ ସ୍ଥିତିରେ ଅଛନ୍ତି, ସେତେବେଳେ ଚାଷ ଓ ଖାଦ୍ୟ ସହିତ ଜଡ଼ିତ ଥିବା କମ୍ପାନୀମାନେ ତାଙ୍କ ଲାଭକୁ ପ୍ରଚୁର ବଢ଼ାଇବାରେ ସକ୍ଷମ ହୋଇପାରିଛନ୍ତି । ଏଥିରୁ ଗୋଟିଏ କଥା ବୁଝି ହେଉଛି ଚାଷରେ ଜ୍ଞାନ କୌଶଳର ବ୍ୟବହାରକୁ ଦ୍ରୁତ ପ୍ରୋତ୍ସାହନ ଯୋଗୁ ଚାଷୀମାନଙ୍କର ଉତ୍ପାଦନରେ ତ ଯାହା ବୃଦ୍ଧି ହୋଇଛି, ତା ଠାରୁ ଢ଼େର୍ ଗୁଣ ଲାଭ କୃଷି ସାମଗ୍ରୀ ବ୍ୟବସାୟ କରୁଥିବା କମ୍ପାନୀମାନେ ପାଇଛନ୍ତି । ତାହେଲେ ଚାଷୀଙ୍କୁ ଜ୍ଞାନ କୌଶଳର ଯେଉଁ ଭେଳିକି ଦେଖାଯାଉଛି, ତାର ପ୍ରକୃତ ହିତାଧୀକାରୀ କିଏ? ଚାଷୀ ନା ଚାଷ ସହିତ ଜଡ଼ିତ ଥିବା କମ୍ପାନୀ ?

ଚାଷ ସମସ୍ୟାକୁ ଦୂର କରିବା ପାଇଁ ନେତା, ଅର୍ଥନୀତିଜ୍ଞ ଓ କୃଷି ବୈଜ୍ଞାନିକମାନେ ବାରମ୍ବାର ଚାଷୀମାନଙ୍କୁ ଉତ୍ପାଦନ ବୃଦ୍ଧି ପାଇଁ ଉପଦେଶ ଦେଉଛନ୍ତି ଓ ସେଥିନିମନ୍ତେ ଅଧିକରୁ ଅଧିକ ଜ୍ଞାନକୌଶଳ ତଥା ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏହା ପଛରେ ଚାଷୀମାନଙ୍କର ଉନ୍ନତି ଅପେକ୍ଷା ଚାଷ କ୍ଷେତ୍ର ସହିତ ଜଡ଼ିତ ଥିବା କମ୍ପାନୀମାନଙ୍କୁ ଲାଭ ଦେବାର ଯୋଜନା ଅଧିକ ରହିଛି ବୋଲି ବୁଝିବାରେ ଆଉ ବାକି ନାହିଁ । ଯାହାର ସୂଚନା ଅକ୍ସଫାମ୍ ରିପୋର୍ଟରୁ ମିଳୁଛି । ଅନ୍ୟ ଅର୍ଥରେ କହିଲେ ଗତ ଦୁଇବର୍ଷ ମଧ୍ୟରେ ମହାମାରୀ କାଳରେ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇବାକୁ ନପାଇ ଭୋକିଲା ପେଟରେ ଶୋଉଥିବା ବେଳେ ଖାଦ୍ୟ କ୍ଷେତ୍ର ସହିତ ଜଡ଼ିତ ଥିବା ଏକାଧିକ କମ୍ପାନୀ ମାଲିକମାନେ ବିଲିଅନାୟାର ତାଲିକାରେ ଯୋଡ଼ି ହୋଇଛନ୍ତି । ଏହାର ଅର୍ଥ ହେଉଛି, ଚାଷୀଙ୍କର ବରବାଦୀ ସମୟରେ ଚାଷ ଓ ଖାଦ୍ୟ କ୍ଷେତ୍ରରେ ଜଡ଼ିତ ଥିବା କମ୍ପାନୀମାନଙ୍କର ସମୃଦ୍ଧି । ଏହା କେବଳ ମହାମାରୀ ସମୟର କଥା ନୁହେଁ, ସାଧାରଣ ସମୟରେ ବି ଚାଷରେ ଯନ୍ତ୍ରପାତି ଓ ଜ୍ଞାନକୌଶଳର ବ୍ୟବହାର ଯୋଗୁ ଚାଷୀର ଯେତିକି ଲାଭ ହେଉନି, ତା’ଠାରୁ ଅନେକ ଗୁଣ ଲାଭ ହେଉଛି ଜଡ଼ିତ ଥିବା କମ୍ପାନୀମାନଙ୍କର । କାରଣ ଚାଷୀ ପାଇଁ ଉତ୍ପାଦନ ଠାରୁ ବଡ଼ ସମସ୍ୟା ହେଉଛି ଉତ୍ପାଦନକୁ ଉଚିତ୍ ମୂଲ୍ୟ ନମିଳିବା । କିନ୍ତୁ ଅଦୂରଦର୍ଶୀ ବା ଯୋଜନା ବଦ୍ଧ ଭାବେ ଚାଷୀମାନଙ୍କୁ ପୁଣି ସେହି ଉତ୍ପାଦନ ବୃଦ୍ଧିର ଜାଲରେ ପକାଯାଇ ଉଚିତ୍ ମୂଲ୍ୟ ପରି ମୂଖ୍ୟ ସମସ୍ୟାକୁ ଅଣଦେଖା କରାଯାଉଛି । ଚାଷରେ ଯନ୍ତ୍ରପାତି ଓ ଜ୍ଞାନ କୌଶଳର ବ୍ୟବହାର ବଢ଼ୁଥିବାରୁ ଚାଷୀର ଖର୍ଚ୍ଚ ବଢ଼ୁଛି ଓ ବଢ଼ୁଥିବା ଯତ୍‌ କିଞ୍ଚିତ ଉତ୍ପାଦନର ମଧ୍ୟ ଉଚିତ୍ ଦାମ୍ ମିଳୁନାହିଁ । ତେଣୁ ଚାଷ କ୍ଷେତ୍ରରେ ଜ୍ଞାନକୌଶଳର ବ୍ୟବହାରର ଲାଭ ଚାଷୀ ପକେଟ୍‌କୁ ଯାଉନାହିଁ । ଖାଦ୍ୟ ଦ୍ରବ୍ୟର ବ୍ୟବସାୟ ସହିତ ଜଡ଼ିତ ଥିବା କେବଳ ଚାରୋଟି କମ୍ପାନୀ ଅନ୍ତର୍ଜାତୀୟ ଖାଦ୍ୟ ବଜାରର ୭୦% ଅଧିକାର କରିଛନ୍ତି । କାର୍ଗିଲ୍ ତା ମଧ୍ୟରୁ ଗୋଟିଏ । ଯେଉଁ ଖାଦ୍ୟ ଦ୍ରବ୍ୟର ବ୍ୟବସାୟ କରି କମ୍ପାନୀମାନେ ଆରବପତି ହେଉଛନ୍ତି, ତାହାକୁ ଦୁନିଆର କୋଣ ଅନୁକୋଣରେ କେବଳ ଚାଷୀମାନେ ଦିନ ରାତି ହାଡ଼ଭଙ୍ଗା ପରିଶ୍ରମ କରି ଉତ୍ପାଦନ କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ସେହି ଚାଷୀମାନେ ପେଟପୁରା ଦି’ ମୁଠା ଖାଇାବାକୁ ପାଉନଥିବା ବେଳେ, ସେମାନଙ୍କ ଉତ୍ପାଦନକୁ ନେଇ ବେପାର କରୁଥିବା କମ୍ପାନୀମାନେ ସମୃଦ୍ଧିର ଶିଖରରେ ପହଞ୍ଚି ପାରୁଛନ୍ତି । ଏହା ପଛରେ ଏକମାତ୍ର କାରଣ ହେଉଛି, ତଳ ପାହାଚରୁ ଉପର ପାହାଚ ଯାଏ ପ୍ରତ୍ୟେକ ସ୍ତରରେ ଚାଷୀଙ୍କୁ ଶୋଷଣ । କେତେବେଳ ଉତ୍ପାଦନକୁ ଉଚିତ୍ ମୂଲ୍ୟ ନଦେବା ନାଁ’ରେ ତ କେତେବେଳେ ଚାଷରେ ନିବେଶ ଖର୍ଚ୍ଚକୁ ଆଶାତୀତ ଭାବେ ବୃଦ୍ଧି କରାଯାଇ ଚାଷୀର ମେରୁଦଣ୍ଡକୁ ଭାଙ୍ଗିିବାର ପ୍ରୟାସ ଖୁବ୍ ସଫଳତାର ସହିତ ଆଗେଇ ଚାଲୁଛି ।

