Latest Odisha News

BREAKING NEWS

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ  ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା ।

ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା । ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍‌ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା ।

ପରୀକ୍ଷଣ ସମୟରେ, ଫ୍ଲାଇଟ୍‌ ଡେଟାକୁ ବ୍ୟବହାର କରି କ୍ଷେପଣାସ୍ତ୍ରର ଗତିପଥ ଏବଂ ପ୍ରଦର୍ଶନ ମାନକ ଅନୁଧ୍ୟାନ କରାଯାଇଥିଲା । ଚାନ୍ଦିପୁର ଆଇଟିଆର ପକ୍ଷରୁ ମୁତୟନ କରାଯାଇଥିବା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଟେଲିମେଟ୍ରୀ ପ୍ରଣାଳୀ ଭଳି ବିଭିନ୍ନ ଦୂର ମାପନ ଉପକରଣ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଡିଜାଇନ ଏବଂ ଏହାକୁ ବିକଶିତ କରିବାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା (ଡିଆରଡିଏଲ), ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଏବଂ ପୁଣେର ଆର ଏଣ୍ଡ ଡି ଇଞ୍ଜିନିୟର୍ସ ଭଳି ବିଭିନ୍ନ ଡିଆରଡିଓ ପ୍ରୟୋଗଶାଳାର ଯୋଗଦାନ ରହିଥିଲା। ଏସବୁ ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ପ୍ରଣାଳୀର ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ ।

Comments are closed.