ଭୁବନେଶ୍ୱର: ମହାପ୍ରଭୁ ସ୍ନାନବେଦୀରୁ ଆସି ଅଣସର ଘରେ ଗୁପ୍ତସେବାରେ ଚିକିତ୍ସିତ ହେବା ସମୟରେ ପଟ୍ଟିଦିଅଁ ରୂପେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବଡ଼ଭାଇ ବଳଭଦ୍ର ବାସୁଦେବଙ୍କ ରୂପରେ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ବା ଯାଜ୍ଞସେନୀ ରୂପରେ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁ ନାରାୟଣଙ୍କ ରୂପରେ ଚିତ୍ରିତ ପଟ୍ଟଚିତ୍ରରେ ପୂଜା ପାଇଥାଆନ୍ତି । ଏହି ସମୟରେ ବ୍ରହ୍ମଗିରିରେ ରହିଥିବା ପ୍ରାଚୀନ ଅଲାରନାଥ ମନ୍ଦିରରେ ଭକ୍ତମାନେ ଲକ୍ଷାଧିକ ସଂଖ୍ୟାରେ ସମାଗମ ହୋଇ ଶ୍ରୀଅଲାରନାଥଙ୍କ ଦିବ୍ୟ ଦର୍ଶନ କରିଥାନ୍ତି ।
ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ସମ୍ପର୍କରେ ଏକ ଚମତ୍କାର କିମ୍ବଦନ୍ତୀ ରହିଛି । ପୂଜକଙ୍କ ବଙ୍କଳ ପୁତ୍ରଙ୍କ ଠାରୁ କିପରି ସ୍ୱୟଂ ଶ୍ରୀଅଲାରନାଥ ନିଜ ହାତରେ କ୍ଷିରୀ ଖାଇବା କାହାଣୀ । ଶ୍ରୀଜଗନ୍ନାଥ ଯେ, ସମ୍ପୂର୍ଣ୍ଣ ଜୀବନ୍ତ ଦେବତା ଏହା ଏହି ସବୁ ତାଙ୍କର ମାନବୀୟ ଲୀଳାରୁ ସ୍ପଷ୍ଟ ଅନୁମାନ କରିହୋଇଥାଏ । କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ମହାପ୍ରଭୁଙ୍କର ଏହିପରି ଅନେକ ଲୀଳାକୁ ଯଦି ଆମେ ବିଶ୍ଳେଷଣ କରିବା ତେବେ ଏଥିରୁ ଜାଣିପାରିବା ଯେ, ସାଧାରଣ ମଣିଷର ଦିନଚର୍ଯ୍ୟା ପରି ଏହି ପରଂବ୍ରହ୍ମ ରୂପୀ ଦାରୁବ୍ରହ୍ମ ମଧ୍ୟ ଅଙ୍ଗେ ନିଭାଇ ଥାଆନ୍ତି । ମହାପ୍ରଭୁଙ୍କର ଦାନ୍ତଘଷା, ସକାଳ ଜଳଖିଆ ସେବନ, ଅନ୍ନ ଭୋଜନ ଏବଂ ରାତ୍ରକାଳରେ ନିଦ୍ରା ଯିବାପରି ଶୟନ କରିବା ପ୍ରକୃତରେ ସମସ୍ତ ଭକ୍ତଙ୍କୁ ବିସ୍ମିତ କରିଥାଏ । ଜଗତର ନାଥ ଏହି ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ସାଧାରଣ ମଣିଷଟିଏ ପରି ବୁଲିବାକୁ ମଧ୍ୟ ଭଲ ପାଆନ୍ତି ତେଣୁ ତାଙ୍କ ପାଇଁ ଖଞ୍ଜା ଯାଇଛି ଶ୍ରୀମନ୍ଦିରର ବାରମାସରେ ତେର ଯାତ୍ରା । ମହାପ୍ରଭୁଙ୍କ ବେଶ ପୋଷାକ ମଧ୍ୟ ସେହିପରି ରହସ୍ୟମୟ କରିଥାଏ ତାଙ୍କର ବ୍ୟକ୍ତିତ୍ୱକୁ ପରଖିବାରେ । ସାଧାରଣ ମଣିଷଟିଏ କୌଣସି ରୋଗରେ ଆକ୍ରାନ୍ତ ହେଲେ ଯେପରି ଚିକିତ୍ସିତ ହୋଇଥାଏ ମହାପ୍ରଭୁଙ୍କର ଅଣସର ପିଣ୍ଡିରେ ଦଇତାସେବକ ମାନଙ୍କ ଦ୍ୱାରା ହେଉଥିବା ଗୁପ୍ତ ଚିକିତ୍ସା ସେବା ପ୍ରକୃତରେ ସମ୍ପୂର୍ଣ୍ଣ ଶ୍ରୀଜଗନ୍ନାଥ ଚେତନାକୁ ରହସ୍ୟମୟ କରିଦେଇଥାଏ ।
ବ୍ରହ୍ମଗିରିରେ ଭଗବାନ ବ୍ରହ୍ମା ଓ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପୂଜା
ଶ୍ରୀକ୍ଷେତ୍ର ପୁରୀରୁ ବ୍ରହ୍ମଗିରିର ଅଲାରନାଥ ମନ୍ଦିର ପ୍ରାୟ ୨୫ କିଲୋମିଟର । ପୌରାଣିକ କଥାବସ୍ତୁ କହେ, ସତ୍ୟଯୁଗରେ ଭଗବାନ ବ୍ରହ୍ମା ଏକ ପାହାଡ଼ ଉପରେ ଧ୍ୟାନମଗ୍ନ ହୋଇ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରୁଥିଲେ । ଭଗବାନ ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମାଙ୍କ ନିକଟରେ ଆବର୍ଭାବ ହେଲେ । ବ୍ରହ୍ମାଙ୍କ୍ୁ କହିଲେ ଆପଣ ମୋର ଚାରି ଭୂଜା ଥିବା ଏକ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜା କରନ୍ତୁ । ଭଗବାନ ବ୍ରହ୍ମା ଏକ କଳା ମୁଗୁନି ପଥରରେ ଗରୁଡ଼ଙ୍କ ସହିତ ନାରାୟଣଙ୍କ ମୂର୍ତ୍ତି ନିର୍ମାଣ କରିବା ସହିତ ପ୍ରତିଷ୍ଠା ମଧ୍ୟ କଲେ । ଭଗବାନ ବିଷ୍ଣୁ ସେହି ପାହାଡ଼ର ନାମଦେଲେ ବ୍ରହ୍ମଗିରି, କାରଣ ବ୍ରହ୍ମା ସେଠାରେ ପୂଜା କରୁଥିଲେ । ତେବେ କିମ୍ବଦନ୍ତୀ କହେ ସେହି ବ୍ରହ୍ମଗିରି ପାହାଡ଼ରୁ ରାଜସ୍ଥାନର ଅଲୱାରର ଶାସକ ସେହି ବିଷ୍ଣୁମୂତ୍ତିକୁ ଆଣି ଏହିଯାଗାରେ ମନ୍ଦିର କରି ସ୍ଥାପନ କଲେ । ସେବେଠାରୁ ଏଠାରେ ଭଗବାନ ବିଷ୍ଣୁ ଶ୍ରୀଅଲାରନାଥ ରୂପେ ପୂଜିତ ହେଉଛନ୍ତି ।
ମହାପ୍ରଭୁ ଶ୍ରୀଚୈତନ୍ୟ ଅଣବସର ସମୟରେ ଏଠାରେ ରହି ଅଲାରନାଥଙ୍କୁ ପୂଜା କରୁଥିଲେ । ଏଠାରେ ଶ୍ରୀଚୈତନ୍ୟ ମହାପ୍ରଭୁ ଅଲାରନାଥଙ୍କ ମୂର୍ତ୍ତିରେ ଶ୍ରୀଜଗନ୍ନାଥଙ୍କୁ ସବୁବେଳେ ଦର୍ଶନ କରିପାରୁଥିଲେ । ସେଥିଲାଗି ସେ ଏଠାରେ ଦୀର୍ଘଦିନ ଧରି ରହି ପୂଜା କରିଆସୁଥିଲେ । ଏହି ମନ୍ଦିରରେ ଅଲାରନାଥଙ୍କୁ କ୍ଷୀରି ଭୋଗ ଲାଗି କରାଯାଇଥାଏ । ଏଠାରେ ମହାପ୍ରଭୁ କିପରି ନିଜ ହାତରେ କ୍ଷୀରି ଭୋଗ ଖାଇଥିଲେ ସେହି କ୍ଷୀରି ଭୋଗକୁ ନେଇ ଏକ ରୋଚକ କଥାବସ୍ତୁ ରହିଛି ।
ନିଜ ହାତରେ କ୍ଷିରୀ ଖାଇଲେ ମହାପ୍ରଭୁ !
