ଅନୁବାଦ ଗଳ୍ପ : ଝରା ପତ୍ରର ଝଙ୍କାର
କୁର୍ତ୍ତୁଲ ଆଏନ ହାଇଦର ( ୧୯୨୭-୨୦୦୭) : ଉର୍ଦ୍ଦୁ ସାହିତ୍ୟର ଦିଗ୍ଗଜ ଔପନ୍ୟାସିକା ତଥା ଗାଳ୍ପିକା । ୧୯୪୭ ମସିହାରେ ଦେଶ ବିଭାଜନ ପରେ ସେ ପାକିସ୍ତାନକୁ ସ୍ଥାନାନ୍ତରୀତ ହୋଇଥିଲେ ସୁଦ୍ଧା ୧୯୫୯ ମସିହାରେ ସେ ପୁଣି ଭାରତକୁ ଫେରିଆସିଥିଲେ । ‘ଆଗ୍ କା ଦରିୟା’ ତାଙ୍କ ଦ୍ୱାରା ଲିଖିତ ସର୍ବଶ୍ରେଷ୍ଠ ଉପନ୍ୟାସ । ଦେଶ ବିଭାଜନ ଉପରେ ତାଙ୍କର ଅନେକ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ରହିଛି । ୧୯୮୯ ମସିହାରେ ସେ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଏବଂ ୨୦୦୫ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମ ଭୂଷଣ ସମ୍ମାନରେ ଭାରତ ସରକାର ସମ୍ମାନିତ କରିଥିଲେ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୩
ମୂଳ ଉର୍ଦ୍ଦୁ: କୁର୍ତ୍ତୁଲ ଆଏନ ହାଇଦର
ଆଜି ସକାଳେ ମୁଁ ଆମ ଘର ପଛପଟ ଦରଜା ପାଖରେ ଠିଆହୋଇ ପରିବାବାଲାଠାରୁ ଫୁଲକୋବି କିଣିଲାବେଳେ ଦର ଛିଣ୍ଡଉଥିଲି । ଉପର ମହଲାରେ ରୋଷେଇଘରେ ଷ୍ଟୋଭରେ ଭାତ ଓ ଡାଲି ବସିଥିଲା । ଚାକର ପିଲାଟା ବଜାରକୁ ଯାଇଥିଲା । ଗାଧୁଆଘରେ ଖଞ୍ଜା ହୋଇଥିବା ସିଙ୍କ୍ ସାମନା ପୁରୁଣା ଦର୍ପଣଟି ଆଗରେ ଠିଆହୋଇ ଭିକାର ସା’ବ୍ ତାଭ୍କ ନିଜ ଚେହେରାକୁ ତାରିଫ କରିଚାଲିଥିଲେ ଓ ଗୁଣୁଗୁଣୁ ହୋଇ ଗୀତ ବୋଲି ଦାଢ଼ି ଖିଅର ହେଉଥିଲେ । ପରିବାବାଲା ସାଙ୍ଗରେ ମୂଲଚାଲ କଲାବେଳେ ମୋ ମନ ଯାଇ ଥିଲା ସନ୍ଧ୍ୟା ଖାନା ଓ ରୋଷେଇଠାରେ । ଠିକ୍ ସେତିକିବେଳେ ଆମ ଘର ସାମ୍ନାରେ ଆସି କାରଟିଏ ଅଟକିଗଲା । କାରର ଝର୍କା କାଚ ଫାଙ୍କରେ ଜଣେ ଭଦ୍ରମହିଳାଙ୍କ ମୁହଁ ଦିଶିଲା । ତା’ପରେ ସେ ଡୋର୍ ଖୋଲି ପଦାକୁ ବାହାରି ପଡ଼ିଲେ । ମୁଁ ମୋର ପଇସାଗଣାରେ ବ୍ୟସ୍ତ ଥିଲି, ତେଣୁ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇନଥିଲି । କିନ୍ତୁ ସେ ମୋର ନିକଟତର ହେବାପରେ ମୁଣ୍ଡ ଉଠେଇ ତାଙ୍କ ମୁହଁକୁ ଚାହିଁଲି ।
‘ଓଃ!… ଆରେ ତୁମେ!’ ଭଦ୍ରମହିଳା ହଠାତ୍ ଚିତ୍କାର କରିଉଠିଲେ । ମୁଁ ଗୋଟାପଣେ ତାଟକା ହୋଇଗଲି । ଭଦ୍ରମହିଳାଙ୍କ ମୁହଁକୁ ଚାହିଁଲେ ସତେ ଯେପରି ଭୂତଟିଏ ପରି ଲାଗୁଥିଲା । ସେଇମୁହୂର୍ତ୍ତରେ ତାଙ୍କ ମୁହଁରେ ମୁଁ ଲକ୍ଷ୍ୟ କରିଥିବା ଆତଙ୍କ ଆଜିସୁଦ୍ଧା ମୋ ମନକୁ ଆଚ୍ଛନ୍ନ କରିରଖିଛି । ସେ ଦୃଶ୍ୟ ମୁଁ କେବେ ବି ଭୁଲି ପାରିବିନି । ସେ କଥା ମନେପଡ଼ିଗଲେ ମୋ ମୁଣ୍ଡ ଗୋଳମାଳ ହୋଇଯିବା ପରି ଲାଗେ । ସେ ଭଦ୍ରମହିଳା ଜଣକ – ତଥାପି ତାଙ୍କ ନାଁ ମୋର ମନେପଡ଼ୁନଥିଲା । ସକାଳେ କେବଳ ନିଜକୁ ଅପମାନରୁ ବର୍ତ୍ତିବା ସକାଶେ – ମୁଁ ତାଙ୍କ ନାଁ ବି ପଚାରିନଥିଲି ।
ଦିଲ୍ଲୀରେ ସେଣ୍ଟମେରୀରେ ଆମେ ଦୁହେଁ ଏକାଠି ପଢ଼ୁଥିଲୁ । ଅବଶ୍ୟ ଆଜକୁ ପ୍ରାୟ କୋଡ଼ିଏ ବର୍ଷ ତଳେ । ସେତେବେଳେ ମୋତେ ପ୍ରାୟ ସତର ବର୍ଷ ହୋଇଥିଲା । କିନ୍ତୁ ମୁଁ ବେଶ୍ ହୃଷ୍ଟପୁଷ୍ଟ ଥିଲି ଓ ବୟସ ତୁଳନାରେ ଦେଖିବାକୁ ବଡ଼ ଲାଗୁଥିଲି । ମୋର ସୁନ୍ଦର ଚେହେରାକୁ ଦେଖି ଲୋକମାନେ ଟୁପୁରୁଟାକୁରୁ ହେଉଥିବାର ସୁଦ୍ଧା ମୁଁ ଠଉରାଇ ପାରୁଥିଲି । ଦିଲ୍ଲୀରେ ସେତେବେଳେ ଗୋଟିଏ ପରମ୍ପରା ଥିଲା: ଯେଉଁ ମହିଳାମାନଙ୍କର କୌଣସି ବିବାହଯୋଗ୍ୟ ପୁଅ କି ପୁତୁରା ଥିଲେ ସେମାନେ ବିଭିନ୍ନ ସ୍କୁଲ ବୁଲି ଝିଅମାନଙ୍କୁ କଣେଇ କଣେଇ ଉଣ୍ଡୁଥିଲେ । ମନେ ମନେ ପରଖୁଥିଲେ । ସେମାନଙ୍କର ଯଦି କେହି ଝିଅ ପସନ୍ଦ ହେଉଥିଲେ, ତା’ହେଲେ ଠିକଣା ଯୋଗାଡ଼ କରି ସେମାନଙ୍କ ବାପାମାଆଙ୍କ ନିକଟକୁ ବିବାହ ପ୍ରସ୍ତାବ ପଠାଉଥିଲେ । କେମିତି କେଜାଣି ମୁଁ ଜାଣିବାକୁ ପାଇଥିଲି ଯେ ସ୍କୁଲର ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ ସମାରୋହରେ ସେଇ ଝିଅଟିର ମାଆ ଓ ମାଉସୀ ମୋତେ ବାରମ୍ବାର କଣେଇ କଣେଇ ଚାହୁଁଥିଲେ ଓ ମୋତେ ସେମାନଙ୍କର ପରିବାରର ବୋହୂ କରିବା ଲାଗି ଖୁବ୍ ଆଗ୍ରହୀ ହୋଇପଡ଼ିଥିଲେ । ସେତେବେଳେ ସେମାନେ ନୂରଜହାଁ ରୋଡ଼ରେ ରହୁଥିଲେ ଓ ପୁଅଟି ଭାରତୀୟ ରିଜର୍ଭ ବ୍ୟାଙ୍କ୍ରେ ସଦ୍ୟ ଚାକିରି ଆରମ୍ଭ କରିଥିଲା । ମାସକୁ ଦି’ଶହ ଟଙ୍କା ଦରମା । ସେମାନେ ମୋ ବାପାଙ୍କ ପାଖକୁ ପ୍ରସ୍ତାବ ପଠେଇଥିଲେ ।
ମୋ ବାପାମାଆ ଦିଲ୍ଲୀଠାରୁ ଖୁବ୍ ଦୂରରେ, ମେରଟରେ ରହୁଥିଲେ । ମୋ ମାଆ କିନ୍ତୁ ମୋ ବାହାଘର ପାଇଁ ଖୁବ୍ ଉଚ୍ଚ ଆଶା ବାନ୍ଧିଥିଲା । ତା’ଛଡ଼ା ସେତେବେଳେ ମୋ ବୟସ ବି କମ୍ ଥିଲା ଓ ଏତେ କମ୍ ବୟସରୁ ବାହଘର କଥା କେହି ଭାବିନଥିଲେ । ତେଣୁ ପ୍ରସ୍ତାବଟିକୁ ଖୁବ୍ ଶୀଘ୍ର ବାତିଲ କରିଦିଆଯାଇଥିଲା । ପରେ ଆମେ କିଛିଦିନ ପାଇଁ କଲେଜରେ ସହପାଠିନୀ ଥିଲୁ । ତା’ପରେ ହଠାତ୍ ତା’ର ବାହାଘର ହୋଇଯାଇଥିଲା ଓ ସେ ପଢ଼ା ଛାଡ଼ିଦେଇଥିଲା । ଏବେ ଏତେବର୍ଷ ପରେ ଆଜି ସକାଳେ ପୁଣି ଥରେ ଦୁହିଁଙ୍କର ଏମିତି ଅଚାନକ ଭେଟ ସାକ୍ଷାତ । ଲାହୋରର ମଲ୍ ରୋଡ ପଛପଟେ ଥିବା ଏଇ ଗଳିରେ ।
ମୁଁ ତାକୁ ଘରକୁ ଆମନ୍ତ୍ରଣ ଜଣାଇଥିଲି, ‘ଉପର ମହଲାକୁ ଚାଲ । ଆମ ଘରେ ଚା’କପେ ପିଇକରି ଯିବ । ଆମେ ଦୁହେଁ କିଛି ସମୟ ଭଲରେ ଗପିପାରିବା ।’
ସେ କିନ୍ତୁ ଧନ୍ୟବାଦ ଜଣାଇ ହସିହସି କହିଥିଲା, ‘ଆଜି ନୁହେଁ, ଆଉ କେବେ ।’ ଏବେ ସେ ତାଙ୍କର ଜଣେ ଶଶୁରଘର ସମ୍ପର୍କୀୟଙ୍କ ଘର ଖୋଜୁଛନ୍ତି । ସେଇ ଘର ଖୋଜି ଖୋଜି ଏ ଗଳିକୁ ଚାଲିଆସିଥିଲେ । ଆଉ ସେଇ ଗଳିର ରାସ୍ତା ମଝିରେ ସେ ମୋତେ କଲେଜର ଅନ୍ୟସବୁ ସହପାଠିନୀଭ୍କ ଗାଁ ଗୋଟିଗୋଟି କରି କହିଯାଇଥିଲା : ‘ ସଲିମା ଜଣେ ବ୍ରିଗେଡିୟରକୁ ବାହା ହେଇଚି । ଏବେ ତା’ର ଚାରୋଟି ପିଲାପିଲି । ଫରଖୁନ୍ଦାର ସ୍ୱାମୀତ ଫରେନ ସର୍ଭିସରେ ଥିଲା; ତା’
ବଡ଼ଝିଅ ଲଣ୍ଡନରେ ଗୋଟିଏ ସ୍କୁଲରେ ଅଛି । ରେହାନା ଏବେ କେଉଁ ଗୋଟିଏ କଲେଜରେ ପ୍ରିନ୍ସପାଲ ହୋଇଗଲାଣି । ସୟିତା ତ ଆମେରିକା ଯାଇ କେତେ କ’ଣ ଡିଗ୍ରୀ ପାଇସାରିଛି । ଏବେ ସେ କରାଚୀରେ କ’ଣ ଗୋଟାଏ ବଡ଼ ଚାକିରି କରିଛି ।’ ତା’ଛଡ଼ା ତା’ ପାଖରେ ଆମର ସବୁ ହିନ୍ଦୁ ସାଙ୍ଗମାନଙ୍କର ଟିକିନିଖି ଖବର ବି ଥିଲା । ପ୍ରଭାର ସ୍ୱାମୀ ଏବେ ଭାରତୀୟ ନୌସେନାରେ କମୋଡୋର ଅଛି ଓ ସେମାନେ ବମ୍ବେରେ ରହୁଛନ୍ତି ।
ସରଳା ଆକାଶବାଣୀର ଗୋଟିଏ କେନ୍ଦ୍ରରେ ଡାଇରେକ୍ଟର ହେଇଗଲାଣି । ଲତିକା ଆଜିକାଲି ଦିଲ୍ଲୀରେ ରହୁଛି ଓ ଜଣେ ଚିତ୍ରଶିଳ୍କୀ ଭାବେ ବେଶ୍ ନାଁ କମେଇଚି । ସେ ଏମିତି କେତେ କଥା ବଖାଣି ଚାଲିଥିଲା; କିନ୍ତୁ ପ୍ରଥମେ ତା’ ଉପରେ ନଜର ପଡ଼ିଲାବେଳେ ତା’ ଆଖିର ଭୟାର୍ତ୍ତ ମୁଦ୍ରାକୁ ମୁଁ ଭୁଲି ପାରୁନଥିଲି ।
ତା’ପରେ ସେ କହିଲା, ‘ଆମେ କରାଚୀରେ ସାଙ୍ଗମାନେ ଯେତେବେଳେ ବି ଏକାଠି ହେଉ, ତୋ କଥା ସଦାବେଳେ ପଡ଼େ ।’
‘ସତେ ନା କ’ଣ?’ ମୁଁ ହସିଦେଇ ପଚାରିଲି । କିନ୍ତୁ ମୋ କଥାରେ ସେମିତି କିଛି ଆତ୍ମୀୟତା ନଥିଲା ।
ମୁଁ ଜାଣିଥିଲି ସେମାନେ ଏକାଠି ହେବାବେଳେ ମୋ ବିଷୟରେ କ’ଣସବୁ କଥାବାର୍ତ୍ତା ହେଉଥିବେ । ମୋତେ ସେମାନେ କେତେ ମନେରଖିଥିବେ, ପିଶାଚୁଣୀଗୁଡ଼ାକ କୋଉଠିକାର! ସାଙ୍ଗ ବୋଲି ଅବଶ୍ୟ କହିହେବ । ସତ କହିବାକୁ ଗଲେ, ନାରୀମାନେ ହିଁ ହେଉଚନ୍ତି ନାରୀଙ୍କର ସବୁଠୁ ବଡ଼ ଶତ୍ରୁ । ଏପରିକି ସେ ମୋତେ
ଏକଥା ବି ପଚାରିବାକୁ ଭୁଲି ନଥିଲା ଯେ ଏମିତିକା ଗନ୍ଧିଆ ଗଳିରେ ମୁଁ କ’ଣ କରୁଚି? ଏମିତିକା ଭଙ୍ଗାଦଦରା ଘର ପାଖରେ । ଘରର ପଛ ଦରଜାପଟ ପୁଣି ଆହୁରି
ଆବର୍ଜନାମୟ ଲାଗୁଥିଲା । ଅବଶ୍ୟ ସେ ଉତ୍ତର ବି ତାକୁ ଜଣାଥିଲା । ନାରୀମାନଙ୍କର ଏକ ନିଜସ୍ୱ ଗୁଇନ୍ଦା ସେବା ଥାଏ ନା… ଆଉ ସେ ଗୁଇନ୍ଦାଗିରି ରପୋଲକୁ ବି ମାତ୍ ଦେଇଦେବ ।
ଏକଥା ନୁହେଁ ଯେ ମୁଁ ମୋର ସ୍ଥିତି କି ଘର ବିଷୟରେ ତା’ଠାରୁ କିଛି ଲୁଚେଇବାକୁ ଚାହୁଁଥିଲି । ମୁଁ ତ ସହଜେ ମାମୁଲି ଓ ସାଧାସିଧା । ତା’ସାଙ୍ଗରେ ଆଉ କ’ଣ ବେଶୀ ଅବା ଦୁଃଖ ସୁଖ ହୋଇପାରିଥାନ୍ତି ?ମୋତେ କେହି କେବେ ସେମିତି କିଛି ଗୁରୁତ୍ୱ ଦିଅନ୍ତିନି କି ଖାତିର କରନ୍ତିନି ।
