Latest Odisha News

BREAKING NEWS

୭୦ ଲକ୍ଷ ରାସନକାର୍ଡଧାରୀଙ୍କୁ ସନ୍ଦେହ ନଜରରେ ଦେଖିଲା କେନ୍ଦ୍ର, ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରାୟ ୭୦ ଲକ୍ଷ ହିତାଧୀକାରୀଙ୍କୁ ସନ୍ଦେହ ନଜରରେ ଦେଖିବା ଆରମ୍ଭ କରିଛି କେନ୍ଦ୍ର ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ତଥ୍ୟ ପଠାଇଛନ୍ତି। ଏବେ ରାଜ୍ୟ ସରକାର ଏହି ୭୦ ଲକ୍ଷ ହିତାଧିକାରୀଙ୍କୁ ଯାଞ୍ଚ କରିବେ। କେନ୍ଦ୍ର ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ ଶୁକ୍ରବାର ଏହା କହିଛନ୍ତି । ୨୦୧୩ ରୁ ୨୦୨୧ ମଧ୍ୟରେ ରାଜ୍ୟମାନେ ୪.୭୪ କୋଟି ରାସନ କାର୍ଡ ହଟାଇ ଦେଇଥିଲେ ବୋଲି ସେ କହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁଦର୍ଶନ ପାଣ୍ଡେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ନିକଟରେ ପ୍ରାୟ ୭୦ ଲକ୍ଷ ହିତାଧିକାରୀଙ୍କୁ ସନ୍ଦେହଜନକ ଭାବେ ଚିହ୍ନଟ କରାଯାଇଛି । ଏବେ ଏହି ସମ୍ବନ୍ଧୀୟ ତଥ୍ୟକୁ ଯାଞ୍ଚ କରିବାକୁ ସମ୍ପୃକ୍ତ ରାଜ୍ୟକୁ କୁହାଯାଇଛି। ପାଣ୍ଡେ କହିଛନ୍ତି ଯେ ବିଗତ ୯ ବର୍ଷ ମଧ୍ୟରେ ୪.୭୪  କୋଟି ହିତାଧିକାରୀଙ୍କ ରାସନ କାର୍ଡ ହଟାଯାଇଛି ଏବଂ ଏହି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି।

ପାଣ୍ଡେ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ହିତାଧିକାରୀ ସୃଷ୍ଟି କରିବା ଏକ ନିରନ୍ତର ପ୍ରକ୍ରିୟା। ଆଜି ଜଣଙ୍କର ଆର୍ଥିକ ସ୍ଥିତି ଭଲ ହେଲେ ନିୟମ ଅନୁଯାୟୀ ସେହି ବ୍ୟକ୍ତି ହିତାଧିକାରୀ ବର୍ଗରୁ ବାଦ ପଡିବେ। ଏବଂ ଯେଉଁମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବ ସେମାନେ ଏହି ତାଲିକାରେ ସାମିଲ ହେବେ। ଏହା ଏକ ନିରନ୍ତର ପ୍ରକ୍ରିୟା।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ୮୪.୨୬ ଲକ୍ଷ ରାସନ କାର୍ଡ ହଟାଯାଇଥିଲା । ଏବଂ ଗତ ୯ ବର୍ଷ ମଧ୍ୟରେ ୪.୭୪ କୋଟି ହିତାଧିକାରୀଙ୍କୁ ହଟାଯାଇଛି। କୋଭିଡର ଦୁଇ ବର୍ଷ (୨୦୨୦ ଏବଂ ୨୦୨୧) ମଧ୍ୟରେ ୪୬ ଲକ୍ଷ ରାସନ କାର୍ଡ ବାତିଲ କରାଯାଇଥିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୧.୭୩ କୋଟି ରାସନ କାର୍ଡ ବାତିଲ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୬୮.୬୨ ଲକ୍ଷ ରାସନ କାର୍ଡ, ମହାରାଷ୍ଟ୍ରରେ ୪୨.୬୬ ଲକ୍ଷ, କର୍ଣ୍ଣାଟକରେ ୩୦.୦୯ ଲକ୍ଷ ଏବଂ ରାଜସ୍ଥାନରେ ୨୨.୬୬ ଲକ୍ଷ ରାସନ କାର୍ଡ ବାତିଲ କରାଯାଇଛି।

Leave A Reply

Your email address will not be published.