Latest Odisha News

BREAKING NEWS

କବିତା : ବର୍ଷା ଗୋ ତୁମେ

ମାନଗୋବିନ୍ଦ ବାରିକ୍

ବର୍ଷାଗୋ ତୁମେ ବୈଶାଖୀ ଆଖିରେ
ଅନ୍ତରଙ୍ଗ-ଅନୁବନ୍ଧ,
ବର୍ଷାଗୋ ତୁମେ ଜ୍ୟେଷ୍ଠ-ଡହକରେ
ସୁଶୀତଳ ପ୍ରୀତି-ଛନ୍ଦ।

ବର୍ଷାଗୋ ତୁମେ ଆଦ୍ୟ-ଆଷାଢ଼ରେ
ମେଘ-ମହ୍ଲାରର ରାସ ,
ବର୍ଷାଗୋ ତୁମେ ଶ୍ରାବଣୀ ଓଠରେ
ଚାନ୍ଦିନୀ-ପଖଳା ହସ।

ବର୍ଷାଗୋ ତୁମେ ଭୋଦୁଅ ସଞ୍ଜର
ପ୍ରେମ-ପ୍ରଣୟର ବାସ୍ନା,
ବର୍ଷାଗୋ ତୁମେ ଅଶିଣ-ଆକାଶ
ମୁଗ୍ଧ-ମଧୁକ୍ଷରା ତୃଷ୍ଣା।

ବର୍ଷାଗୋ ତୁମେ ସାତ୍ତ୍ଵିକ-କାର୍ତ୍ତିକ
ପୁଣ୍ୟ-ତ୍ବୟା ମନ୍ଦାକିନୀ,
ବର୍ଷାଗୋ ତୁମେ ପୁଣ୍ୟ-ମାର୍ଗଶିର
ଶୁଭଙ୍କର-ଶଙ୍ଖଧ୍ୱନି।

ବର୍ଷାଗୋ ତୁମେ ବିଦଗ୍ଧ-ପଉଷ
ଦଗ୍ଧ-ପ୍ରାଣ ବିସନ୍ନତା,
ବର୍ଷାଗୋ ତୁମେ ଶୀତୁଆ ମାଘର
ଗ୍ରୀଷ୍ମ-ଉହ୍ମେଇ ଉଷ୍ମତା।

ବର୍ଷାଗୋ ତୁମେ ମଧୁ-ଫଗୁଣର
ମୃଦୁ-ମଳୟର ସ୍ପର୍ଶ,
ବର୍ଷାଗୋ ତୁମେ ଚଇତି-ଚାନ୍ଦିନୀ-
ରାତିର ରତି-ଉତ୍କର୍ଷ।

ବର୍ଷାଗୋ ତୁମେ ଷଡ଼-ଋତୁ ଚକ୍ର
ସପ୍ତ-ସ୍ୱର ପଦ୍ମତୋଳା,
ବର୍ଷାଗୋ ତୁମେ ସୁପ୍ତ-ଧରଣୀରେ
ଉତ୍ତାଳ-ତରଙ୍ଗ ମାଳା।

ବର୍ଷାଗୋ ତୁମେ ଧରିତ୍ରୀ-ସ୍ଥିତିରେ
ସୃଷ୍ଟି-ସୃଜନର ସ୍ରଷ୍ଟା,
ବର୍ଷାଗୋ ତୁମେ ଭବ୍ୟ-ଚେତନାରେ
ଦିବ୍ୟ-ଦିଗନ୍ତର ଦ୍ରଷ୍ଟା।

* ” ବାସ ଶ୍ରେୟା “
ଏମ୍. ଆଇ, ଜି -୭୫,ବି ଡି ଏ କଲୋନୀ, ଫେଜ୍-୧,
ପୋଖରୀପୁଟ, ଭୁବନେଶ୍ୱର-୨୦

Leave A Reply

Your email address will not be published.