Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ଶାହ କହିଛନ୍ତି, ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା । ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି । ପୂରା ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି’ ବୋଲି ଅମିତ ଶାହ କହିଛନ୍ତି ।

୨) କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀ ମାନଙ୍କୁ ମୋର ପ୍ରଣାମ ଜଣାଉଛି । କୌଣସି ଭୟ କିମ୍ବା ଅନୁଗ୍ରହ ବିନା ମିଡିଆ ତାର କର୍ତ୍ତବ୍ୟ ପାଳନ କରିବା ଉଚିତ୍ । ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ । ତେଣୁ ଆଶା କରାଯାଏ ଯେ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ୍ ।

୩) ତେବେ ଅମିତ ଶାହଙ୍କୁ ବିମାନବନ୍ଦରରେ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ସ୍ୱାଗତ ପାଇଁ ନଯିବାକୁ ନେଇ ରାଜନୀତି ଜୋର୍ ଧରିଛି । ନିୟମ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନରେ ରାଜ୍ୟର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିମାନବନ୍ଦରକୁ ଯିବା କଥା । ହେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ୍ ଡିଜି କିମ୍ବା ଯାଇନଥିଲେ । କେବଳ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶାହଙ୍କୁ ସ୍ୱାଗତ ଜଣାଇଥିଲେ । ଯାହାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି ପ୍ରୋଟୋକଲ୍ ଓ ରୁଲ୍ ବୁକ୍ ଅନୁସାରେ ଏପରି ହେବା କଥା ନୁହେଁ । ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ ।

୪) ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍‌ ହାର ମୋଟ ୮୧.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ରହିଛି । କଳାରେ ଛାତ୍ରଙ୍କ ପାସ୍‌ହାର ଅପେକ୍ଷା ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ହାର ୭୫.୦୮ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୮୭.୪୭ ପ୍ରତିଶତ ରହିଛି । କଳାରେ ମୋଟ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।
୫) କୋଭିଡ୍ ଟିକାକରଣ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କରିଛନ୍ତି । ଟିକାକରଣ କେନ୍ଦ୍ର ବଢାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନର ବ୍ୟବସ୍ଥା ମଧ୍ୟ କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ । ରାଜ୍ୟରେ ଏଯାଏ ୪୬ ଲକ୍ଷ ୬୬ ହଜାର ଲୋକ ପ୍ରିକସନ୍ ଡୋନ୍ ନେଇଛନ୍ତି । ଯାହାକି ମୋଟ୍ ଲୋକଙ୍କର ୧୪ ପ୍ରତିଶତ । ବାକି ଲୋକଙ୍କୁ ଖୁବ୍‌ ଶୀଘ୍ର ଟିକାକରଣ କରାଯିବ ।

୬) ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ଜରିମନା । ଜି. ଉଦୟଗିରି ଥାନା ଅଞ୍ଚଳର ୪୬ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ଦିଗଲକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ୨୦୧୯ ଅପ୍ରିଲ ୪ ତାରିଖରେ ପୀଡ଼ିତା ଏକାକୀ ଘରେ ଥିବାବେଳେ ଜିତେନ୍ଦ୍ର ଘରକୁ ଯାଇ ରୁଟି ଖାଇବାକୁ ଦେଇ ଦୁଷ୍କର୍ମ କରିଥିଲେ ।

୭) ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ୱେଲ୍ ମାର୍କଡ୍ ଲୋପ୍ରେସର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ,ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣପାଗ ବିଜ୍ଞାନ କେନ୍ଦ୍ର ।

୮) ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ଫଡ଼ନାଭିସ କ୍ୟାମ୍ପ ଖୁସି ନଥିବା ଶୁଣିବାକୁ ମିଳୁଛି । ସରକାର ଗଠନ ହେବାର ମାସେ ପୁରିଥିଲେ ବି ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗଠନ ନେଇ ଅସାମଞ୍ଜସ୍ୟ ଲାଗି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସରକାରରେ ବଡ଼ ଖବର ଶୁଣିବାକୁ ମିଳୁଛି । ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବିସ୍ତାର ହେବ । ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି ଶୁଣିବାକୁ କୁହାଯାଉଛି । ନୂଆ ମନ୍ତ୍ରିମଣ୍ଡଳରେ ପ୍ରତ୍ୟେକ ଅଞ୍ଚଳରୁ ଜଣେ ଜଣେ ମନ୍ତ୍ରୀ ରହିବେ ।

୯) ଯୋଗୀଙ୍କ ମନ୍ତ୍ରୀଙ୍କୁ ଏକ ବର୍ଷ ଜେଲ୍‌ । ଉତ୍ତର ପ୍ରଦେଶ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ରାକେଶ ସଚାନଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି କାନପୁର କୋର୍ଟ । ୧୯୯୧ ଆର୍ମ ଆକ୍ଟ ମାମଲାରେ ତାଙ୍କୁ ଜେଲ୍ ଦଣ୍ଡ ଦେବା ସହ ୧୫୦୦ ଟଙ୍କା ଫାଇନ୍ କରିଛନ୍ତି କୋର୍ଟ । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସଚାନ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ହେଲେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଅଗଷ୍ଟ ୬ ତାରିଖରେ ସେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