ମୁଁ ତନବୀର ଫତିମା । ମୋ ବାପା ମିରଟ ସହରର ବାସିନ୍ଦା । ସିଏ ତାଙ୍କ ସମୟରେ ଜଣେ ଜମିଦାର ଥିଲେ, ଅବଶ୍ୟ ସେମିତି ବଡ଼ ଜମିଦାରୀ ନୁହେଁ । ଆମ ପରିବାରରେ ତ ପର୍ଦ୍ଦାପ୍ରଥା ନେଇ କଠୋର କଟକଣା ଥିଲା । ଏପରିକି ମୋର ବଢ଼ିଲା ସମ୍ପର୍କୀୟ ଭାଇମାନଙ୍କ ଠାରୁ ସୁଦ୍ଧା ମୁଁ ଦୂରରେ ରହୁଥିଲି । କିନ୍ତୁ ବାପା ମାଆଙ୍କର ଏକମାତ୍ର ସନ୍ତାନ ହିସାବରେ ମୁଁ ଥିଲି ସେମାନଙ୍କର ଗେଲବସର, ଗଳାର ମାଳି । ସେମାନେ ମୋତେ ଖୁବ୍ ଆଦର ଯତ୍ନରେ ବଢ଼େଇଥିଲେ । ସେ ସ୍ନେହ ଆଦର କଥା ମୁଁ ଶବ୍ଦରେ କଦାପି ବଖାଣି ପାରିବିନି । ସ୍ଥାନୀୟ ସ୍କୁଲରେ ପ୍ରାଥମିକ ଶିକ୍ଷା ରେ ବି ମୁଁ ଖୁବ୍ ଭଲ କରିଥିଲି । ସେଥିପାଇଁ କେଇଟା ପୁରସ୍କାର ବି
ପାଇଥିଲି । ତେଣୁ ଅଧିକ ପଢ଼ିବା ଲାଗି ମୋ ବାପାମାଆ ମୋତେ ଦିଲ୍ଲୀ ପଠେଇଥିଲେ – ସେଣ୍ଟ ମେରୀ ସ୍କୁଲକୁ । ସେଠାରୁ ମୁଁ ମାଟ୍ରିକ୍ ପାସ୍ କରିଥିଲି । ତା’ପରେ ଚାଲିଯାଇଥିଲି ଆଲିଗଡ଼ । ମୋ ଜୀବନର ସେଇଟା ଥିଲା ସବୁଠୁ ସୁଖକର ସମୟ । ଆଲିଗଡ଼ ମୁସଲିମ୍ ଗାର୍ଲ୍ଡ କଲେଜର ସେଇ ଚାରିବର୍ଷର ପାଠପଢ଼ା । ଆଃ! ସ୍ୱପ୍ନପୁରୀ! ନା, ମୁଁ କିଛି ଭାବବିହ୍ୱଳ ହୋଇ ଏମିତି କହୁନି, ସେଇ ଚାରିବର୍ଷର ସ୍ମୃତି ଯାହା ମୋ ମନରେ ଏବେସୁଦ୍ଧା ସତେଜ ଅଛି, ତା’ରି ଆଧାରରେ କହୁଚି ।
ସେଇ ଉଚ୍ଚା ପାଚେରୀଘେରା କଲେଜ ହତା । ଇଟା ଖଞ୍ଜେଇକରା ପାଦଚଲା ରାସ୍ତା, ସବୁଜ ମୁଲାୟମ ଘାସପଡ଼ିଆ, ବର୍ଷାବେଳେ ଗଛ ଉପରୁ ଟପ୍ ଟପ୍ ହୋଇ ଝରୁଥିବା ବର୍ଷା ଟୋପା, ସହରରେ ଫି’ବର୍ଷ ହେଉଥିବା ମେଳା ମଉଚ୍ଛବ ଓ ସେଠାକୁ ଆମେ କଲେଜପଢ଼ୁଆ ଝିଅମାନେ ଦେହମୁଣ୍ଡକୁ ବୁର୍ଖାରେ ଢାଙ୍କିହୋଇ ଯାଇ ସେଠାରେ କରୁଥିବା ମଉଜ, କଲେଜ ହଷ୍ଟେଲର ସରୁ ବାରଣ୍ଡା ଆଉ କଲେଜର ଛୋଟ ଛୋଟ କ୍ଲାସରୁମ୍ ଯାହାର ବାତାବରଣ ସହ ଆମେ ବେଶ୍ ଆତ୍ମୀୟ ହୋଇଉଠିଥିଲୁ । ସବୁକିଛି ଆପଣାର ଆପଣାର ଲାଗୁଥିଲା । ସେଇ କଲେଜପଢ଼ା ଦିନ କଥା ଭାବିଲାବେଳେ ଆଜି ବି ମୋ ମନ ଖୁସିରେ ଉଛୁଳିଉଠେ । ସେଇ ଦିନର ଖୁସି ଓ ଆନନ୍ଦ କଥା ମନେମନେ ଝୁରିହୁଏ ।
ଏମଏସ.ସି କରିବା ଲାଗି ତା’ପରେ ମୁଁ ଦିଲ୍ଲୀ ଚାଲିଯାଇଥିଲି । ସେଇଠି ସେସବୁ ଝିଅ – ରେହାନା,ସୟିଦା, ପ୍ରଭା ଓ ଅନ୍ୟମାନଙ୍କ ସହିତ ଭେଟ ହୋଇଥିଲା । ମୁଁ ଝିଅମାନଙ୍କୁ ଏତେ ଭଲ ପାଏନି । ସତ କହିଲେ, ଅଧିକାଂଶ ଲୋକ ବି ମୋତେ ଭଲ ଲାଗନ୍ତିନି । ସେମାନଙ୍କ ସଙ୍ଗରେ ଗପସପ ହେଲେ କେବଳ ଯାହା ସମୟ ବରବାଦ ହେବା ସାର । ସେତେବେଳେ ମୁଁ ସେମାନଙ୍କଠାରୁ ନିଜକୁ ବେଶ୍ ସମ୍ଭ୍ରାନ୍ତ ବୋଲି ମଣୁଥିଲି । ହଁ, ମୋର ସୌନ୍ଦର୍ଯ୍ୟ ଏହାର ଏକ କାରଣ ହୋଇପାରେ –
ଯେମିତି କହନ୍ତି – କୋଟିକେ ଗୋଟିଏ: ସୁନ୍ଦରୀ, ତନୁପାତଳୀ, ଦୁଧଅଳତା ଭରି ତ୍ୱଚା, ଲାଲରଙ୍ଗର ଲମ୍ବା କେଶ, ଲମ୍ବାଚଉଡ଼ା ଶରୀର । ଆଉ ସେଥିରେ ଦିନେ ଦିନେ ଯଦି ଜରିକାମକରା ଶାଢ଼ୀଖଣ୍ଡେ ପିନ୍ଧୁଥିଲି ତା’ହେଲେ ତ ପୂରା ମହାରାଣୀ ପରି ଲାଗୁଥିଲି ।
ସେତେବେଳେ ଯୁଦ୍ଧ ଚାଲିଥିଲା; ନା, ବୋଧହୁଏ ଯୁଦ୍ଧ ଶେଷ ହୋଇସାରିଥିଲା । ମୋର ସେକଥା ଠକ୍ ମନେନାହିଁ । ସେ ଯାହାହେଉ, ଦିଲ୍ଲୀ ସେତେବେଳେ ବେଶ୍ ସରଗରମ ଲାଗୁଥିଲା । ଆଉ ଆମେ ସବୁ କଲେଜପଢ଼ୁଆ ଝିଅମାନେ- ଧନୀ, ସମ୍ଭ୍ରାନ୍ତ ବ୍ୟବସାୟୀ ଘରର ଝିଅମାନେ କି ବଡ଼ ବଡ଼ ସିଭିଲ ସର୍ଭେଣ୍ଟମାନଙ୍କ
ଅଲିଅଳି କନ୍ୟାମାନେ- କିଏ ହିନ୍ଦୁ, କିଏ ଶିଖ ଅବା କିଏ ମୁସଲମାନ ସେକଥା ପଚାରେ କିଏ; ସଭିଏଁ ନିଜ ନିଜ ବାପଦାଦାଙ୍କ ଲିମୋସିନରେ ସହରରେ ଚକ୍କର କାଟିବା ଥିଲା ଆମର କାମ ।
ଗୋଟିଏ ଭୋଜିରୁ ଅନ୍ୟ ଭୋଜିକୁ, ଗୋଟିଏ ପାର୍ଟିରୁ ଅନ୍ୟ ଗୋଟିଏ ପାର୍ଟିକୁ ଘୂରି ବୁଲୁଥିଲୁ । କେତେବେଳେ ଇନ୍ଦ୍ରପ୍ରସ୍ଥ କଲେଜରେ ନାଟକ ଦେଖିବାକୁ ଯାଉଥିଲୁ
ତ ଆଉ କେତେବେଳେ ମିରାଣ୍ଡା ହାଉସରେ ସଙ୍ଗୀତ କାର୍ଯ୍ୟକ୍ରମ । ଚେମ୍ସଫୋର୍ଡ କ୍ଲବରେ ପାର୍ଟିରେ କେତେବେଳେ ସାମିଲ ହେଉଥିଲୁ ତ ଲେଡି ଇରୱିନ କଲେଜ… ଲେଡି ହାର୍ଡିଞ୍ଜ କଲେଜ… ସେଣ୍ଟ ଷ୍ଟିଫେନ୍ସ କଲେଜ… ରୋଶନାରା କ୍ଲବ… ଇମ୍ପିରିଆଲ ହୋଟେଲ… ଜିମଖାନା କ୍ଲବରେ ଆୟୋଜିତ ଅନ୍ୟାନ୍ୟ ସାମାଜିକ ଉତ୍ସବ । ସେସବୁ ଆମକୁ ଆରବ ରଜନୀରେ ବିଚରଣ କରିବା ପରି ଲାଗୁଥିଲା । ସେସବୁ କାର୍ଯ୍ୟକ୍ରମରେ କେତେକେତେ ନୂଆ ନୂଆ ସୌମ୍ୟ ଯୁବକଙ୍କ ସହ ଭେଟ ସାକ୍ଷାତ, ପରିଚୟ ଦିଆନିଆ, ଭାବ ବିନିମୟ… କେଉଁଠି ଅବିବାହିତ ମିଲିଟାରୀ ଅଫିସରଙ୍କ ସାଙ୍ଗରେ ତ ଆଉ କେଉଁଠି ତାଲିମ ନେଉଥିବା ଯୁବ ପ୍ରଶାସନିକ ଅଧିକାରୀମାନଙ୍କ ସାଥୀରେ । ବାଃ! ଭାରି ମଜା ଲାଗୁଥିଲା ସେ ଜୀବନ!
ଏମିତି ଦିନେ ପ୍ରଭା ଓ ସରଳାଙ୍କ ସାଙ୍ଗରେ ମୁଁ ଦଲଜିତ କୌରଙ୍କର ଗୋଟିଏ ଗାର୍ଡନ ପାଟିକୁ ଯାଇଥିଲି । ସେ ଜଣେ କୋଟିପତି ଶିଖ୍ ଭଦ୍ରବ୍ୟକ୍ତି -କୋଠବାଡ଼ି ନିର୍ମାଣକାରୀ କଣ୍ଟ୍ରାକ୍ଟରଙ୍କ ଝିଅ । ସେମାନେ କିଙ୍ଗ ଏଡୱାର୍ଡ ରୋଡରେ ରହୁଥିଲେ । ସେଇ ପାର୍ଟିରେ ମୋର ମେଜର ଖୁସୱକ୍ତ ସିଂହ ନାମକ ଜଣେ ଯୁବକଙ୍କ ସହିତ ଭେଟ ହୋଇଥିଲା । ଖୁସୱକ୍ତ ଜଣେ ଚୌହାନ ରାଜପୁତ । ତାଙ୍କ ଘର ଝାନସୀ ନିକଟରେ କେଉଁ ଏକ ସ୍ଥାନରେ । ଦେଖିବାକୁ ଖୁବ୍ ଡେଙ୍ଗା ଓ ବଳିଷ୍ଠ ଚେହେରା । ହେଲେ ରଙ୍ଗ ବେଶ୍ କଳା । ମୁହଁରେ ମୋଟା ଓ ଲମ୍ବା ନିଶ । ସେ ନିଶକୁ ମୋଡ଼ି ସେ କେମିତି ଉପରକୁ ଟେକିଥାନ୍ତି । ନିଶ ଅଗ ଦେଖିବାକୁ ଛୁଞ୍ଚି ଭଳି ମୁନିଆ । ହସିଲାବେଳେ ତାଙ୍କ କାଳିଆ ଚେହେରାକୁ ଧଳାଦାନ୍ତ ଦି’ଧାଡ଼ି ପୂରା ଚକମକ କରୁଥାଏ । ଗାଲିବଙ୍କ କବିତାର ସବୁ ପଙ୍କ୍ତି ତାଙ୍କ ଜିଭ ଅଗରେ । କଥା କଥାକେ ସେ ସେଥିରୁ ଦି’ଧାଡ଼ି ଶୁଣେଇ ଦେଉଥିଲେ । ଯଦିବା ତାଙ୍କ ହସ ତାତ୍ସଲ୍ୟପୂର୍ଣ୍ଣ ପରି ଲାଗୁଥିଲା ତଥାପି ଲୋକଙ୍କ ଆଗରେ ମୁଣ୍ଡ ନୁଆଇଁ ଓ ସମସ୍ତଙ୍କ ସହ ସେ ଖୁବ୍
ଭଦ୍ରଭାବେ କଥାବାର୍ତ୍ତା କରୁଥିଲେ । ସେଦନିର ଭେଟ ସାକ୍ଷାତ ପରେ ତା’ପରଦିନ ସିନେମା ଦେଖିଯିବାକୁ ସେ ଆମ ସମସ୍ତଙ୍କୁ ଆମନ୍ତ୍ରଣ କଲେ ।
ସରଳା ଓ ପ୍ରଭା ଭାରି ରକ୍ଷଣଶୀଳ ସ୍ୱଭାବର, ସତ କହିଲେ ଟିକେ ମରହଟ୍ଟିଆ । ସେମାନେ କେବେ ବାହାର ପୁଅପିଲାଙ୍କ ସହିତ କୁଆଡ଼େ ବୁଲି ଯାଉନଥିଲେ । ଯେହେତୁ ଖୁସୱକ୍ତ ଦଳଜିତଙ୍କ ଭାଇର ସାଭ୍ଗ, ମୁଁ ଜାଣି ପାରୁନଥିଲା, ହଁ ନା ନା କ’ଣ କହିବି । ସେତିକିବେଳେ ସରଳା ମୋ କାନ ପାଖରେ ଫିସ୍ଫିସ୍ କରି କହିଲା, ‘ତାଙ୍କ ସାଙ୍ଗରେ କେବେ ବି ସିନେମା ଦେଖି ଯିବୁନି । ସିଏ ଭଲ ଲୋକ ନୁହଁ ।’ ତେଣୁ ମୁଁ ନୀରବ ରହିଲି ।
ସେତେବେଳେ ଦିଲ୍ଲୀରେ ଦିଓଟି ‘ଦୁଶ୍ଚରିତ୍ର’ ଝିଅଙ୍କ କଥା ବେଶ୍ ଚର୍ଚ୍ଚାରେ ଥିଲା । ସେମାନେ ଭଲ ସ୍ୱଭାବର ନଥିଲେ । ସେମାନେ କାଳେ ପୁରୁଷ ବନ୍ଧୁଙ୍କ ସହ ସଦାବେଳେ ବାହାରେ ଘୂରି ବୁଲୁଥିଲେ ଓ ସୁଯୋଗ ଦେଖି ସେଇ ଯୁବକମାନଙ୍କୁ ବୋକା ବନେଇ ଠକୁଥିଲେ । ମୁଁ ସେମାନଙ୍କ କଥା ଅନେକଙ୍କଠାରୁ ଶୁଣିଥିଲି ଓ ମନେ ମନେ କେମିତି ଭୟ କରୁଥିଲି । ସେମାନେ ଯେତିକି ବିଚିତ୍ର, ସେତିକି ଭୟଙ୍କର । ଅବଶ୍ୟ ଦେଖିବାକୁ ଅନ୍ୟମାନଙ୍କ ପରି ସୁନ୍ଦର ଓ ସାଦାସିଧା ଲାଗୁଥିଲେ । ବେଶପୋଷାକ ଆପର୍ଷଣୀୟ । ଏପରିକି ବ୍ୟବହାର ମାର୍ଜିତ ବି । ଆମେ ହଷ୍ଟେଲରେ ସେଇ ଦି’ଝିଅଙ୍କ କଥା ସଦାବେଳେ ଆଲୋଚନା କରୁଥିଲୁ । ସାଦିୟା ପ୍ରତି ସହାନୁଭୂତି ଦେଖାଇ କହେ, ‘ଲୋକମାନେ ତୁଚ୍ଛାଟାରେ ସେମାନଙ୍କ ନାଁରେ ଅପବାଦ ରଟୁଚନ୍ତି । ବଦନାମ କରୁଚନ୍ତି ।’ ‘ସେମାନେ କଦାପି ଏତେ ଖରାପ ହୋଇନଥିବେ ।’
ସରଳା ନିଜର ମତ ରଖି କହେ, ‘ସତ କଥାଟି ହେଲା, ଆମ ସମାଜ କେତେବେଳେ ହେଲେ ଆଧୁନିକା, ଉଚ୍ଚଶିକ୍ଷିତା ଝିଅଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।’
ରେହନା ନିଜର ଟିପ୍ପଣୀ ରଖି କହେ, ‘ହଁ, କିଛି ଝିଅ ହୁଏତ ଏମିତି ଅବାଟରେ ଯାଇଥାନ୍ତି ।’
‘ତା’ପରଦିନ ଓପରବେଳା ମୁଁ ଲାବ୍ରୁ ଚାଲିଚାଲି ହଷ୍ଟେଲ ଫେରୁଥିଲି । ହଠାତ୍ ନିକୋଲସନ ମେମୋରିଆଲ ପାଖରେ ଗୋଟିଏ ଲମ୍ବା ମେରୁନ୍ ରଙ୍ଗର କାର୍ ଆସି ମୋରି ପାଖରେ ବ୍ରେକ୍ କଷି ଅଟକିଗଲା । କାର୍ର ଝର୍କା ଫାଙ୍କରୁ ଖୁସୱକ୍ତଙ୍କ ମୁହଁଟି ପଦାକୁ ବାହାରି ଆସିଲା । ମୁଁ ଲକ୍ଷ୍ୟକଲି ଅସ୍ତସୂର୍ଯ୍ୟଙ୍କ କିରଣରେ ତାଙ୍କର ଦାନ୍ତ ଦି’ଧାଡ଼ି ଚକମ୍ କରୁଚି । ‘ଆସନ୍ତୁ ମାଡାମ୍, ଆପଣ କ’ଣ ଆମ ସିନେବା ଯିବା କାର୍ଯ୍ୟକ୍ରମକୁ ଭୁଲିଗଲେ ନା କ’ଣ?’
