Latest Odisha News

BREAKING NEWS

୭୫୦ ଛାତ୍ରୀ ପ୍ରସ୍ତୁତ କରିଥିବା ଛୋଟ ରକେଟ ଜାତୀୟ ପତାକା ନେଇ ମହାକାଶକୁ ଯିବ, ଆସନ୍ତାକାଲି ଉତକ୍ଷେପଣ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ମହାକାଶରେ ଜାତୀୟ ପତାକା ଫର ଫର ହୋଇ ଉଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଆଶା ଥିଲା। ଏଥିପାଇଁ ସେ ଚାରି ବର୍ଷ ପୂର୍ବେ ୧୫ ଅଗଷ୍ଟ ୨୦୧୮ରେ ଘୋଷଣା କରିଥିଲେ ଯେ ୭୫ ବର୍ଷ ପୂର୍ତ୍ତି ଅବସରରେ ମହାକାଶରେ ଜାତୀୟ ପତାକା ଉଡ଼ିବ।

ଏବେ ଏହି ସ୍ୱପ୍ୱ ପୂରଣ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ଆସନ୍ତାକାଲି(ଅଗଷ୍ଟ ୭)ରେ ଏକ ଛୋଟ ରକେଟ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଏସଏସଏଲଭି) ଉତକ୍ଷେପଣ କରିବ । ଯାହା ଜାତୀୟ ପତାକାକୁ ମହାକାଶକୁ ନେଇଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୭୫ଟି ସ୍କୁଲର ୭୫୦ ଛାତ୍ରୀ ଏକାଠି ହୋଇ ଏହାକୁ ତିଆରି କରିଛନ୍ତି।

ଇସ୍ରୋର ଏସଏସଏଲଭି ନିଜେ ଏକ ବଡ଼ ସଫଳତା। କାରଣ ସ୍ୱଳ୍ପ ପୃଥିବୀ କକ୍ଷପଥରେ ୫୦୦ କିଲୋଗ୍ରାମରୁ କମ୍ ଓଜନର ଉପଗ୍ରହ ଏବଂ ପେଲୋଡ୍ ରଖିବା ପାଇଁ ଏହା ବିକଶିତ ହୋଇଛି। ଅଗଷ୍ଟ ୭ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଉତକ୍ଷେପଣ ହେବ।

ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ଏବଂ ଛାତ୍ରୀଙ୍କୁ ସେମାନଙ୍କ କ୍ୟାରିୟର ଭାବରେ ମହାକାଶ ଗବେଷଣା ବାଛିବା ପାଇଁ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏପରି ଏକ ପ୍ରୟାସ କରାଯାଇଛି। ଏସଏସଏଲଭିର ଓଜନ ପ୍ରାୟ ୧୨୦ ଟନ୍ ଏବଂ ୩୪ ମିଟର ଉଚ୍ଚତାରେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ମହାକାଶରେ ବହନ କରିପାରିବ।

ଇସ୍ରୋର ଚେୟାରମ୍ୟାନ୍ ଏସ୍ ସୋମନାଥ ନୂଆ ଉପଗ୍ରହକୁ ‘ଗେମ୍ ଚେଞ୍ଜର’ ବୋଲି କହିଛନ୍ତି । ଯାହା ଲାଭଜନକ ତଥା ଉନ୍ନତ ଉପଗ୍ରହ ଉତକ୍ଷେପଣ ବଜାରରେ ପ୍ରବେଶ କରିବାର ଭାରତର ସ୍ୱପ୍ନକୁ ଆହୁରି ଆଗକୁ ବଢାଇବ। ଏହା ସଫଳ ଉତକ୍ଷେପଣ ସହିତ, ସ୍ପେସ୍ ସେକ୍ଟର ଏବଂ ଅନ୍ୟାନ୍ୟ ଘରୋଇ ଭାରତୀୟ କମ୍ପାନୀ ମଧ୍ୟରେ ବିଶେଷ ସହଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଏହି ଉପଗ୍ରହ କୃଷି, ମୃତ୍ତିକା ଏବଂ ଉପକୂଳ ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ।

Leave A Reply

Your email address will not be published.