ବହୁବର୍ଷ ପୂର୍ବରୁ ତାମିଲ ପୂଜକ କେତନ ଏହି ଅଲାରନାଥଙ୍କ ପୂଜକ ଭାବେ ଦୈନିକ ପୂଜାକାର୍ଯ୍ୟ କରୁଥିଲେ । ସେ ଥରେ ବହୁଦୂର ସ୍ଥାନକୁ ଯିବାକୁ ଥିବା ବେଳେ ତାଙ୍କର ୧୨ ବର୍ଷର ପୁଅ ମଧୁସୂଦନକୁ ପୂଜା କେମିତି ହୁଏ ବତାଇ ଦେଇ ଚାଲିଗଲେ । ନାବାଳକ ପୁଅ ମଧୁସୂଦନ ପୂଜା କର୍ମ ଜାଣିନଥିଲେ ମଧ୍ୟ ଦୈନିକ ସାଧାରଣ ଭାବେ କ୍ଷୀରି ଭୋଗ ଅର୍ପଣ କରିବାକୁ କହିଥିଲେ । ମଧୁସୂଦନଙ୍କୁ ସେ କହିଥିଲେ ଖାଲି ଠାକୁରଙ୍କ ସାମ୍ନାରେ କ୍ଷୀରି ଭୋଗ ରଖିଦେଇ ଚଳୁ ବୁଲାଇବାକୁ ଏବଂ ତାହା ହିଁ ଠାକୁର ଗ୍ରହଣ କରିବେ । ମଧୁସୂଦନ ସେହିପରି ପୂଜା କରିଚାଲିଲେ । କ୍ଷୀରି ଭୋଗ ଠାକୁରଙ୍କ ଆଗରେ ରଖିଦେଇ ଆଖିବୁଜି କହନ୍ତି, ଠାକୁରେ ଜଲଦି ଭୋଗ ଖାଇନିଅ ମୁଁ କ୍ଷୀରି ଯାଗାଟା ନେଇକି ଯିବି ନହେଲେ ବାପା ରାଗିବେ । ଆଖି ଖୋଲନ୍ତି ମଧୁସୂଦନ ଏବଂ ଦେଖନ୍ତି କ୍ଷୀରି ଯାଗା ଖାଲି ଅଛି, ତା’ପରେ କ୍ଷୀରି ଯାଗା ଆଣି ରୋଷେଇ ଘରେ ଧୋଇବାକୁ ରଖିଦିଅନ୍ତି । ବାପା ଦୂରସ୍ଥାନରୁ କାମ ସାରି କିଛିଦିନ ପରେ ଘରକୁ ଫେରିଲେ । ଆସିବା ଦିନ ପୁଅ ପୂଜା ସାରି ଖାଲି ଭୋଗ କଂସା ଧରି ଫେରିବା ଦେଖି ପୂଜକ ସନ୍ଦେହ କଲେ । ବାପା ସନ୍ଦେହ କରି ପୂଅକୁ ପଚାରିଲେ, ଆରେ ତୋତେ ଠାକୁରଙ୍କୁ ଭୋଗ ଲଗାଇବାକୁ କହିଥିଲି ତୁ କାହିଁକି ନିଜେ ଖାଇଦେଉଛୁ? ପୁଅ କହିଲା ନା’ ବାପା, ଠାକୁର ନିଜେ ସବୁ କ୍ଷୀରି ଖାଇଦେବା ପରେ ମୁଁ ଖାଲି ଯାଗାଟା ନେଇକି ଆସେ ।