‘କ’ଣ ହେଲା?’ ମୁଁ ହତଚକିତ ହୋଇ ପଚାରିଲି ।
‘ମ୍ୟାଡମ୍, ଆପଣଙ୍କୁ ଆଜି ମୋ ସହିତ ସିନେମା ଦେଖିଯିବାକୁ ପଡ଼ିବ । ସନ୍ଧ୍ୟାବେଳେ ଏମିତି ଲବ୍ରେ ନିଜକୁ ତାଲା ଠୁଙ୍କି ବନ୍ଦ୍ କରି ରଖିବା ଉଚିତ ନୁହେଁ । ଏତେ ପାଠ ପଢ଼ି କି ଲାଭ କହିଲେ?’
ଖୁସୱକ୍ତଙ୍କ ତୁଣ୍ଡରୁ ଏଭଳି କଥା ଶୁଣି ମୁଁ ଭୟରେ ଚାରିଆଡ଼େ ଆଖି ଘୂରେଇ ଆଣିଲି – ଅବଶ୍ୟ ମୋ ଅଜାଣତରେ ଓ ଇଚ୍ଛା ବିରୁଦ୍ଧରେ ମୋ ଆଖି ଏମିତି ଘୂରି
ଆସିଥିଲା । ଏଥର ଚୁପ୍ଚାପ୍ ତାଙ୍କ କାର୍ ଭିତରେ ପଶିଗଲି ଓ ପଛସିଟ୍ର ଗୋଟିଏ କୋଣକୁ ଗୁଞ୍ଜିଗାଞ୍ଜି ହୋଇ ବସିଲି ।
ଆମେ ଦୁହେଁ ସେଠାରୁ ସିଧା କନଟ୍ ସର୍କସ ଯାଇ ଇଂଲିଶ୍ ମୁଭିଟିଏ ଦେଖିଲୁ । ତା’ପର ଦିନ ବି ସେଇଆ କଲୁ ।
ତା’ପରଠାରୁ ପୂରା ଗୋଟିଏ ସପ୍ତାହ ଧରି ଖୁସୱକ୍ତଙ୍କ ସାଙ୍ଗରେ ମୁଁ ଦିଲ୍ଲୀର ଅନେକ ଜାଗା ବୁଲି ଯାଇଥିଲି । ସେତେବେଳେ ସେ ମୈଦାନ ହଷ୍ଟେଲରେ ରହୁଥିଲେ । ସପ୍ତାହ ଶେଷ ବେଳକୁ ମୁଁ ଗୋଟାପଣେ ମେଜର ଖୁସୱକ୍ତ ସିଂହଙ୍କର ମିଷ୍ଟ୍ରେସ୍ ପାଲଟି ଯାଇଥିଲି ।
ମୁଁ ସେମିତି ଭାବପ୍ରବଣ ସ୍ୱଭାବର ଝିଅ ନୁହେଁ । ମୁଁ ଚାଇନିଜ୍, ଜାପାନିଜ, ରୁଷିଆନ୍ କି ଇଂଲିଶ୍ କବିତା କି ଉର୍ଦ୍ଦୁ ସାଏରୀ ପଢ଼ାପଢ଼ି କରିନଥିଲି । କିନ୍ତୁ ମୋ ମତରେ ସାହିତ୍ୟ ପଢ଼ାପଢ଼ି ହେଲା ପୂରାପୂରି ସମୟ ବରବାଦ କରିବା ସଙ୍ଗେ ସମାନ । ମୋତେ ପନ୍ଦର ବର୍ଷ ହେବା ଦିନଠାରୁ ମୁଁ ଥିଲି ବିଜ୍ଞାନର ଛାତ୍ରୀ । ମେଟାଫିଜିକ୍ସ କ’ଣ ମୁଁ ଜାଣିନଥିଲି କି ‘ମିଷ୍ଟିକାଲ୍ ଆଟ୍ରାକସନ୍’ କହିଲେ କ’ଣ ବୁଝାଏ ତାହା ମୋତେ ଜଣାନଥିଲା । ତେଣୁ ମୋ ପାଖରେ କବିତା କି ଦର୍ଶନ ପଢ଼ିବାକୁ ବେଳ ନଥିଲା କି ଏବେ ସୁଦ୍ଧା ନାହିଁ । ସେମିତି କୌଣସି ପ୍ରକାର ଦାନ୍ତଭଙ୍ଗା ବଡ଼ ବଡ଼ ଶବ୍ଦ ଉଚ୍ଚାରଣ କରିବା କି ସେଥିରୁ ବିଚିତ୍ର ବିଚିତ୍ର ଅର୍ଥ ବାହାର କରିବାକୁ ସୁଦ୍ଧା ମୁଁ କେବେ ମନ କରିନଥିଲି ।
ପ୍ରାୟ ପନ୍ଦର ଦିନ ଭିତରେ କଲେଜସାରା ସମସ୍ତେ ଜାଣିସାରିଥିଲେ ଯେ ଆମ ଦୁହିଙ୍କ ଭିତରେ କେମିତି ଭାବପ୍ରୀତି ଗଢ଼ି ଉଠିଥିଲା । କିନ୍ତୁ ସେଥିପ୍ରତି ମୁଁ ଆଦୌ ଧ୍ୟାନ ଦେଇନଥିଲି । ମୋର ସଦାବେଳେ ନିଜ ଉପରେ ସଂପୂଣ୍ର୍ଣ ଆସ୍ଥା ଥିଲା । ସେ ଯାହା ହେଉ, ଏମିତିରେ ବି ମୁଁ ବେଶୀ ମିଳାମିଶା କରିବା ସ୍ୱଭାବର ନଥିଲି । ଏବେ ସରଳା ଓ ତା’ର ସାଙ୍ଗସାଥୀମାନେ ମୋତେ ଏମିତି ନଜରରେ ଦେଖୁଥିଲେ ସତେ ଯେମିତି ମୁଁ କେଉଁ ମଙ୍ଗଳ ଗ୍ରହରୁ ଓହ୍ଲେଇ ଆସିଚି କି ମୋ ମୁଣ୍ଡରେ ଦି’ଟା ଶିଙ୍ଗ
ଗଜୁରିଚି! ମୁଁ ଡାଇନିଂ ହଲ୍ରୁ ଫେରିଗଲାପରେ ଝିଅମାନେ ମୋ ବିଷୟରେ ଘଣ୍ଟା ଘଣ୍ଟା ଧରି ଗପସପ ହେଉଥିଲେ । ସେମାନଙ୍କ ‘ଗୁଇନ୍ଦା ସର୍ଭିସ’ ସେମାନଙ୍କୁ ମୋର ଗତିବିଧି ସମ୍ପର୍କରେ ରେ ଟିକିନିଖି ଖବରମାନ ଯୋଗାଉଥିଲେ । ଖୁସୱକ୍ତ ଓ ମୁଁ କୁଆଡ଼େ ଗଲୁ, କ’ଣ କଲୁ, ଇତ୍ୟାଦି ଇତ୍ୟାଦି । ଆମେ ପୂର୍ବଦିନ ସନ୍ଧ୍ୟାରେ କେଉଠି ଥିଲୁ, କେଉଁ ଦୋକାନକୁ ଆମେ ଯାଉ ଓ ମୋ ଲାଗି ଖୁସୱକ୍ତ କ’ଣ ସବୁ କିଣନ୍ତି, ସବୁ ଖବର ସେମାନଙ୍କ ପାଖରେ ପହଞ୍ଚୁଥିଲା । ନୂଅଦିଲ୍ଳୀର କେଉଁ ବଲରୁମ୍ରେ ଆମେ ପୂର୍ବଦିନ ରାତିରେ ଡାନ୍ସ କରିଥିଲୁ (ଖୁସୱକ୍ତ ଜଣେ ପୋଖଦ ଡାନ୍ସର; ସେ ମୋତେ ଅନେକ ଡାନ୍ସ ଶିଖେଇ ଦେଇଥିଲେ) ସେମାନେ ତାହା ଜାଣି ନେଉଥିଲେ । ବେଳେବେଳେ ଖୁସୱକ୍ତ ମୋ ଉପରକୁ ହାତ ବି ଉଠାଉଥିଲେ ।
ସେମିତି ନିବିଡ଼ ଭାବେ ଭଲ ବି ପାଉଥିଲେ । ମୁଁ ତ ଭାବୁଚି ଯେକୌଣସି ଅନ୍ୟ ପ୍ରେମିକ ତାଙ୍କର ପ୍ରେମିକାଙ୍କୁ ଖୁସୱକ୍ତଙ୍କ ଭଳି ଭଲ ପାଉନଥିବେ । ଏମିତି କେଇମାସ ବିତିଯାଇଥିଲା । ଏବେ ମୋର ଏମଏସସି ପରୀକ୍ଷା ଆସି ମୁଣ୍ଡ ଉପରେ ହୋଇସାରିଥିଲା । ତେଣୁ ମୁଁ ପଢ଼ାପଢ଼ିରେ ପୂରାପୂରି ମଜ୍ଜି ରହିଲି । ମୋ ପରୀକ୍ଷା ସରିବାପରେ ଖୁସୱକ୍ତ ପ୍ରସ୍ତାବ ଦେଲେ, ‘ଡାର୍ଲିଂ, ମାଇଁ ଲଭ୍, ଚାଲ, କୌଣସି ଗୋଟିଏ ଶୈଳନିବାସରେ କିଛିଦିନ ରହି ଆସିବା । ତୁମେ ଯେଉଁଠି କହିବ- ସୋଲାନ, ଡେଲହାଉସୀ, ନହେଲେ ଲାନ୍ସଡୋନ୍ । ମୁଁ କିନ୍ତୁ କେଇଦିନ ପାଇଁ ମିରଟ ଚାଲିଗଲି; ପରେ ମୋ ବାପାଙ୍କୁ କହି ( ମୋର ଥାର୍ଡ ଇଅର ବର୍ଷ ମୋ ମାଆଙ୍କର କାଳ ହୋଇଯାଇଥିଲା) ଦିଲ୍ଲୀ ଫେରି ଆସିଥିଲି । ଫାଇନାଲ ଇଅର୍ ଲାଗି ପଢ଼ାପଢ଼ି କରିବାର ଅଛି କହିବାରୁ ବାପା ମୋତେ ତୁରନ୍ତ ଦିଲ୍ଲୀ ଫେରିବାକୁ ରାଜି
ହୋଇଯାଇଥିଲେ । ଆମେ କିନ୍ତୁ ଉତ୍ତର ଭାରତର କୌଣସି ହିଲ୍ ଷ୍ଟେସନକୁ ଯାଇନଥିଲୁ – କାଳେ କେହି ଚିହ୍ନାଜଣା ଲୋକଙ୍କ ନଜରରେ ପଡ଼ିଯିବୁ, ସେଇ ଆଶଙ୍କାରେ । ତେଣୁ ଆମେ ଦକ୍ଷିଣ ଭାରତକୁ ଗଲୁ- ଉଟି । ସେଠାରେ କେଇମାସ ଏକାଠି ରହି ବିତେଇଲୁ । ତା’ପରେ ଖୁସୱକ୍ତଙ୍କ ଛୁଟି ପୂରିଗଲା ଓ ଆମେ
ଦିଲ୍ଲୀ ଫେରିଆସିଲୁ ଓ ତିମାରପୁର ଇଲାକାରେ ଗୋଟିଏ ବଙ୍ଗଳାରେ ରହିଲୁ ।
ସେତେବେଳେ ମୋର ନୂଆ ବର୍ଷର କ୍ଲାସ୍ ଆରମ୍ଭ ହେବାଲାଗି ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିଲା । ସେତିକିବେଳେ ଖୁସୱକ୍ତ ଓ ମୋର ଦିନେ ଜୋର୍ ଝଗଡ଼ା ଲାଗିଲା । ସେ ମୋତେ ଭୀଷଣ ବାଡ଼ିଆପିଟା କଲେ । ତାଙ୍କ ମାଡ଼ରେ ମୋର ମୁହଁ ପୂରାପୂରି ଲହୁଲୁହାଣ ହୋଇଗଲା । ହାତଗୋଡ଼ରେ ଅନେକ ଜାଗା ପଚା ପଡ଼ିଗଲା । ଆମ ଝଗଡ଼ାର କାରଣ ଥିଲା ତାଙ୍କ ବାଗଦତ୍ତା ଭାରତୀୟ ଖୀରସ୍ତାନ ଝିଅଟି । ହଠାତ୍ ସେ ଆସି ଦିଲ୍ଲୀରେ ପହଞ୍ଚି ଗଲା ଓ ମୋ ବିଷୟରେ ଏଣୁତେଣୁ ନାନା ପ୍ରକାର ଖରାପ କଥା ସମସ୍ତଙ୍କ ଆଗରେ ଗପିଚାଲିଲା । ଯୁଦ୍ଧବେଳେ ସେ ବଦମାସ ଝିଅଟି ସେନାବାହିନୀରେ କାମ କରୁଥିଲା । ବର୍ମା ସୀମାନ୍ତରେ
ଖୁସୱକ୍ତଙ୍କ ସହିତ ତା’ର ଭେଟ ହୋଇଥିଲା । ତାକୁ ବାହାହେବ ବୋଲି କୌଣସି ପ୍ରକାରେ ସେ ଖୁସୱକ୍ତଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ଆଦାୟ କରିନେଇଥିଲା । ଏବେ ମୋ ସହିତ ଭେଟ ଓ ବନ୍ଧୁତା ବଢ଼ିବା ପରେ ସେ ତା’ଠାରୁ ସଂପର୍କ ତୁଟାଇବାକୁ ଚାହୁଁଥିଲେ ।
ସେଦିନ ରାତିରେ ତିମାରପୁରର ସେଇ ନିର୍ଜନ ବଙ୍ଗଳାରେ ଖୁସୱକ୍ତ ମୋ ସାମ୍ନାରେ ଆଣ୍ଠେଇପଡ଼ି ମୋତେ ଅନେକ ନେହୁରା ହୋଇଥିଲେ । ଆଖିରୁ ଲୁହ ଗଡ଼େଇ ସେ ମୋତେ କହିଥିଲେ, ‘ମୋତେ ତୁମେ ବିବାହ କର, ନହେଲେ ମୁଁ ଜୀବନ ହାରିଦେବି ।’
ମୁଁ କିନ୍ତୁ ତାକୁ ରୋକଠୋକ କହିଥିଲି, ‘କଦାପି ନୁହେଁ । ସୃଷ୍ଟି ପ୍ରଳୟ ହୋଇଗଲେ ବି ନୁହେଁ ।’
ମୁଁ ଜଣେ ସୟିଦର ଝିଅ । ମୋ ଖାନଦାନ ପୁରୁଣା ଓ ସେମାନଙ୍କର ସମାଜରେ ମାନ ମର୍ଯ୍ୟାଦା ଅଛି, ପ୍ରତିଷ୍ଠା ଅଛି । ମୁଁ କେମିତି ଜଣେ ହାଣ୍ଡିକଳାଠୁ ହୀନ ହିନ୍ଦୁ ଯୁବକକୁ ବାହା ହୋଇପାରିବି? ମୋ ପରିବାର ଓ ଖାନଦାନ ମୁହଁରେ ଜାଣିଶୁଣି କଳା ବୋଳିବି? ମୁଁ ତ ସଦାବେଳେ ସ୍ୱପ୍ନ ଦେଖୁଚି, ମୋର ସେଇ ସ୍ୱପ୍ନର ରାଜକୁମାର, ଗୋରା ତକତକ, ଦେଖିବାକୁ ସୁଭଠାମ, ଯିଏ ଜଣେ ସମ୍ପନ୍ନ ଓ ଖାନଦାନ ମୁସଲମାନ ବଂଶର ହୋଇଥିବ, ସିଏ ସହଳ ହେଉ କି ବିଳମ୍ବରେ ହେଉ ଦଳବଳ ସହ
ଆସିବ, ଆଉ ମୋତେ ବିବାହ କରିବ । ଆଇନାରେ ପ୍ରଥମ ଥର ଲାଗି ଆମେ ପରସ୍ପରଙ୍କ ଚେହେରାକୁ ଦେଖିବୁ, ଫୁଲର ପର୍ଦ୍ଦା ଆଢ଼ୁଆଳରୁ । ସେତେବେଳେ ମୁଁ ରାଜକୁମାରୀ ଭଳି ସଜେଇ ହୋଇଥିବି ଓ ତାଙ୍କରି ସାଙ୍ଗରେ ଶାଶୁଘରକୁ ଯିବି । ସେମାନଙ୍କ ଘର ଦୁଆରମୁହଁରେ ମୋର ନଣନ୍ଦମାନେ ମୋତେ ସ୍ୱାଗତ କରି ବାଟ
ଓଗାଳିବେ । ପରମ୍ପରା ଅନୁସାରେ ମୋର ସ୍ୱାମୀ ଭଉଣୀମାନଙ୍କୁ ମୂଲ୍ୟବାନ ଉପହାର ଦେଇ ମୋତେ ଘର ଭିତରକୁ ନେଇଯିବେ । ତା’ପରେ ସାରା ଘର, ସଙ୍ଗୀତ, ନୃତ୍ୟ ଓ ବାଦ୍ୟରେ ଉଛୁଳି ପଡ଼ିବ… ମୁଁ ଜାଣିଥିଲି ଇଏ ହିନ୍ଦୁ – ମୁସଲମାନ ବିବାହର ଶେଷ ପରିଣତି କ’ଣ ହୁଏ, କେମିତି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼େ! ଦିଲ୍ଲୀର