୧୦) ଆମ୍ ଆଦମୀ ପାର୍ଟି(ଆପ୍)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ରେବଡି କଲଚର’କୁ ନେଇ ପ୍ରତି ଜବାବ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ପିଲାଙ୍କୁ ମାଗଣା ଶିକ୍ଷା, ସ୍ଵାସ୍ଥ୍ୟ, ବିଜୁଳି, ପାଣିକୁ ମୁକ୍ତ ରେବଡି କହୁଛନ୍ତି, ସେମାନେ ଦେଶର ଗଦ୍ଦାର । ଏମିତି ଲୋକଙ୍କୁ ଦେଶର ଗଦ୍ଦାର ଘୋଷିତ କରାଯାଇ ଗିରଫ କରାଯାଇ ସଜା ଦିଆଯାଉ । ବିଶେଷ କରି ସେହି ମାନଙ୍କୁ ଯିଏ ଧନୀ ଲୋକଙ୍କ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି ।

୧୧) ରାଜ୍ୟଗୋଷ୍ଠୀ କ୍ରୀଡାରେ ପିଭି ସିନ୍ଧୁଙ୍କ ପରେ ପୁରୁଷ ଏକକ ବ୍ୟାଡମିଣ୍ଟନରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ । ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦାର୍ପଣକରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ସେନ । ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ମାଲେସିଆର ପ୍ରତିପକ୍ଷ ଏନଜି ଜେ ୟୋଙ୍ଗଙ୍କୁ ୧୯-୨୧, ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି । ଏଥିସହ ଭାରତର ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୦ତମ ସ୍ଵର୍ଣ୍ଣ ପଦକ ପାଇଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । ସୋମବାର ଏହା ଭାରତର ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ।

୧୨) ଘରୋଇ ୱେଷ୍ଟଣ୍ଡିଜ୍‌ ବିପକ୍ଷରେ ଭାରତ ୪-୧ରେ ଟି-ଟ୍ୱେଣ୍ଟି ସିରିଜ୍ ବିଜୟୀ ହୋଇଛି । ରବିବାର ପଞ୍ଚମ ମ୍ୟାଚ୍‌ରେ ଭାରତ ୮୮ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍‌ ହରାଇ ୧୮୮ରନ୍‌ କରିଥିଲା । ଜବାବରେ ଭାରତୀୟ ସ୍ପିନରଙ୍କୁ ସମ୍ମୁଖୀନ ହୋଇନପାରି ୱେଷ୍ଟଇଣ୍ଡିଜ୍‌ ଦଳ ୧୦୦ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ।

୧୩) ଆସନ୍ତା ୧୭ରୁ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତା । ଓଡ଼ିଶା ବାସ୍କେଟବଲ ଆସୋସିଏସନ୍, କେଶବ ଫାଉଣ୍ଡେସନ ଏବଂ ନବଜାଗରଣ ସଂସ୍ଥା ଆନୁକୂଲ୍ୟରେ କଟକ ଜବାହାର ନେହେରୁ ଷ୍ଟାଡିୟମରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଉଭୟ ବାଳକ ଏବଂ ବାଳିକା ବର୍ଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୨୫୦ ଜଣ ବାଳକ ଏବଂ ୧୫୦ରୁ ଊର୍ଦ୍ଧ୍ୱ ବାଳିକା ଅନୁବନ୍ଧିତ ଜିଲ୍ଲା ଏବଂ କ୍ଲବ୍ ତରଫରୁ ପ୍ରତିନିଧିତ୍ୱ କରିବେ ।

୧୪) ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାର ମାସରେ ତେର ଯାତ ମଧ୍ୟରୁ ଝୁଲଣଯାତ୍ରା ଅନ୍ୟତମ । ରବିବାର ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡି ଓ ଘରେ ମଧ୍ୟ ଝୁଲଣଯାତ୍ରା ଆରମ୍ଭ ହୋଇଛି । ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ତିଥି ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ତେବେ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ପ୍ରତିଦିନ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜରେ ବିରାଜମାନ କରିବେ । ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ ।

୧୫) ଆମେରିକାର ଭର୍ଜିନିଆରେ ରହୁଥିବା ଭାରତୀୟ ମୂଳ ଆର୍ଯ୍ୟ ୱାଲଭେକର ଭାରତର ନାମକୁ ଉଜ୍ଵଳ କରିଛନ୍ତି । ଆର୍ଯ୍ୟ ୨୦୨୨ର ମିସ୍ ଇଣ୍ଡିଆ ୟୁଏସ୍ ଟାଇଟଲ୍ ଜିତିଛନ୍ତି । ଏହି ପ୍ରତିଯୋଗିତା ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା । ୧୮ ବର୍ଷ ବୟସରେ ଆର୍ଯ୍ୟ ତାଙ୍କ ମୁଣ୍ଡରେ ସଜାଇଛନ୍ତି ମୁକୁଟ । ମିସ୍ ଇଣ୍ଡିଆ ୟୁଏସ୍ ୨୦୨୨ ଆର୍ଯ୍ୟ ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି । ଆର୍ଯ୍ୟ କହିଛନ୍ତି ଯେ ନିଜକୁ ପରଦାରେ ଦେଖିବା ଏବଂ ଟିଭିରେ ଅଭିନୟ କରିବା ମୋର ପିଲାଦିନର ସ୍ୱପ୍ନ ।

 

Leave A Reply

Your email address will not be published.