ଦିନେ ପୂଜକ ଓ ତାଙ୍କ ପତ୍ନୀ କବାଟ କୋଣରେ ଛପି ଦେଖିଲେ ପ୍ରକୃତରେ ଘଟଣା କ’ଣ । ଦୁହେଁ ଦେଖିଲେ ପିଲାଟି ଠାକୁରଙ୍କୁ କ୍ଷୀରି ଅର୍ପଣ କରିବା ପରେ ଆଖି ବୁଜି କହୁଛି, ଠାକୁରେ, ଯଲଦି କ୍ଷୀରି ଖାଇନିଅ, ମୁଁ ଖେଳିବାକୁ ଯିବି । ବାପା ନହେଲେ ରାଗିବେ । ପୂଜକ ଓ ତାଙ୍କ ପତ୍ନୀ କବାଟ କୋଣରେ ଦେଖିଲେ ଠାକୁରେ ନିଜେ ଆସି କ୍ଷୀରି ଖାଉଛନ୍ତି, ଦୁହିଁଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ନିଜ ଆଖିକୁ ବିଶ୍ୱାସ କରିନପାରି ଦୁହେଁ କବାଟ ଫିଟାଇ ଭିତରକୁ ଯିବାକୁ ଉଦ୍ୟତ ହୁଅନ୍ତେ ଠାକୁର କ୍ଷୀରି ପକାଇ ଦେଇ ମୂର୍ତ୍ତି ପାଲଟି ଗଲେ । ମାତ୍ର ଗରମ କ୍ଷୀରି ଦେହରେ ପଡ଼ି ଫୋଟକା ହୋଇଯାଇଥିଲା ଠାକୁରଙ୍କର । ଏବେବି ସେହି ଫୋଟକା ଚିହ୍ନ ରହିଛି ଅଲାରନାଥଙ୍କ ମୂର୍ତ୍ତିରେ ।
ଷୋଡ଼ଶ ଉପଚାର କରିଲେ ମଧ୍ୟ ବ୍ରାହ୍ମଣଙ୍କ ହାତରୁ ଠାକୁରେ କ୍ଷୀରି ନେଉନଥିଲେ ମଧ୍ୟ ପିଲାଟିର ସ୍ନେହ, ପ୍ରେମ ଭରା ଆକୁଳ ନିବେଦନ ଅନୁରୋଧରେ ମହାପ୍ରଭୁଙ୍କ ହୃଦୟ ତରଳି ଯାଇଥାଏ । ସେ ଅନନ୍ୟୋପାୟ ହୋଇ ଭକ୍ତର ନୈବେଦ୍ୟ, ଭୋଗ ଗ୍ରହଣ କରିଥାଆନ୍ତି । ଭକ୍ତର ପ୍ରେମପୂର୍ଣ୍ଣ ଭକ୍ତିରେ ହିଁ ସେ ଦର୍ଶନ ଦେଇଥାଆନ୍ତି । ସେ ପ୍ରେମମୟ, ସେ କରୁଣାର ସିନ୍ଧୁ ସେ କୃପାସିନ୍ଧୁ ସେ ଦୟାମୟ ସେ କୃପାମୟ । ମହାପ୍ରଭୁ ଏହିପରି ମାନବୀୟ ଲୀଳା ଖେଳା କରି ଭକ୍ତଙ୍କୁ ସ୍ୱଚକ୍ଷୁରେ ଦର୍ଶନ ଦେଇଥାଆନ୍ତି ।
Comments are closed.