ଅନେକ ମୁସଲମାନ ଝିଅ ହିନ୍ଦୁ ପୁଅଙ୍କୁ ବାହା ହୋଇଥିଲେ । ସେତେବେଳେ ପ୍ରେମରେ ଉଛୁଳିପଡ଼ି ଏମିତି ପଦକ୍ଷେପ ନେଇଥିଲେ କି ନିଜକୁ ଅତି ମାତ୍ରାରେ ପ୍ରଗତିଶୀଳ ବୋଲି ଦେଖେଇ ହେବାକୁ କେଜାଣି… କିନ୍ତୁ ବର୍ଷେ ଅଧେ ଭିତରେ ସେ ବିବାହ ବନ୍ଧନ ତୁଟି ଯାଉଥିଲା । ରୀତିମତ ଝଗଡ଼ା ଓ ବିବାଦରେ ସେଭଳି
ସମ୍ପର୍କ ତୁଟୁଥିଲା । ସେଥିରେ ସେମାନଙ୍କର ସନ୍ତାନମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିଲେ । କାରଣ, ସେମାନେ କାହାର ହୋଇ ପାରୁନଥିଲେ । ସେ
ଯାହା ହେଉ ମୁଁ ଯେତେବେଳେ ଅରାଜି ହେଲି, ଖୁସୱକ୍ତ ମୋ ଉପରେ ଭୀଷଣ ରାଗିଲା ଓ ମୋତେ ବାରମ୍ବାର ମାରଧର କଲା । ଦି’ଦିନ ପରେ, ତା’ର ସେଇ କାଳୀକୋତରୀ ପ୍ରେମିକା କ୍ୟାଥେରି ଧର୍ମଦାସକୁ ଧରି ଆଗ୍ରା ଚାଲିଗଲା । ସେମାନେ ସେଇଠି କୋର୍ଟରେ ବାହା ହୋଇଯାଇଥିଲେ । ତା’ପରବର୍ଷ କଲେଜରେ ପଢ଼ାପଢ଼ି ଆରମ୍ଭ ବେଳକୁ ମୁଁ ଯେତେବେଳେ ହଷ୍ଟେଲକୁ ଫେରିଲି ମୋ ମୁଣ୍ଡ ଓ ମୁହଁରେ ଚାରିଆଡ଼େ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିଲା । ମୁଁ ବାପାଙ୍କ ପାଖକୁ ମିଛରେ ଚିଠି ଲେଖି ଜଣେଇଥିଲି ଯେ ଲାବ୍ରେ କାମ କଲାବେଳେ କିଛି ରାସାୟନିକ ପଦାର୍ଥରେ ବିସ୍ଫୋରଣ ଘଟି ମୋ ମୁହଁରେ ସାମାନ୍ୟ କଳାଦାଗ ଲାଗିଛି । ତେବେ ଏଥିରେ ତାଙ୍କର ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ମୁଁ ତାଙ୍କୁ କହିଥିଲି । ମୁଁ ଭଲ ଅଛି ବୋଲି ଜଣେଇଥିଲି । କିନ୍ତୁ ହଷ୍ଟେଲର ଝିଅମାନଙ୍କୁ ସତ କଥା ଜଣାଥିଲା । ମୋର କ’ଣ ହୋଇଛି ବୋଲ ସେମାନେ ଭୁଲ୍ରେ ସୁଦ୍ଧା ମୋତେ ପଚାରି ନଥିଲେ । ଏଭଳି ଘଟଣା ଓ ଅପବାଦ ପରେ ମୁଁ ହଷ୍ଟେଲରୁ ତଡ଼ା ଖାଇବା ପଥା । କିନ୍ତୁ ଖୁସୱନ୍ତଙ୍କର ଆମ ହଷ୍ଟେଲ ୱାର୍ଡେନଙ୍କ ସାଙ୍ଗରେ ଘନିଷ୍ଠତା ଥିଲା । ତେଣୁ ସମସ୍ତେ ସବୁଜାଣି ସୁଦ୍ଧା ଚୁପ୍ ରହିଥିଲେ । ତା’ଛଡ଼ା ସତ
କହିବାକୁ ଗଲେ କାହା ପାଖରେ ତ ମୋ ବିରୁଦ୍ଧରେ କିଛି ପ୍ରମାଣ ମଧ୍ୟ ନଥିଲା । ସେମିତି ଦେଖିବାକୁ ଗଲେ ଯେକୌଣସି କଲେଜପଢ଼ୁଆ ଝିଅକୁ ତ ଯେକେହି ସହଜରେ ବଦନାମ କରିପାରିବ ।
ସେଦିନ ସକାଳର ଦୃଶ୍ୟ ମୋର ସ୍ପଷ୍ଟ ମନେଅଛି । ସତେ ଯେମିତି ଏଇ ଗଲା କାଲି ତାହା ଘଟିଥିଲା! ଦିନ ଦଶଟା କି ଏଗାରଟା ବେଳ । ରେଳ ଷ୍ଟେସନ ଆଡ଼ୁ ଝିଅମାନେ ଟାଙ୍ଗାରେ ବସି କଲେଜରେ ପହଞ୍ଚୁଥିାନ୍ତି । ପଞ୍ଝାଏ ଝିଅ ସାମ୍ନା ବୁଢ଼ା ବରଗଛ ପାଖରେ ଲନ୍ରେ ରୁଣ୍ଡ ହୋଇଥାନ୍ତି । ନିଜ ନିଜ ବ୍ୟାଗ ବ୍ୟାଗେଜ ସଜାଡ଼ିବାରେ ଓ ପରସ୍ପରଙ୍କୁ ସ୍ୱାଗତ କରି ଉଚ୍ଚ ସ୍ୱରରେ ଗପସପ ହେବାରେ ମସଗୁଲ ଥାଆନ୍ତି । ମୁଁ ଯେତେବେଳେ ମୋ ଟାଙ୍ଗାରୁ ଓହ୍ଲେଇଲି, ସେମାନେ ମୋ ବ୍ୟାଣ୍ଡେଜପକା ଶୁଖିଲା ମୁହଁକୁ ଚାହିଁ ମନେମନେ ବିସ୍ମିତ ହେଲେ । ସତେକି ସେମାନେ ସାମ୍ନାରେ ମୋତ ନୁହେଁ, କେଉଁ ଏକ ଅଶରୀରୀକୁ ଦେଖୁଚନ୍ତି । ସମସ୍ତେ ହଠାତ୍ ଚୁପ୍ ପଡ଼ିଗଲେ । ଜଣେ ପିଅନକୁ ମୋର ସୁଟକେଶଟିକୁ ଆଣିବାକୁ କହିଁ ମୁଁ ସିଧା ମୋ ରୁମ୍କୁ ଚାଲିଗଲି । ପରେ ଯେତେବେଳେ ମୁଁ ଲଞ୍ଚ୍ କରିବାକୁ ଗଲି, ସେ ଡାହାଣୀଗୁଡ଼ାକ ମୋ ସାଭ୍ଗରେ ଅତି ନମ୍ର ଓ ସ୍ୱାଭାବିକ ଭାବେ ଗପସପ ହେଲେ । ତେଣୁ ପ୍ରସଙ୍ଗ ଉପରେ ଆମେ କଥାବାର୍ତ୍ତା ହେଲୁ । ଏକଥା ନିଶ୍ଚିତଯେ ମୋର ଦେହମୁଣ୍ଡର କ୍ଷତ କଥା ନପଚାରି ସୁଦ୍ଧା ସେମାନେ ମୋ ବିଷୟରେ ସବୁକିଛି ଜାଣିଥିଲେ । ମୋର ଏପରି ‘ଦୁର୍ଦ୍ଦଶା’ର କାରଣ କ’ଣ ତାହା ସେମାନଙ୍କୁ ଜଣାଥିଲା । କେବଳ ଯାହା ମୋତେ ଅଧିକ ଲଜ୍ଜିତ ନକରିବାକୁ ସେମାନେ ସେ ବିଷୟରେ
ସିଧାସଳଖ କିଛି କଥାବାର୍ତ୍ତା ହେଉନଥିଲେ । ସେଦସନ ରାତ୍ରିଭୋଜନ ବେଳେ ସେମାନଙ୍କ ନେତ୍ରୀ ନିଜର ନିଷ୍ପତ୍ତି ଘୋଷଣା କରିଥିଲା: ‘ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ କହିଲେ, ତା’ ମତରେ ମୁଁ ଗୋଟିଏ ‘କାମାତୁରା ନାରୀ’ (ମୁଁ ମୋ ରୁମ୍ରେ ଥିଲି, ଝର୍କାପାଖ ଟେବୁଲରେ ବସି ପଢ଼ୁଥିଲି । କିନ୍ତୁ ମୋର ଜଣେ ବିଶ୍ୱସ୍ତା ‘ଗୁପ୍ତଚର’ ମାଧ୍ୟମରେ ଏ ଖବରଟି ମୋ ପାଖରେ ତୁରନ୍ତ ପହଞ୍ଚି ଥିଲା) । ମୋ ସର୍ମ୍ପର୍କରେ ସେମାନେ ଆହୁରି କେତେ କ’ଣ କୁତ୍ସିତ ଟିକାଟିପ୍ପଣୀମାନେ ଦେଇଥିଲେ । କିଏ କହୁଥିଲା, ଗୋଟିଏ ପଚାଫଳ ସାରା ଫଳଝୁଡ଼ିକୁ ନଷ୍ଟ କରିଦେବ’ ତ ଆଉ କିଏ କହୁଥିଲା, ‘ଝିଅମାନଙ୍କୁ କଲେଜରେ ପାଠ ପଢ଼ିବାକୁ ନଛାଡ଼ିବା ଲାଗି ଯିଏ କହନ୍ତି ସେମାନେ କିଛି ଭୁଲ୍ କହିନାହାନ୍ତି । ପୁଣି କିଏ ଭଦ୍ରଲୋକ ସାଜି ମତ ଦେଉଥିଲା – ‘ସେଇଥିବାଇଁ ତ ବାପାମାଆମାନେ ଆମକୁ ସ୍ୱାଧୀନତା ଦେବାକୁ କୁନ୍ଥୁକୁନ୍ଥୁ ହେଉଚନ୍ତି ।’ ଏମିତି କେତେ କ’ଣ… ସେମାନଙ୍କର ଏପରି ଟାହିଟାପରା ଓ ଟିକାଟିପ୍ପଣୀରେ ମୁଁ ସମ୍ପୂର୍ଣ୍ଣ ସହମତ ଥିଲ । ମୁଁ ନିଜେ ବି ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲି: ଏମିତି ବୁଝିଲାଶୁଝିଲା ଓ ଶିକ୍ଷିତା ଝିଅମାନେ ହଠାତ୍ ଅବାଟରେ ପାଦ ଦିଅନ୍ତି କାହିଁକି? କେହି କେହି କହନ୍ତି, କେବଳ ନିର୍ବୋଧ ଝିଅମାନେ ଏମିତି ବିପଥଗାମୀ ହୁଅନ୍ତି ।
ଚାଲାକ ଚତୁର ଝିଅମାନେ ଜାଣିଶୁଣି ବଦନାମ ହୁଅନ୍ତିନି । କିନ୍ତୁ ମୁଁ ତ ଦେଖିଚି ବିଚକ୍ଷଣ ବୁଦ୍ଧିମତୀ ଝିଅମାନେ ପୁରୁଷ ବନ୍ଧୁମାନଙ୍କ ସହ ଘୂରି ବୁଲୁଥାନ୍ତି । ଆଉ କେହି ଅନ୍ୟ କିଛି କାରଣ ଦର୍ଶାନ୍ତି: ମଉଜବସ୍ତି କରି ଜୀବନକୁ ଉପଭୋଗ କରିବାର ଦୁର୍ବାର ପ୍ରବୃତ୍ତି, ବିଳାସପୂର୍ଣ୍ଣ ଜୀବନଯାପନ, ରୋମାନ୍ସ ଓ ଦୁଃସାହସ କରିବାର ନିଜ ଚିରାଚରିତ ଜୀବନଶୈଳୀରେ ରଙ୍ଗ ଭରିବାର ବାସନା, କିଲାଦିନର ରକ୍ଷଣଶୀଳତା ପ୍ରତି ବିଦ୍ରୋହ ମନୋଭାବ ପୋଷଣ…. ସବୁ କାରଣ ସତ ହୋଇ ଥାଇପାରେ । ଏହା ବାହାରେ ଭଲା ଆଉ କି କାରଣ ଥାଇପାରେ ବୋଲି ମୁଁ ମନେ ମନେ ଭାବିହେଲି । ମୋର ଫାଷ୍ଟ୍ ଟର୍ମ ପରୀକ୍ଷା ସରୁଣୁ ନସରୁଣୁ ଖୁସୱକ୍ତ ପୁଣି ଥରେ ଆବିର୍ଭାବ ହେଲେ । ପ୍ରଥମେ ମୋ ଲାବ୍କୁ ଫୋନ୍ କରି, ସେଇଦିନ ସନ୍ଧ୍ୟାରେ ନରୁଲାରେ ଭେଟିବାକୁ ପ୍ରସ୍ତାବ ଦେଲେ । ମୁଁ ମଧ୍ୟ ଗଲି । ଖୁସୱକ୍ତ ତାଙ୍କର ପତ୍ନୀ କ୍ୟାଥେରିନକୁ ତା’ ବାପଘରକୁ ଆଣି ଆସିଥିଲେ । ଏବେ ଦିଲ୍ଲୀବୁଲା ବାହାନାରେ ମୋତେ ଭେଟିବାକୁ ଆସିଥିଲେ । ଏଥର ଆମେ କାହାକୁ ନଜଣେଇ ସପ୍ତାହେ ପାଇଁ ବମେବ ଚାଲି ଯାଇଥିଲୁ ।
ଏବେ ଆମେ ପରସ୍ପରଙ୍କୁ ପ୍ରତି ଦୁଇ ତିନିମାସ ବ୍ୟବଧାନରେ ଭେଟୁଥିଲୁ । ଏମିତିରେ ଗୋଟିଏ ବର୍ଷ ବିତି ସାରିଥିଲା । ହଠାତ୍ ଦିନେ ମୋତେ ଏୟାରପୋର୍ଟକୁ ନେଇଯିବା ଲାଗି ସେ ତାଙ୍କର ଜଣେ ବନ୍ଧୁଙ୍କୁ ପଠେଇଥିଲେ । ସେ ଲକ୍ଷ୍ନୌରୁ ଲାହୋର ଯାଉଥିଲେ । ବିମାନ ବନ୍ଦରରେ ତାଙ୍କର କେଇ ଘଣ୍ଟାର ଲେ’ଓଭର ଥିଲା ।
ତେଣୁ ସେ ମୋତେ ଭେଟିବାକୁ ଚାହୁଁଥିଲେ । ଖୁସୱକ୍ତଙ୍କର ସେଇ ବନ୍ଧୁଙ୍କ ନାଁ ଫାରୁକ୍ । ସେ ଜଣେ ବିରାଟ ଧନୀ ମୁସଲମାନ ବ୍ୟବସାୟୀଙ୍କ ପୁଅ । ବୟସ ପ୍ରାୟ ଚାଳିଶ ପାଖପାତ୍କ, କିନ୍ତୁ ଚେହେରାରୁ ଯୁବକ ଭଳି ଜଣାପଡ଼ୁଥିଲେ । ସେ ବାହାସାହା ହୋଇ ଘର ସଂସାର କରିଥିଲେ ଓ ପିଲାଛୁଆ କମେଇ ସାରିଥିଲେ ।
ଫାରୁକ୍ ଦେଖିବାକୁ ଥିଲେ ଓଟ ପରି ଡେଙ୍ଗା ଓ ନିପଟ କଳା । କେମିତି ବଣ ବଣିଷ ପରି ଚେହେରା । ବ୍ୟବହାର ବି ସେମିତିକିଆ । ଆଉ ତାଙ୍କ ଇଂରାଜୀ ଉଚ୍ଚାରଣ ତ ତା’ଠାରୁ ଭୟଙ୍କର!