ତେଣୁ ଆଜିକାଲି ଆମ ନେତାମାନେ ପାଟି ଖୋଲୁଛନ୍ତି ତ କହୁଛନ୍ତି, ଚାଷୀମାନେ ଉନ୍ନତ ମାନର ବିହନ କିଣନ୍ତୁ । କମ୍ପାନୀ ତିଆରି କରିଥିବା ବିଭିନ୍ନ ପ୍ରକାର ଉପକରଣ ଚାଷରେ ବ୍ୟବହାର କରନ୍ତୁ । ସର୍ବୋପରି ଚାଷୀକୁ ପରନିର୍ଭରଶୀଳ କରେଇ କମ୍ପାନୀମାନଙ୍କ ତହବିଲ ଭରିବା କାମକୁ ସଫଳତାର ସହିତ ଆଗକୁ ନିଆଯାଉଛି । ଏଥିସହିତ ଚାଷରେ ମାତ୍ରାଧିକ ଜ୍ଞାନ କୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଯୋଗୁ ମାଟି, ଭୂତଳ ଜଳ ଓ ପରିବେଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛି । ଚାଷରେ ପ୍ରଚୁର ପରିମାଣରେ ରାସାୟନିକର ବ୍ୟବହାର ଯୋଗୁ ମାଟିର ଉର୍ବରତା ନଷ୍ଟ ହେଉଛି । ଭୂତଳ ଜଳସ୍ତର କମି ଯାଉଛି । ଆମ ଦେଶରେ ପଞ୍ଜାବର ଚାଷୀମାନେ ଯନ୍ତ୍ରପାତି ଓ ଜ୍ଞାନ କୌଶଳର ବ୍ୟବହାରରେ ସବୁଠାରୁ ଆଗରେ । ପରିଣାମ ସ୍ୱରୁପ ଆଜି ପଞ୍ଜାବର ମାଟି ତଳେ ଆଉ ପାଣି ନାହିଁ । ଚାଷୀମାନଙ୍କର ଜମି ବଞ୍ଜରରେ ପରିଣତ ହେଲାଣି । ଗୋଟିଏ ସମୟରେ ସବୁଜ ବିପ୍ଳବ ନାଁ’ରେ ଚାଷୀମାନଙ୍କୁ ଅଧିକରୁ ଅଧିକ ରାସାୟନିକ ଓ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସମ୍ପ୍ରତି ପଞ୍ଜାବରେ ଚାଷ ଜମିର ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟ ବରାଦ କରିବାକୁ ପଡ଼ୁଛି । କିନ୍ତୁ ତଥାପି ବି ଆମ ନୀତି ନିର୍ମାତାମାନେ ପଞ୍ଜାବର ଉଦାହରଣରୁ କିଛି ନଶିଖିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଜ୍ଞାନ କୌଶଳର ବିକାଶ ଚାଷରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ହିଁ ହୋଇଛି । କିନ୍ତୁ ଚାଷୀମାନଙ୍କର ଉତ୍ପାଦନ ବଢ଼ୁଥିଲେ ମଧ୍ୟ ଆୟରେ ସନ୍ତୋଷଜନକ ବୃଦ୍ଧି ହେଉନାହିଁ । ଏପରି ପରିସ୍ଥିତିରେ ଚାଷୀଙ୍କର ଆୟ ବୃଦ୍ଧି କରିବା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହେବାର ଆବଶ୍ୟକତା ରହିଛି । ନିକଟ ଅତୀତରେ ହୋଇଥିବା ଅର୍ଥନୈତିକ ସର୍ଭେ ଅନୁସାରେ ଗୋଟିଏ ଚାଷୀ ପରିବାରର ଚାଷ ଅପେକ୍ଷା ମଜୁରୀରୁ ଅଧିକ ଆୟ ଆସୁଛି । ଚାଷ କ୍ଷେତ୍ରରେ ଯନ୍ତ୍ରପାତିର ବ୍ୟବହାର ବଢ଼େଇବା ପାଇଁ ସହଜରେ ଚାଷୀ ପାଇଁ ଋଣର ବ୍ୟବସ୍ଥା କରି ଦିଆଯାଉଛି । ଏହା ଦ୍ୱାରା ଚାଷୀ ଗୋଟିଏ ପଟେ ଯନ୍ତ୍ରର ମାୟାରେ ପଡ଼ିଯାଉଥିବା ବେଳେ ଅନ୍ୟ ପଟେ ଋଣ ଭାରରେ ବି ଚାପି ହୋଇଯାଉଛି । ସହଜ ଟ୍ରାକ୍ଟର ଋଣ ମିଳିବା ପରେ ଚାଷୀଙ୍କ ଅବସ୍ଥାରେ ଅଧିକ ଉନ୍ନତି ହୋଇଛି ନା ଟ୍ରାକ୍ଟର କମ୍ପାନୀମାନେ ଅଧିକ ଲାଭ ପାଇଛନ୍ତି, ତାହା ବିଚାର କଲେ ସମଗ୍ର ପ୍ରକରଣକୁ ବୁଝିବାରେ ଅସୁବିଧା ହେବ ନାହିଁ । ଆଜି ଧାନ ବୁଣିବା ଠାରୁ ଆରମ୍ଭ କରି ରୋଇବା, ବେଉଷଣ କରିବା, କାଟିବା ଓ ଅମଳ କରିବା ସବୁ କାମ ପାଇଁ ଯନ୍ତ୍ରପାତିର ବ୍ୟବହାର ହେଉଛି । ଯେତେ ଅଧିକ ଯନ୍ତ୍ରପାତିର ବ୍ୟବହାର ବଢ଼ୁଛି ସେତେ ଅଧିକ ଚାଷୀମାନଙ୍କର ଉପରେ ଋଣ ଭାର ବଢ଼ଛି । ଚାଷୀର ଖର୍ଚ୍ଚ ବଢ଼ୁଛି, ବଜାର ନିର୍ଭରଶୀଳତା ବଢ଼ୁଛି, ଜମିର ଓ ପରିବେଶର କ୍ଷତି ହେଉଛି । ଯନ୍ତ୍ରପାତି ବା ଜ୍ଞାନକୌଶଳର ବ୍ୟବହାର ହେବା ଭୂଲ୍ ନୁହେଁ । କିନ୍ତୁ ଚାଷୀଙ୍କର ସବୁ ସମସ୍ୟାର ସମାଧାନ ଜ୍ଞାନକୌଶଳ ଦ୍ୱାରା ସମାଧାନ ହୋଇପାରିବ ନାହିଁ । ସେଥିପାଇ ସରକାରଙ୍କୁ ଭିନ୍ନ ଭାବେ ଭାବିବାକୁ ଓ ନିଷ୍ପତି ନେବାକୁ ପଡ଼ିବ । ସର୍ବୋପରି ଚାଷ ବ୍ୟବସ୍ଥାକୁ ବଜାର ନିର୍ଭରଶୀଳ ନକରେଇ ସ୍ୱାବଲମ୍ବନଶୀଳ କରିବାକୁ ପଡ଼ିବ । ଯାହା ଫଳରେ ଚାଷୀଙ୍କର ନିବେଶ ଖର୍ଚ୍ଚ କମ୍ ହେବା ସହିତ ଉତ୍ପାଦନକୁ ଉଚିତ୍ ଦାମ ମିଳିଳେ ଚାଷରୁ ଚାଷୀଙ୍କର ଆୟ ବଢ଼ିପାରିବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.