Latest Odisha News

BREAKING NEWS

ଅଶ୍ୱିନୀ ବୈଷ୍ଣବ ବିଜେପିରେ ଯୋଗଦେବା ପରେ କିଏ କ’ଣ କହିଲେ, ଜାଣନ୍ତୁ…

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଏହି ପୂର୍ବତନ ପ୍ରଶାସକ ଯିଏକି ଓଡ଼ିଶାର ରାଜ୍ୟସଭା ଉପ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି, ତାଙ୍କ ପ୍ରାର୍ଥୀତ୍ୱକୁ ଶାସକ ବିଜେଡ଼ି ମଧ୍ୟ ସମର୍ଥନ ଘୋଷଣା କରିଛି । ବିଜେପିର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ସଭାପତି ବସନ୍ତ ପଣ୍ଡା ଏବଂ ବିଜେପିର କିଛି ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଶ୍ରୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ ।

ଏହି ଅବସରରେ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟର ସମୂହ ସ୍ୱାର୍ଥ ନିମନ୍ତେ ବିଜେପି ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ଲାଗି ବିଜେଡ଼ିକୁ ଅନୁରୋଧ କରିଥିଲା । “ଶାସକ ବିଜୁ ଜନତା ଦଳ ତାଙ୍କର ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ,” ବୋଲି ସେ କହିଛନ୍ତି ।

ଓଡ଼ିଶା ଜନସାଧାରଣଙ୍କ ସେବା ଲାଗି ସୁଯୋଗ ପ୍ରଦାନ କରିଥିବା ହେତୁ ବିଜେପିକୁ ଧନ୍ୟବାଦ ଜଣାଇ ଶ୍ରୀ ବୈଷ୍ଣବ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଲାଗି ସେ ଚେଷ୍ଟା କରିବେ ।

ଗଣମାଧ୍ୟମକୁ ସୂଚନାଦେଇ ବିଜେଡ଼ି ନେତା ନବ କିଶୋର ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କିଛି ନିଷ୍ପତ୍ତି ନିଅନ୍ତି ତାହା ଓଡ଼ିଶାର ସ୍ୱାର୍ଥ ଲାଗି ଏବଂ ତାହା ରାଜ୍ୟର ହିତ ସାଧନ କରିଥାଏ । “ଏହି ପ୍ରସଙ୍ଗରେ, ମୁଁ ବ୍ୟକ୍ତିଗତ ଭାବେ ଭାବୁଛି ଯେ, ମୁଖ୍ୟମନ୍ତ୍ରୀ ଯାହାକିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତିି ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ,” ବୋଲି ଶ୍ରୀ ଦାସ କହିଛନ୍ତି ।

ଏସମ୍ପର୍କରେ ଅନ୍ୟତମ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲ କହିଛନ୍ତି, ଆବଶ୍ୟକତା ଦୃଷ୍ଟିରୁ ପାର୍ଲାମେଣ୍ଟର ରାଜ୍ୟସଭା ଲାଗି ଯାହା କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଯଥାଯଥ ।

ବିଜେପିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା ଭଳି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । “ମାତ୍ର ଏହା ନୁହେଁ କି, ବିଜେପି ଯାହା ଯେତେବେଳେ କହିବ ସେହି କଥାରେ ବିଜେଡ଼ି ନାଚିବ ସେପରି କିଛି ନୁହେଁ,” ବୋଲି କହିଛନ୍ତି ଶ୍ରୀ ସାମଲ ।

ଇତିମଧ୍ୟରେ ଘଟଣାକ୍ରମରେ କଂଗ୍ରେସ କହିଛି, ବୈଷ୍ଣବଙ୍କ ବିଜେପିରେ ଯୋଗଦାନ ବିଜେଡ଼ି ଓ ବିଜେଡ଼ି ମଧ୍ୟରେ ଭିତିରି ବୁଝାମଣା ଏବେ ପଦାରେ ପଡ଼ିଛି ।

“ଯେତେବେଳେ ବିଜେପି ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ଭୂମିକା ନେବାକୁ ଯାଉଛି, ସେହି ସମୟରେ ଦଳୀୟ ମୁଖ୍ୟ ବିଜେଡ଼ିଠୁଁ ସମର୍ଥନ ଚାହୁଁଛନ୍ତି । ରାଜ୍ୟରେ ଏପରି ରାଜନୈତିକ ଘଟଣା ବୋଧହୁଏ ପ୍ରଥମଥର ଲାଗି ଘଟିଛି । ଏହି ଘଟଣା ପଛରେ କ’ଣ ରହସ୍ୟ ରହିଛି ତାହା ରାଜ୍ୟବାସୀ ଜାଣିବାକୁ ଚାହାନ୍ତି,” ବୋଲି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ସ୍ଥାନୀୟ କଂଗ୍ରେସ ଭବନରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.