ଏଥର ଖୁସୱକ୍ତ ଗଲେ ଯେ ଆଉ ଫେରିଲେନି । କିଛି ଦିନ ଭିତରେ ମୁଁ ଫାରୁକଙ୍କ ପ୍ରେମିକା ପାଲଟି ସାରିଥିଲି । ଫାରୁକଙ୍କ ସହିତ ଦିଲ୍ଲୀର ବଡ଼ବଡ଼ିଆ ଓ ସମ୍ଭ୍ରାନ୍ତ ସମାଜରେ ମୁଁ ଚଳପ୍ରଚଳ ହେବାକୁ ଲାଗିଲି । ଫାରୁକଙ୍କ ବାଗ୍ଦତ୍ତା ଭାବେ ମୋର ବି ସମାଜରେ ମାନସମ୍ମାନ ବଢ଼ିଗଲା । ମୁସଲମାନମାନେ ତ ଚାରିଟି ପତ୍ନୀ ଗ୍ରହଣ କରିପାରିବେ । ତେଣୁ ତାଙ୍କ ସହ ମୋର ବନ୍ଧୁତା ଓ ସମ୍ପର୍କକୁ କୌଣସି ଦୃଷ୍ଟିରୁ ବାଧାବନ୍ଧନ ନଥିଲା । ତାଙ୍କ ପ୍ରଥମ ପତ୍ନୀ ଥିଲେ ମଧ୍ୟବୟସ୍କା, ରକ୍ଷଣଶୀଳା ଓ ପ୍ରାୟତଃ ନିରକ୍ଷର । ତେଣୁ ଫାରୁକ ଜଣେ ଆଧୁନିକା, ଉଚ୍ଚଶିକ୍ଷିତା ତରୁଣୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏଭଳି ସମ୍ଭ୍ରାନ୍ତ ସମାଜରେ ତାଙ୍କୁ ମୋ ଭଳି ଝିଅଟିଏ ହିଁ ସାନ୍ନିଧ୍ୟ ଦେଇପାରିବ । ସେ ଯାହା ହେଉ ନା କାହିଁକି, ହାଇ ସୋସାଇଟିରେ ସବୁ ଚଳେ । ସବୁ କିଛି ନିଜ ସୁବିଧା ପାଇଁ ଗ୍ରହଣୀୟ ହୋଇଥାଏ । କେବଳ ଆମେ ମଧ୍ୟବର୍ଗର
ଲୋକମାନେ ଏଇଟା କରିବା, ସେଇଟା କରିବାନି ବୋଲି ଭାବି ଭାବି ଯାହା ଘାଣ୍ଟି ହେଉଥାଉ । ମୋ ପଢ଼ାର ସେଇ ଦୀର୍ଘ କି ଛୋଟ ବ୍ରେକ୍ ବେଳେ ଫାରୁକ୍ ମୋତେ ଭାରତସାରା ଚାରିଆଡ଼େ ବୁଲେଇନେଲେ । ମୁଁ କେବଳ ଯାହା ବାପାଙ୍କୁ ମଝିରେ ମଝିରେ ଖଣ୍ଡିଏ ଲେଖାଏଁ ଚିଠି ପଠେଇ ଦେଉଥିଲି – ‘ୟୁନିଭର୍ସିଟିର ଅନ୍ୟ ପିଲାମାନଙ୍କ ସହ ମିଶି ମୁଁ ଗୋଟିଏ ପ୍ରାୟୋଜିତ ଗସ୍ତରେ ଯାଉଛି’ କି ‘ମୋତେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ରରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି’ । ଫାରୁକ ମୋତେ ବିଭିନ୍ନ ପ୍ରକାର ମୂଲ୍ୟବାନ୍ ଗହଣାସବୁ ଉପହାର ଦେଇ ଚାଲିଥିଲେ । ତେବେ ଏହା ସତ୍ତ୍ୱେ ମୁଁ ମୋର ପାଠପଢ଼ା ଓ କେମିତି ଭଲ ଡିଭିଜନ ନେଇ ପାସ୍ କରିବି ସେଥିପ୍ରତି ସତର୍କ ଥିଲି । କିନ୍ତୁ ଫାଇନାଲ ପରୀକ୍ଷା ଫଳ ମୋ ଆଶାନୁରୂପ ହୋଇନଥିଲା । ମୋର ଫାଇନାଲ ପରୀକ୍ଷା ସରିବା ପରେ ମୁଁ ମିରଟ୍ ଫେରିଯାଇଥିଲି ।
ସେଇ ସମୟରେ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହେଲା ଓ ଖୁବ୍ ଶୀଘ୍ର ଚତୁର୍ଦ୍ଦିଗକୁ ବ୍ୟାପିଗଲା । ଫାରୁକ୍ ମିରଟକୁ ଚିଠି ଲେଖି ମୋତେ ବାରମ୍ବାର ପରାମର୍ଶ ଦେଲେ ଯେ ତୁରନ୍ତ ଆମେ ଘରଦ୍ୱାର ଛାଡ଼ି ପାକିସ୍ତାନ ପଳେଇଯିବା ଭଲ ହେବ । ସେଠାରେ ସେ ପରେ ମୋତେ ଭେଟିବେ ବୋଲି ସୁଦ୍ଧା ଲେଖିଥିଲେ । ତାଙ୍କରି କଥା ମାନି ମୁଁ ସେଠାକୁ ଚାଲିଯିବାକୁ ଚିନ୍ତା କରୁଥିଲି । ବାପା କିନ୍ତୁ ଖୁବ୍ ଚିନ୍ତିତ ଥିଲେ: ସେ ବି ଚାହୁଁଥିଲେ ମୁଁ ଭାରତରେ ବେଶୀଦିନ ନରହେ । କାରଣ, ସମ୍ଭ୍ରାନ୍ତ
ମୁସଲମାନ ପରିବାରର ଝିଅବୋହୂଙ୍କ ଇଜ୍ଜତ ଓ ଜୀବନ ପ୍ରତି ପାଦେ ପାଦେ ବିପଦ ଲାଗିରହିଥିଲା । ସେମାନଙ୍କ ପାଇଁ ପାକିସ୍ତାନ ଥିଲା ଏକ ଭିନ୍ନ କଳ୍ପନାର ଭୂଇଁ: ଏକ ଇସଲାମିକ୍ ରାଷ୍ଟ୍ର । ତେବେ ମିରଟରେ ଥିବା ଆମ ସମ୍ପତ୍ତିକୁ ଛାଡ଼ି ସେ ଯାଇପାରୁନଥିଲେ । ମୋର ସାନ ଦୁଇଭାଇ ଛୋଟ ଥିଲେ ଓ ମୋର ମାଆଙ୍କ ଦେହାନ୍ତ ପରେ ବାପା ସେ ଦୁହିଙ୍କୁ ମାମୁଘରକୁ ହାଇଦ୍ରାବାଦକୁ ପଠେଇ ଦେଇଥିଲେ । ସେତିକିବେଳେ ମୋର ଫାଇନାଲ ପରୀକ୍ଷା ଫଳ ବାହାରିଲା – ମୁଁ ପାଶ୍ କରିଥିଲି ସତ, କିନ୍ତୁ ଯତ୍ରେ ତତ୍ରେ । ଫଳ ଶୁଣିଲାପରେ ମୋ ମନ ପାଠପଢ଼ାରୁ ସମ୍ପୂର୍ଣ୍ଣ ତୁଟିଗଲା । ଆଉ ସେଇ ଦଙ୍ଗା ଯେତେବେଳେ ସାମାନ୍ୟ ଥମିଲା,ସେଇ ସୁଯୋଗରେ ମୁଁ ତୁରନ୍ତ ବିମାନ ଯୋଗେ ଲାହୋର ପଳେଇଗଲି । ଫାରୁକ୍ ବି ମୋ ସାଙ୍ଗରେ ଆସିଲେ । ସେ ତାଙ୍କ ବ୍ୟବସାୟର ଗୋଟିଏ ଶାଖା ଲାହୋରରେ ଖୋଲିବାର ଯୋଜନା କରୁଥିଲେ ।
ସେ ବ୍ୟବସାୟ ମୋ ନାଁରେ ରହିବ । ସେଇଠି ମୁଁ ତାଙ୍କ ସହିତ ବିବାହ କରିବି । କାରଣ, ସ୍ଥାୟୀ ଭାବେ ଦିଲ୍ଲୀ ଛାଡ଼ିବାକୁ ସେ ଆଦୌ ନଥିଲେ । କାରଣ ତାଙ୍କ ବାପା ଥିଲେ ଜଣେ କଟ୍ଟରପନ୍ଥୀ ‘ଜାତୀୟତାବାଦୀ’ । ତେଣୁ ଫାରୁକ୍ ପ୍ରତି ଦି’ମାସରେ ଥରେ ଲେଖାଏଁ ଲାହୋର ଆସିାବକୁ ମନ ମନେ ମସୁଧା କରିଥିଲେ । ସେତେବେଳେ ଲାହୋର ବଡ଼ ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା । ଯଦି ଠିକ୍ ଲୋକଙ୍କ ସହ ଯୋଗାଯୋଗ କରିପାରିଲ, ତେବେ ହିନ୍ଦୁମାନେ ଛାଡ଼ି ପଳେଇଥିବା ଖୁବ୍ ସୁନ୍ଦର କୋଠା ଘରଟିଏ ସୁଦ୍ଧା ଯୋଗାଡ଼ ହୋଇପାରୁଥିଲା । ସେ ଘରକୁ ନିଜ ନାଁରେ ବି କରିହେଉଥିଲା । ହେଲେ ଫାରୁକ୍ଙ୍କର ଏଠାରେ କେହି ସେପରି ଚିହ୍ନା ପରିଚିତ ନଥିଲେ । ତେଣୁ ସନ୍ଥନଗର ଇଲାକାରେ ଗୋଟିଏ ଛୋଟିଆ ଘର ସେ ଯୋଗାଡ଼ କରିପାରିଥିଲେ । ଘରଟିକୁ ସେ ମୋ ନାଁରେ ହିଁ କିଣିଥିଲେ । ସେଠାରେ ସେ ମୋତେ ଥଇଥାନ କରିଦେଲେ । ମୋର ଚିହ୍ନ ପରିଚୟ ଓ ପଡ଼ୋଶରୀଭାବେ ତାଙ୍କର ଜଣେ ଦୂର ସମ୍ପର୍କୀୟଙ୍କୁ ମଧ୍ୟ ମୋ ସହ ସେଠାକୁ ନେଇଥିଲେ । କାରଣ, ସେମାନେ ଭାରତ ଛାଡ଼ି ପାକିସ୍ତାନକୁ ଶରଣାର୍ଥୀ ଭାବେ ଚାଲି ଆସିଥିଲେ ଓ ସେଠାରେ ସେମାନଙ୍କର ଘରଦ୍ୱାର ବୋଲି କିଛି ନଥିଲା ।
ମୋ ଜୀବନରେ ଘଟିଥିବା ଏ ପରିବର୍ତ୍ତନ ଯେତିକି ଆକସ୍ମିକ ଥିଲା, ସେତିକି ଥିଲା ଅଚାନକ । ଏସବୁ ଘଟଣାରେ ମୁଁ ପୂରାପୂରି ଅବାକ୍ ହୋଇପଡ଼ିଥିଲି । ମୁଁ ନିଜେ ବୁଝି ପାରୁନଥିଲି, କ’ଣ ସବୁ ଘଟିଯାଇଥିଲା! ଗୋଟିଏ ମୁହୂର୍ତ୍ତରେ ମୁଁ ଅବିଭକ୍ତ ଭାରତରେ ହସିଖୁସି ଜୀବନକୁ ଉପଭୋଗ କରୁଥିଲି ଓ ପର ମୁହୂର୍ତ୍ତରେ ମୁଁ ଆସି ପହଞ୍ଚି ଯାଇଥିଲି ଲାହୋରର ଗୋଟିଏ ସରୁ ଗଳିରେ ଥିଲା ଏଇ ଅନ୍ଧାରୁଆ କୋଠରୀରେ । ୧୯୪୮ ମସିହାରେ ଏ ଘଟଣା । ଆଲ୍ଲା ମହାନ୍! କେତେକେତେ ଭୟଙ୍କର ଘଟଣା ଏ ଆଖି ନଦେଖିଲା! ସେପର୍ଯ୍ୟନ୍ତ ମୁଁ ମାନସିକ ସ୍ତରରେ ଏପରି ଏକ ଧକ୍କା ଖାଇବା ପରି ଅନୁଭବ କରୁଥିଲି ଯେ ନିଜ ପାଇଁ ଖଣ୍ଡେ ଚାକିରି ଯୋଗାଡ଼ କରିବା କଥା ସୁଦ୍ଧା ଭୁଲିଯାଇଥିଲି । ଏକଥା ନୁହେଁ ଯେ ସେତେବେଳେ ମୋ ପାଖରେ ଟଙ୍କା ପଇସାର ଅଭାବ ଥିଲା । ଦିଲ୍ଲୀ ଫେରିଯିବା ପୂର୍ବରୁ ଫାରୀକ୍ ମୋ ନାଆଁରେ ବ୍ୟାଙ୍କରେ ଦଶହଜାର ଟଙ୍କା ଜମା କରିଯାଇଥିଲେ । (ମାତ୍ର ଦଶହଜାର! ସିଏ ତ ଲକ୍ଷପତି! କିନ୍ତୁ ଏସବୁ କଥା ଚିନ୍ତା କରିବା ଭଳି ବୁଦ୍ଧି ସେତେବେଳେ ମୋର ନଥିଲା । ଏବେ ସୁଦ୍ଧା କ୍ୱଚିତ୍ କଥା ମୁଁ ଠିକ୍ ଭାବେ ଠଉରାଇପାରେ ।’
