ଭୁବନେଶ୍ୱର: ରବିବାର ଚନ୍ଦକା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ୍ ଧରା ପଡ଼ିଛନ୍ତି। ସ୍ପେଶାଲ ସ୍କ୍ୱାର୍ଡ ଏବଂ ଚନ୍ଦକା ଥାନାର ମିଳିତ ଉଦ୍ୟମରେ ଚଢାଉ କରାଯାଇ ଅଭିଯୁକ୍ତ ସହିତ ଚୋରୀ ସାମଗ୍ରୀକୁ କିଣୁଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ଲକ୍ଷ ଟଙ୍କା ଏବଂ ୧୬୦ ଗ୍ରାମର ସୁନା ଅଳଙ୍କାର (ଯାହାର ମୂଲ୍ୟ ୭.୫ଲକ୍ଷ ଟଙ୍କା) ଜବତ କରାଯାଇଛି।
ଗତ ଜୁନ ୨୬ ତାରିଖରେ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଚନ୍ଦକା ଥାନାରେ କେସ ନଂ- ୧୪୯ରେ ଆଇପିସି ଧାରା ୪୫୭/୩୮୦ (ଯାହା ପରେ ୩୯୫/୪୧୨/୪୧୩ରେ ପରିଣତ ହୋଇଥିଲା) ଏକ ଚୋରି ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାର ତଦନ୍ତ କରି ଚନ୍ଦକା ଥାନା ପୋଲିସ ପୂର୍ବରୁ ମାମଲାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗତ ଜୁଲାଇ ୨୯ ତାରିଖରେ କୋର୍ଟ ଚାଲାଣ କରିଥିଲା ।
ସୋମବାର ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୩ ଜଣ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ସୂଚନାଯୋଗ୍ୟ ଜୁନ ୨୬ ତାରିଖ ମଧ୍ୟ ରାତ୍ରିରେ ମୁଖ୍ୟ ଅଭିଯୁକ୍ତମାନେ ଚୂନିଆ, ବାପି ଏବଂ ସୁଦର୍ଶନ ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କ ସହିତ ମିଳିତ ଭାବରେ ଅଭିଯୋଗକାରୀଙ୍କ ଘରର ଝରକା ଗ୍ରିଲ ଭାଙ୍ଗି ତାଙ୍କର ସୁନା ଓ ରୂପାର ଅଳଙ୍କାର, ୧୦ ଲକ୍ଷ ୫୦ ହଜାର ଟଙ୍କା, ପୁରୁଣା ବିଦେଶୀ ମୁଦ୍ରା ଏବଂ ଅନ୍ୟାନ୍ୟ ମୁଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ।
ସୋମବାର ଚନ୍ଦକା ଥାନା ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡର ମିଳିତ ଉଦ୍ୟମରେ ଉପୋରୋକ୍ତ ୩ ଜଣ ଅଭିଯୁକ୍ତଙ୍କ ସହିତ ଚୋରୀ ସାମଗ୍ରୀକୁ କିଣୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ହେପାଜତରୁ ସମୁଦୟ ୫.୭ଲକ୍ଷ ଟଙ୍କା, ୧୪୮ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଅଟୋ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧି ଅଟନ୍ତି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତମାନେ ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଏହି ପରି ଅପରାଧରେ ସମ୍ପୃକ୍ତ ଅଛନ୍ତି।
ଏମାନଙ୍କ ବିରୋଧରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଥାନା ମାନଙ୍କରେ ସମୁଦାୟ ୧୧ ଟି ମାମଲା ରହିଛି । ତଦନ୍ତ ପରେ ସୋମବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରଯାଇଛି।
Comments are closed.