ଦିନ ପରେ ଦିନ ଯାଇ ସପ୍ତାହ ପୂରୁଥିଲା । ସପ୍ତାହ ସବୁ ମାସରେ ପରିଣତ ହେଲା । ମୁଁ ସେମିତି ସାରା ଦିନ ଖଟଟା ଉପରେ ବସି ରହୁଥିଲି । ମୁଁ ସେମିତି ସାରା ଦିନ ଖଟଟା ଉପରେ ବସି ରହିଲି । କେତେବେଳେ ପାନ ଚୋବାଉଥିଲି ତ ଆଉ କେତେବେଳେ ଫାରୁକର ‘କାକୀ’ ସାଙ୍ଗରେ ବସି ଦୁଃଖସୁଖ ହେଉଥିଲି । ଅତୀତରେ ସିଏ କେତେ ଧନୀ ଥିଲେ, କେତେ ଧନ ଦଉଲତ ତାଙ୍କ ଘର ଭରପୂର ଥିଲା ଏବଂ ପାକିସ୍ତାନକୁ କିପ୍ରକାର ଦୟନୀୟ ଓ ଭୟଙ୍କର ବିଜରାତରେ ସେମାନେ ଆସିଥିଲେ, ସେସବୁ କଥା ସେ ମୋରି ଆଗରେ ବଖାଣୁଥିଲେ । ବେଳେବେଳେ ତାଙ୍କ ସାନଝିଅକୁ ମୁଁ ପାଠପଢ଼ାରେ ସାହାଯ୍ୟ କରୁଥିଲି । ସେତେବେଳେ ସେ ହାଇସ୍କୁଲରେ ପଢ଼ୁଥିଲା । ତେଣୁ ମୁଁ ତାକୁ ଗଣିତ ପଢ଼େଇ ଦେଉଥିଲି । କାକୀଙ୍କ ପୁଅ ଫାରୁକଙ୍କ ବ୍ୟବସାୟ ବୁଝାଶୁଝା କରୁଥିଲେ । ସେତେବେେଳେ କାରବାର ବି ମାମୁଲି ଥିଲା । ବର୍ଷକୁ ଫାରୁକ ପାଞ୍ଚ କି ଛଅଥର ଲାହୋର ଆସି ଆମମାନଙ୍କ ଭଲ ମନ୍ଦ ବୁଝୁଥିଲେ ଓ ନିଜ ବ୍ୟବସାୟ କଥା ଦେଖାଶୁଣା କରିଯାଉଥିଲେ ।
ଧୀରେ ଧୀରେ ଲାହୋର ସହରରେ ସ୍ୱାଭାବିକତା ଫେରିଆସୁଥିଲା । ଫାରୁକଙ୍କ ସାମୟିକ ଲାହୋର ଗସ୍ତ ମୋ ଜୀବନରେ କିଛିଟା ରଙ୍ଗ ଭରି ଦେଇଥିଲା । ସେ ଆସିଲେ ତାଙ୍କ ‘ଚାଚୀ’ ଫାରୁକଙ୍କ ପାଇଁ ଦିଲ୍ଲୀର ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରୁଥିଲେ । ମୁଁ ମଝିରେ ମଝିରେ ମଲ୍କୁ ଯାଇ ମୋ କେଶକୁ ଭଲଭାବେ
ବିନ୍ୟାସ କରି ଆସୁଥିଲି । ସନ୍ଧ୍ୟାବେଳେ ଆମେ ଜିମ୍ଖାନା ମୈଦାନ ଆଡ଼େ ବୁଲି ଯାଉଥିଲୁ । ସେଠାରେ ଗୋଟିଏ କୋଣ ଟେବୁଲରେ ଫାରୁକ ବିଅର୍ ଗ୍ଲାସଟିଏ ଧରି ବସି ରହନ୍ତି ଓ ଦିଲ୍ଲୀର ସବୁ ହାଲଚାଲ୍ ମୋ ଆଗରେ ବଖାଣି ଚାଲନ୍ତି ।
ଫାରୁକ୍ ଏକା ନିଃଶ୍ୱାସକେ ସବୁ କଥା କହି ଚାଲିଥିବେ, କିନ୍ତୁ ହଠାତ୍ ପୁଣି ଚୁପ୍ ପଡ଼ିଯିବେ । ତା’ପରେ ସେ ହଲ୍ରେ ବସିଥିବା ଅପରିଚିତ ଲୋକଙ୍କ ମୁହଁକୁ ବଲବଲ କରି ଚାହିଁବେ । ତେବେ କଥାବାର୍ତ୍ତା ଭିତରେ ସେ ଥରଟିଏ ସୁଦ୍ଧା ଆମ ବାହାଘର କଥା ଉଠାଉନଥିଲେ । ମୁଁ ବି ଅଭିମାନରେ ତାଙ୍କୁ ସେ କଥା ମନେ ପକାଇ ଦେଉନଥିଲି । ସେ ବିଷୟରେ କତା ହେବାକୁ ମୋ ମନରେ ଆଉ ସରାଗ ନଥିଲା । ବାହା ନହୋଇ ଏମିତି ରହିଗଲେ ମୋ ଲାଗି କିଛି ଫରକ ପଡ଼ିବନି ବୋଲି ମୁଁ ମନେମନେ ଭାବୁଥିଲି । ସେ ଦିଲ୍ଲୀ ଫେରିଯିବା ପରେ ପ୍ରତି ଦି’ସପ୍ତାହରେ ଆମମାନଙ୍କ ଭଲମନ୍ଦ ଓ ତାଙ୍କ ବ୍ୟବସାୟ କଥା ବଖାଣି ମୁଁ ତାଙ୍କ ପାଖକୁ ଚିଠି ଲେଖୁଥିଲି । ଆମ ବିଷୟରେ ବ୍ୟସ୍ତ ନହେବାକୁ ତାଙ୍କୁ ବୁଝାଉ ଥିଲି । ଆର ଥର ଲାହୋର ଆସିଲାବେଳେ ମୋ ପାଇଁ କଟନ୍ ପ୍ଲେସ କି ଚାନ୍ଦନୀଚୌକର ନିର୍ଦ୍ଦିଷ୍ଟ ଦୋକାନରୁ
ଶାଢ଼ୀ ଓ ଅନ୍ୟ କିଛି ସାମଗ୍ରୀ ଆଣିବାକୁ ବଦାର କରୁଥିଲି । ସେତେବେଳେ ପାକିସ୍ତାନରେ ସେମିତିକା ଭଲ ଶାଢ଼ୀ ଖଣ୍ଡେ ସୁଦ୍ଧା ମିଳୁନଥିଲା ।
ଦିନେ ହଠାତ୍ ମିରଟରୁ ମୋର ଜଣେ କାକାଙ୍କ ଠାରୁ ଖଣ୍ଡେ ଚିଠି ପାଇଲି – ମୋ ବାବାଙ୍କର ଦେହାନ୍ତ ହୋଇଯାଇଛି । ‘କିଏ ଭଲା ଏ ସଂସାରରେ ଅମର? ସ୍ୱୟଂ ପୟଗମ୍ବର ମହମ୍ମଦ ସୁଦ୍ଧା ନୁହନ୍ତି!’ ନିଜକୁ ନିଜେ ବୁଝେଇବାକୁ ଚେଷ୍ଟା କଲି । ଅତି ମାତ୍ରାରେ ଭାବପ୍ରବଣ ହୋଇପଡ଼ିଲିନି । ହେଲେ, ମନକୁ ବାରମ୍ବାର
ଆସୁଥିଲା – ମୋ ଲାଗି ବାବା ତାଙ୍କ ଜୀବନ ବାଜି ଲଗେଇ ଦେଇଥିଲେ । ତେଣୁ ଭିତରେ ଭିତରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲି । ଅବଶ୍ୟ ଫାରୁକ ମୋତେ ନିୟମିତ ଭାବେ ସ୍ନେହବୋଳା ଓ ଆଶ୍ୱାସନାଭରା ଚିଠିମାନ ଲେଖୁଥିଲେ । ସେଇ ଆଶ୍ୱାସନା ଥିଲା ମୋର ଏକମାତ୍ର ସାହାରା । ‘ନିୟମିତ ଭାବେ ନମାଜ ପଢ଼ୁଥିବ’ ‘ଆଜିକାଲି ଭାରି ଖରାପ ସମୟ । ସାରା ସଂସାର ଦୁର୍ଦ୍ଦିନ ଘୋଟି ସାରିଛି । କୟାମତ୍ର ଦିନ ଆଗତପ୍ରାୟ । ପର ମୁହୂର୍ତ୍ତରେ କ’ଣ ଘଟିବ ସେ କଥା କାହାକୁ ଜଣାନାହିଁ । ସବୁ ବ୍ୟବସାୟୀଙ୍କ ଭଳି ଫାରୁକ ଅତି ମାତ୍ରାରେ ଧର୍ମଉପରୁ ଓ ଅନ୍ଧବିଶ୍ୱାସୀ ଥିଲେ । ପ୍ରତିବର୍ଷ ଆଜମେର ସରିଫ ଯିବା ପକ୍କା । ସବୁପ୍ରକାର ରାଶି ଗଣନା, ସାମୁଦ୍ରିକ ବିଦ୍ୟା, ଭୂତ ଭବିଷ୍ୟକାର, ମନସ୍ତତ୍ତ୍ୱ, କଳାଜାଦୁ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ଥିଲା । ତାଙ୍କର କଥାମାନି ପୂରା ଗୋଟିଏ ମାସ ଧରି ମୁଁ ପାଞ୍ଚଥର ନମାଜ ପଢ଼ିଲି । କିନ୍ତୁ ପ୍ରତି ଥର ଆସନରେ ବସି ଆଖି ବୁଜିଲା ବେଳକୁ ମୋ ମନ ଭିତରେ ହସର ଏକ ବିଚିତ୍ର ଭାବନା ମୁଁ ଅନୁଭବ କରୁଥିଲି ।
ସେତେବେଳେ ଦେଶସାରା ମହିଳା ଶିକ୍ଷିକାଙ୍କ ପାଇଁ ଢେର୍ ଚାକିରିର ଆବଶ୍ୟକତା ଥିଲା । ବିଶେଷ କରି ବିଜ୍ଞାନ ଶିକ୍ଷକଭ୍କର । ସ୍ଥାନୀୟ ଗୋଟିଏ କଲେଜର ଅଧ୍ୟକ୍ଷ ମୋତେ ଚିହ୍ନିଥିଲେ ଓ ମୋତେ ତୁରନ୍ତ ଫିଜିକ୍ସର ଅଧ୍ୟାପିକା ପଦରେ ଯୋଗଦେବାକୁ ପ୍ରସ୍ତାବ ଦେଲେ । ମୋ ଠାରୁ ନାସ୍ତିବାଣୀ ଶୁଣିବାକୁ ସେ କଦାଚିତ୍ ପ୍ରସ୍ତୁତ ନଥିଲେ । ପରିଶେଷରେ ମୁଁ ରାଜି ହେଲି ଯଦିବା ମୋତେ ଅଧ୍ୟାପନା ଆଦୌ ଭଲ ଲାଗୁନଥିଲା । ତା’ର କିଛିଦିନ ପରେ ଅଦୂରରେ ଆଉ ଗୋଟିଏ ମହିଳା ମହାବିଦ୍ୟାଳୟ ମୋତେ ଲୋଭ ଦେଖାଇ ସେଠାକୁ ନେଇଯାଇଥିଲା । ସେଠାରେ ମୁଁ କିଛିବର୍ଷ ଅଧ୍ୟାପନା କଲି । ମୋର ଛାତ୍ରୀମାନେ ବେଳେବେଳେ ମୋତେ ପଚାରୁଥିଲେ,
‘ମା’ମ୍, ଆପଣ ତ ଦେଖିବାକୁ ଏତେ ସୁନ୍ଦରୀ । ତା’ହେଲେ ଆପଣ ନିଜର ସେଇ କୋଟିପତି ବାଗ୍ଦତ୍ତ ପ୍ରେମିକଙ୍କୁ କାହିଁକି ବାହା ହେଲେନି?’
ସେମାନଙ୍କ ପାଇଁ ମୋ ପାଖରେ ସେମିତି କିଛି ବିଶ୍ୱାସଯୋଗ୍ୟ ଉତ୍ତର ନଥିଲା ।
ପାକିସ୍ତାନ ଏକ ନୂଆ ଦେଶ ଥିଲା, ସେଠାକାର ଲୋକମାନେ ବି ନୂଆ ଲାଗୁଥିଲେ । ନୂଆକରି ଏକ ସମାଜ ମୁଣ୍ଡ ଟେକୁଥିଲା । ସେଠାରେ କେହି ସୁଦ୍ଧା ମୋ ଅତୀତ ସମ୍ପୂର୍ଣ୍ଣରେ ଜାଣିନଥିଲେ । ତେଣୁ ଯେକୌଣସସ ଭଦ୍ର ଓ ସମ୍ଭ୍ରାନ୍ତ ଲୋକ ଜଣେ ମୋତେ ବିବାହ କରିବାକୁ ଖୁସିରେ ରାଜି ହୋଇଯାଇଥାନ୍ତେ (ହେଲେ ମୁଁ ଅବା
କ’ଣ କରିପାରିଥାନ୍ତି? ମୋତେ ତ ସେମିତି କୌଣସି ସୌମ୍ୟ କି ସମ୍ଭ୍ରାନ୍ତ ଅବା ସୁଶୀଳ ଯୁବକ ମିଳିନଥିଲେ) । ସେ ଯାହା ହେଉ, ଦିଲ୍ଲୀରେ ଯାହାସବୁ ଘଟିଥିଲା, ଲାହୋରରେ ସେକଥାକୁ କିଏ ଜାଣିଥିଲା କି ପରଖିଥିଲା? ଦିଲ୍ଲୀର ଅନେକ ଉଦ୍ଧତ, ଉଗ୍ରା ଓ ବିପଥଗାମୀ ଯୁବତୀ ତ ଏବେ ସମ୍ଭ୍ରାନ୍ତ ମହିଳା ସାଜି ବୁଲୁଥିଲେ!
ଅନ୍ତତଃ ପକ୍ଷେ ସେ ଭଳି ଜଣେ ଦି’ଜଣ ମହିଳାଙ୍କୁ ତ ମୁଁ ଚିହ୍ନିଥିଲି ।
ସେତେବେଳକୁ ଫାରୁକଙ୍କର ଲାହୋର ଯା’ଆସ ଅନିୟମିତ ହୋଇ ସାରିଥିଲା । ଆମେ ବେଳେବେଳେ କାହିଁ କେଇ ଦଶନ୍ଧି ତଳେ ବିବାହ କରିଥିବା ପ୍ରୌଢ଼ ଦମ୍ପତ୍ତିଙ୍କ ଭଳିଆ ମଝିରେ ମଝିରେ ଭେଟୁଥିଲୁ । ଯେପରି ଆମ ଭିତରୁ ପରସ୍ପର ପ୍ରତି ସବୁ ସରାଗ, ସବୁ ଅନୁରାଗ ନିଃଶେଷ ହୋଇ ସାରିଥିଲା! କେବଳ ମାନସିକ
ଶାନ୍ତି ଓ ପାରସ୍ପରିକ ସାନ୍ନିଧ୍ୟ ଯାହା ବଞ୍ôଚ ରହିଥିଲା! ଦିଲ୍ଲୀରେ ଫାରୁକଙ୍କ ଝିଅର ବାହାଘର ହେଲା; ତାଙ୍କ ପୁଅ ଅକ୍ସଫୋର୍ଡକୁ ପଢ଼ିବାକୁ ଗଲା; ତାଙ୍କ ପତ୍ନୀଙ୍କର ଆଜ୍ମା ବଢ଼ିଯାଇଥିଲା । ଅନେକ ଦେକୁ ତାଙ୍କ ବ୍ୟବସାୟର ଚେର ସମ୍ପ୍ରସାରିତ ହୋଇ ସାରିଥିଲା । ନୈନିତାଲରେ ସେ ଗୋଟିଏ ନୂଆ ବଙ୍ଗଳା ତୋଳାଇଥିଲେ । ଏବେ ଆମର ଭେଟ ସାକ୍ଷାତବେଳେ ଫାରୁକ କେବଳ ନିଜ ପାରିବାରିକ କି ବ୍ୟବସାୟ ପ୍ରସଙ୍ଗରେ ହିଁ ଗପସପ କରୁଥିଲେ । ମୁଁ କେବଳ ତାଙ୍କ ସାମ୍ନାରେ ବସି ତାଙ୍କଲାଗି ପାନ ଖିଲ ମୋଡ଼ି ଚାଲୁଥିଲି । ଥରେ ଖରାଛୁଟିରେ ମୁଁ ଲାହୋରକୁ ଫେରି ଆସିଥିଲି । ସେତେବେଳେ ଦୈବାତ୍ ମୋର ଭେଟ ପଡ଼ିଗଲା ସୟିତ ଭିଖାର
ହୁସେନ ଖାନଙ୍କ ସାଙ୍ଗରେ । ସିଏ ଫାରୁକଙ୍କର ଜଣେ ପୁରୁଣା ବନ୍ଧୁ । ସିଏ ଜଣେ ଅଜବ କିସମର ମଣିଷ । ଯେମିତି ଡେଙ୍ଗା, ସେମିତି ବିଶାଳ ବପୁ । ହାଣ୍ଡିକଳା ପରି ରଙ୍ଗ । ବୟସ ପଇଁଚାଳିଶ ପାଖାପାଖି । ପିଲାଙ୍କ ପରୀକାହାଣୀ ବହିର ଅସୁର ପରି ଚେହେରା । ତାଙ୍କୁ ମୁଁ ପ୍ରଥମେ ଦିଲ୍ଲୀରେ ଭେଟିଥିଲି । ସେଠାରେ ତାଙ୍କର ଗୋଟିଏ ଡାନ୍ସିଂ ସ୍କୁଲ ଥିଲା । ଭିଖାର ସା’ବ୍ ଥିଲେ ରାମପୁରର ଏକ ସମ୍ଭ୍ରାନ୍ତ ପରିବାରର ବାଲିତ୍ । ପିଲାଟିବେଳୁ ସେ ଘରଛାଡ଼ି ପଳେଇ ଆସିଥିଲେ । ପ୍ରଥମେ ଗୋଟିଏ ସର୍କସ ପାର୍ଟିରେ, ତା’ପରେ କ୍ଲବ୍ରେ ଓ ପରେ ପରେ ବୁଲା ରଙ୍ଗମଞ୍ଚ ଦଳରେ ସାମିଲ୍ ହୋଇଯାଇଥିଲେ । ଦୁନିଆର ଅଧିକାଂଶ ଦେଶ ବୁଲି, ଅନେକ ପ୍ରକାର ମହିଳାଙ୍କୁ ସେ ବିବାହ କରିଥିଲେ । ମୁଁ ଯେତେବେଳେ ତାଙ୍କୁ ଦିଲ୍ଲୀରେ ପ୍ରଥମଥର ଭେଟିଥିଲି, ସେତେବେଳେ ତାଙ୍କ ପତ୍ନୀ ଥିଲେ କଲିକତାର ଜଣେ
ମାରୱାଡି ମହାଜନଙ୍କ କନ୍ୟା । ସେ ମାରୱାଡ଼ି ଭଦ୍ରବ୍ୟକ୍ତିଙ୍କର ଟଙ୍କା ଲଗାଣ ବେଉସା ଥିଲା । ମାରୱାଡିଙ୍କ କନ୍ୟାଙ୍କୁ ଭିଖାର ସା’ବ୍ ଫୁସୁଲେଇ ଫାସୁଲେଇ ଘରୁ ନେଇ ଚମ୍ପଟ୍ ମାରିଥିଲେ । ଅବଶ୍ୟ ସେମାନଙ୍କୁ ମୁଁ ପ୍ରାୟ ବାର କି ପନ୍ଦର ବର୍ଷ ପୂର୍ବେ ଭେଟିଥିଲି । ଭଦ୍ରବହିଳା ଦେଖିବାକୁ ଗେଡୀ କିନ୍ତୁ ରଙ୍ଗ ଅଭିଭ୍ ପତ୍ର ଭଳି । ତାଙ୍କ ମୁହଁକୁ ଚାହିଁଲେ କେମିତି ଦୁଃଖୀ ଆତ୍ମାଟିଏ ପରି ଲାଗୁଥିଲେ । ହେଲେ ସମସ୍ତେ କହନ୍ତି ସେ କାଳେ ଥିଲେ ପରମ ପତିଭକ୍ତା । ଏପରିକି ଭିଖାର ସା’ବଙ୍କ ସହିତ ଘରୁ ପଳେଇ ଆସିବାପରେ, ତାଙ୍କ ଦ୍ୱାରା ନିର୍ଯ୍ୟାତିତା ହୋଇ ସୁଦ୍ଧାସେ କେମେ ମନ ଦୁଃଖ କରୁନଥିଲେ । ବରଂ ପ୍ରତିଥର ରୁଷି ଘରୁ ପଳେଇଯିବା ପରେ ପୁଣି କେଇଦିନ ପରେ ଆପଣା ଛାଏଁ ଲେଉଟି ଆସୁଥିଲେ । ସେତେବେଳେ ଭିଖାର ସା’ବ୍ କନଟ୍ ପ୍ଲେସରେ ଗୋଟିଏ ଫ୍ଲାଟର ତୃତୀୟ ମହଲାରେ ଘରଭଡ଼ା
ନେଇଥିଲେ । ସେଇଠି ସେ ତାଙ୍କ ବଲ୍ରୁବ୍ ଡାନ୍ସିଂ ସ୍କୁଲ ମଧ୍ୟ ଚଳାଉଥିଲେ । ସେ ସ୍କୁଲର ଷ୍ଟାଫ୍ କହିଲେ ଭିଖାର ସା’ବ୍, ତାଙ୍କ ପତ୍ନୀ ଓ ଅନ୍ୟ ଦି’ଜଣ ଆଙ୍ଗେ୍ଲା -ଇଣ୍ଡିଆନ୍ ତରୁଣୀ ।
ବିଶ୍ୱଯୁଦ୍ଧ ବେଳେ ଭିଖାର ସା’ବ୍ ତାଙ୍କର ‘ଜାମ୍ ସେସନ୍ସ’ ରବିବାର ସକାଳ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚୁର ଅର୍ଥ ଉପାର୍ଜନ କରିଥିଲେ । (ଥରେ ଖୁସ୍ୱକ୍ତଙ୍କ ସାଙ୍ଗରେ ମୁଁ ସେଇ କାର୍ଯ୍ୟକ୍ରମକୁ ଯାଇଥିଲି) । ଲୋକମାନେ କଥାବାର୍ତ୍ତା ହେଉଥିଲେ ଯେ ଭିଖାର ସା’ବଙ୍କ ପତ୍ନୀ ଏତେ ମାତ୍ରାରେ ସ୍ୱାମୀଭକ୍ତା ଯେ ତାଙ୍କ ଫରମାଇସ
ଅନୁସାରେ ଭଦ୍ରମହିଳା ନିଦ୍ଦିଷ୍ଟ ଝିଅମାନଙ୍କ ମନରେ ବିଶ୍ୱାସ ଜନ୍ମାଇ, ସେମାନଙ୍କୁ ନିଜ ଘରକୁ ଆଣୁଥିଲେ; ଉଦ୍ଦେଶ୍ୟ – ଭିଖାର ସା’ଙ୍କୁ ଭେଟି ତାଙ୍କର ମନୋରଞ୍ଜନ କରିବା । ମୋର ମନେଥିଲା, କେମିତି ଥରେ ସେ ଆମ ହଷ୍ଟେଲକୁ ଆସି କେଇଜଣ ଝିଅଙ୍କୁ ସାଙ୍ଗରେ ଧରି ଯାଇଥିଲେ । ତାଙ୍କ ଘରେ ଚା’ପାନ ଭୋଜିରେ ଯୋଗ ଦେବାକୁ ସେ ସେମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ବୋଲି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ତା’ପରେ ହଠାତ୍ ଆସିଲା ଦେଶ ବିଭାଜନ । ସବୁକିଛି ଓଲଟ ପାଲଟ ହୋଇଗଲା ମାତ୍ର ଦିନ କେଇଟା ଭିତରେ । ଲ୪ ଲକ୍ଷ ଲୋକ ସର୍ବସ୍ୱ ହରାଇ ସମ୍ପୂର୍ଣ୍ଣ ନିଃସ୍ୱ ହୋଇପଡ଼ିଲେ । ଭିଖାର ସା’ବ୍ ଥିଲେ ସେଇ ଲକ୍ଷ ଲକ୍ଷ ସର୍ବହରାଙ୍କ ଭିତରୁ ଜଣେ । ଏଭଳି ନିଃସ୍ୱ ଅବସ୍ଥାରେ ସେ ଆସି ପହଞ୍ଚି ଥିଲେ ଲାହୋର ସହରରେ ଯେଉଁଠି ମଲ୍ ରୋଡ୍ ପଛପଟ ଗଳିରେ ତାଙ୍କୁ ଗୋଟିଏ ଛୋଟ ଫ୍ଲାଟ୍ ମିଳିଥିଲା । ସେଠାରେ ସେ ପୁଣି ଥରେ ତାଙ୍କର ଡାନ୍ସ ସ୍କୁଲ ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ତ ସେ ସ୍କୁଲ ପ୍ରତି କାହାର ବିଶେଷ ଆଗ୍ରହ ନଥିଲା । ଯେତେବେଳେ ଦେଶ ବିଭାଜନ ଓ ସର୍ବସ୍ୱ ହରାଇବାର ଦୁଃଖ ସମସ୍ତଙ୍କ ହୃଦୟକୁ ଗୋଟାପଣେ ଆଚ୍ଛନ୍ନ କରି ରଖିଥିଲା ସେତେବେଳେ ବଲ୍ ରୁମ୍ ଡାନ୍ସ କଥା ଭଲା ଭାବିବାକୁ କାହା ପାଖରେ ସମୟ ଥିଲା? ଦେଶ ବଣ୍ଟା ପୂର୍ବରୁ ସେଇ ଫ୍ଲାଟ୍ରେ ଆର୍ଯ୍ୟ ସମାଜୀ ହିନ୍ଦୁମାନଙ୍କର ଗୋଟିଏ ସଙ୍ଗୀତ ବିଦ୍ୟାଳୟ ଚାଲୁଥିଲା । ତେଣୁ ସେଥବରେ ଗୋଟିଏ ସୁନ୍ଦର ପ୍ରଶସ୍ତ ହଲ୍ ଥିଲା । ଚଟାଣଟା କାଠରେ ଖଞ୍ଜା ଯାଇଥିଲା । ଦି’ପଟେ ଦିଓଟି କୋଠରୀ ଥିଲା । ତା’ସାଙ୍ଗକୁ ଗୋଟିଏ ବାଥ୍ରୁମ୍ ଓ କିଚେନର ବ୍ୟବସ୍ଥା ମଧ୍ୟ ଥିଲା । ସମ୍ନାକୁ କାଠର ଛୋଟ ବାଲକୋନୀଟିଏ ଓ ତା’ଉପରକୁ ଦଦରା ଶିଢ଼ିଟିଏ ପଡ଼ିଥିଲା । ସେଇ ବାଲକୋନୀ ଉପରେ ଛୋଟ ଫଳକନାମାଟିଏ ଝୁଲୁଥିଲା – ‘ହିନ୍ଦୁମାତା ସଙ୍ଗୀତ ମହାବିଦ୍ୟାଳୟ’ । ଏବେ ସେ ସାଇନବୋର୍ଡଟିକୁ ସେଠାରୁ ହଟେଇ ଦିଆଯାଇ ତା’ ସ୍ଥାନରେ ଆଉ ଗୋଟିଏ ବୋର୍ଡ
ଝୁଲାଯାଇଥିଲା – ‘ଭିକାର୍ସ୍କ ସ୍କୁଲ ଅଫ୍ ବଲରୁମ୍ ଏଣ୍ଡ ଟେପ୍ ଡାନ୍ସିଂ’ । ହଲ୍ର କାନ୍ଥରେ ମରାଯାଇଥିଲା ଜିନ୍ କେଲୀ, ଫ୍ରେଡ୍ ଆଷ୍ଟେର, ଫ୍ରାଙ୍କ୍ ସିନାଟ୍ରା, ଡୋରିସ୍ ଡେ’ ଏବଂ ଆହୁରି କେତେଜଣ ହଲିଉଡ୍ ଅଭିନେତା ଓ ନୃତ୍ୟନିପୁଣ ଶିଳ୍ପୀଙ୍କ ଫଟୋଚିତ୍ର । ସେସବୁ ଆମେରିକୀୟ ଚଳଚ୍ଚିତ୍ର ପତ୍ରିକାରୁ ହିଁ ସଂଗ୍ରହ କରାଯାଇଥିଲା । ଭିଖାର ସା’ବ୍ ଦିଲ୍ଲୀରୁ କିଛି ରେକର୍ଡ ବି ସାଙ୍ଗରେ ଆଣିଥିଲେ । ଫାରୁକଙ୍କଠାରୁ କିଛି ଟଙ୍କା ଉଧାର ନେଇ ସେ ଲାହୋରରେ ତାଙ୍କର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ଗୋଟିଏ ଗ୍ରାମୋଫୋନ୍ ସେଟ୍ ଏବଂ କିଛି ପୁରୁଣା ଟେବୁଲ୍,ଚୌକି ଓ ବେଞ୍ଚ୍ ବି କିଣିଥିଲେ । ଏମିତି ଭାବେ ତାଙ୍କ ଡାନ୍ସ ସ୍କୁଲ ଆରମ୍ଭ ହୋଇଥିଲା । ଯାହାହେଉ ବର୍ଷ କେଇଟାରେ ଭିଖାର ସା’ବ୍ଙ୍କ ବ୍ୟବସାୟ ବେଶ୍ ଉନ୍ନତି କରିଥିଲା ଓ ସେଥିରେ ସହଯୋଗ କରିଥିଲେ କଲେଜ ପଢ଼ୁଆ ଟୋକା ଏବଂ ନୂଆ ନୂଆ ଧନାଢ଼୍ୟ ବୋଲି ଦେଖେଇ ହେଉଥିବା ସହରର କିଛି ଭଦ୍ରବ୍ୟକ୍ତିଙ୍କ ସୁନ୍ଦରୀ ପତ୍ନୀମାନେ । ଭିଖାର୍ ସା’ବ୍ ଥିଲେ ଫାରୁକଙ୍କର ଜଣେ ଘନିଷ୍ଠ ବନ୍ଧୁ । ତେଣୁ ସେ
ମୋତେ ନିଜର ‘ଭାଉଜ’ ଭଳି ଭାବୁଥିଲେ ଓ ମୁଁ ମଧ୍ୟ ତାଙ୍କ ନିଜ ‘ଦିଅର’ ପରି ଶ୍ରଦ୍ଧା ଆଦର କରୁଥିଲି । ମୁଁ ଥିଲି ଫାରୁକଙ୍କର ବାଗ୍ଦତ୍ତା । ତେଣୁ ବେଳେବେଳେ ମୋର ହାନିଲାଭ ବୁଝିବା ଲାଗି ସେ ମୋ ଘରଆଡ଼େ ବୁଲି ଆସୁଥିଲେ । ମୋ ସହିତ ବସି ଘଣ୍ଟା ଘଣ୍ଟା ଗପସପ ହେଉଥିଲେ ।
ଜୀବନରେ କେତେ ଦୁଃଖ ଓ ସଂଘର୍ଷର ସେ ସାମ୍ନା କରିଥିଲେ ସେସବୁ ବଖାଣୁଥିଲେ । ତାଙ୍କ ପତ୍ନୀ ବି ମୋତେ ନିଜର ସାନଭଉଣୀ ପରି ସ୍ନେହ କରୁଥିଲେ । ବିଚରା ଭିଖାର ସମ୍ପ୍ରତ୍ତି ଥିଲେ ନିଃସନ୍ତାନ । ତେଣୁ ସବୁ ସଂଗ୍ରାମ ଓ ସଫଳତା ସତ୍ତ୍ୱେ ଅସମାନଙ୍କର ଜୀବନ ଥିଲା ରସଶୂନ୍ୟ, ରଙ୍ଗହୀନ ଓ ରିକ୍ତ । ସନ୍ତାନଟିଏ ପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରିସାରିଥିଲେ ବୋଲି ମେଳେବେଳେ କହୁଥିଲେ । ଏମିତି ଦିନେ ହଠାତ୍ କଲେଜର ପ୍ରିନ୍ସପାଲଙ୍କ ସହିତ କୌଣସି ଗୋଟିଏ କଥାକୁ ନେଇ ଖୁବ୍ ଯୁକ୍ତିତର୍କ ହେଲା । ନିକଟରେ ସେ ଆମେରିକାରୁ ଫେରିଥିଲେ ଓ ନିଜ ଦେଶରେ ତାଙ୍କୁ କିଛି ଭଲ ଲାଗୁନଥିଲା । ସବୁ କଥାରେ ସେ ନାକ ଟେକୁଥିଲେ ଓ ସମାଲୋଚନା କରୁଥିଲେ । ମୁଁ ବି ଥିଲି ବଦରାଗୀ ଓ ରାଗିଲେ ସହଜରେ ଶାନ୍ତ ପଡ଼ୁନଥିଲି । ତେଣୁ ଏଭଳି ବଚସା ପରେ ମୁଁ କଲେଜ କମିଟି ପାଖକୁ ମୋର ଇସ୍ତଫାପତ୍ର ଖଣ୍ଡିକ ପଠେିଦେଇ ସିଧା ଲାହୋରର ସନ୍ଥନଗରକୁ ଫେରିଆସିଲି । ସେତେବେଳକୁ କେଇ ବର୍ଷ ଧରି କଲେଜରେ ପାଠ ପଢ଼େଇ ପଢ଼େଇ କେମିତି କ୍ଳାନ୍ତ ହୋଇପଡ଼ିଥିଲି । କିନ୍ତୁ ସଦାବେଳେ ଏକ ‘ସୁଖକର ଆଗାମୀ କାଲି’ର ପ୍ରତୀକ୍ଷାରେ ରହି ସେ ସୁଯୋଗ ସବୁକୁ ହାତଛଡ଼ା କରିଦେଇଥିଲି । ତେଣୁ ଭାବିଲି, ନା, ଆସନ୍ତାକାଲି ୟୁଏଏସଇଏଫଆଇ ଯାଇ ବିଦେଶୀ ଫେଲୋସିପ୍ କଥା ବୁଝାବୁଝି କରିବି । ନହେଲେ ବ୍ରିଟିଶ୍ କାଉନସିଲ୍ ଯିବ । କିନ୍ତୁ ମୋର ଏ ଯୋଜନାକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚେଇ ଦେଇଥିଲି । କିଛି ନହେଲେ ଶିକ୍ଷା ମନ୍ତ୍ରଣାଳୟକୁ ଯାଇ ସେଠାରେ ପଚରାଉଚରା କରିବି । ଏମିତି ଏମିତି କେତେ କଥା ଯୋଜନା
କଲି ସତ, ହେଲେ ସେ ଆସନ୍ତାକାଲି କେବେ ଆସିଲାନି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାଭଳି ସେସବୁ ମୋର ଅପହଞ୍ଚ ରହିଲା । ଦିନ ପରେ ଦିନ ଗଡ଼ି ସପ୍ତାହମାନ ବିତିବାକୁ ଲାଗିଲା । ତା’ପରେ ମନକୁ ବୁଝେଇନେଲି: ବିଦେଶ ଯାଇ କରିବି କ’ଣ? ମୁଁ ତ ଆଉ କିଛି ପାଇବାକୁ ଆଶା ବାନ୍ଧି ବସିଚି । ହେଲେ ସେ ଆଉ କିଛି ପ୍ରକୃତରେ କ’ଣ. ? ତା’ରି ଭିତରେ ଦିନେ ଭିଖାର ସା’ବ୍ ଭୀଷଣ ଉତ୍ତେଜିତ ଅବସ୍ଥାରେ ଆସି ମୋ ପାଖରେ ପହଞ୍ଚି କହିଲେ, ‘ତୁମ ଭାଉଜ ମୁଣ୍ଡକୁ ଆଉ ଗୋଟିଏ ନୂଆ ଭୂତ ଢୁକିଛି । ଏବେ ସେ ସବୁଦିନ ପାଇଁ ଭାରତ ଫେରିଯିବା ସକାଶେ କାଗଜପତ୍ର ବନେଇ ସାରିଲେଣି… ।’
ଏକଥା ଶୁଣି ମୁଁ ବିଶେଷ ବିଚଳିତ ନହୋଇ ସ୍ୱାଭାବିକ ଭାବେ ପଚାରିଲି, ‘କ’ଣ ହେଲା ସେଇଠୁ?’ ଏତିକି କହି ମୁଁ ଚା’କରିବାକୁ ଚାଲିଗଲି । ଭିଖାର ସା’ବ୍ ସେମିତି ଉତ୍ତେଜିତ ହୋଇ କହିଚାଲିଲେ, ‘ମୁଁ ତାଙ୍କୁ ତଲାକ ଦେଇଦେଲି । ମୋ ସାଙ୍ଗରେ ସେ ପ୍ରବଳ ଯୁକ୍ତିତର୍କ କଲେ । ସବୁବେଳେ ଝଗଡ଼ା କରୁଥିଲେ ।’ ଏବେ ସେ ମୋ ସାମ୍ନାରେ ଅନ୍ୟ ଗୋଟିଏ ଖଟ ଉପରେ ବସିପଡ଼ି ଗୋଟିଗୋଟିକରି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ସବୁ ଘଟଣା ବଖାଣି ଚାଲିଲେ । ତାଙ୍କ କହିବା ଅନୁସାରେ ସବୁ ଭୁଲ୍ ତାଙ୍କ ପତ୍ନୀର; ଏବଂ ସେ ଗୋଟାପଣେ ନିର୍ଦ୍ଦୋଷ ।
ମୁଁ ତାଙ୍କ କଥାକୁ ବିଶେଷ ଗୁରୁତ୍ୱ ନେଦେଇ ଶୁଣି ଚାଲିଥିଲି । କାଇଁକି ମୁଁ ମିଆଁ-ବିବିଙ୍କ ଝଗଡ଼ାରେ ମୁଣ୍ଡ ଖେଳେଇବି? ସେଥିରେ ମୋର କି ଲାଭ? ଜୀବନରେ ଏମିତି
ସବୁ ଛୋଟ ବଡ଼ ଘଟଣା ଘଟିବ । ସେତେବେଳେ ଜୀବନ ରଙ୍ଗହୀନ ଦିଶିବ । ସତେ ଯେମିତି ବଞ୍ଚିବାର କିଛି ଉଦ୍ଦେଶ୍ୟ କି ଅର୍ଥ ନାହିଁ ପରି ମନେହେବ । ଏଇଟା ତ ସ୍ୱାଭାବିକ କଥା ।
ଏଇ ଘଟଣାର କେଇ ସପ୍ତାହ ପରେ ଭିଖାର ସା’ବ୍ ପୁଣି ଥରେ ମୋ ପାଖକୁ ଆସିଲେ । ଏଥର ସେ ଅଭିଯୋଗଭରା କଣ୍ଠରେ କହିଲେ, ‘ଚାକରବାକରଗୁଡ଼ାକ ମୋତେ ଗୋଟାପଣେ ପାଗଳ କରିସାରିଲେଣି । ତୁମେ ପି ପ୍ରକାର ‘ଭଉଣୀ’ ହୋଇଛ କହିଲ? ଥରେ ଅଧେ କେତେବେଳେ ସମୟ କାଢ଼ି ଭାଇ ଘର ଆଡ଼େ ଆସି
ଜିନିଷପତ୍ର ସଜାଡ଼ି ଦେଇ ଆସି ପାରିବନି? ଚାକରବାକର୍କୁ ସେମାନଙ୍କ କାମଦାମ ବତେଇ ଦେଇ ପାରିବନି? ଘର ଆଉ ସ୍କୁଲ ଦି’ଦି’ଟା କାମ ଏକାସଙ୍ଗେ ଦେଖି ଦେଖି ମୁଁ ମରିବାକୁ ବସିଲିଣି ।’ଭିଖାର ସା’ବ୍ ଏମିତି ଭାବେ ଏତେସବୁ କଥା କହିଗଲେ ସତେ ଯେମିତି ତାଙ୍କ ଘରକାମ ବୁଝାବୁଝି କରିବା ମୋର ଦାୟିତ୍ୱ! ଆଉ କେଇଟା ଦିନ ପରେ ମୁଁ ମୋର ଜିନିଷପତ୍ର ବନ୍ଧାବନ୍ଧି କରି ଭିଖାର ସା’ବ୍ଙ୍କ ଘରକୁ ଚାଲିଗଲି । ତାଙ୍କ ଡାନ୍ସ କ୍ଲାସରେ ବି ସାହାଯ୍ୟର ହାତ ବଢ଼େଇଲି । ପ୍ରାୟ ମାସେ ପରେ ଦିନେ – ମାସର ଶେଷ ରବିବାର ହେବ ବୋଧହୁଏ – ଭିଖାର ସା’ବ୍ ଜଣେ ମୌଲବୀଙ୍କୁ ତାଙ୍କ ଘରକୁ ଡକାଇ । ଦି’ଜଣ ସାଙ୍ଗଙ୍କ ଉପସ୍ଥିତିରେ ସେ ମୋତେ ବିବାହ କଲେ ।
ଭିଖାର ସା’ବଙ୍କୁ ବାହାହେବା ପରେ ଦିନସାରା ମୁଁ ଘର କାମରେ ବ୍ୟସ୍ତ ରହିଲି । ମୋର ରୂପ ଲାବଣ୍ୟ ଏବେ ଅତୀତର ବିସ୍ମୃତ କାହାଣୀ ପାଲଟି ସାରିଥିଲା । ଯଦିବା ମୋତେ ପାର୍ଟି କି ଅନ୍ୟ କୌଣସି ପ୍ରକାର ହୋହଲ୍ଲା ପସନ୍ଦ ଲାଗୁନଥିଲା, ଏବେ ସେଇସବୁ ଘଟଣା ମୋ ଜୀବନ ଓ ପରିବାରର ଅଙ୍ଗ ପାଲଟିଗଲା । ଅବଶ୍ୟ
ମୋ ପାଖକୁ କେଇଟା କଲେଜରେ ପଢ଼େଇବାକୁ ସେତେବେଳେ ପ୍ରସ୍ତାବ ଆସିଥିଲା । ସେମାନେ ମୋତେ ରସାୟନ ପଢ଼େଇବାକୁ ଚାହୁଁଥିଲେ । ହେଲେ ମୋ ହାତରେ ସମୟ ଅବା କାହିଁ? ଘରେ ଯେ ଏତେ ପାଇଟି! ଆଉ ଚାକରବାକର, ଆଜି ଯଦି ସେମାନଙ୍କୁ ଦୟାକରି ଚାକିରୀରେ ରଖିଲ, କାଲି ସକାଳୁ ସେମାନେ ଫେରାର! ମୁଁ ଜୀବନରେ ବେଶୀ କିଛି ଆଶା କରିନଥିଲି । ମୋର କେବଳ ସାଧାରଣ ଘର ଖଣ୍ଡିଏ ଲୋଡା, ଆଉ ଖଣ୍ଡେ କାର୍ ଯେଉଁଥିରେ କୁଆଡ଼େ ଚାହିଁଲେ ବୁଲି ଯାଇହେବ । ଘରେ ଅତିଥିଚର୍ଚ୍ଚା କରିବା ଲାଗି କିଛି ଆସବାବପତ୍ର ଓ ଖାଦ୍ୟପେୟର ବ୍ୟବସ୍ଥା ଥିବ । ଅନ୍ୟମାନଙ୍କ ଦୃଷ୍ଟିରେ ନିଜର ମାନମର୍ଯ୍ୟାଦାକୁ ଅତୁଟ
ରଖିବା ସକାଶେ ଯେତିକି ଦରକାର, ସେତିକି ମିଳିଗଲେ ବାସ୍, ଯଥେଷ୍ଟ ।
ଏବେ ଆମେ ଦୁହେଁ ବାସକୁ ଦେଢ଼ରୁ ଦୁଇ ହଜାର ପର୍ଯ୍ୟନ୍ତ ଟଙ୍କା କମାଉଥିଲୁ- ଆମ ଦି’ପ୍ରାଣୀଙ୍କ ଲାଗି ସେତିକି ଯଥେଷ୍ଟ ଥିଲା । ଯଦି ଜଣେ ନିଜ ଭାଗ୍ୟକୁ ଗ୍ରହଣ କରିନେଇ ସନ୍ତୁଷ୍ଟ ରହିଲା, ତେବେ ନିଜକୁ ଅନେକ ଦୁଃଖ ଯନ୍ତ୍ରଣାରୁ ସହଜରେ ମୁକ୍ତ ରଖିହେବ । ବିବାହ ତ ଜଣେ ଝିଅର ମୁଣ୍ଡ ଉପରେ ଛାତଟିଏ ଢାଙ୍କି
ଦେଇଥାଏ । ହେଲେ ଆଜିକାଲିକା ଝିଅମାନେ ତ ସମ୍ପୂର୍ଣ୍ଣ ଭିନ୍ନ । ମୁଁ ସେମାନଙ୍କୁ ବୁଝିପାରେନି । ସେମାନେ ଏତେ ବାତ୍ରାରେ ହାତଛଡ଼ା ହୋଇଯାଆନ୍ତି! ସେମାନଙ୍କ ବିଷୟରେ ମୁଁ ଯେତିକି ଅଧିକ ଭାବେ, ମୋ ମୁଣ୍ଡ ସେତିକି ଗୋଳମାଳିଆ ଧରେ ।
ମୁଁ ତ କାହାରି ସାଙ୍ଗରେ ଏମିମତି ମଉଜମସ୍ତି କରିନଥିଲି । ଖୁସୱକ୍ତ, ଫାରୁକ ଆଉ ଏଇ କଳା ଦୈତ୍ୟ ସ୍ୱାମୀଟି ମୋର – ଏଇ ତିନିଜଣଙ୍କ ଛଡ଼ା ଚତୁର୍ଥ ପୁରୁଷଙ୍କୁ ତ ମୁଁ ଜାଣିସୁଦ୍ଧା ନଥିଲି । ମୁଁ କେବେ ନିଜକୁ ଜଣେ ଖରାପ ଝିଅ ବୋଲି ଭାବେନି । ସେତେବେଳେ ମୁଁ କିପରି ଥିଲି, ତାହା ମୋର ମନେନାହିଁ …ଏବେ ବି କ’ଣ ଓ କିପରି ଅଛି ସେକଥା ବୁଝିପାରେନା । ସାଦିୟା, ପ୍ରଭା ଓ ସେଇ ଅନ୍ୟ ଝିଅଟି, ଯିଏ ମୋତେ ଚିହ୍ନିବା ମାତ୍ରେ ତା’ର ଆଖି ଭୟରେ ଭରିଉଠିଥିଲା ସେମାନେ ସମ୍ଭବତଃ ମୋତେ ଭଲଭାବେ ଚିହ୍ନିଥିଲେ – ଜାଣିଥିଲେ ।
ଖୁସୱକ୍ତ୍ଙ୍କ ବିଷୟରେ ଏବେ ଆଉ ଭାବି ଅବା ଲାଭ କ’ଣ? ୟା’ଭିତରେ କେତେ ସମୟ ବିତି ସାରିଥିଲା! ଏବେ ହୁଏତ ସେ ଜଣେ ବ୍ରିଗେଡିୟର କି ମେଜର ଜେନେରାଲ ହୋଇ ସାରିବେଣି – ସମ୍ଭବତଃ ଆସାବ ସୀମାରେ ଚୀନ୍ ସେନାଙ୍କ ସହିତ ସେ ଏବେ ଲଢ଼େଇ କରୁଥିବେ କିମ୍ବା ରାଜପୁତାନାର ଅଫିସର୍ସ ମେସ୍ରେ ବସି ଆରାମ କରୁଥିବେ । ନିଜ ମୋଟା ନିଶ ତଳେ ଓଠରେ ମୁରୁକି ହସା ମାରୁଥିବେ! କିମ୍ବା ଢେର୍ଦିନ ତଳୁ କାଶ୍ମୀରରେ ଲଢେଇ କରି ସହିଦ ହୋଇସାରିଥିବେ! କିଏ ଜାଣେ ସେକଥା!
ଏଇସବୁ କଥା ଭାବି ଭାବି ଦିନେ ରାତିରେ ମୁଁ ମୋ ଶେଯରେ ପଡ଼ିଥିଲି । ଛାତକୁ ଚାହିଁ ରହିଥିଲି । ଆଖିରେ ନିଦ ନଥିଲା । ବିଜ୍ଞାନ ଓ ସଂସାରର ଅନେକ ରହସ୍ୟ ମୋ ଆଖି ଖୋଲି ଦେଇଥିଲା । ରସାୟନ ଶାସ୍ତ୍ରର ଅନେକ ଗ୍ରନ୍ଥ ମୁଁ ପଢ଼ିଥିଲି। ଘଣ୍ଟା ଘଣ୍ଟା ଧରି ଏମିତି ଅନେକ କଥା ଭାବୁଥିଲି । କିନ୍ତୁ ମୋ ମନକୁ କେମିମତି ଏକ ଅଜଣା ଭୟ ଗ୍ରାସ କରିଚାଲିଥିଲା । ସେମିତି ଏକ ଅନ୍ଧାର ରାତିରେ ମୋ ଭୟ ବଢ଼ି ଯାଇଥିଲା । ଖୁସୱକ୍ତ ସିଂହ! ଖୁସୱକ୍ତ ସିଂହ! ମୋ ପ୍ରତି ତୁମେ ଏବେ କି
ପ୍ରକାର ଆଚରଣ ପ୍ରଦର୍ଶନ କରିବ!
ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩
Comments are closed.